marriage
ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଭାରତ ସମେତ ସାରା ବିଶ୍ୱ ନିର୍ଣ୍ଣାୟକ ଲଢ଼େଇ ଜାରି ରଖିଛି। ଏହି କ୍ରମରେ ଭାରତରେ ଲକଡାଉନ-୩ ଚାଲିଛି। ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ଏ ସବୁ ଭିତରେ ଜୀବନସାଥି ଖୋଜିବା କିନ୍ତୁ ବନ୍ଦ ହୋଇଯାଇ ନାହିଁ। ଶାହାନାଇ ତ ବାଜି ପାରୁନି। ହେଲେ ବର, କନ୍ୟା କିନ୍ତୁ ଖୋଜା ଚାଲିଛି। ଲକଡାଉନ୍ ସରିବା ମାତ୍ରେ ସେମାନେ ହାତକୁ ଦୁଇ ହାତ ହେବାର ଯୋଜନା ପ୍ରସ୍ତୁତ କରୁଛନ୍ତି।
ଲକଡାଉନ ଅବଧିରେ ଯଦିଓ କିଛି ନିଆରା ଢଙ୍ଗରେ ମାସ୍କ ପିନ୍ଧି ବିବାହ କରୁଥିବା ଦେଖିବାକୁ ମିଳୁଛି। ତଥାପି ବାହାଘର ନେଇ ଯୁବତୀ ଯୁବକମାନେ ଦେଖିଥିବା ସ୍ୱପ୍ନ ସବୁ ଭାଙ୍ଗି ଯାଇଛି। ଆଗକୁ ଆହୁରି କିଛି ଦିନ ବିବାହ କରିବାକୁ ଅପେକ୍ଷା କରିବାକୁ ହେବ। ଲକଡାଉନ ଶେଷ ହେବା ପୂର୍ବରୁ ବର, କନ୍ୟା ଖୋଜି ରଖିଥିଲେ ଅଧିକ ଅସୁବିଧା ହେବନାହିଁ। ଏଣୁ ଜୀବନସାଥି ଖୋଜା ଚାଲିଛି। ହେଲେ ବଦଳି ଯାଇଛି ତରିକା। ଏବେ ପ୍ରସ୍ତାବ ପଡ଼ୁଛି ଅନଲାଇନରେ। କନ୍ୟା ଦେଖା ହେଉଛି ଭିଡିଓ କଲ୍ ଯୋଗେ। ଇଣ୍ଟରନେଟ୍ ସାଜିଛି ମଧ୍ୟସ୍ଥି।
ପ୍ରସ୍ତାବ ପଡ଼ିବା ପରେ ଭିଡିଓ କଲିଂ ମାଧ୍ୟମରେ ପ୍ରସ୍ତାବିତ ବର-କନ୍ୟା ପରସ୍ପରକୁ ଦେଖୁଛନ୍ତି। ଏହାସହ ଉଭୟଙ୍କ ପରିବାର ମଧ୍ୟ ଉଭୟଙ୍କୁ ଦେଖି ଆଲୋଚନା କରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବିବାହ ପ୍ରସ୍ତାବରେ ଆଗେଇବା ଲାଗିଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ତରିକା ବୋଲି ଲୋକେ ବିଚାରକୁ ନେଲେଣି। ଲକଡାଉନ ଯୋଗୁ ପୁଅ ଘର ଦେଖା, କନିଆ ଦେଖା ସବୁ ଅଟକି ଯାଇଥିବା ବେଳେ ଭିଡିଓ କଲିଂ ଏସବୁ ସମସ୍ୟାର ସମାଧାନ କରିପାରୁଛି। ତେବେ ଅନ୍ୟ ଅର୍ଥରେ କହିବାକୁ ଗଲେ, କରୋନା ସଙ୍କଟରେ ମଧ୍ୟ ଲୋକେ ଖୁବ ଆଶାବାଦୀ ରହିଛନ୍ତି। ସେମାନଙ୍କ ବିଶ୍ୱାସ ରହିଛି ଯେ, ସ୍ଥିତି ସୁଧୁରିବ, ଲକଡାଉନ ସରିବ ଆଉ ବାହାଘର ନିଶ୍ଚୟ ହେବ। ଏହା ଏକ ସକାରାତ୍ମକ ଚିନ୍ତାଧାରା ନିଶ୍ଚୟ।
ତଥ୍ୟ ଅନୁସାରେ ମେଟ୍ରିମୋନିଆଲ ସାଇଟ୍ ଜୀବନସାଥି ଡଟ୍ କମ୍ ପକ୍ଷରୁ ଏକ ଅନଲାଇନ୍ ସର୍ଭେ କରାଯାଇଥିଲା। ଏଥିରେ ୪୬ ପ୍ରତିଶତ ଆଶାୟୀ ସମ୍ଭାବ୍ୟ ଜୀବନସାଥୀଙ୍କୁ ପ୍ରଥମ ଥର ଭିଡିଓ କଲ୍ ମାଧ୍ୟମରେ ଦେଖିବାକୁ ଚାହାନ୍ତି ବୋଲି ମତ ରଖିଥିଲେ। ତେବେଲ ୩୯ ପ୍ରତିଶତ କହିଥିଲେ, ବର୍ତ୍ତମାନ ବର୍ତ୍ତମାନ ସମୟରେ ଏହା ହିଁ ଉପଯୁକ୍ତ ଉପାୟ। ସେହିପରି ୩୨ ପ୍ରତିଶତ ଯୁବକ, ଯୁବତୀ ଏହାକୁ ସୁବିଧାଜନକ ଓ ସରଳ ଉପାୟ ବୋଲି ସହମତି ଜଣାଇଥିଲେ। ତେବେ ୪୪ ପ୍ରତିଶତ ଲୋକ କହିଥିଲେ, ଭିଡିଓ କଲ୍ ମାଧ୍ୟମରେ ସମ୍ଭାବ୍ୟ ଜୀବନସାଥିଙ୍କୁ ହୃଦୟର କଥା କହିବାରେ ସହଜ ବୋଧ ହୋଇଥାଏ। ଅନ୍ୟପଟେ ୨୯ ପ୍ରତିଶତ ଲୋକ କହିଲେ କଫି ପିଇବା ସମୟରେ କଥାବାର୍ତ୍ତା ହେବା ବେଶୀ ଭଲ ଲାଗିବ। ୧୧ ପ୍ରତିଶତ କହିଲେ ଯେ, କୌଣସି ଫିଲ୍ମ ବା ସିରିଏଲ ଦେଖି ବା ସେ ବିଷୟରେ କଥାବାର୍ତ୍ତା ଆରମ୍ଭ କରାଯାଇପାରେ।
ପ୍ରକାଶ ଥାଉ କି, ଲକଡାଉନ ଅବଧିରେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରୁ ଯୁବକ ଯୁବତୀ ବିବାହ କରୁଥିବା ଖବର ଆସୁଛି। ବ୍ୟାଣ୍ଡ, ବାଜା, ଶାହାନାଇ ବିନା ପୋଲିସ ଉପସ୍ଥିତିରେ ଲୋକେ ବିବାହ କରୁଛନ୍ତି। ତେବେ ଏହାର ମଧ୍ୟ ନିଜସ୍ୱ ଲାଭ ରହିଛି। ଏଭଳି ବିନା ଟେଣ୍ଟ, ବିନା ଡିଜେ, ବିନା ବରଯାତ୍ରୀ, ବିନା ଭୋଜିରେ ଉଭୟ ପକ୍ଷର ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ ହୋଇଛି। ଏହାସହ ଦାନ-ଯଉତୁକ ପରମ୍ପରା ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/marg.jpg)