କମ୍ପାନୀ ହିତରେ ବ୍ୟବସ୍ଥା, ଭକୁଆ ଉପଭୋକ୍ତା!

ଓଡ଼ିଶା ରିପୋର୍ଟର (ପ୍ରଜ୍ଞା ଚୌଧୁରୀ): କରୋନା କାଳରେ ଲୋକଙ୍କ ଜୀବନଜୀବିକା ଅସ୍ତବ୍ୟସ୍ତ ହୋଇଯାଇଛି। ଲେକେ ରୋଜଗାର ହରାଇଛନ୍ତି। ଏଭଳି ଏକ ଦୁଃଖ ସମୟରେ ବୋଝ ଉପରେ ନଳିତା ବିଡ଼ା ଭଳି ବର୍ଦ୍ଧିତ ବିଜୁଳି ଦର ଖାଉଟିଙ୍କ ଅଣ୍ଟା ଉପରେ ମାଡ଼ କରୁଛି। ତେବେ ଏହା ପଛରେ ବିରାଟ ଲୁଟ୍ ଷଡ଼ଯନ୍ତ୍ର ଚାଲିଥିବା ବାରମ୍ବାର ଅଭିଯୋଗ ଆସୁଛି।

ଗତ ଅକ୍ଟୋବରରୁ ଲାଗୁ ହେଇଛି ନୂତନ ସ୍ଲାବ୍ ସାଙ୍ଗକୁ ବର୍ଦ୍ଧିତ ବିଦ୍ୟୁତ ଦର। ତଦ୍ଦନୁଯାୟୀ ପ୍ରଥମ 50 ୟୁନିଟ୍ ପାଇଁ 2.50 ଟଙ୍କା ବଦଳରେ 2ଟଙ୍କା 70 ପଇସା ଦେବାକୁ ପଡ଼ୁଛି। ପରବର୍ତ୍ତୀ 150 ୟୁନିଟ୍ ଲାଗି 4.30 ଟଙ୍କା ବଦଳରେ 4.50 ଟଙ୍କା, ଏହାର ପରବର୍ତ୍ତୀ 200 ୟୁନିଟ୍ ପାଇଁ 5.30 ଟଙ୍କା ବଦଳରେ 5.50 ଟଙ୍କା ଦେଉଛନ୍ତି ଖାଉଟି। ଏହାଠାରୁ ଅଧିକ ବିଜୁଳି ବ୍ୟବହାର କଲେ 5.70 ଟଙ୍କା ବଦଳରେ 5.90 ଟଙ୍କା ଦେବାକୁ ପଡ଼ୁଛି। ପୂର୍ବରୁ 100 ୟୁନିଟ୍ ପାଇଁ 2.50 ଟଙ୍କା ଥିଲା। ନୂଆ ବ୍ୟବସ୍ଥାରେ ଏହାକୁ 50 ୟୁନିଟି ହ୍ରାସ କରାଯାଇଛି ଏବଂ ଦେୟ 2.70 ଟଙ୍କା ଧାର୍ଯ୍ୟ କରାଯାଇଛି। ଫଳରେ 50 ୟୁନିଟ୍ ଲାଗି ଗ୍ରାହକଙ୍କୁ 4.50 ଟଙ୍କା ହିସାବରେ ଦେବାକୁ ପଡ଼ିବ। ଅଧିକ ବ୍ୟବହାର କଲେ ଅଧିକ ଦେବେ। ଏପଟେ ସିଧାସଳଖ 20 ପଇସା ଅଧିକ ଦେବେ। ସେପଟେ ସ୍ଲାବ୍ ମଧ୍ୟ ପରିବର୍ତ୍ତନ କରାଗଲା। ଏହା ଦ୍ୱାରା ଗ୍ରାହକଙ୍କୁ ଅତିକମରେ 200 ଟଙ୍କା ଅଧିକ ଦେବାକୁ ପଡ଼ୁଛି।

ଏନେଇ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ଗ୍ରିଡକୋ ସ୍ତରରେ ବିଦ୍ୟୁତ୍ କ୍ରୟ ମୂଲ୍ୟ 3ଟଙ୍କା ଟପୁ ନ ଥିବା ବେଳେ ବିକ୍ରୟ ମୂଲ୍ୟ ସର୍ବନିମ୍ନ 5.20 ଟଙ୍କାରୁ 7-8 ଟଙ୍କା ଯାଏଁ ରହୁଛି। କମ୍ ଟଙ୍କାରେ କିଣି ଅଧିକ ଟଙ୍କାରେ ବିକିବାର କଣ ଯଥାର୍ଥତା ରହିଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଚଞ୍ଚକତା କରି ଗ୍ରାହକଙ୍କୁ ଭକୁଆ ବନଇବାକୁ ସ୍ଲାବ୍ ବ୍ୟବସ୍ଥା କରାଯାଇଛି। ସ୍ଲାବ୍ ଜରିଆରେ ଲୋକଙ୍କୁ ଶୋଷଣ କରାଯାଉଛି। ଅନ୍ୟପଟେ ସର୍ବନିମ୍ନ ବିଜୁଳି ଦର ଲାଗୁ କରି ମଧ୍ୟ ଚଞ୍ଚକତା କରାଯାଉଛି। ମେକ୍ସିମମ୍ ବିଜୁଳି ଖର୍ଚ୍ଚ କରୁଥିବା ଗ୍ରାହକମାନଙ୍କୁ ମଧ୍ୟ ମିନିମମ୍ ଚାର୍ଜ ଦେବାକୁ ପଡ଼ୁଛି। ଏ ବାବଦରେ ଟଙ୍କାର ହିସାବ ନାହିଁ। ଗତ 20 ବର୍ଷ ଭିତରେ ଆନୁମାନିକ 28-30 ହଜାର କୋଟି ଟଙ୍କା ହେରଫେର୍ ହୋଥିବା ବେଳେ ଏହାର ସିଏଜି ଅଡିଟ୍ କରାଯାଉ ବୋଲି ସେ କହିଛନ୍ତି।

ପଞ୍ଚାନନ ପୁଣି କହିଛନ୍ତି, ଚାଇନା ମିଟରର ଦାମ 9 ହଜାର ଟଙ୍କା ହୋଇଥିବା ବେଳେ 18 ହଜାର ବୋଲି ବିଲ୍ କରାଯାଉଛି। ପ୍ରତିମାସରେ ଗ୍ରାହକ ମିଟର ଦେୟ ଦେଉଛନ୍ତି। ସେ ନିଜେ 9 ହଜାର ଟଙ୍କିଆ 2ଟି ଚାଇନା ମିଟର ବାବଦରେ 32 ହଜାର ଓ 38 ହଜାର ଟଙ୍କା ଗଣିସାରିଲେଣି ବୋଲି କହିଛନ୍ତି। ଏ ସବୁରେ ଓଇଆରସି ବେପାରୀଙ୍କୁ ପ୍ରୋତ୍ସାହନ ଦେବା ସହ ଏଭଳି ଚୋରିରେ ତାଙ୍କର ହାତ ରହିଛି ଆଉ ସରକାର ଏମାନଙ୍କୁ ପୂର୍ଣ୍ଣ ସହଯୋଗ ଦେଉଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ 65 ଲକ୍ଷ ବିଜୁଳି ଉପଭୋକ୍ତା ଥିବାବେଳେ ହାରାହାରି ବିଦ୍ୟୁତ୍ ବ୍ୟବହାର ବାର୍ଷିକ 39667 ମେଗା ୟୁନିଟ୍। ଏଣୁ ୟୁନିଟ୍ ପିଛା 20 ପଇସା ବୃଦ୍ଧି ଯୋଗୁ ସଂସ୍ଥାଗୁଡ଼ିକ ପ୍ରାୟ 793 କୋଟି ଟଙ୍କା ଅଧିକ ପାଉଛନ୍ତି। ହେଲେ ଏଗ୍ରିଗେଟ୍ ଟେକ୍ନିକାଲ୍ ଆଣ୍ଡ୍ କମର୍ସିଆଲ ଲସ୍ (ଏଟିଏଣ୍ଡସି) ବାବଦରେ ବିଜୁଳି କମ୍ପାନୀଗୁଡ଼ିକ ସହୁଥିବା କ୍ଷତି ଗ୍ରାହକମାନଙ୍କ ପକେଟରୁ ଭରଣା ହେଉଛି। ବିଜୁଳି ଉପଭୋକ୍ତା ବିଦ୍ୟୁତ୍ ଦେୟ ସହ ଅତିରିକ୍ତ ଦେୟ ବି ଦେଉଛନ୍ତି। ଏ ବାବଦରେ ପ୍ରାୟ 600 କୋଟି ଆଦାୟ କରାଯାଉଛି।

ଉପଭୋକ୍ତା ଆଇନ ଅନୁସାରେ ନିର୍ଦ୍ଦିଷ୍ଟ ସେବା ପାଇଁ ଗ୍ରାହକ ଦେବାକୁ ପଡ଼ିଥାଏ। ହେଲେ ବିଜୁଳି ଉପଭୋକ୍ତା ବିଦ୍ୟୁତ୍ ଦେୟ ସହ ମିଟର ଦେୟ, ଏମଏଫସି ବା କଷ୍ଟମର ଦେୟ, ଇଡି ବା ଇଲେକ୍ଟିସିଟି ଦେୟ ବି ଦେଉଛି। କମ୍ପାନୀଗୁଡ଼ିକ ସହୁଥିବା କ୍ଷତିକୁ ଭରିବ ନିୟମିତ ବିଜୁଳି ଦେୟ ପଇଠ କରୁଥିବା ଖାଉଟି। ବିଭିନ୍ନ ବର୍ଗକୁ ମାଗଣା ସେବା ଓ ବିଦ୍ୟୁତ୍ ଯୋଗାଣ ବୋଝ ବି ଉପଭୋକ୍ତା ମୁଣ୍ଡରେ। ରାଜ୍ୟର ବିଭନ୍ନ ବଡ଼ ବଡ଼ ବିଦ୍ୟୁତ୍ ବିତରକ କମ୍ପାନୀ ଉପରେ ପ୍ରାୟ 6 ହଜାର କୋଟି ଟଙ୍କା ବକେୟା ଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ବାକି ଅଛି 2.5 ହଜାର କୋଟି ଟଙ୍କା।

ବର୍ଦ୍ଧିତ ବିଜୁଳି ଦର ସାଙ୍ଗକୁ ସ୍ଲାବ୍ ପରିବର୍ତ୍ତନର ଛାଟ। ଆଉ ବୋଝ ଉପରେ ନଳିତା ବିଡା ଭଳି ଅତିରିକ୍ତ ଦେୟ ଆଦାୟ। ତଥାପି ହେଉଛି ଅକାରଣେ ପାଓ୍ୱର୍ କଟ୍ ଓ ଆଉ ଲୋ ଭୋଲଟେଜ୍ ସମସ୍ଯା। ଗାଁ, ଗହଳି କଥା ତେଣିକି ଥାଉ, ସହରାଞ୍ଚଳର ଅବସ୍ଥା ଏମିତି। ହେଲେ ଉତ୍ତରଦାୟୀ କିଏ? ଶକ୍ତି ବିଭାଗ, ଓଇଆରସି, ବିଦ୍ୟୁତ୍ ବିତରକ କମ୍ପାନୀ ନା ଆଉ କିଏ ? ବିଦ୍ୟୁତ୍ ବିତରକ କମ୍ପାନୀ ସହୁଥିବା କ୍ଷତି କଣ ଖାଉଟି ଭରିବେ?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।