[caption id="attachment_163451" align="alignleft" width="194"]
ରାଗ ମଡେଲସ୍ ଆଣ୍ଡ୍ ଟ୍ୟାଲେଣ୍ଟ୍ ଏଜେନ୍ସି ପକ୍ଷରୁ କାନାଡାର ଟରୋଣ୍ଟୋ ସହରରେ ନିକଟରେ ଆୟୋଜିତ “ମିସ୍ ସାଉଥ୍ ଏସିଆ କାନାଡା ୨୦୧୭’’ ପ୍ରତିଯୋଗିତାରେ ଓଡିଆ ଝିଅ ନିକିତା ଗନ୍ତାୟତ ବିଜୟୀ ହୋଇଛନ୍ତି। ସୌନ୍ଦର୍ଯ୍ୟ ଓ ବୁଦ୍ଧିମତ୍ତାର ଶ୍ରେଷ୍ଠ ପ୍ରଦର୍ଶନ କରି ନିକିତା ଏହା ସହିତ “ମିସ୍ ବଲିଉଡ୍ ଡିଭା’’ ଟାଇଟଲ ମଧ୍ୟ ହାସଲ କରିଛନ୍ତି । ଅକ୍ଟୋବର ୨୧, ୧୯୯୪ରେ ଭାରତରେ ଜନ୍ମ ହୋଇଥିବା ନିଜର ସେ ପରିବାର ସହ ୨୦୦୨ରେ ଟରୋଣ୍ଟୋ ଚାଲିଆସିଲେ । ସେ ଏବର୍ଷ ୟୁନିଭର୍ସିଟି ଅଫ୍ ୱାଟରଲୁରୁ ମ୍ୟାନେଜମେଣ୍ଟ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ବଡଭଉଣୀ ଅର୍ପିତା ଜଣେ ଡାକ୍ତର । ତାଙ୍କର ବାପା ଶୁଭେନ୍ଦୁ ଗନ୍ତାୟତ ଓଡିଶାରେ ପାରଳାଖେମୁଣ୍ଡି ଅଞ୍ଚଳର ଓ ମା ନନ୍ଦିତା ଯାଜପୁର ଅଞ୍ଚଳର । ଏହି ପ୍ରତିଯୋଗିତା ସମ୍ପର୍କରେ ନିକିତାଙ୍କ ନିଜସ୍ୱ ଅଭିଜ୍ଞତା, ଭବିଷ୍ୟତ ଯୋଜନା ତଥା ଜଣେ ଦ୍ୱିତୀୟ ପିଢି ଇମିଗ୍ରାଣ୍ଟ ଓଡିଆ ଭାବରେ ଓଡିଶା ପ୍ରତି ତାଙ୍କର ବିଚାର ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଛନ୍ତି ଲେଖକ ସତ୍ୟ ପଟ୍ଟନାୟକ
ପ୍ରଶ୍ନ: ମିସ୍ ଦକ୍ଷିଣ ଏସିଆ କାନାଡା ୨୦୧୭ ପ୍ରତିଯୋଗିତାରେ ବିଜୟୀ ହୋଇଥିବାରୁ ଅସଂଖ୍ୟ ଓଡିଶାବାସୀଙ୍କ ତରଫରୁ ଆପଣଙ୍କୁ ହାର୍ଦିକ ଅଭିନନ୍ଦନ । ଫଳାଫଳ ଘୋଷଣା ହେବା ମାତ୍ରକେ ଆପଣଙ୍କର ଆସନ୍ନ ପ୍ରତିକ୍ରିୟା କଣ ଥିଲା?
ଉତ୍ତର: ଆପଣଙ୍କର ଶୁଭେଚ୍ଛା ଓ ପ୍ରୋତ୍ସାହନ ପାଇଁ ଧନ୍ୟବାଦ - ଏହା ମୋ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ। ଯେତେବେଳେ ଫଳାଫଳ ଘୋଷଣା କରାଗଲା, ସେଇ ମୁହୂର୍ତ୍ତ ମୋ ପାଇଁ ଖୁବ୍ ସ୍ୱପ୍ନିଳ ଏବଂ ଆବେଗାତ୍ମକ ଥିଲା । ମୋ ଭିତରେ ଆବେଗର ରୋଲରକୋଷ୍ଟର ଦୌଡିଲା ଭଳି ଲାଗୁଥିଲା। ଏଭଳି ଏକ ଗୌରବପୂର୍ଣ୍ଣ ଟାଇଟେଲ୍ ଜିତି ନିଜକୁ ମୁଁ ଭାଗ୍ୟଶାଳୀ ଅନୁଭବ କଲି, ମୂଳରୁ ଯାହା ଚାହୁଁଥିଲି ତାକୁ ପାଇବାର ଖୁସିରେ ଉଲ୍ଲସିତ ଥିଲି । ମୋତେ ପ୍ରତ୍ୟେକ ମୁହୂର୍ତ୍ତରେ ଅନୁପ୍ରାଣିତ କରିଥିବା ପାଇଁ ମୁଁ ମୋର ପରିବାର ପ୍ରତି କୃତଜ୍ଞ ।
ପ୍ରଶ୍ନ: ଏହି ପ୍ରତିଯୋଗିତା ଆପଣଙ୍କ ପାଇଁ କେତେ ଅର୍ଥପୂର୍ଣ୍ଣ ଥିଲା ଓ ଏଥି ପାଇଁ କିପରି ଭାବରେ ପ୍ରସ୍ତୁତି କରୁଥିଲେ?
ଉତ୍ତର: ମୁଁ ପିଲାଟି ଦିନରୁ ଏକ ସୁନ୍ଦରୀ ପ୍ରତିଯୋଗିତା ଜିତିବାର ସ୍ୱପ୍ନ ଦେଖିଥିଲି । ମୁଁ ଯେତେବେଳେ ବଡ ହେଲି ଏବଂ ଏ ବିଷୟରେ ଅଧିକା ଜାଣିଲି, ଏହା ମାଧ୍ୟମରେ ମୁଁ ମହତ୍ତ୍ୱପୂର୍ଣ୍ଣ ସାମାଜିକ ବିଷୟକୁ ନେଇ ବିଶ୍ୱ ସ୍ତରରେ ଲୋକମାନଙ୍କ ନିକଟରେ ମୋ ସ୍ୱରକୁ ପହଁଚେଇବାର ସମ୍ଭାବନା ମୋତେ ଅନୁପ୍ରାଣିତ କଲା । ଏ ପ୍ରତିଯୋଗିତା ପାଇଁ ମୋର ପ୍ରସ୍ତୁତି ଆଜୀବନ । ମୋର ଲାଳନ ପାଳନ, ଶିକ୍ଷା, ନୃତ୍ୟ ସଂଗୀତ ଅଭିନୟ ଗାୟନ ତଥା ମଡେଲିଙ୍ଗ କରିବାର ଉତ୍କଣ୍ଠା ଏବଂ ମୋର ସମଗ୍ର ବ୍ୟକ୍ତିତ୍ୱ ମୋତେ ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ପ୍ରସ୍ତୁତ କରାଇଛି ।
ପ୍ରଶ୍ନ: ବିଚାରକମଣ୍ଡଳୀ ଦ୍ୱାରା ଆପଣ ନିଜକୁ କେମିତି ଜୋଡି ପାରିଲେ? ପ୍ରତିଯୋଗିତାର କୌଣସି ସମୟରେ ଆପଣଙ୍କୁ ଲାଗିଛି ଏ ପ୍ରତିଯୋଗିତା ଆପଣ ଜିତିବେ ବୋଲି?
ଉତ୍ତର: ମୋର ଅନ୍ତଃପ୍ରକାଶ, ଅକୃତିମତା, ବିନୟ ଏବଂ ଆତ୍ମବିଶ୍ୱାସ ମୋତେ ଏହି ପ୍ରତିଯୋଗିତାରେ ବିଜୟୀ ହେବାକୁ ଦେଇଛି ବୋଲି ମୋର ଆଶା । ପ୍ରତିଯୋଗିତା ପୂର୍ବରୁ ଗୋଟିଏ ସାତଦିନିଆ କାର୍ଯ୍ୟଶାଳାରେ ପ୍ରତ୍ୟେକ ସହଭାଗୀକୁ ତାର ନୃତ୍ୟ, କାଟ୍ୱାକ୍, ବ୍ୟକ୍ତିତ୍ୱ ଇତ୍ୟାଦି ବିଷୟରେ ନିର୍ଣ୍ଣୟ କରାଯାଉଥିଲା ଯେଉଁଠୁ ମୋର ସହଭାଗୀ ମାନଙ୍କ ନିକଟରୁ ମୋ ବିଷୟରେ ସକାରାତ୍ମକ ପ୍ରତିକ୍ରିୟା ମିଳୁଥିଲା । ଏହା ବ୍ୟତୀତ, ପ୍ରଶ୍ନୋତ୍ତର ସମୟରେ ମୋର ଉତ୍ତରରେ ଦର୍ଶକମାନଙ୍କ ଉଚ୍ଚ କୋଳାହଳ ଓ କରତାଳିରୁ ମୋର ଜିତିବାର ବିଶ୍ୱାସ ଦୃଢୀଭୂତ ହେଲାପରି ଲାଗୁଥିଲା ।
ଉତ୍ତର: ପିଲା ଦିନରୁ ହିଁ ପ୍ରଦର୍ଶନ କଳା ପ୍ରତି ମୋର ଗଭୀର ଆଗ୍ରହ । ମୋ ମାଆଙ୍କ ପ୍ରୋତ୍ସାହନ ତଥା ସମର୍ଥନରେ ମୁଁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଛି ଏବଂ ପୁରସ୍କାର ଓ ଲୋକପ୍ରିୟତା ହାସଲ କରିଛି । ନିକଟ ଅତୀତରେ କାନାଡା ଓଡିଆ ସୋସାଇଟି, ଆମେରିକା ଓଡିଆ ସୋସାଇଟି ଏବଂ ପାନୋରାମା ଇଣ୍ଡିଆର ଅନେକ ପ୍ରୋଗ୍ରାମରେ ପ୍ରଦର୍ଶନ କରିଛି ।
ପ୍ରଶ୍ନ: ଆପଣ ଜଣେ ଇଞ୍ଜିନିୟରିଂ ଛାତ୍ରୀ । ତା ସାଙ୍ଗକୁ ଏ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମର ଚାପ । ସମୟକୁ କେମିତି ଠିକ ଭାବେ ବିନିଯୋଗ କରନ୍ତି?
ଉତ୍ତର: ପାଠ୍ୟକ୍ରମ ତଥା ପାଠ୍ୟୋତ୍ତର (ଏକ୍ସଟ୍ରାକରିକୁଲାର)କୁ ସୂଚାରୁ ରୂପେ ସମୟ ଦେବାର ଶୈଳୀକୁ ମୁଁ ସମୟ କ୍ରମେ ଶିଖି ପାରିଛି । ପ୍ରାଥମିକତାର ଉପଯୋଗ, ସୁଅବସରର ବ୍ୟବହାର ତଥା ପ୍ରତିବଦ୍ଧତାର ସନ୍ତୁଳନ ମୋତେ ମୋର କାମକୁ ଠିକ ଭାବରେ ସମ୍ପାଦନ କରିବାକୁ ଦେଇଛି।
ପ୍ରଶ୍ନ: ଆପଣଙ୍କର ଏହାକୁ ନେଇ ଆଉ କିଛି ଭବିଷ୍ୟତ ଯୋଜନା ଅଛି? ଆଉ କୌଣସି ସୁନ୍ଦରୀ ପ୍ରତିଯୋଗିତାରେ ଯୋଗ ଦେବାପାଇଁ ଭାବୁଛନ୍ତି?
ଉତ୍ତର: ସମ୍ପ୍ରତି ମୁଁ ମଡେଲିଙ୍ଗ୍ ଓ ଅଭିନୟ ଶିଖୁଛି ଏବଂ କିଛି ସଙ୍ଗୀତ ଭିଡିଓରେ ଅଭିନୟ ମଧ୍ୟ କରିଛି । ମୁଁ ଏହି ସବୁକୁ ଜାରୀ ରଖିବି ଓ ଭବିଷ୍ୟତରେ ପ୍ରତିଯୋଗିତା ମାନଙ୍କରେ ମଧ୍ୟ ଭାଗ ନେବି।
ପ୍ରଶ୍ନ: ଜଣେ ଦ୍ୱିତୀୟ ପିଢି ଓଡିଆ ଭାବରେ କାନାଡିଆନ୍ ଜୀବନ ଯାପନ ପାଇଁ କିଛି ଅସୁବିଧା ହୋଇଛି? ଗୋଟିଏ ସମୟରେ ଦୁଇଟି ସଂସ୍କୃତିସହ ଜୋଡି ରହିବାର ଚାପ ଅନୁଭବ କରିଛନ୍ତି?
ଉତ୍ତର: ଯଦିଓ ମୋର ପିତା ମାତା ଓଡିଶାରେ ଜନ୍ମ ଓ ବଡ ହୋଇଛନ୍ତି, କିନ୍ତୁ ତାଙ୍କ ଜୀବନର ମୂଖ୍ୟ ସମୟ ପୃଥିବୀର ବିଭିନ୍ନ ପ୍ରାନ୍ତରେ କଟିଛି । ସେଥିପାଇଁ ସେମାନେ ମୋ ମନ ଭିତରେ ଉଭୟ ଓଡିଆ ତଥା ପାଶ୍ଚାତ୍ୟ ସଂସ୍କୃତିର ମୂଲ୍ୟବୋଧକୁ ଉଚିତ ଭାବରେ ଦର୍ଶେଇ ପାରିଛନ୍ତି । ଏହା ମୋତେ କାନାଡାର ବହୁ ସଂସ୍କୃତି ପରିବେଶରେ ସଂପୂର୍ଣ୍ଣଭାବେ ସଙ୍ଘଟିତ ହେବାପାଇଁ ସାହାଯ୍ୟ କରିଛି ।
ପ୍ରଶ୍ନ: ଆପଣ କେବେ ଓଡିଶାର ସାମ୍ପ୍ରତିକ ସାମାଜିକ ଚିତ୍ର ସହ ନିଜକୁ ଜୋଡିବାକୁ ଚେଷ୍ଟା କରିଛନ୍ତି?
ଉତ୍ତର: ହଁ । ମୁଁ ଓଡିଶା ନିୟମିତ ଭାବେ ଯାଏ ଏବଂ ମୋ ରାଜ୍ୟର ସାମାଜିକ ଚିତ୍ରକୁ ଠିକ ଭାବରେ ବୁଝିବାକୁ ଚେଷ୍ଟା କରେ ।
ପ୍ରଶ୍ନ: ଆପଣ କଣ ଭାବୁଛନ୍ତି ବର୍ତ୍ତମାନର ନାରୀ ପୂର୍ବ ସମୟର ନାରୀ (ଆପଣଙ୍କର ଜେଜେମା, ଗୋସେଁଇ ମା)ଙ୍କ ଠାରୁ ଭିନ୍ନ? ନାରୀ ସଶକ୍ତୀକରଣ କେମିତି ସମ୍ଭବ ହେବ ବୋଲି ଆପଣ ଭାବନ୍ତି?
ଉତ୍ତର: ପୂର୍ବ ସମୟର ନାରୀଙ୍କ ତୁଳନାରେ ବର୍ତ୍ତମାନର ନାରୀ ନିଶ୍ଚିତ ଭାବେ ସମାଜରେ ଉଚ୍ଚ ସ୍ଥାନକୁ ଆସିପାରିଛି ବୋଲି ମୋର ବିଶ୍ୱାସ । ବର୍ତ୍ତମାନର ନାରୀମାନେ ଯେଉଁ ସମାଜରେ ବଞ୍ଚିଛନ୍ତି ସେଠି ଅଧିକ ସମାନ-ଅଧିକାର ଏବଂ ଶିକ୍ଷା, ବୃତ୍ତି ଓ ମତ ରଖିବାର ଅଧିକାର ପୂର୍ବାପେକ୍ଷା ଉନ୍ନତ। ନାରୀ ଶିକ୍ଷାର ପ୍ରୋତ୍ସାହନ, ନାରୀ ଅଧିକାର ଓ ତାଙ୍କ ପାଇଁ ବିଭିନ୍ନ ସୁଯୋଗ ବିଷୟରେ ଜ୍ଞାନ ଦେବା ଦ୍ୱାରା ନାରୀ ସଶକ୍ତୀକରଣ ସମ୍ଭବ ହୋଇପାରିବ ।
ପ୍ରଶ୍ନ: ଏଇ ପୁରୁଷ ପ୍ରମୂଖ ସମାଜରେ କେମିତି ସମ୍ମାନର ସହିତ ଜୀବନ ଯାପନ କରିବାକୁ ହେବ, ଏ ବିଷୟରେ ଓଡିଶାର ନାରୀମାନଙ୍କୁ ଶିକ୍ଷା ଦେବାପାଇଁ ପ୍ରତିବର୍ଷ ଓଡିଶାରେ କିଛି ସମୟ ବିତେଇବାର କିଛି ଯୋଜନା କରିଛନ୍ତି?
ଉତ୍ତର: ହଁ, ଏ ବିଷୟରେ ମୋର ପ୍ରଚୁର ଆଗ୍ରହ ରହିଛି । ଓଡିଶାରେ ଏପରି କାର୍ଯ୍ୟ କରୁଥିବା ଏନ୍.ଜି.ଓ ମାନଙ୍କ ସହଯୋଗରେ ମୁଁ ଅଧିକରୁ ଅଧିକ ମହିଳାଙ୍କ ସହିତ ଯୋଗାଯୋଗ କରି ଏକ ଭଲ ସମାଜ ତିଆରି କରିବାରେ ସାହାଯ୍ୟ କରିବାକୁ ଚାହେଁ । ତା ବ୍ୟତୀତ, ଯେତେବେଳେ ମୋର କାର୍ଯ୍ୟ ପ୍ରତିବଦ୍ଧତା ମୋତେ ଅନୁମତି ଦେବ, ମୁଁ ଓଡିଶା ଆସି ଏହି ମହିଳାମାନଙ୍କୁ ଭେଟିବି।
ପ୍ରଶ୍ନ: ଭବିଷ୍ୟତରେ ଏଭଳି ପ୍ରତିଯୋଗିତାରେ ଭାଗ ନେବାକୁ ଇଛା କରୁଥିବା ତରୁଣୀ ମାନଙ୍କୁ କଣ କହିବେ?
ଉତ୍ତର: ଯେତେବି କଠିନ ହେଉନା କାହିଁକି, ମୁଁ ସେଇ ତରୁଣୀ ମାନଙ୍କୁ ସେମାନଙ୍କର ସ୍ୱପ୍ନକୁ ଅନୁସରଣ କରିବାପାଇଁ କହିବି । ସୁନ୍ଦରୀ ପ୍ରତିଯୋଗିତା ଗୋଟିଏ ଗୋଟିଏ ମଞ୍ଚ ଯେଉଁଠି ଜଣେ ନିଜକୁ ବ୍ୟକ୍ତ କରିବା ନିମନ୍ତେ ସୁଯୋଗ ପାଏ, କିଛି କରିବାପାଇଁ ନିପୁଣତା ହାସଲ କରେ । କୁହାଯାଏ ଯେ ହଜାର ମାଇଲର ଯାତ୍ରା ଗୋଟିଏ ପାଦରୁ ଆରମ୍ଭ ହୁଏ ।
ପ୍ରଶ୍ନ: ଓଡିଶାବାସୀଙ୍କ ପାଇଁ କିଛି ବାର୍ତ୍ତା?
ଉତ୍ତର: ମୁଁ ଓଡିଶାରୁ ଆସିଛି ତଥା ଆମର ଓଡିଆ ପରମ୍ପରାକୁ ନେଇ ମୁଁ ପ୍ରତି ମୁହୂର୍ତ୍ତରେ ଗର୍ବ ଅନୁଭବ କରେ । ମୁଁ ଓଡିଶା ଓ ଏହାର ଅପୂର୍ବ ତଥା ଅସାଧାରଣ ସଙ୍ଗୀତ, ନୃତ୍ୟ, କଳା ଏବଂ ଖାଦ୍ୟର ପ୍ରସାର କରିବାପାଇଁ ବ୍ରାଣ୍ଡ୍ ଆମ୍ବାସଡର ଭାବେ କାର୍ଯ୍ୟ କରିବାକୁ ଚାହେଁ।