ଓଡ଼ିଶୀ ମାୟାରେ ବନ୍ଧା ସନ୍ଧ୍ୟା ଦେବନାଥ, ୭୦ରେ ବି ଥକିନି ପାଦ

ସମ୍ବଲପୁର(ସଞ୍ଜୟ ଜେନା): ଓଡ଼ିଶୀ ନୃତ୍ୟ ମାୟାରେ ସେ ବନ୍ଧା।  ଏହା ଆଗରେ ଦୁନିଆର ସବୁ ଜିନିଷ ତାଙ୍କ ପାଇଁ  ତୁଚ୍ଛ। ବୟସ ୭୦ ପାର୍‌ କରି ସାରିଥିଲେ ବି ଥକିନି ପାଦ । ସବୁ  ପର କରି ଦେଇଥିଲେ ବି ଦୂରେଇ ଦେଇ ପାରି ନାହାନ୍ତି ଓଡ଼ିଶୀ ନୃତ୍ୟକୁ । ଯେଉଁ ବୟସରେ ଲୋକ ଅନ୍ୟର ସାହାରା ଖୋଜେ ସେହି ବୟସରେ ସେ ଏବେ ଚଳଚଞ୍ଚଳ ନୃତ୍ୟ ଗୁରୁ ଭାବେ ପରିଚିତ। ଭଙ୍ଗା ଗୋଡ଼ରେ ବି ଗୀତର […]

sandhya Debnath

Niharika Rout
  • Published: Sunday, 14 November 2021
  • , Updated: 14 November 2021, 10:35 AM IST

ସମ୍ବଲପୁର(ସଞ୍ଜୟ ଜେନା): ଓଡ଼ିଶୀ ନୃତ୍ୟ ମାୟାରେ ସେ ବନ୍ଧା।  ଏହା ଆଗରେ ଦୁନିଆର ସବୁ ଜିନିଷ ତାଙ୍କ ପାଇଁ  ତୁଚ୍ଛ। ବୟସ ୭୦ ପାର୍‌ କରି ସାରିଥିଲେ ବି ଥକିନି ପାଦ । ସବୁ  ପର କରି ଦେଇଥିଲେ ବି ଦୂରେଇ ଦେଇ ପାରି ନାହାନ୍ତି ଓଡ଼ିଶୀ ନୃତ୍ୟକୁ । ଯେଉଁ ବୟସରେ ଲୋକ ଅନ୍ୟର ସାହାରା ଖୋଜେ ସେହି ବୟସରେ ସେ ଏବେ ଚଳଚଞ୍ଚଳ ନୃତ୍ୟ ଗୁରୁ ଭାବେ ପରିଚିତ। ଭଙ୍ଗା ଗୋଡ଼ରେ ବି ଗୀତର ତାଳେ ତାଳେ ଉଠୁଛି ତାଙ୍କ ପାଦ । ଯୁବାବସ୍ଥାରେ ଓଡ଼ିଶୀ ନୃତ୍ୟ ପ୍ରେମରେ ପଡ଼ିଥିବା ବେଳେ ତାହାକୁ ଏ ଯାଏ ଭୁଲି ପାରି ନାହାନ୍ତି ସନ୍ଧ୍ୟା ଦେବନାଥ ।

ରକ୍ଷଣଶୀଳ ପରିବାରର କଟକଣା ଭିତରେ ଛନ୍ଦି ହୋଇଯାଇ ଜୀବନରେ ଆସିଥିବା ବହୁ ସୁଯୋଗକୁ ପ୍ରତ୍ୟାଖାନ କରିଛନ୍ତି ସନ୍ଧ୍ୟା ଦେବନାଥ । ହେଲେ ନୃତ୍ୟକୁ କେବେ ଛାଡ଼ି ପାରି ନାହାନ୍ତି। ଏହା ହିଁ ତାଙ୍କ ନିଶା । ଏହା ହିଁ ତାଙ୍କ ଜୀବନ । ପ୍ରତିଟି ନିଶ୍ୱାସରେ ତାଙ୍କର ଓଡ଼ିଶୀ ନୃତ୍ୟ ବସିଥିବା ବେଳେ ଜୀବନର ଶେଷ ଯାଏ ଏହାକୁ ଛାଡ଼ି ପାରିବେନି କି ଭୁଲି ପାରିବେନି ବୋଲି କହିଛନ୍ତି ସନ୍ଧ୍ୟା।

[caption id="attachment_691662" align="aligncenter" width="650"] ଓଡ଼ିଶୀ ନୃତ୍ୟଗୁରୁ ସନ୍ଧ୍ୟା ଦେବନାଥ ଛାତ୍ରୀମାନଙ୍କୁ ନୃତ୍ୟ କଳା ଶିଖାଉଛନ୍ତି।[/caption]

୧୯୭୧ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ପାସ୍ କରିଛନ୍ତି ସନ୍ଧ୍ୟା ଦେବନାଥ । ହେଲେ ଆଜି ଯାଏଁ ନିଜ ସାଧନା ଜାରି ରଖିଛନ୍ତି ।   ଦିନେ ନିଜେ ଶିଖୁଥିବା କଳାକୁ ଏବେ ଅନ୍ୟଙ୍କୁ ବାଣ୍ଟୁଛନ୍ତି।   ହେଲେ ରକ୍ଷଣଶୀଳ ପରିବାରର କଟକଣା ଭିତରେ ଛନ୍ଦି ହୋଇଯାଇ  ସନ୍ଧ୍ୟା ଦେବନାଥ  ଚଳଚ୍ଚିତ୍ରଠୁ ଚାକିରି ପର୍ଯ୍ୟନ୍ତ ସବୁ ସୁଯୋଗକୁ ହାତ ଛଡ଼ା କରିଛନ୍ତି। କିନ୍ତୁ ନୃତ୍ୟ ସାଧନାକୁ ବନ୍ଦ କରିପାରି ନାହାନ୍ତି । ଏବେ ୭୦ ବର୍ଷ ବୟସରେ ବି ଜାରି ରହିଛି ତାଙ୍କର ସାଧନା ଓ ଶିକ୍ଷା । ହେଲେ ଗୋଡ଼ରେ ବେଡ଼ି  ସଦୃଶ୍ୟ ପଡ଼ିଛି  ଆର୍ଥିକ  ଅନଟନ ।

ସମ୍ବଳ କହିଲେ ଜରାଜୀର୍ଣ୍ଣ ନୁଆଁଣିଆ ଖପର ଘର । ସେହି ଘର ଭିତରୁ ଶୁଭୁଛି ଘୁଙ୍ଗୁରର ଶବ୍ଦ । ଓଡିଶୀ ଗୀତର ତାଳେ ତାଳେ ଚାଲିଛି ନୃତ୍ୟ ଶିକ୍ଷା । ଓଡିଶୀ ନୃତ୍ୟ ଶିକ୍ଷା ଦେଉଥିବା ସଂଧ୍ୟା ଦେବନାଥଙ୍କ ଗୋଟିଏ ଗୋଡ଼ ଭାଙ୍ଗି ଯାଇଛି। ଗୋଟିଏ ଗୋଡ ଭାଙ୍ଗି ଯିବା ପରେ ସେ ଚଲାବୁଲା କରିବାକୁ ବାଡିର ସାହାଯ୍ୟ ନେଉଛନ୍ତି । କିନ୍ତୁ ନୃତ୍ୟ ଶିକ୍ଷା ଦେବା ବେଳେ ଶାରୀରିକ ସମସ୍ୟା କଥା ଭୁଲି ନିଜେ ବିଭିନ୍ନ ଅଙ୍ଗଭଙ୍ଗୀ କରି ଶିଖାଇଥାନ୍ତି ଛାତ୍ରୀମାନଙ୍କୁ।

[caption id="attachment_691663" align="aligncenter" width="650"] ନୃତ୍ୟ ଗୁରୁ ସନ୍ଧ୍ୟା ଦେବନାଥ ।[/caption]

 

ସବୁଠାରୁ ଦୁଃଖର କଥା ହେଉଛି, ଆଜିଯାଏଁ ତାଙ୍କୁ  ରାଜ୍ୟ ସରକାରଙ୍କ କଳାକାର ଭତ୍ତା କିମ୍ବା ଅନ୍ୟ କୌଣସି ସହାୟତା ମିଳି ନ ଥିବା କ୍ଷୋଭର ସହ କହିଛନ୍ତି ସନ୍ଧ୍ୟା ଦେବନାଥ । ତେବେ ଚଳିତ ବର୍ଷ ସେ ଭତ୍ତା ପାଇଁ ଆବେଦନ କରିଛନ୍ତି  ।  କାରଣ ଚଳିବା ପାଇଁ ଆର୍ଥିକ ସମ୍ବଳ ନାହିଁ, ତା ସାଙ୍ଗକୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା  ବି ଲାଗି ରହିଛି।   ଆମ ଗୁରୁ ଖୁବ ପ୍ରତିଭାବାନ । ତାଙ୍କଠାରୁ  ନୃତ୍ୟ ଶିକ୍ଷା ପାଇଁ ଅନେକ ପ୍ରେରଣା ମିଳିଥାଏ   ବୋଲି କହିଛନ୍ତି  ଦେବନାଥଙ୍କ ଛାତ୍ରୀମାନେ।  

[caption id="attachment_691664" align="aligncenter" width="650"] ସନ୍ଧ୍ୟା ଦେବନାଥଙ୍କୁ ସମ୍ମାନିତ କରାଯାଉଛି।[/caption]

ନୃତ୍ୟ ତାଙ୍କର ନିଶା, ଜୀବନ । ବୟସର ଅପରାହ୍ନରେ ବି ଥକି ପାରିନି ହାତ, ପାତ। ହେଲେ  ଏ ଯାଏ ମିଳିନି ସମ୍ମାନ, ସ୍ୱୀକୃତି  କି ଆର୍ଥିକ ସହାୟତ।  ଯେଉଁ ଓଡିଶୀ ନୃତ୍ୟର ମାୟାରେ ସେ ସବୁ କିଛି ଛାଡିଛନ୍ତି, ଜୀବନର ଶେଷ ଯାଏଁ ସେହି ନୃତ୍ୟ କୁ ଛାଡିବେ ନାହିଁ ବୋଲି କହିଛନ୍ତି ଏହି ବର୍ଷିୟାନ ନୃତ୍ୟଶିଳ୍ପୀ ।  ଗୋଡହାତ ଚାଲିଥିବା ଯାଏଁ ସେ ନାଚୁଥିବେ, ନାଚ ଶିଖାଉଥିବେ ବୋଲି କହିଛନ୍ତି।

Related story