ବାଲିଗୁଡ଼ା(ଅଜିତ ନାୟକ): କେତେବେଳେ ହାତରେ ଦା’ ଧରି ବିଲରେ ଧାନ କାଟୁଛନ୍ତି ତ କେତେବେଳେ କାନ୍ଧରେ ବୋଝ ବୋହି ମାଇଲ ମାଇଲ ବାଟ ନେଇ ଯାଉଛନ୍ତି । ଆଉ କେତେବେଳେ ପାଠ ପଢ଼ାରେ ମଜ୍ଜି ଯାଉଛନ୍ତି ଆଦିବାସୀ ମୂଲକର ଏହି ଗରିବ ଡାକ୍ତରୀ ଛାତ୍ର ଜଣଙ୍କ। ତାଙ୍କ ମନରେ ଅସୁମାରୀ ସ୍ୱପ୍ନ ବସା ବାନ୍ଧିଛି, ହେଲେ ତାକୁ ପୂରଣ କରିବାକୁ ବାଟ ଖୋଜୁଛନ୍ତି ସେ। କାରଣ ତାଙ୍କ ସ୍ୱପ୍ନ ସମ୍ମୁଖରେ ପ୍ରତିବନ୍ଧକ ସାଜିଛି ଅର୍ଥ।
ଏହି ଡାକ୍ତରୀ ଛାତ୍ରଙ୍କ ନାଁ ଇଫୁ ମଳିକ। ତାଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ପଞ୍ଚାୟତର ବାଗ୍ରାମିଲା ଗ୍ରାମରେ। ପରିବାରରେ ବୃଦ୍ଧ ବାପାମା’, ବଡ଼ ଭାଇ ଓ ସାନ ଭଉଣୀ ଅଛନ୍ତି। ହେଲେ କେହି ମଧ୍ୟ ରୋଜଗାରିଆ ନୁହନ୍ତି। ପିଲାଟି ବେଳୁ ଅଭାବ ଅନଟନରେ ବଢ଼ିଥିବା ଇଫୁଙ୍କର ପାଠପଢ଼ା ପ୍ରତି ପ୍ରବଳ ଆଗ୍ରହ ରହିଛି। ବିନା କୌଣସି ସାହାଯ୍ୟ ସହଯୋଗରେ ସେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାରେ ବେଶ୍ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ।
[caption id="attachment_787089" align="aligncenter" width="650"]
ଚଳିତ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଇଫୁ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ମେଡିକାଲ କଲେଜରେ ନାମ ସିନା ଲେଖାଇ ଦେଇଛନ୍ତି, ହେଲେ ଆଗକୁ କିପରି ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ନିଜ ସ୍ୱପ୍ନକୁ ହାସଲ କରିବେ ଏବେ ସେ ଚିନ୍ତା ଘାରିଛି ତାଙ୍କୁ। କାରଣ ଆସନ୍ତା ୫ ବର୍ଷ ପାଇଁ ନିଜର କଲେଜ ଫି, ହଷ୍ଟେଲ ଫି ତଥା ପାଠପଢ଼ା ଖର୍ଚ୍ଚ କେଉଁଠୁ ଯୋଗାଡ଼ କରିବେ ସେ ନେଇ ଶାନ୍ତିରେ ରହି ପାରୁ ନାହାନ୍ତି ଇଫୁ । ଅର୍ଥ ଯୋଗାଡ଼ କରିବାକୁ କେତେବେଳେ ପର ବିଲରେ ମଜୁରୀ ଲାଗୁଛନ୍ତି ତ କେତେବେଳେ ଜିନିଷ ବୋହି ଆଣୁଛନ୍ତି। ଏମିତି କାମଧନ୍ଦା କରି ସେ ନିଜ ପାଠପଢ଼ା ପାଇଁ କିଛି ପଇସା ଯୋଗାଡ଼ କରିପାରିବେ ବୋଲି ଆଶା ରଖିଛନ୍ତି ।
[caption id="attachment_787090" align="aligncenter" width="650"]
ଇଫୁ କହିଛନ୍ତି, ମେଡିକାଲ କଲେଜରେ ସିଟ୍ ତ ପାଇଗଲି, ହେଲେ ଆଗକୁ କିପରି ପାଠ ପଢ଼ିବି, ମେସ ଫି କେଉଁଠୁ ଯୋଗାଡ଼ କରିବି ସେ ନେଇ କିଛି ଜାଣିନି। କାରଣ ମୋ ପରିବାର ଏହି ଖର୍ଚ୍ଚ ଉଠାଇବାକୁ ସମର୍ଥ ନୁହେଁ। ବହୁ କଷ୍ଟରେ ଆଡମିଶନ କରି ଘରକୁ ଆସିଛି। ନିଜ ଖର୍ଚ୍ଚ ଉଠାଇବାକୁ ବିଭିନ୍ନ କାମ କରୁଛି। ଅନ୍ୟର ଧାନ କାଟି କିଛି କିଛି ପାଉଣା ଯୋଗାଡ଼ କରୁଛି। ପାଠ ପଢ଼ା ସହ କାମ କରିବାକୁ ଚାହୁଁଛି।
[caption id="attachment_787091" align="aligncenter" width="650"]
ଏଥିସହ ସେ କହିଛନ୍ତି, ମୋ’ ବାପାମା’ ବହୁତ ବୁଢ଼ାବୁଢ଼ୀ ହୋଇ ଯାଇଥିବା ବେଳେ ସେମାନେ କିଛି କାମଧନ୍ଦା କରି ପାରୁ ନାହାନ୍ତି। ତେଣୁ ଆପଣମାନଙ୍କଠାରୁ ସାହାଯ୍ୟ ପାଇଲେ ମୁଁ ମୋ ସ୍ୱପ୍ନକୁ ପୂରଣ କରିବି। ଭଲ ଡାକ୍ତର ହେଲେ ମୋ’ ଭଳି ଗରିବ ମେଧାବୀ ପିଲାଙ୍କୁ ନିହାତି ଭାବେ ସହାୟତାର ହାତ ବଢ଼ାଇବି।
ଇଫୁଙ୍କ ମାଆ ଦେହୁରୀ ମଳିକ କହିଛନ୍ତି, ଆମେ ଆଦିବାସୀ ଲୋକ । ବହୁ କଷ୍ଟରେ ପିଲାକୁ ଏ ପର୍ଯ୍ୟନ୍ତ ପାଠ ପଢ଼ାଇଲୁ। ହେଲେ ଏବେ ଆଉ କିଛି ରୋଜଗାର କରିପାରୁନୁ। ଆମ ରୋଜଗାର କହିଲେ ଭତ୍ତା ୫ଶହ ଟଙ୍କା। ସେଥିରେ ତେଲ, ଲୁଣ ଆଣୁଛୁ। ଆଉ କୋଉଠୁ ଟଙ୍କା ପାଇବୁ ଯେ ପୁଅକୁ ପଢ଼ାଇବୁ।
[caption id="attachment_787092" align="aligncenter" width="650"]
ଇଫୁଙ୍କ ବାପା ଟ୍ରେସକା ମଳିକ କହିଛନ୍ତି, ଆମେ ବୁଢ଼ାବୁଢ଼ୀ ହୋଇଗଲୁଣି। ଆମର କିଛି ବି ରୋଜଗାର ନାହିଁ। ଲୋକେ କିଛି ସାହାଯ୍ୟ କଲେ ଆମ ପୁଅ ଡାକ୍ତର ହୋଇପାରନ୍ତା।