ଅସହାୟଙ୍କୁ ସାହା ମଧୁସୂଦନ

ଭଦ୍ରକ/ବୁଗୁଡ଼ା(ଓଡ଼ିଶା ରିପୋର୍ଟର): ୨ କୁନି ଶିଶୁଙ୍କ ଛାଡ଼ି ମା’ର ଦଶାହ ଦିନ ଚାଲିଗଲା ବାପା । ଏହି ମୃତ୍ୟୁ ଖବର ଶୁଣି ସମସ୍ତେ ଆହା, ଚୁ.. ଚୁ କଲେ। ସମବେଦନା ଜଣାଇଲେ। ହେଲେ ୭୦ ବର୍ଷୀୟ ଜଣେ ଅପରିଚିତ ବୃଦ୍ଧ ବ୍ୟକ୍ତି ୩୫୦ କିଲୋମିଟର ଦୂରରୁ ଲୁନାରେ ପହଞ୍ଚି ୨ ଶିଶୁଙ୍କ ପାଳନପୋଷଣ ପାଇଁ ୧୦ ହଜାର ଟଙ୍କା ସହାୟତା ଦେଇଛନ୍ତି। ଯାହାକୁ ନେଇ ସମସ୍ତଙ୍କ ମୁଁହରେ ଗୋଟିଏ କଥା; ମାନବିକତା ଏବେବି ବଞ୍ଚିଛି। ଗାନ୍ଧି, ଗୋପବନ୍ଧୁ […]

madhu

  • Published: Tuesday, 06 September 2022
  • , Updated: 06 September 2022, 09:28 PM IST

ଭଦ୍ରକ/ବୁଗୁଡ଼ା(ଓଡ଼ିଶା ରିପୋର୍ଟର): ୨ କୁନି ଶିଶୁଙ୍କ ଛାଡ଼ି ମା’ର ଦଶାହ ଦିନ ଚାଲିଗଲା ବାପା । ଏହି ମୃତ୍ୟୁ ଖବର ଶୁଣି ସମସ୍ତେ ଆହା, ଚୁ.. ଚୁ କଲେ। ସମବେଦନା ଜଣାଇଲେ। ହେଲେ ୭୦ ବର୍ଷୀୟ ଜଣେ ଅପରିଚିତ ବୃଦ୍ଧ ବ୍ୟକ୍ତି ୩୫୦ କିଲୋମିଟର ଦୂରରୁ ଲୁନାରେ ପହଞ୍ଚି ୨ ଶିଶୁଙ୍କ ପାଳନପୋଷଣ ପାଇଁ ୧୦ ହଜାର ଟଙ୍କା ସହାୟତା ଦେଇଛନ୍ତି। ଯାହାକୁ ନେଇ ସମସ୍ତଙ୍କ ମୁଁହରେ ଗୋଟିଏ କଥା; ମାନବିକତା ଏବେବି ବଞ୍ଚିଛି। ଗାନ୍ଧି, ଗୋପବନ୍ଧୁ ସିନା ନାହାନ୍ତି, ହେଲେ ମଣିଷ ପ୍ରତି ମଣିଷର ନିସ୍ୱାର୍ଥପର ଭଲପାଇବା ଏବେ ବି ଉଜାଗର ରହିଛି। ୩୫୦ କିମି ଯାତ୍ରା କରି ସହାୟତାର ହାତ ବଢ଼ାଇଥିବା ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ୭୦ବର୍ଷୀୟ ମଧୁସୂଦନ ପାତ୍ର। ଯାହାକୁ ନେଇ ଏବେ ଢେର ଚର୍ଚ୍ଚା।

ସୂଚନା ଥାଉକି, ଗତ ୨ତାରିଖ ଦିନ ଭଦ୍ରକ ବ୍ଲକ ଅଧୀନ ବଣିଆ ପଞ୍ଚାୟତ ପେଡାସାହିର ଇତିଶ୍ରୀ ପଡ଼ାଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ବେଳେ ନରହରି ପେଡ଼ାଙ୍କ ମୃତ୍ୟୁ ହୋଇଥିଲା। ଏହା ପରିବାର ଓ ବନ୍ଧୁ ପରିଜନ ଭିତରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଦୁଇ ଶିଶୁ ଓ ମୃତ ନରହରିଙ୍କ ବୃଦ୍ଧ ବାପାଙ୍କ ଦାୟିତ୍ୱ କିଏ ବୁଝିବ ତାହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଥିଲେ।

ଏ ଘଟଣାକୁ ଗଣମାଧ୍ୟମରୁ ଖବର ପାଇଥିଲେ ମଧୁସୂଦନ। ଯାହା ପରେ ସେ ମୃତ ନରହରିଙ୍କ ପରିବାର ନିକଟରେ ଆଜି ପହଞ୍ଚି ସହାୟତା ପ୍ରଦାନ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ମଧୁସୂଦନଙ୍କ କାନକୁ କିଛି ଶୁଭୁ ନ ଥାଏ। ହେଲେ ଲେଖିଦେଲେ ସବୁ ପଢ଼ି ବୁଝି ପାରନ୍ତି। ଚମ ଧୁଡୁଧୁଡୁ ହେଉଥିଲେ ହେଁ ଯୁବକ ପରି ମନରେ ଅଦମ୍ୟ ଇଚ୍ଛା ଶକ୍ତି। ତେଣୁ ସେ ଗଞ୍ଜାମରୁ ଭଦ୍ରକ ୩୫୦ କିମି ରାସ୍ତାକୁ ଆତିକ୍ରମ କରି ପେଡ଼ାସାହିରେ ପହଞ୍ଚିଛନ୍ତି। ମଧୁସୂଦନଙ୍କ ଏଭଳି ସହାୟତାର ଇଚ୍ଛା ସମସ୍ତଙ୍କ ନିକଟରେ ଉଦାହରଣ ସୃଷ୍ଟି କରିଛି।

ସେହିପରି ସେ ସେ ଦୀର୍ଘ ୩୦୦ରୁ ଉର୍ଦ୍ଧ୍ୱ କିଲୋମିଟର ଅତିକ୍ରମ କରି ଜଗସିଂହପୁରର କୁଜଙ୍ଗ ବ୍ଲକ ପଙ୍କଳ ପଞ୍ଚାୟତ ଜନପାଳ ଗ୍ରାମରେ ପହଁଛି ଗନ୍ଧର୍ବ ଜେନାଙ୍କ ପରିବାକୁ ୧୦ ହଜାର ଟଙ୍କା ସହାୟତା ଦେଇଛନ୍ତି। ଗନ୍ଧର୍ବ ଜେନାଙ୍କ ମୃତ୍ୟୁ ପରେ ତାଙ୍କ ତିନି ଝିଅ ଅସହାୟ ହୋଇପଡ଼ିଥିବା ଖବର ପଢ଼ିବା ପରେ ସେ ସହାୟତା କରିବାକୁ ଯାଇଥିବା ଜଣାପଡ଼ିଛି।

ଖବର ନେବାରେ ଜଣାପଡ଼ିଛି ମଧୁସୂଦନ ମାଇନର ଇରିଗେସନ ବ୍ରହ୍ମପୁର ଡିଭିଜନରେ ଅମିନ ଭାବେ ୨୫ ବର୍ଷ କାମ କରି ୧୯୯୬ ମସିହା ଏପ୍ରିଲ ମାସରେ ଅବସର ନେଇଥିଲେ। ତାଙ୍କ କହିବା ଅନୁଯାୟୀ ସେଠାରୁ ହିଁ ଆରମ୍ଭ ହେଲା ପାରିବାରିକ କଳହ ଓ ପରେ ସେ ୧୯୯୭ ମସିହାରେ ଘର ଛାଡ଼ି ସନ୍ନ୍ୟାସୀ ଭଳି ଜୀବନ ବିତାଉଛନ୍ତି। ଏବେ ସେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ବିରଞ୍ଚିପୁର ବ୍ରହ୍ମପୁର କୈବର୍ତ୍ୟ ସମାଜର କୋଠ ଘରେ ରୁହନ୍ତି। କିନ୍ତୁ ସେ ଖବର ପଢ଼ି ଯାହାର ଦୁଃଖ କଥା ଦେଖନ୍ତି ତାକୁ ସାହାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତି।

ସେ କାହିଁକି ଏଭଳି କରନ୍ତି ପ୍ରଶ୍ନ କଲେ କୁହନ୍ତି ଆତ୍ମସନ୍ତୋଷ ଲାଗେ। ତେଣୁ ଏସବୁ କରେ। କାହା ଦୁଃଖ ଦେଖିଲେ ସହି ହୁଏନି। କ’ଣ କରିବା ଯାହା ପେନସନ ପାଉଛି, ସେହି ଟଙ୍କାରେ ଲୋକଙ୍କୁ ସାହାଯ୍ୟ କଲେ କ’ଣ ଅସୁବିଧା। ମୁଁ ପୁଣି ଏସବୁକୁ କେଉଁ ମୁଣ୍ଡରେ ନେଇ ଯିବି କି ?

Related story