କୁନି ଝିଅ ‘ପରୀ’ ହତ୍ୟାକୁ ବର୍ଷେ ପୂରିଲା, ନ୍ୟାୟ ଅପେକ୍ଷାରେ ବାପା-ମାଆ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ କୁନି ଝିଅ ‘ପରୀ’ ହତ୍ୟାକୁ ବର୍ଷେ ପୂରିଲା। ହେଲେ ଆଜି ପର୍ଯ୍ୟନ୍ତ ‘ପରୀ’ର ବାପା-ମାଆ ନ୍ୟାୟ ମିଳିନାହିଁ। ପ୍ରକୃତ ହତ୍ୟାକାରୀ ଗିରଫ ହେଲେନାହିଁ। ସିବିଆଇ ତଦନ୍ତ ଦାବିରେ ‘ପରୀ’ ବାପା-ମାଆ ସୁପ୍ରିମକୋର୍ଟ ଯାଇଥିଲେ। ହେଲେ ଆଜି ଯାଏଁ ମିଳିନି ଅନୁମତି। କେବେ ମିଳିବ ଅନୁମତି, ତାହା ସେମାନଙ୍କୁ ଜଣାନାହିଁ। ତଥାପି ଚାତକ ପକ୍ଷୀଟିଏ ପରି ସୁପ୍ରମକୋର୍ଟଙ୍କ ରାୟକୁ ଅନାଇଛନ୍ତି। ସେଠାରୁ ନ୍ୟାୟ ମିଳିବ ଓ ପ୍ରକୃତ ଦୋଷୀ ଦଣ୍ଡ ପାଇବ? ସେହି ଆଶାରେ […]

pari

Manoranjan Sial
  • Published: Wednesday, 14 July 2021
  • , Updated: 14 July 2021, 06:07 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ କୁନି ଝିଅ ‘ପରୀ’ ହତ୍ୟାକୁ ବର୍ଷେ ପୂରିଲା। ହେଲେ ଆଜି ପର୍ଯ୍ୟନ୍ତ ‘ପରୀ’ର ବାପା-ମାଆ ନ୍ୟାୟ ମିଳିନାହିଁ। ପ୍ରକୃତ ହତ୍ୟାକାରୀ ଗିରଫ ହେଲେନାହିଁ। ସିବିଆଇ ତଦନ୍ତ ଦାବିରେ ‘ପରୀ’ ବାପା-ମାଆ ସୁପ୍ରିମକୋର୍ଟ ଯାଇଥିଲେ। ହେଲେ ଆଜି ଯାଏଁ ମିଳିନି ଅନୁମତି। କେବେ ମିଳିବ ଅନୁମତି, ତାହା ସେମାନଙ୍କୁ ଜଣାନାହିଁ। ତଥାପି ଚାତକ ପକ୍ଷୀଟିଏ ପରି ସୁପ୍ରମକୋର୍ଟଙ୍କ ରାୟକୁ ଅନାଇଛନ୍ତି। ସେଠାରୁ ନ୍ୟାୟ ମିଳିବ ଓ ପ୍ରକୃତ ଦୋଷୀ ଦଣ୍ଡ ପାଇବ? ସେହି ଆଶାରେ ଦିନ କାଟୁଛନ୍ତି ‘ପରୀ’ ବାପା-ମାଆ।

ପୂରା ଘଟଣା ଏମିତି। ଗାଁ ଦାଣ୍ଡରେ ଖେଳୁଥିଲା ୫ ବର୍ଷର ଝିଅ ‘ପରୀ’। ଆଉ ସେ ଘରକୁ ଫେରିଲା ନାହିଁ। ପରିବାର ଲୋକେ ଝିଅକୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲୁସ ଘଟଣାର ତଦନ୍ତ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ତଥାକଥିତ ଡାହାଣ ହାତ କୁହାଯାଉଥିବା ବାବୁଲିର ହାତ ଥିବାରୁ ପୁଲିସ ଘଟଣାର ତଦନ୍ତ କରୁନଥିବା ଅଭିଯୋଗ କରିଥିଲେ ‘ପରୀ’ର ବାପା-ମାଆ।

ଝିଅ ନିଖୋଜ ହେବାର ୬ ମାସ ପରେ ‘ପରୀ’ର ବାପା-ମାଆ ବିଧାନସଭା ସମ୍ମୁଖରେ ଦେହରେ କିରାସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ସୁରକ୍ଷା ଦାୟିତ୍ୱରେ ଥିବା କମିଶନରେଟ ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ପଚରାଉଚରା ପରେ ପୂରା ଘଟଣା ପଦାକୁ ଆସିଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ଥିବା ଅଭିଯୋଗ ହେବା ପରେ ବିଧାନସଭା କମ୍ପିଥିଲା। ବିରୋଧୀ ବିଜେପି ଓ କଂଗ୍ରେସ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଥିଲେ।

‘ପରୀ’ ହତ୍ୟାମାମଲା କୁ ନେଇ ବିଧାନସଭା ଚାଲି ନପାରିବାରୁ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ବିବୃତ୍ତି ରଖିଥିଲେ। ‘ପରୀ’କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଥିଲେ। ଏହା ପରେ ବିରୋଧୀ ସ୍ୱରକୁ ଆହୁରି ଶାଣିତ କରିଥିଲେ। ମାମଲାର ଏସ୍‌ଆଇଟି ତଦନ୍ତ ପାଇଁ ଦାବି କରିଥିଲେ। ମାମଲା ଆୟତ୍ତ ବାହାରକୁ ଯାଉଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଆଇଟି ତଦନ୍ତ ଦାବି କରିଥିଲେ। ଏହା ପରେ ଆଇପିଏସ୍‌ ଅରୁଣ ବୋଥ୍ରାଙ୍କୁ ଏସ୍‌ଆଇଟି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା।

ଆଇପିଏସ୍‌ ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ କ୍ରାଇମ୍‌ ବ୍ରାଞ୍ଚର ଏକ ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରି ‘ପରୀ’ ଘର ପାର୍ଶ୍ୱ ଜଣେ ନାବାଳକକୁ ସାବାଳକ ଦର୍ଶାଇ ଅଭିଯୁକ୍ତ ବୋଲି ଦର୍ଶାଇଥିଲା। ଏଥିପାଇଁ ବୋଥ୍ରା ୫ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ ଆସିଥିଲା। ତେବେ ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ଭୁବନେଶ୍ୱରରୁ ‘ପରୀ’ ଗାଁକୁ ପଦଯାତ୍ରାରେ ଯାଇଥିଲେ।

ବିଜେପି ଦୀର୍ଘ ମାସେ ଧରି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲା। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସଦର ଥାନା ଆଇଆଇସି ରୀନା ରାଣୀ ସାହୁଙ୍କ ନିଲମ୍ବନ ଓ ନୟାଗଡ଼ ଏସ୍‌ଡିପିଓଙ୍କ ବଦଳି କରାଯାଇଥିଲା। ପରେ ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ମଧ୍ୟ ବଦଳି କରାଯାଇଥିଲା। ଶେଷରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫ ଅଭିଯୁକ୍ତ ନାବାଳକ ହୋଇଥିଲେ ମଧ୍ୟ ସାବାଳକ କରି କୋର୍ଟରେ ହାଜର କରାଇଥିଲା। ପରେ ନାବାଳକଙ୍କ ଓକିଲଙ୍କ ଆବେଦନ ପରେ ନୟାଗଡ଼ ଜୁଭେନାଇ ଜଷ୍ଟିସ୍‌ ବୋର୍ଡରେ ହାଜର ହୋଇଥିଲେ ନାବାଳକ। ବର୍ତ୍ତମାନ ଗିରଫ ହୋଇଥିବା ନାବାଳକ ବାଳ ସୁଧାର ଗୃହରେ ରହିଛି।

ଏସ୍‌ଆଇଟି ତଦନ୍ତରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ‘ପରୀ’ର ବାପା-ମାଆ। ଏସ୍‌ଆଇଟି ପ୍ରକୃତ ଅଭିଯୁକ୍ତକୁ ଗିରଫ କରୁନି। ମାମଲାରେ ସିବିଆଇ ତଦନ୍ତ ଦାବିରେ ‘ପରୀ’ର ବାପା-ମାଆ ସୁପ୍ରିମ୍‌ କୋର୍ଟ ଯାଇଥିଲେ। ଇତି ମଧ୍ୟରେ ମାମଲା ବର୍ଷେ ହେଲାଣି। ହେଲେ ନ୍ୟାୟ ପାଇନାହାନ୍ତି ‘ପରୀ’ଙ୍କ ବାପା-ମାଆ। ଏବେବି ସେମାନେ ଗାଁକୁ ଫେରି ପାରିନାହାନ୍ତି। ଶ୍ୱଶୁର ଘର ଯୋଗିଆପଲ୍ଲୀରେ ଆଜି ମଧ୍ୟ ରହୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁରକ୍ଷାକୁ ହଟାଇ ଦିଆଯାଇଛି। ତେବେ ପୂର୍ବଭଳି ଆଉ ‘ପରୀ’ ବାପା ଅଟୋ ଚଳାଇବାକୁ ସାହସ କରି ପାରୁନାହାନ୍ତି କି ନିଜ ଗାଁକୁ ଫେରି ପାରୁନାହାନ୍ତି।

ଚର୍ଚ୍ଚାକୁ ଆସିଥିଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ

‘ପରୀ’ର ନିଖୋଜ ପରେ ହଠାତ୍‌ ଚର୍ଚ୍ଚାକୁ ଆସିଥିଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ। ‘ପରୀ’କୁ ହତ୍ୟା କରାଯାଇ ଅଙ୍ଗ ଚାଲାଣ କରାଯାଇଥିବା ଅଭିଯୋଗ କରିଥିଲେ। ଗଣମାଧ୍ୟମରେ ତାଙ୍କର ଏହି ବୟାନ ପରେ ତାଙ୍କ ପାଖକୁ ଯାଇଥିଲା ମନ୍ତ୍ରୀ ଅରୁଣ ସାହୁଙ୍କ ଫୋନ୍‌ କଲ୍‌। ଯାହାର ଅଡ଼ିଓ ଭାଇରାଲ ହେବା ପରେ ଟାର୍ଗେଟର ଥିଲେ ସୌମ୍ୟ। ଯାହାକୁ ନେଇ ସେ ମୁହଁ ଖୋଲିଥିଲେ। ଏଥିପାଇଁ ତାଙ୍କୁ ପଦ ହରାଇବାକୁ ଆସିଥିଲା ବୋଲି ଆଲୋଚନା ହେଉଛି।

‘ପରୀ’ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁଗାମୀ ବାବୁଲି ନାୟକ ଏବଂ ତାଙ୍କ ପୁତୁରଙ୍କ ସଂପୃକ୍ତି ଥିବା ନେଇ ଥାନାରେ ଏତଲା ଦେଇଥିଲେ ପରୀର ବାପ-ମା। କିନ୍ତୁ ସେମାନେ ଆସିଲେନି ତଦନ୍ତ ପରିସରଭୁକ୍ତକୁ। ଯାହାକୁ ବାରମ୍ବାର ଅସନ୍ତୋଷ ଜାହିର କରିଛନ୍ତି ପରୀର ବାପ-ମା।

Related story