କନ୍ଧମାଳରେ ଶିଶୁ ମୃତ୍ୟୁହାର ଚିନ୍ତାଜନକ, ଏସଏନସିୟୁରେ ମୃତ୍ୟୁ ସଂଖ୍ୟା ସର୍ବାଧିକ

ଫୁଲବାଣୀ: ଗତ କିଛିଦିନ ହେବ ରାଜ୍ୟର ଶିଶୁମୃତ୍ୟୁ ଘଟଣା ଜାତୀୟସ୍ତରରେ ଖବର ପାଲଟିଛି । ଏସସିବିରେ ମାସକ ମଧ୍ୟରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିବାକୁ ନେଇ ରାଜ୍ୟରେ ରାଜନୈତିକ ଦଳ ମଧ୍ୟରେ ଗୋଡ ଟଣାଟଣି ଦେଖିବାକୁ ମିଳିଥିଲା । ତେବେ କେବଳ କଟକ ଏସସିବି ନୁହଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଶୁମୃତ୍ୟୁ ହାର ଉଦବେଗଜନକ ରହିଛି । ଉଦାହରଣ ଭାବେ କନ୍ଧମାଳ ଜିଲ୍ଲାକୁ ନିଆଯାଇପାରେ । ଗତ ଏପ୍ରିଲରୁ ଅଗଷ୍ଟ ଶେଷ ସୁଦ୍ଧା ଜିଲ୍ଲାରେ ୧୫୪ଜଣ […]

phulbani3........

Rakesh Mallick
  • Published: Wednesday, 30 September 2015
  • , Updated: 30 September 2015, 05:37 PM IST

ଫୁଲବାଣୀ: ଗତ କିଛିଦିନ ହେବ ରାଜ୍ୟର ଶିଶୁମୃତ୍ୟୁ ଘଟଣା ଜାତୀୟସ୍ତରରେ ଖବର ପାଲଟିଛି । ଏସସିବିରେ ମାସକ ମଧ୍ୟରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିବାକୁ ନେଇ ରାଜ୍ୟରେ ରାଜନୈତିକ ଦଳ ମଧ୍ୟରେ ଗୋଡ ଟଣାଟଣି ଦେଖିବାକୁ ମିଳିଥିଲା । ତେବେ କେବଳ କଟକ ଏସସିବି ନୁହଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଶୁମୃତ୍ୟୁ ହାର ଉଦବେଗଜନକ ରହିଛି । ଉଦାହରଣ ଭାବେ କନ୍ଧମାଳ ଜିଲ୍ଲାକୁ ନିଆଯାଇପାରେ । ଗତ ଏପ୍ରିଲରୁ ଅଗଷ୍ଟ ଶେଷ ସୁଦ୍ଧା ଜିଲ୍ଲାରେ ୧୫୪ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । କେବଳ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଏଥିରୁ ୪୩ଜଣଙ୍କର ମୃତ୍ୟୁ ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟ (ଏସଏନସିୟୁ)ରେ ହୋଇଛି । ଏସଏନସିୟୁରେ ଅତ୍ୟାଧୁନିକ ଯନ୍ତ୍ରାଶଂ ରହିଥିବା ବେଳେ ନୂତନ ଜ୍ଞାନକୌଶଳରେ ପିଲାମାନଙ୍କୁ ଚିକିତ୍ସା କରାଯାଉଛି । ମାତ୍ର ଆବଶ୍ୟକ ଡାକ୍ତର ଅଭାବରୁ ଏଠାରେ ଠିକରେ ଚିକିତ୍ସା ସୁବିଧା ମିଳୁ ନ ଥିବାରୁ ପିଲାମାନଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି । ତୁରନ୍ତ ଏଠାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରିବାକୁ ସାଧାରଣରେ ଦାବି ହେଉଛି ।

ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ କନ୍ଧମାଳ ସମେତ ବୌଦ୍ଧ ଜିଲ୍ଲାର ଲୋକେ ନିର୍ଭର କରିଥାନ୍ତି । ପ୍ରତିଦିନ ଏଠାକୁ ହଜାର ହଜାର ରୋଗୀ ଆସିଥାନ୍ତି । ମାତ୍ର ଏଠାରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । ଏହାବାଦ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ରୋଗୀଙ୍କୁ ହଇରାଣ ହେବାକୁ ପଡୁଛି । ଏପରି କି ଅକାରଣରେ ରୋଗୀଙ୍କୁ ବ୍ରହ୍ମପୁର ଓ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ଅଭିଯୋଗ ହେଉଛି । ଏଠାରେ ଶିଶୁଙ୍କ ଚିକିତ୍ସା ଦୁଇଜଣ ଶିଶୁ ବିଶେଷଜ୍ଞ ରହିଥିବା ବେଳେ ଗୋଟିଏ ଡାକ୍ତର ପଦବୀ ଖାଲିପଡିଛି । ସେହିପରି ଏସଏନସିୟୁରେ ଦୁଇଟି ଡାକ୍ତର ପଦବୀ ଖାଲି ରହିଛି । ଏପରି ସ୍ଥିତିରେ ଆସୁଥିବା ଶିଶୁମାନଙ୍କୁ ଠିକରେ ଚିକିତ୍ସା ସୁବିଧା ମିଳୁ ନ ଥିବାରୁ ସେମାନଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି । କନ୍ଧମାଳ ଜିଲ୍ଲାରେ ଶିଶୁମାନେ ସାଧାରଣତଃ ପୃଷ୍ଟିହୀନତା ଓ ରକ୍ତହୀନତାର ଶିକାର ହୋଇଥାନ୍ତି । ଏହାସହ ନବଜାତ ଶିଶୁମାନେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇ ଏସଏନସିୟୁ ଭର୍ତ୍ତି ହେଉଛନ୍ତି । ମାତ୍ର ଡାକ୍ତର ଅଭାବରୁ ପିଲାମାନଙ୍କ ଚିକିତ୍ସା ଠିକରେ ହୋଇପାରୁ ନ ଥିବାରୁ ଶିଶୁ ମୃତ୍ୟୁ ରୋକାଯାଇ ପାରୁନାହିଁ ବୋଲି ଜଣେ ରୋଗୀଙ୍କ ସମ୍ପର୍କୀୟ ଗୌରାଙ୍ଗ ମଲ୍ଲିକ, କିଶୋର ଚନ୍ଦ୍ର କହଁର ଏବଂ ଡ୍ରାଇଭର ବେହେରା କହିଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ସୂଚନା ଅନୁସାରେ ୨୦୧୪-୧୫ ଆର୍ଥିକ ବର୍ଷରେ ଏସଏନସିୟୁରେ ୧୪୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ୨୦୧୫ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ୪୩ଜଣଙ୍କ ପ୍ରାଣ ଗଲାଣି । ତେବେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଘଟୁଥିବା ଅଭିଯୋଗକୁ ଉଭୟ ସିଡିଏମଓ ସ୍ୱପ୍ନେଶ୍ୱର ଗଡନାୟକ ଏବଂ ଏଡିଏମଓ ମମତା ମହାପାତ୍ର ଖଣ୍ଡନ କରିଛନ୍ତି । ସେମାନେ କହିଛନ୍ତି, ଜିଲ୍ଲାରେ ବହୁ ଡାକ୍ତର ପଦବୀ ଖାଲି ପଡିଥିଲେ ମଧ୍ୟ ରୋଗୀଙ୍କୁ ଠିକରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସେମାନ କହିଛନ୍ତ ଯେ, ରୋଗାଗ୍ରସ୍ତ ଶିଶୁଙ୍କୁ ପ୍ରଥମେ ସେମାନଙ୍କ ଅବିଭାବକମାନେ ଘରୋଇ ଚିକିତ୍ସା, ଗୁଣି ଗାରେଡି ଆଦି କରୁଛନ୍ତି । ପିଲାଟି ଗୁରୁତର ହେବା ପରେ ବହୁ ବିଳମ୍ବରେ ଚିକିତ୍ସାଳୟରେ ଭର୍ତ୍ତି କରୁଛନ୍ତି । ଏହାସହ ନବଜାତ ଶିଶୁମାନେ ମ୍ୟାଚ୍ୟୁରିଟି ପୂର୍ବରୁ ଜନ୍ମ ଗ୍ରହଣ କରିବା ସହ ସେମାନଙ୍କ ଓଜନ ବହୁତ କମ ରହୁ ଥିବାରୁ ସେମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇଯାଉଛି । ଅବିଭାବକମାନେ ଯେପରି ସେମାନଙ୍କ ପିଲାମାନଙ୍କୁ ଠିକ ସମୟରେ ଚିକିତ୍ସାଳୟକୁ ଆଣିବେ ସେଥିଲାଗି ପରାମର୍ଶ ଦେବାକୁ ପେରିଫେରିର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସଚେତନ କରାଯାଉଛି । ଜିଲ୍ଲାପାଳ ୟାମିନୀ ଷଢଙ୍ଗୀ କହିଛନ୍ତି, ଜିଲ୍ଲାରେ ୧୬୦ ଡାକ୍ତର ପଦବୀରୁ ଅର୍ଦ୍ଧାଧିକ ଖାଲି ପଡିଛି । ଶିଶୁ ବିଶେଷଜ୍ଞ କେବଳ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ ଅଛନ୍ତି । ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରିବାକୁ ବିଭାଗୀୟ ନିର୍ଦ୍ଦେଶକ ଏବଂ ସରକାରଙ୍କୁ ଚିଠି କରାଯାଇଛି। ଏହାସହ ଶିଶୁ ମୃତ୍ୟୁ ରୋକିବାକୁ ପ୍ରତିମାସ ଜିଲ୍ଲାସ୍ତରରେ ସମୀକ୍ଷା କରାଯାଉଛି । ଏହାସହ ଅଭିଭାବକମାନଙ୍କୁ ପିଲାଙ୍କ ଘରୋଇ ଚିକିତ୍ସା ଓ ଗୁଣି ଗାରେଡି ପରିବର୍ତ୍ତେ ଚିକିତ୍ସା କରାଇବାକୁ ସଚେତନ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି ।

Related story