କୋରାପୁଟ: ଚାଉଳ ନାହିଁ, ୧୦ ଦିନ ହେଲାଣି ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବନ୍ଦ

ଜୟପୁର: ଚାଉଳ ନଥିବାରୁ ୧୦ ଦିନ ହେଲାଣି କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଧାରଉଧାର କରି ଚଳୁଥାଅ କହି ବସି ଯାଇଛନ୍ତି ବିଭାଗୀୟ ଅଧିକାରୀ।

koraput

koraput

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 04:28 PM IST

Sports

Latest News

ଜୟପୁର: ଚାଉଳ ନଥିବାରୁ ୧୦ ଦିନ ହେଲାଣି କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଧାରଉଧାର କରି ଚଳୁଥାଅ କହି ବସି ଯାଇଛନ୍ତି ବିଭାଗୀୟ ଅଧିକାରୀ।

school

ଏହି ସ୍କୁଲଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜିଲ୍ଲାର ଜୟପୁର ବ୍ଲକର ପୁରୁଣାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଅଗଷ୍ଟ ୨୫ ତାରିଖରୁ ଏହି ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯାଉ ନାହିଁ। ଚାଉଳ ଯୋଗାଇ ଦିଆଯାଇ ନଥିବା ଯୋଗୁ ଏହି ସ୍କୁଲର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉ ନାହିଁ। ପୁରୁଣାଗଡ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି  ସଭାପତି ଗୋପାଳ ପରଜା କହିଛନ୍ତି ଯେ ଏ ସଂପର୍କରେ ଅଗଷ୍ଟ ୨୫ ତାରିଖରୁ ବିଇଓଙ୍କ ଅବଗତ କରାଯାଇଥିଲା। କିନ୍ତୁ ଏଯାବତ କୌଣସି ପଦକ୍ଷେପ ନିଆଯାଇନାହିଁ। ଏ ମଧ୍ୟରେ ଦୁଇ ତିନି ଥର ଅନୁରୋଧ କରାଯାଇ ସାରିଛି।  ଚାଉଳ ଆସୁ ନ ଥିବା ଯୋଗୁ ୧୦ ଦିନ ହେଲା ସ୍କୁଲର ୫୦ରୁ ଅଧିକ ପିଲା ମଧ୍ୟାହ୍ନ ଭୋଜନ ଖାଇବାରୁ ବଞ୍ଚିତ ହୋଇଛନ୍ତି। ସ୍କୁଲରେ ପ୍ରାୟ ୨୦୦ ପିଲାଙ୍କ ମଧ୍ୟରୁ ଏହି ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିଲେ। ଏବେ ସେମାନେ ମଧ୍ୟାହ୍ନ ଭୋଜନ କରିବାକୁ ଘରକୁ ଯାଉଛନ୍ତି।

chithiସମାନ ଅବସ୍ଥା ଦେଖିବାକୁ ମିଳିଛି ଜୟପୁର ପୌର ପରିଷଦ ଅନ୍ତର୍ଗତ କୁମ୍ଭାର ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର।  ଅଗଷ୍ଟ ୨୬ ତାରିଖଠାରୁ ଏଠାରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉ ନାହିଁ। ଏଠାରେ ବି ଚାଉଳ ଶେଷ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ପାଲ କହିଛନ୍ତି ଯେ ଅଗଷ୍ଟ ମାସରେ ସ୍କୁଲର ଚାଉଳ କୋଟା ଆସି ନଥିଲା। ପୂର୍ବରୁ ଯେତିକି ଚାଉଳ ଥିଲା ସେଥିରେ କିଛି ଦିନ ଚଳି ଗଲା। ଆଉ କିଛି ଦିନ ଏସଏଚଜିମାନଙ୍କଠାରୁ ଚାଉଳ ଅଣାଯାଇ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଗଲା। କିନ୍ତୁ ଆଉ ଅଧିକ ଦିନ ଏହି ପ୍ରକ୍ରିୟା ଚାଲି ପାରିଲା ନାହିଁ। ଶେଷରେ ବାଧ୍ୟ ହୋଇ ଅଗଷ୍ଟ ୨୫ରେ ଜୟପୁର ବିଇଓଙ୍କୁ ଚିଠି ଲେଖି ଜଣାଇ ଦେଲୁ ଯେ ଅଗଷ୍ଟ ୨୬ ତାରିଖରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସମ୍ଭବ ନୁହେଁ। ବିଭାଗୀୟ କର୍ତ୍ତୃପକ୍ଷ କହିଥିଲେ ପଦକ୍ଷେପ ନେବେ। କିନ୍ତୁ ଏଯାଏଁ ଚାଉଳ ଯୋଗାଇ ଦିଆଯାଇ ନାହିଁ। ତେଣୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି।

ସେହିପରି କୋରାପୁଟ ଜିଲ୍ଲାର ପୂଜାରୀପୁଟ ଓ ଆଡମଣ୍ଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଏ ଟିଫିନ୍ ଆଣି ସ୍କୁଲ ଆସୁଛି ତ ଖାଇବା ଛୁଟିରେ କେହି କେହି ଘରକୁ ଯାଉଛନ୍ତି ଖାଇବା ପାଇଁ। ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ନାୟକ କହିଛନ୍ତି ଯେ ତାଙ୍କ ସ୍କୁଲରେ ଅଗଷ୍ଟ ୧୭ ତାରିଖରୁ ଚାଉଳ ଷ୍ଟକ୍ ସରି ଗଲାଣି। ସେ ଏନେଇ ବିଇଓଙ୍କୁ ଜଣାଇଥିଲେ। ଧାରଉଧାର କରି କିଛି ଦିନ ଚଳାଇ ନେବାକୁ ବିଇଓ ପରାମର୍ଶ ଦେଇଥିଲେ। କିଛି ଦିନ ସେମିତି ଚାଲିଥିଲା। କିନ୍ତୁ ଏ ଦୁଇ ତିନି ଦିନ ହେବ ଆଉ ଚାଉଳ ଯୋଗାଡ଼ କରି ହେଲା ନାହିଁ। ତେଣୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ପିଲାମାନଙ୍କୁ ଟିଫିନ୍ ଧରି ଆସିବାକୁ କୁହାଯାଇଛି। ଯାହା ଘର ପାଖରେ ସେମାନେ ଖାଇବା ଛୁଟିରେ ଘରକୁ ଚାଲିଯାଉଛନ୍ତି ଖାଇବା ପାଇଁ।

school1

ଜିଲ୍ଲାର ବିଭିନ୍ନ ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ କୁମାର ଯୋଶୀ କହିଛନ୍ତି, ଚାଉଳ ନେଇ ସ୍କୁଲରେ ପହଞ୍ଚାଉ ଥିବା ଟ୍ରାନ୍ସପୋର୍ଟ ଏଜେଣ୍ଟର ଚୁକ୍ତି ଅବଧି ସରି ଯାଇଛି। ଏଣୁ ସ୍କୁଲଗୁଡ଼ିକୁ ଚାଉଳ ଯୋଗାଣ ହୋଇପାରି ନାହିଁ। ଏହି ଏଜେଣ୍ଟଙ୍କ ବର୍ଷିକିଆ ଚୁକ୍ତି ଶେଷ ହେବା ପରେ ଗତ ଏପ୍ରିଲ ମାସରେ ଟେଣ୍ଡର ଡକା ଯାଇଥିଲା। କିନ୍ତୁ କେହି ଟେଣ୍ଡର ନେବା ଲାଗି ଆସିଲେ ନାହିଁ। ମେ’ମାସରେ ପୁଣି ଏ ନେଇ ଟେଣ୍ଡା ଡକାଯାଇଥିଲା। ତଥାପି କେହି ନଆସିବାରୁ ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା ଓ ପୂର୍ବ ଏଜେଣ୍ଟର ଅବଧିକୁ ସଂପ୍ରସାରଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏନେଇ ବିଭାଗ ପକ୍ଷରୁ ଏବେ ଚିଠି ଆସିଛି। ପୂର୍ବ ଏଜେଣ୍ଟର ଚୁକ୍ତି ବଢ଼ାଇବାକୁ କୁହାଯାଇଛି। ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ଉକ୍ତ ଏଜେଣ୍ଟର ଚୁକ୍ତିକୁ ବଢ଼ାଇ ଦିଆଯାଇଛି। ଅର୍ଡର ପାଇଲା ପରେ ସେ ଆଉ ଦିନେ କି ଦୁଇ ଦିନ ମଧ୍ୟରେ ଏଫସିଆରୁ ଚାଉଳ ଉଠାଇବ। ୧୫ ତାରିଖ ଭିତରେ ସ୍କୁଲଗୁଡ଼ିକରେ ଚାଉଳ ଯୋଗାଇ ଦିଆଯିବ।

ତେବେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ଚାଉଳ ସରିଥିବା ଖବର ତାଙ୍କ ପାଖରେ ଅଛି। କିନ୍ତୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବା ନେଇ ସୂଚନା ନାହିଁ। କାରଣ ଷ୍ଟକ୍ ସରିଯାଇଥିବା ସ୍କୁଲଗୁଡ଼ିକୁ ସ୍ଥାନୀୟ ଅଞ୍ଚଳର ଚାଉଳ ଆଣି ମଧ୍ୟାହ୍ନ ଭୋଜନ ଜାରି ରଖିବାକୁ କୁହାଯାଇଥିଲା। ଯଦି କୌଣସି ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇ ଯାଇଥିବ, ତା’ହେଲେ ଆସନ୍ତା ୧୫ ତାରିଖ ମଧ୍ୟରେ ସେଗୁଡ଼ିକୁ ଚାଉଳ ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos