ବଞ୍ଚିଗଲେ ବୋଲି ନାଁ ହେଲା ‘ଭିକାରୀ’

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି…। କୁହ ତେବେ କେଉଁ ଅପରାଧେ ମୋତେ, କଲ ଦାଣ୍ଡର ଭିକାରୀ…। ଭିକାରୀ କରିବା ଯେବେ ତୁମ ଇଚ୍ଛା, ନାହିଁ ମୋ ମନରେ ଦୁଃଖ। ସିଂହଦ୍ୱାର ବିନା ଆନ ଦୁଆରକୁ ମାଗିଯିବି ନାହିଁ ଭିକ। ଆହେ ଇଚ୍ଛାମୟ, ଇଚ୍ଛାରେ ତୁମରି, ଦିଅ ମୋର ଥାଳ ଭରି…. କଲ ଦାଣ୍ଡର ଭିକାରୀ, କଲ ଦାଣ୍ଡର ଭିକାରୀ…

ଏ ଭକ୍ତିଭରା ଶବ୍ଦଗୁଡ଼ିକ ତାଙ୍କ କଣ୍ଠ ସ୍ୱରରେ ଜୀବନ୍ତ ହୋଇଉଠିଥିଲା। ନିଷ୍ଠୁର ପ୍ରାୟ ହୃଦୟକୁ ବି ଭକ୍ତି ରସରେ ଭିଜାଇ ଦେବାକୁ ଯଥେଷ୍ଟ ଥିଲା ତାଙ୍କ କଣ୍ଠ ସ୍ୱର। ଚିରସବୁଜ ଭକ୍ତି ରସାତ୍ମକ ସଂଗୀତର ଅଦ୍ୱିତୀୟ ପ୍ରତିଭା ଥିଲେ ସେ। ନାଁ ଥିଲା ଭିକାରୀ ବଳ। ସଙ୍ଗୀତ ଜଗତର ଏହି ଅନନ୍ୟ ପ୍ରତିଭାଙ୍କର ଓଡ଼ିଆ ଭାଷା, ଜାତି, ପରମ୍ପରା, ଆସ୍ଥା ତଥା ଭକ୍ତି ସଙ୍ଗୀତର ପ୍ରତି ଅତୁଳନୀୟ ଅବଦାନ ରହିଛି। ଏହି ଅବଦାନ ଯୋଗୁ ଗଜପତି ମହାରାଜା ତାଙ୍କୁ ‘ଭଜନ ସମ୍ରାଟ’ ଉପାଧିରେ ସମ୍ମାନିତ କରିଥିଲେ।

ନାଁ ଥିଲା ଭିକାରୀ, ହେଲେ ଭଜନ ଗାଇ ସେ ସମ୍ରାଟ ବୋଲାଇଲେ। ଭାବ ବିନୋଦିଆ କଳା ଠାକୁରଙ୍କ ଲାଗି ଏଭଳି ଗୀତ ଗାଇଲେ ଯେ, ଲୋକେ ତାଙ୍କୁ ଭାବର ଗାୟକ ବୋଲି କହୁଥିଲେ। ଆଜି ଏହି ଅମର ଆତ୍ମାଙ୍କ ୯୧ତମ ଜନ୍ମଜୟନ୍ତୀ। ଗର୍ବିତ ଓଡ଼ିଆ ଭାବେ ଆସନ୍ତୁ ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୀବନ ବିଷୟରେ କିଛି ଅଧିକ ଜାଣିବା…

୧୯୨୯ ମେ’ ୨୫ ତାରିଖରେ କେନ୍ଦ୍ରାପଡ଼ାସ୍ଥିତ ସୋବଳାଠାରେ ରାମଚନ୍ଦ୍ର ବଳ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଗେହ୍ଲାରାଣୀ ବଳଙ୍କ ଔରସରୁ ଭିକାରୀ ବଳ ଜନ୍ମଗ୍ରହଣ କରିଥିଲେ। ଗେହ୍ଲାରାଣୀଙ୍କ ସମସ୍ତ ସନ୍ତାନଙ୍କ ଜନ୍ମ ପରେ ମୃତ୍ୟୁ ହୋଇଯାଉଥିଲା। କେବଳ ଭିକାରୀ ହିଁ ବଞ୍ଚିରହିଥିଲେ। ଏଣୁ ତାଙ୍କୁ ଭଗବାନଙ୍କ ଆଶିର୍ବାଦ ଭାବି ତାଙ୍କ ନାମ ଭିକାରୀ ରଖାଗଲା। ଅନ୍ଧବିଶ୍ୱାସ ମତେ ଭିକାରୀଙ୍କ ଜୀବନ ରକ୍ଷା ଲାଗି ତାଙ୍କୁ ଏକ ଅସ୍ପୃଶ୍ୟ ପରିବାରକୁ ଟେକିଦିଆଯାଇଥିଲା। ରାମଚନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଧନେଶ୍ୱର ଓ ତାଙ୍କ ପତ୍ନୀ ଭିକାରୀଙ୍କ ଲାଳନପାଳନ କରିଥିଲେ।

ପିଲାଟି ଦିନୁ ସଙ୍ଗୀତ ପ୍ରତି ତାଙ୍କ ଦୁର୍ବଳତା ଥିଲା। କେନ୍ଦ୍ରାପଡ଼ାର ଗୋକୁଳଚନ୍ଦ୍ର ସଙ୍ଗୀତ ଶିକ୍ଷା ସଦନରେ ସେ ସଙ୍ଗୀତ ଶିକ୍ଷା କରିଥିଲେ। ପରେ ସେ କଟକ କଳା ବିକାଶ କେନ୍ଦ୍ରରେ ସଙ୍ଗୀତ ଶିକ୍ଷା କରିଥିଲେ। ସମୟ କ୍ରମେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ସଙ୍ଗୀତ ବିଭାଗରେ ସେ ଅଧ୍ୟାପକ ଭାବେ କାର‌୍ୟ୍ୟ ମଧ୍ୟ କରିଛନ୍ତି। ୨୦ ବର୍ଷ ବୟସରେ ସେ ଉଷାରାଣୀ ଦେବୀଙ୍କୁ ବିବାହ କରିଥିଲେ।

Rare-pic-Bhikari-bala

କଟକରେ ଥିବା ସମୟରେ ସେ ବିଧିବଦ୍ଧ ଭାବେ ଗାୟକ ହେବାକୁ ଚେଷ୍ଟା କରିଥିଲେ। ଫଳ ସ୍ୱରୁପ ୧୯୬୩ରେ ସେ ଆକାଶବାଣୀରେ ଏ-ଶ୍ରେଣୀର ଗାୟକ ଭାବରେ କାମ ଆରମ୍ଭ କଲେ। ‘ପ୍ରାଣ ମିତଣି ବାରେ ଚାହାଁରେ’ ଗୀତ ପାଇଁ ସେ ସେଠାରେ ଅନେକ ଲୋକପ୍ରିୟତା ଅର୍ଜିଛନ୍ତି। ହେଲେ ଭିକାରୀଙ୍କ ‘କୋଠ ଭୋଗ ଖିଆ’ ଗୀତ ଶ୍ରୋତାଙ୍କ ହୃଦୟରେ ସବୁଦିନ ପାଇଁ ଘର କରିଥିଲା। ୭୦ ଦଶକର ଏହି ଗୀତ ଓଡ଼ିଆ ଭଜନ ସଙ୍ଗୀତ ଜଗତରେ ଏକ ଇତିହାସ ସୃଷ୍ଟି କଲା ଏବଂ ବହୁଳ ଲୋକପ୍ରିୟ ଗୀତର ମାନ୍ୟତା ପାଇଲା।

ଗୋପାଳ କୃଷ୍ଣ, ବଳଦେବ, ବନମାଳି ଓ ସାଲବେଗଙ୍କ ଭଳି ପୁରାତନ କବିଙ୍କ ଲୋକପ୍ରିୟ ରଚନାରେ କଣ୍ଠଦାନ କରିଛନ୍ତି ଭିକାରୀ। ସେହିପରି ଡ. ପ୍ରସନ୍ନ ସାମଲ, ଅରବିନ୍ଦ ମୁଦୁଲି, ଅଲେଖ ବିଶ୍ୱାଳ, ଶ୍ରୀକାନ୍ତ ଗୌତମଙ୍କ ଅନେକ ଗୀତରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି। ଦୀର୍ଘ ଚାରି ଦଶନ୍ଧି ଧରି ସେ ୨୦,୦୦୦ରୁ ଊର୍ଦ୍ଧ୍ୱ ଭଜନରେ କଣ୍ଠଦାନ କରିଛନ୍ତି। ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦାବୃତି ଭିକାରୀଙ୍କୁ ଘରେ ଘରେ ପରିଚିତ କରାଇଥିଲା। ସେ ଅନେକ ଛାନ୍ଦ, ଚମ୍ପୁ ଓ ଲୋକଗୀତ ମଧ୍ୟ ଗାଇଥିଲେ।

୧୯୬୮ରୁ ୧୯୯୩ ପର୍ଯ୍ୟନ୍ତ ଅଭିଳାଷ, ଅମରପ୍ରେମ, କନକଲତା, କିଏ କାହାର, ଅଗ୍ନି ପରୀକ୍ଷା, ଅପରିତା, ମଥୁରା ବିଜୟ, ଅନୁତାପ, ଶ୍ରୀକୃଷ୍ଣ ରାସଲୀଳା, ଭକ୍ତ ସାଲବେଗ ଭଳି ଅନେକ ଚଳଚ୍ଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟକ ଭାବେ କଣ୍ଠଦାନ କରିଥିଲେ। ତାଙ୍କ ଗାୟକୀରେ କୋଠ ଭୋଗଖିଆ, ଷାଠିଏ ପଉଟି, ଜଗନ୍ନାଥ ହେ, କିଛି ମାଗୁ ନାହିଁ ତୋତେ, ଭଜୁ କି ନା ରାମ ରାମ, ହାତରେ ମୋ ମୁଠା ମୁଠା ଶରଧା ବାଲି, ଶ୍ରୀକ୍ଷେତ୍ରେ କରିଛି ଘର କାଳିଆ ମୋ ବନ୍ଧୁ, ଏମିତି ଏ ବଡ଼ ଦାଣ୍ଡେ, ସତେ କି ଏ ଜୀବ ଯିବରେ.. ଆଦି ଚିରସବୁଜ ଭଜନ ଆଜି ଭକ୍ତର ପ୍ରାଣକୁ ଭକ୍ତିରସରେ ଭରିଦେଉଛି।

ଭିକାରୀଙ୍କ ଭଜନ ସଙ୍ଗୀତ ଜଗତ ପ୍ରତି ଅବଦାନ ଲାଗି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ ‘ଭଜନ ସମ୍ରାଟ’ ଉପାଧିରେ ଭୂଷିତ କରିଥିଲେ। ଜଣେ ଅଣ ସେବାୟତ ଭାବେ ସେ ଜଗନ୍ନାଥ ଚାମର ସେବା କରିବା ନିମନ୍ତେ ମଧ୍ୟ ଏକଦା ସୁଯୋଗ ପାଇଥିଲେ। ଆଉ ଏହ ପରମ ସୌଭାଗ୍ୟର କଥା। ଏହାସହ ଶ୍ରୀଛାମ ସୁରସେବକ, ଭଜନ ମଉଡ଼ମଣି, ଭକ୍ତକଣ୍ଠ ସମେତ ଓଡ଼ିଶା ସଙ୍ଗାତ ନାଟକ ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର ସମ୍ମାନରେ ସେ ସମ୍ମାନିତ।

୨୦୧୦ ନଭେମ୍ୱର ୩ରେ ଭିକାରୀ ଇହଧାମ ତ୍ୟାଗ କଲେ। ମୃତ୍ୟୁ ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଖଣ୍ଡୁଆରେ ମରଶରୀରକୁ ଢାଙ୍କି ସସମ୍ମାନେ ତାଙ୍କୁ ବିଦାୟ ଦିଆଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାର ସମୟରେ ଶ୍ରୀମନ୍ଦିର ରୋଷଘରୁ ଅଗ୍ନି ଆସିଥିଲା, ଯାହାକୁ ବୈଷ୍ଣବ ଅଗ୍ନି କୁହାଯାଏ। ଆଜି ଏହି ମହାନ ଆତ୍ମାଙ୍କ ଜନ୍ନଜୟନ୍ତୀ ଅବସରରେ ଆସନ୍ତୁ ତାଙ୍କର ସ୍ମୃତିଚାରଣ କରିବା।

ଆହୁରି ପଢ଼ନ୍ତୁ

‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’

ଜୁଲାଇ ୨, ଗୁରୁବାର: ଆତ୍ମବିଶ୍ୱାସ ବଢ଼ିବ

ଗୁରୁବାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ

ଚାଇନା ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକକୁ ଆମେରିକାର ସମର୍ଥନ

ସତରେ ବାରୁଦ ଗଦା ଉପରେ ଛିଡ଼ା ହୋଇଥିବା ସୈନିକର ହୃଦୟଟା ବରଫ ଭଳି ….

ମାସେ ଭିତରେ ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ

ପତଞ୍ଜଳୀର କରୋନିଲକୁ ବିକ୍ରି ପାଇଁ ଅନୁମତି, କିନ୍ତୁ…

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଯଜ୍ଞ କଲେ ରାନୀ ପଣ୍ଡା

ଠିକ୍ ହେଲା ଆରୋଗ୍ୟ ସେତୁ ଆପ୍

ବିବାଦ ପରେ କରୋନା ଔଷଧକୁ ନେଇ କଥା ବଦଳାଇଲା ରାମଦେବଙ୍କ ପତଞ୍ଜଳୀ

ଭାରତରେ କରୋନା ଟିକା ମିଳିଲେ ପ୍ରଥମେ ଏମାନଙ୍କୁ ଦିଆଯିବ