ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା: ରୋଷେଇ ଘରେ ପଢ଼ୁଛନ୍ତି ୫ଟି ଶ୍ରେଣୀର ପିଲା

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଧନ୍ୟ ଆମ ସରକାର! ଧନ୍ୟ ତାଙ୍କ ଶିକ୍ଷା ବ୍ୟବସ୍ଥା! ସ୍ମାର୍ଟ ସ୍କୁଲର ସ୍ୱପ୍ନ ଦେଖାଉଥିବା ରାଜ୍ୟ ସରକାର ପିଲାଙ୍କ ପାଇଁ ଶ୍ରେଣୀ ଗୃହଟିଏ କରିପାରୁ ନାହାନ୍ତି। ଯେଉଁଥିପାଇଁ ୫ ଫୁଟିଆ ରୋଷେଇ ଘରେ ୫ଟି ଶ୍ରେଣୀର ପିଲା ଖୁନ୍ଦାଖୁନ୍ଦି ହୋଇ ବସି ପାଠ ପଢ଼ୁଛନ୍ତି। ଅର୍ଥାତ୍‌ ଯେଉଁଠି ରୋଷେଇ ହେଉଛି, ସେଇଠି ପଢ଼ୁଛନ୍ତି ପିଲା। ରୋଷେଇ ଗୃହ ସାଜିଛି ଶ୍ରେଣୀ ଗୃହ। ଏପରି ଚିତ୍ର ଆସିଛି କୋରାପୁଟରୁ। କୋରାପୁଟ ସଦର ମହକୁମାଠାରୁ ମାତ୍ର […]

Koraput

  • Published: Friday, 06 January 2023
  • , Updated: 06 January 2023, 10:01 PM IST

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଧନ୍ୟ ଆମ ସରକାର! ଧନ୍ୟ ତାଙ୍କ ଶିକ୍ଷା ବ୍ୟବସ୍ଥା! ସ୍ମାର୍ଟ ସ୍କୁଲର ସ୍ୱପ୍ନ ଦେଖାଉଥିବା ରାଜ୍ୟ ସରକାର ପିଲାଙ୍କ ପାଇଁ ଶ୍ରେଣୀ ଗୃହଟିଏ କରିପାରୁ ନାହାନ୍ତି। ଯେଉଁଥିପାଇଁ ୫ ଫୁଟିଆ ରୋଷେଇ ଘରେ ୫ଟି ଶ୍ରେଣୀର ପିଲା ଖୁନ୍ଦାଖୁନ୍ଦି ହୋଇ ବସି ପାଠ ପଢ଼ୁଛନ୍ତି। ଅର୍ଥାତ୍‌ ଯେଉଁଠି ରୋଷେଇ ହେଉଛି, ସେଇଠି ପଢ଼ୁଛନ୍ତି ପିଲା। ରୋଷେଇ ଗୃହ ସାଜିଛି ଶ୍ରେଣୀ ଗୃହ। ଏପରି ଚିତ୍ର ଆସିଛି କୋରାପୁଟରୁ।

କୋରାପୁଟ ସଦର ମହକୁମାଠାରୁ ମାତ୍ର ତିନି କିଲୋମିଟର ଗଲେ ପଡ଼ିବ ଚିନ୍ଦ୍ରିମାଳିଗୁଡ଼ା ଗାଁ। ଏହି ଗାଁରେ ରହିଛି ଏକ ପ୍ରାଥମିକ ବିଦ୍ୟାଳୟ। ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। କମ୍‌ ପିଲା ଥିବା ଦର୍ଶାଇ ଜିଲ୍ଲା ପ୍ରଶାସନ୍‌ କୋଭିଡ୍‌ ସମୟରେ ଅର୍ଥାତ ୨୦୧୯-୨୦ ବର୍ଷରେ ଉକ୍ତ ସ୍କୁଲକୁ ତିନି କିମି ଦୂରରେ ଥିବା ସାନଚିନ୍ଦ୍ରି ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରି ଦେଇଥିଲେ। ଆଉ ଚିନ୍ଦ୍ରିମାଳିଗୁଡ଼ା ସ୍କୁଲ୍‌ ଘରକୁ ସେମିତି ଛାଡ଼ି ଦେଲେ। ଆଉ ରକ୍ଷଣାବେକ୍ଷଣା କଲେ ନାହିଁ।

ଅନ୍ୟପକ୍ଷରେ ଦୁର୍ଗମ ଅଞ୍ଚଳରେ ବିଦ୍ୟାଳୟ ମିଶ୍ରଣକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିଲା। ବହୁ ହୋ-ହଲ୍ଲା ପରେ ବନ୍ଦ ହୋଇଯାଇଥିବା ଚିନ୍ଦ୍ରିମାଳିଗୁଡ଼ା ପ୍ରାଥମିକ ବିଦ୍ୟାଳୟକୁ ପୁଣି ଖୋଲିଥିଲା ଜିଲ୍ଲା ପ୍ରଶାସନ। ହେଲେ ତା’ପୂର୍ବରୁ ଦୁଇଟି କୋଠରୀ ବିଶିଷ୍ଟ (ଗୋଟିଏ ପିଲାଙ୍କ ପାଇଁ ଓ ଅନ୍ୟଟି ଅଫିସ୍‌ ପାଇଁ) ଏହି ବିଦ୍ୟାଳୟର ମରାମତି କରାଗଲା ନାହିଁ। ସେଇ ଭଙ୍ଗା ଦଦରା ଶ୍ରେଣୀ ଗୃହରେ ପିଲାଙ୍କୁ ପାଠ ପଢ଼ିବାକୁ ଛାଡ଼ି ଦେଲା ପ୍ରଶାସନ। ଶ୍ରେଣୀ ଗୃହ ଓ ଅଫିସ୍ ଗୃହ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନଥିବା ବେଳେ ସେଥିପ୍ରତି ପ୍ରଶାସନ ଆଦୌ ଦୃଷ୍ଟି ଦେଲା ନାହିଁ। ଉଭୟ ଗୃହର ଛାତରୁ କଂକ୍ରିଟ୍ ଖସୁଥିବା ବେଳେ ଲୁହା ରଡ୍ ଦେଖାଯାଉଛି। କହିବାକୁ ଗଲେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି ସ୍କୁଲ୍‌ଟି।

ଶ୍ରେଣୀ ଗୃହର ଅବସ୍ଥା ଦେଖି ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପଢ଼ିବାକୁ ଛାଡ଼ିଲେ ନାହିଁ। ଶେଷରେ କିଛି ଉପାୟ ନପାଇ ୫ଟି ଶ୍ରେଣୀର ୧୯ ଜଣ ପିଲାଙ୍କୁ ୫ ଫୁଟିଆ ରୋଷେଇ ଘରେ ପଢ଼ାଇଲେ ସାର୍‌। ଅର୍ଥାତ ଯେଉଁଠି ରୋଷେଇ ହେଉଛି ସେଇଠି ପାଠପଢ଼ା ବି ଚାଲିଛି। ପୁଣି ସେମାନଙ୍କୁ ପଢ଼ାଇବାକୁ ଅଛନ୍ତି ମାତ୍ର ଜଣେ ଶିକ୍ଷକ। ସେ ପାଠ ପଢ଼ାଉଛନ୍ତି, ତା’ସହିତ ଅଫିସ୍‌ କାମ କରୁଛନ୍ତି। ଏଥିରୁ ଅନୁମାନ କରି ହେଉଛି, ଏହି ସ୍କୁଲ୍‌ରେ କେମିତି ଚାଲୁଥିବ ପାଠପଢ଼ା?

ସ୍କୁଲ୍‌ର ଏ ପ୍ରକାର ଅବ୍ୟବସ୍ଥା ସଂପର୍କରେ ଗାଁ ଲୋକେ ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିଛନ୍ତି। ହେଲେ ଗାଁ ଲୋକଙ୍କ ଅଭିଯୋଗକୁ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।

ଏହି ବିଦ୍ୟାଳୟ ସମ୍ପର୍କରେ ବ୍ଲକ୍‌ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି କହିଛନ୍ତି, ଶ୍ରେଣୀ ଗୃହ ନିର୍ମାଣ ପାଇଁ ବ୍ଲକ୍‌ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଚିଠି କରିବୁ। ନଚେତ ପୁଣି ଥରେ ଏହାକୁ ସାନଚିନ୍ଦ୍ରିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ମିଶାଇବାକୁ ଉପରିସ୍ଥ ଅଧିକାରୀଙ୍କୁ କୁହାଯିବ।

https://www.youtube.com/watch?v=Y-idLyAfHAE

Related story