/odisha-reporter/media/post_attachments/uploads/2019/04/a111-1.jpg)
a111
ମୁମ୍ବାଇ: ଜୀବନରେ କିଏ ବା ସଫଳ ହେବାକୁ ଚାହେଁ ନାହିଁ। କିନ୍ତୁ ସଫଳତା ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିବା କଷ୍ଟକର ହୋଇଥାଏ। ଅନେକ ଲୋକ ସଫଳତା ତ ପାଇଥାନ୍ତି, କିନ୍ତୁ ତାକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିପାରନ୍ତି ନାହିଁ। ଆପଣ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ସାକ୍ଷାତକାର ଦେଖିଥିବେ ନିଶ୍ଚୟ।
ପ୍ରଧାନମନ୍ତ୍ରୀ କିପରି ଗୋଟେ ସାଧାରଣ ପରିବାରରୁ ଆସି କଠିନ ପରିସ୍ଥିତି ମଧ୍ୟରେ ଗତି କରି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ବିଭିନ୍ନ ଘାତପ୍ରତିଘାତ ସତ୍ତ୍ୱେ ସେ କିପରି ନିଜ ଜୀବନରେ କିଭଳି ସଫଳ ହୋଇଛନ୍ତି ସେ ବିଷୟରେ ମନ ଖୋଲି କଥା ହୋଇଥିଲେ। ତେବେ ଆସନ୍ତୁ ଜାଣିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନିଜ ଜୀବନରେ ସଫଳ ହେବାର ସୂତ୍ର ବିଷୟରେ କ’ଣ କହିଥିଲେ।
/odisha-reporter/media/post_attachments/wp-content/uploads/2019/04/a21.jpg)
ସଫଳତାର କୌଣସି ବିକଳ୍ପ ନାହିଁ
ଆପଣ ଦେଖିଥିବେ ସଫଳତା ନ ପାଇଲେ କିଛି ଲୋକ ନିଜ ଭାଗ୍ୟକୁ ଦୋଷ ଦେଇଥାନ୍ତି। କିନ୍ତୁ ଏହା ପୂରାପୁରି ଭୁଲ୍ ହୋଇଥାଏ। ସଫଳତା ପାଇବାକୁ ହେଲେ ଭାଗ୍ୟ ନୁହେଁ ନିଜ କର୍ମ ଉପରେ ବିଶ୍ୱାସ କରିବା ଆବଶ୍ୟକ। ଆଉ ଏଥିପାଇଁ କଠିନରୁ କଠିନ ପରିଶ୍ରମ କରିବା ଆବଶ୍ୟକ।
ତେବେ ସାକ୍ଷାତକାରରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀଙ୍କୁ ଏହିଭଳି କିଛି ପ୍ରଶ୍ନ ପଚାରିଥିଲେ। ଆପଣ ବିଭିନ୍ନ ଫିଲ୍ମରେ ଆଲ୍ଲାଦିନ୍ଙ୍କ ଚିରାଗ୍ ଦେଖିଥିବେ। ଯାହାକୁ କି କିଛି ମାଗିଲେ ତାହା ମିଳିଯାଏ।
ତେବେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦି ମୋତେ ସେହି ଚିରାଗ୍ ମିଳିଯାଏ ତାହାଲେ ମୁଁ କହିବି ଦୁନିଆଁରେ ଯେତେସବୁ ଶିକ୍ଷାବିତ୍ ଅଛନ୍ତି ତାଙ୍କ ବୁଦ୍ଧି ସବୁ ମତେ ଦେଇ ଦିଅନ୍ତୁ। ଆଗାମୀ ପୀଢ଼ି କିନ୍ତୁ ଚିରାଗ ମାୟାରେ ନ ପଡ଼ି କଷ୍ଟ କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ରୁହନ୍ତୁ।
ଲକ୍ଷ୍ୟ ପାଇବା ପାଇଁ କଷ୍ଟ କରନ୍ତୁ
ସଫଳତା ପାଇବା ପାଇଁ ଆଉ ଏକ ମନ୍ତ୍ର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି। ସେ କହିଛନ୍ତି ଯେ, ଆପଣ ନିଜ ଲକ୍ଷ୍ୟ ପାଇବା ପାଇଁ କଷ୍ଟ କରନ୍ତୁ। ସେ ମଧ୍ୟ ନିଜେ ସଫଳତା ପାଇବା ପାଇଁ ଅନେକ କଷ୍ଟ କରିଛନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମତରେ ଜଣେ ମନୁଷ୍ୟର ଶରୀର ଏବଂ ମନ କୌଣସି ନା କୌଣସି ଲକ୍ଷ୍ୟ ପାଇଁ ଲାଗି ରହିବା ଆବଶ୍ୟକ।
ସୋଶାଲ୍ ମିଡିଆ ମଧ୍ୟ ଜରୁରୀ
ମୋଦି ନିଜ ସାକ୍ଷାତକାରକରେ ଅକ୍ଷୟଙ୍କୁ କହିଥିଲେ ଯେ, ଦେଶ ବିଦେଶର ଖବର ଆମେ ସୋଶାଲ୍ ମିଡିଆ ମାଧ୍ୟମରେ ଶୀଘ୍ର ପାଇଥାଉ। ସବୁବେଳେ ସୋଶାଲ୍ ମିଡିଆ ଉପରେ ଆମ ଆଖି ରହିବା ଆବଶ୍ୟକ। ମୁଁ ମଧ୍ୟ ସୋଶାଲ୍ ମିଡିଆ ଦେଖେ।
ଏଥିପାଇଁ ବାହାରେ କ’ଣ ଚାଲୁଛି ଏହାର ସବୁ ଖବର ମୋ ପାଖରେ ରହିଥାଏ। ଆପଣ ମଧ୍ୟ ଜୀବନରେ ସଫଳତା ପାଇବା ପାଇଁ ହେଲେ ସୋଶାଲ୍ ମିଡିଆର ସାହାରା ନେଇ ପାରନ୍ତି।
ସୁସ୍ଥ ଶରୀର ଯୋଗୁ ମସ୍ତିସ୍କ ସୁସ୍ଥ ରହିଥାଏ
ଆପଣ ବେଳେବେଳେ ଅନୁମାନ କରିଥିବେ ଯେ ଶରୀର ସୁସ୍ଥ ନ ଥିଲେ ମାନସିକ ସ୍ତରରେ ମଧ୍ୟ ଆମେ ଭାଙ୍ଗି ଯାଇଥାଉ। ତେବେ ମସ୍ତିସ୍କ ସୁସ୍ଥ ରଖିବା ପାଇଁ ଆମକୁ ନିଜ ଶରୀରକୁ ମଧ୍ୟ ସୁସ୍ଥ ରଖିବାକୁ ପଡ଼ିଥାଏ।
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାକ୍ଷାତକାରରେ କହିଥିଲେ ଯେ, ରୋଗ ଆମ ଦେଶର ସବୁଠୁ ବଡ଼ ପ୍ରସଙ୍ଗ । ଏଥିରୁ ରକ୍ଷା କରିବା ପାଇଁ ଆମକୁ ଦୁଇଟି ଜିନିଷ ଆବଶ୍ୟକ। ଗୋଟେ ହେଲା ସ୍ୱଚ୍ଛତା ଏବଂ ଅନ୍ୟଟି ଫିଟ୍ନେସ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
