କାମାକ୍ଷାନଗର (ବିଦ୍ୟାଧର ବରାଳ): ଶହେରୁ ୯୦ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଅନ୍ଧାର। ସରକାରୀ ପାଣ୍ଠି ଥିଲେ ହେଁ ଅଙ୍ଗନଓ୍ୱାଡି କେନ୍ଦ୍ରକୁ ହୋଇପାରୁ ନାହିଁ ବିଦ୍ୟୁତ୍ ସଂଯୋଗ। ଖରାଦିନେ ପ୍ରବଳ ଗୁଳୁଗୁଳି ହେଉଥିଲେ ବି କଷ୍ଟ ସହି ପାଠପଢ଼ୁଛନ୍ତି କୋମଳମତି ପିଲା। ଅଙ୍ଗନଓ୍ୱାଡ଼ି ଦିଦି କଷ୍ଟେମଷ୍ଟେ ପାଠ ପଢ଼ାଉଛନ୍ତି। ସେପଟେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପାନୀୟଜଳ ବ୍ୟବସ୍ଥା ନିମନ୍ତେ ପାଣି ଟାଙ୍କି ବସିଛି, ଟ୍ୟାପ୍ ବି ଲାଗିଛି, ହେଲେ ପାଣି ଆସୁନି। କାରଣ ଏଠାକୁ ବିଦ୍ୟୁତ୍ ସଂଯୋଗ ନାହିଁ। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପି ସ୍ଥିତି ଜାଣିବା ଭଳି କାମାକ୍ଷାନଗରର ବ୍ଲକରେ ଅଙ୍ଗନଓ୍ୱାଡି ସ୍ଥିତି ଏଭଳି। ଯେଉଁଠି ପିଲାମାନଙ୍କ ପ୍ରାଥମିକ ପାଠପଢ଼ା ବା ମୂଳଦୁଆ ପଡ଼ୁଛି। ଅନେକ ସମୟରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ବିଭିନ୍ନ ପ୍ରକାର ଅସ୍ଥାୟୀ ଶିବିର ଓ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଉଛି। ହେଲେ ବିଜୁଳି ନ ଥିବାରୁ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହେଉଛି। ଯେଉଁଠି ମୂଳଦୁଆର ଏଭଳି ସ୍ଥିତି, ସେଠାରେ କିପରି ଭାଗ୍ୟଭବିଷ୍ୟତ ଗଢ଼ା ହେଉଥିବ ତାହା ସହଜରେ ଅନୁମେୟ। ତେଣୁ କୁନି ପିଲା ଓ ଅଭିଭାବକମାନେ ସରକାର ଶିକ୍ଷାକୁ ଅନାଦର ନ କରିବେ ବା କାହିଁକି।
ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ରାଜ୍ୟର ୧୦ ଗୋଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ଗୋଟିଏ ଜିଲ୍ଲା । ବିକାଶ ପାଇଁ ସରକାର ଏହି ଜିଲ୍ଲାକୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ହେଲେ ଏଠାରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ସ୍ମାର୍ଟ ହେବା ବଦଳରେ ଏହା ରୋଗିଣା ହୋଇଯାଉଛି। ପିଲାମାନେ ଏବେ ବି ତଳେ ବସି ପାଠପଢ଼ୁଛନ୍ତି। ଏହି ଜିଲ୍ଲାରେ ରହିଛି ମୋଟ ୨ହଜାର ୨ଶହ ୨୦ଟି ଅଙ୍ଗନୱାଡ଼ି କେନ୍ଦ୍ର। ଜିଲ୍ଲାର ମୋଟ ୮ଗୋଟି ବ୍ଲକ ମଧ୍ୟରୁ ପରଜଙ୍ଗରରେ ୨୧୨, ଭୁବନରେ ୨୭୦, କାମାକ୍ଷାନଗରରେ ୨୪୭, କଙ୍କଡାହାଡ଼ରେ ୨୧୯, ଗଁନ୍ଦିଆରେ ୨୭୦, ହିନ୍ଦୋଳରେ ୪୬୩, ଓଡାପଡାରେ ୨୯୮ ଏବଂ ସଦର ବ୍ଲକରେ ୨୪୧ଟି ଅଙ୍ଗନୱାଡି କେନ୍ଦ୍ର ରହିଛି।
କାମାକ୍ଷାନଗର ଉପଖଣ୍ଡରେ ଥିବା ପ୍ରାୟ ସମସ୍ତ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଅନ୍ଧାର ଭିତରେ ରହିଛି। ଅନେକ ଅଙ୍ଗନଓ୍ୱାଡି କେନ୍ଦ୍ରର ନିଜସ୍ୱ କୋଠା ନାହିଁ। କ୍ଲବ ଘରେ ନଚେତ ଅଙ୍ଗନଓ୍ୱାଡି ଦିଦିଙ୍କ ଘରେ ପିଲାମାନେ ପାଠପଢ଼ୁଛନ୍ତି। ଯେଉଁଠି ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ସରିଛି, ସେଠାରେ ନିର୍ମାଣ ଦୀର୍ଘ ଦିନ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଉନାହିଁ। ସରକାର ସମସ୍ତ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ବିଦ୍ୟୁତ ସଂଯୋଗକୁ ଗୁରୁତ୍ୱ ଦେଉଥିବା ବେଳେ ଶିଶୁ ଗଢ଼ା ଅଙ୍ଗନୱାଡି କେନ୍ଦ୍ରଗୁଡିକ ପ୍ରତି ଏଭଳି ଦାୟିତ୍ୱହୀନ ମନୋଭାବ ଦେଖି ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ଅବ୍ୟବସ୍ଥା ଦେଖି ମଧ୍ୟ ସମନ୍ୱିତ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ସହ ଅଙ୍ଗନଓ୍ୱାଡି ତଦାରଖ ଦାୟିତ୍ୱରେ ଥିବା ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଚୁପ ରହିଛି।
ଖାଲି ବିଜୁଳି କାହିଁକି, କେଉଁଠି ପାନୀୟ ଜଳ ସମସ୍ୟା ତ, କେଉଁଠି ଅଙ୍ଗନଓ୍ୱାଡି କେନ୍ଦ୍ରର ନିଜସ୍ୱ ଘର, ରାସ୍ତା, ପ୍ରାଚୀର, ଶୌଚାଳୟ, ଖେଳପଡ଼ିଆ ନାହିଁ। ଅଙ୍ଗନୱାଡିକେନ୍ଦ୍ରଗୁଡିକ ଦୁର୍ବଳ ଭିତିଭୂମି ସଜାଡ଼ିବାକୁ କାହାରି ଦୃଷ୍ଟି ପଡ଼ୁନି।
ସାରୁଆଳି ଅଙ୍ଗନଓ୍ୱାଡି କେନ୍ଦ୍ରର ଅଙ୍ଗନଓ୍ୱାଡି କର୍ମୀ ବାସନ୍ତୀ ମଲ୍ଲିକ କହିଛନ୍ତି, ଦୀର୍ଘ ୩୦ ବର୍ଷ ଧରି ଚାକିରି କରିବା ଭିତରେ ଏ ପର୍ଯ୍ୟନ୍ତ ଅନେକ ସମସ୍ୟା ଦେଖିଛନ୍ତି। ଏକଦା କୋଠ ଘରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଚାଲୁଥିଲା। ଏବେ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଘର ନିର୍ମାଣ ହୋଇଛି। ହେଲେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ବିଦ୍ୟୁତ୍ ସଂଯୋଗ ନାହିଁ। ତେଣୁ ଛାତ୍ରଛାତ୍ରୀମାନେ ଗରମ ଦିନ ଅସହ୍ୟ ଗୁଳୁଗୁଳି ଭିତରେ ପାଠପଢ଼ୁଛନ୍ତି। ବିଦ୍ୟୁତ୍ ନ ଥିବାରୁ ସେମାନଙ୍କ ନିମନ୍ତେ ପାନୀୟ ଜଳ ଓ ଶୌଚ ନିମନ୍ତେ ପାଣି ଯୋଗାଇବାରେ ଅସୁବିଧା ହେଉଛି।
ସେହିପରି ଜିରାଳ ଅଙ୍ଗନଓ୍ୱାଡି କର୍ମୀ ମନୋଜ ବରାଳ କହିଛନ୍ତି, ସେ କାମ କରୁଥିବା ଅଙ୍ଗନଓ୍ୱାଡି କେନ୍ଦ୍ର ଭିତରେ ପାଣି ପଶିଯାଉଛି। ପାଚେରି ନ ଥିବାରୁ ସମସ୍ୟା ହେଉଛି। ବିଦ୍ୟୁତ୍ ସଂଯୋଗ ନ ଥିବା ଯୋଗୁ ପିଲାମାନେ ବହୁ ଅସୁବିଧା ଭୋଗୁଛନ୍ତି।
ସାରୁଆଳୀ ସରପଞ୍ଚ ମଦନ ଚନ୍ଦ୍ର ବେହେରାଙ୍କ କହିବା କଥା, ତାଙ୍କ ପଞ୍ଚାୟତରେ ୧୩ଟି ଅଙ୍ଗନଓ୍ୱାଡି କେନ୍ଦ୍ର ରହିଛି। ସେଗୁଡ଼ିକୁ ଶୀଘ୍ର ବିଦ୍ୟୁତ ସଂଯୋଗୀକରଣ କରାଯିବ। ଏଥିନିମନ୍ତେ ଟଙ୍କା ମିଳିଛି। ଅଙ୍ଗନଓ୍ୱାଡି କେନ୍ଦ୍ରଗୁଡ଼ିକ ପଞ୍ଚାୟତରାଜ ବିଭାଗ ଅଧିନକୁ ଆସିଥିବାରୁ ଏହାର ଉନ୍ନତିକରଣ କାମ ପଞ୍ଚାୟତ କରିବ।
ତେବେ ଏ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କହିଛନ୍ତି, ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ବିଦ୍ୟୁତ୍ ସଂଯୋଗ ଦେବା ନିମନ୍ତେ ସର୍କୁଲାର ରହିଛି। ଅଙ୍ଗନଓ୍ୱାଡ଼ିଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ପଞ୍ଚାୟତକୁ ମିଳୁଥିବା ଫାଇନାନ୍ସ କମିଶନ ଅର୍ଥରୁ କରାଯିବା କଥା। ଏନେଇ ଡ୍ରାଇଭ ଚାଲିଛି। ଅନେକ ସ୍ଥାନରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ନିଜସ୍ୱ କୋଠା ନିର୍ମାଣ ଚାଲିଥିବା ବେଳେ ଅନେକ କାମ ସରିବା ପରେ ଏଠାରେ ପାଠପଢ଼ା ଯାଉଛି। ନୂଆ ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ନିମନ୍ତେ ଟଙ୍କା ମଞ୍ଜୁର କରାଯାଇଛି। ଅଙ୍ଗନଓ୍ୱାଡି କେନ୍ଦ୍ର ନେଇ ରହିଥିବା ସମସ୍ୟାଗୁଡ଼ିକ ସମାଧାନ ନିମନ୍ତେ ବିଭିନ୍ନ ସମୟରେ ସମୀକ୍ଷା କରାଯାଇ ସମାଧାନ କରାଯାଉଛି। ଅଧିକାଂଶ ସ୍ଥାନରେ ବ୍ୟବସ୍ଥା ଠିକ୍ ରହିଥିବା ଓ ଠିକ୍ ଚାଲିଥିବା ସେ କହିଛନ୍ତି।