ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେରଳର କାଲାଡି ଗ୍ରାମ ନିକଟରେ ରହିଥିଲା ପବିତ୍ର ପୂର୍ଣ୍ଣା ନଦୀ। ସବୁଦିନ ପରି ସେଦିନ ଆର୍ଯ୍ୟମ୍ମା ବାହାରିଥିଲେ ପାଣି ଆଣିବାକୁ। ଘରେ ଥିଲେ ବାଳକ ଶଙ୍କର। ହେଲେ କିଛି ବାଟ ଯାଉ ଯାଉ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ ସେ।
ଏ କ’ଣ ! ପୂର୍ଣ୍ଣା ନଦୀର ଧାର, ତାଙ୍କ ଘର ନିକଟ ଦେଇ ବହିଯାଉଛି। ଚକିତ ହୋଇଥିଲେ ବି ଜଳପୂର୍ଣ୍ଣ କୁମ୍ଭ ଧରି ଘରକୁ ଫେରିଲେ। ରାତିକ ମଧ୍ୟରେ ନଦୀର ଧାର ଏମିତି ବଦଳିଯିବାର ରହସ୍ୟ ଖୋଲିଲେ ଶଙ୍କର।
ଆମେ କହୁଛୁ ଭାରତର ମହାନ୍ ତଥା ପ୍ରାତଃସ୍ମରଣୀୟ ସନ୍ଥ ଆଦି ଶଙ୍କରାଚାର୍ଯ୍ୟଙ୍କ କଥା। ଶଙ୍କରାଚାର୍ଯ୍ୟ ବାଳୁତ ବୟସରୁ ମାତୃଭକ୍ତ ଥିଲେ। ପିଲାଟି ବେଳୁ ପିତାଙ୍କ ଦେହାନ୍ତ ହୋଇ ଯାଇଥିବାରୁ ଶଙ୍କର ମା’ଙ୍କୁ ପ୍ରଚଣ୍ଡ ଶ୍ରଦ୍ଧା କରୁଥିଲେ। ଏଣୁ ସବୁଦିନ ତାଙ୍କ ମା’ ଦୀର୍ଘ ପଥ ଚାଲି ପାଣି ଆଣୁଥିବା ତାଙ୍କ ଦେହକୁ ଗଲାନି। ସେ ଶ୍ଲୋକଟିଏ ଗାଇଲେ ଆଉ ନଦୀର ସ୍ରୋତ ପଥ ବଦଳାଇଦେଲା।
ଶଙ୍କରଙ୍କ ମାତୃଭକ୍ତିଙ୍କ କାହାଣୀ ଅନେକ ରହିଛି। ତନ୍ମଧ୍ୟରୁ ଶେଷ କାହାଣୀଟି ସବୁଠାରୁ ରୋଚକ। ବାସ୍ତବରେ ମାତ୍ର ୮ ବର୍ଷ ବୟସରେ ଶଙ୍କର ବେଦ, ବେଦାନ୍ତର ଅଧ୍ୟୟନ ସାରି ଦେଇଥିଲେ। ଖେଳିବା ବୟସରେ ପଚଣ୍ଡ ପାଣ୍ଡିତ୍ୟର ଅଧିକାରୀ ହୋଇ ସାରିଥିବା ଶଙ୍କର ସନ୍ୟାସୀ ହେବାକୁ ଆଗ୍ରହ ପ୍ରକାଶ କଲେ। ହେଲେ ମା’ ଆର୍ଯ୍ୟମ୍ମା ତାଙ୍କୁ ଅନୁମତି ଦେବେନାହିଁ। ଏ କଥା ସେ ଜାଣିଥିଲେ। ଏଣୁ ଥରେ ନଦୀରେ ଗାଧାଉଥିବା ବେଳେ ତାଙ୍କୁ କୁମ୍ଭିରଟିଏ ମାଡ଼ି ବସିଲା। ଏହି କ୍ଷଣରେ ଚତୁର ଶଙ୍କର ମା’ଙ୍କ ମୁହଁରୁ ସତ୍ୟ କରାଇ ନେଲେ, “ପୁଅକୁ ସନ୍ନ୍ୟାସୀ ହେବାକୁ ଛାଡିବି, ତୁମେ ତା’ର ପ୍ରାଣ ନିଅନାହିଁ। ”
ପୁଅର ଜୀବନ ବଞ୍ଚାଇବାକୁ ଆର୍ଯ୍ୟାମ୍ମା ସନ୍ନ୍ୟାସ ଧର୍ମ ଗ୍ରହଣ ଲାଗି ଶଙ୍କରଙ୍କୁ ଅନୁମତି ଦେଲେ। ହେଲେ ଶଙ୍କର ଆର୍ଯ୍ୟମ୍ମାଙ୍କୁ ଏତେ ଭଲ ପାଉଥିଲେ ଯେ, ମା’ଙ୍କ ଲୁହ ସହିପାରିଲେନି। କଥା ଦେଲେ ଶେଷ ମୁହୂର୍ତ୍ତରେ ସେ ଯେଉଁଠି ଥାଆନ୍ତୁ ନା କାହିଁକି ଆର୍ଯ୍ୟମ୍ମାଙ୍କ ସ୍ମରଣ ମାତ୍ରେ ସେ ଉପସ୍ଥିତ ହେବେ।
ଆଉ ଶେଷରେ କଥା ଦେଇ କଥା ରଖିଥିଲେ ଶଙ୍କର। ଆର୍ଯ୍ୟମ୍ମା ମୃତ୍ୟ ଶଯ୍ୟା ନିକଟରେ ତାଙ୍କୁ ସ୍ମରଣ କରିବା ମାତ୍ରକେ ସେ ଉପସ୍ଥିତ ହୋଇଥିଲେ ଆଉ ମା’ଙ୍କ ଶେଷ ଇଚ୍ଛା ପୂଣ୍ଣ କରି ମନ୍ତ୍ରବଳରେ ଭଗବାନ ବିଷ୍ଣୁ ଓ ମହାଦେବ ଶଙ୍କରଙ୍କୁ ଦର୍ଶନ କରାଇ ତାଙ୍କୁ ମୋକ୍ଷ ଦେଇଥିଲେ।