ବଲାଙ୍ଗିର (ସସ୍ମିତା ସାହୁ): ଆଉ ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏବେ ସବୁଠି ପ୍ରସ୍ତୁତିର ପର୍ବ। କଳାକାରମାନେ ମଧ୍ୟ ନିଜ ପ୍ରସ୍ତୁତି ଚଳାଇଛନ୍ତି। କାରଣ ନାଚଗୀତ ବିନା ନୂଆଁଖାଇର ମାନେ କିଛି ନାହିଁ।
ନବାନ୍ନ ଭକ୍ଷଣ ପରେ ଗାଁଠୁ ସହର ସବୁଠି ଆରମ୍ଭ ହୋଇଯାଏ ନାଚଗୀତର ଆସର ବା ନୂଆଁଖାଇ ଭେଟଘାଟ। ନିଜ ଅଞ୍ଚଳ ସହିତ ରାଜ୍ୟ ତଥା ଦେଶ ବାହାରେ ହେବାକୁ ଥିବା ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଚାଲାଇଛନ୍ତି କଳାକାରମାନେ।
ଦୁଲଦୁଲିରେ ଦୁଲୁକୁଛି ପରିବେଶ। ଢୋଲ, ନିଶାନ ଓ ତାଶା ଶବ୍ଦରେ କମ୍ପୁଛି ଗାଁ ଦାଣ୍ଡ। ପାରମ୍ପରିକ ସମ୍ବଲପୁରୀ ବେଶ ଭୂଷାରେ ସଜେଇ ହୋଇ ନୃତ୍ୟ ଅଭ୍ୟାସ କରୁଛନ୍ତି କଳାକାର।
ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପଞ୍ଚମ’ର ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ବେଙ୍ଗାଲୁରୁଠାରେ ହେବାକୁ ଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେବ ଏହି ସାଂସ୍କୃତିକ ଦଳ। ତେଣୁ ରସରକେଲି, ମାଇଲାଜଡ, ଚୁଟକୁଚୁଟା ଭଳି ନୂଆ ନୂଆ ସମ୍ବଲପୁରୀ ଗୀତକୁ ନେଇ ଚାଲଛି ପ୍ରସ୍ତୁତି।
ବଲାଙ୍ଗିର ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ନୂଆଁଖାଇ ପରେ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ତେଣୁ ସହରର ବିଭିନ୍ନ ଛକରେ ଦେଖିବାକୁ ମିଳୁଛି କାର୍ଯ୍ୟକ୍ରମର ପୋଷ୍ଟର।
ନୂଆଁଖାଇ ସନ୍ଧ୍ୟାରେ ବଲାଙ୍ଗିର ଟାଉନ୍ ହଲ୍ଠାରେ ‘ଯୁବ କଳାକାର ସଂଘ’ ତରଫରୁ ଅନୁଷ୍ଠିତ ହେବ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ। ତେଣୁ କୋଶଳ କଳାମଣ୍ଡଳ ପଡ଼ିଆ ମଞ୍ଚରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ନୂଆ ଏବଂ ପୁରୁଣା କଣ୍ଠଶିଳ୍ପୀଙ୍କୁ ନେଇ ନୂଆଁ ନୂଆଁ ଗୀତ କମ୍ପୋଜ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।