/odisha-reporter/media/post_attachments/uploads/2022/08/Braja-Kishore.jpg)
Braja-Kishore
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ଶାସନ ବିରୁଦ୍ଧରେ ରାଜ୍ୟରେ ସମସ୍ତ ବାମପନ୍ଥୀ ଦଳ ଓ କେତେକ ସକ୍ରିୟ ଆଞ୍ଚଳିକ ଦଳକୁ ନେଇ ମିଳିତ କାର୍ଯ୍ୟକ୍ରମ ‘ଓଡ଼ିଶା ବଞ୍ଚାଅ ଅଭିଯାନ’ ନାମରେ ଏକ ବିକଳ୍ପ ରାଜନୀତିକ ଶକ୍ତି ଗଠନ ହୋଇଛି । ଏଥିରେ ସିପିଆଇ(ଏମ୍), ସିପିଆଇ, ସିପିଆଇ (ଏମ୍ଏଲ୍) ଲିବରେସନ, ସମୃଦ୍ଧ ଓଡ଼ିଶା, ସମତା କ୍ରାନ୍ତି ଦଳ, ସମାଜବାଦୀ ପାର୍ଟି, ଫରୱାର୍ଡ଼ ବ୍ଲକ, ରାଷ୍ଟ୍ରୀୟ ଜନତା ଦଳ, ଆରପିଆଇ ଓ ଏନ୍ସିପି ଦଳ ଯୋଗ ଦେଇଥିବା ବେଳେ ଭବିଷ୍ୟତରେ ଅନ୍ୟ ରାଜନୀତିକ ଦଳ ଓ ଗଣ ସଂଗଠନମାନେ ଓଡ଼ିଶାର ସ୍ୱାର୍ଥ ପାଇଁ ସମ୍ମିଳିତ ଉଦ୍ୟମ କରିବା ପାଇଁ ଏକଜୁଟ ହେବାର ସମ୍ଭାବନା ରହିଥିବା କୁହାଯାଉଛି।
ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀରେ ଅନୁଷ୍ଠିତ ମିଳିତ କର୍ମୀ ସମ୍ମିଳନୀରେ ଏକ ଘୋଷଣାପତ୍ର ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ପଦକ୍ଷେପର ସମାଲୋଚନା କରାଯାଇ ଆଗାମୀ ଦିନରେ ଜନ ଆନ୍ଦୋଳନର ଡାକରା ଦିଆଯାଇଅଛି । ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଚାଷୀ ଓ ଚାଷର ସୁରକ୍ଷା, ଶିଳ୍ପର ବିକାଶ, ଖଣିଜ ଦ୍ରବ୍ୟର ସଦ୍ବ୍ୟବହାର ଓ ଶ୍ରମିକଙ୍କ ସ୍ୱାର୍ଥରକ୍ଷା, ଆଦିବାସୀ ଓ ଦଳିତଙ୍କ ବିକାଶ, ଉତ୍କଟ ବେକାରୀ ସମସ୍ୟାର ସମାଧାନ ଓ ନିଯୁକ୍ତି ସୁଯୋଗ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁରକ୍ଷା, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ୟାର ସମାଧାନ, ବିଦ୍ୟୁତ୍ ଓ ପାନୀୟ ଜଳଯୋଗାଣ, ଗଣବଣ୍ଟନ ଓ ସାମାଜିକ ନିରାପତ୍ତା, ନଦୀ, ନାଳ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଅଭିଯାନର ଆଭିମୁଖ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯାଇ ଆଗାମୀ ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହି ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ସଭାପତିତ୍ୱ କରିଥିଲେ। ସିପିଆଇ(ଏମ୍) ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଓ ସୁରେଶ ପାଣିଗ୍ରାହୀ, ସିପିଆଇର ସମ୍ପାଦକ ଆଶିଷ କାନୁନଗୋ ଓ କ୍ଷୀରୋଦ ସିଂଦେଓ, ସିପିଆଇ(ଏମ୍-ଏଲ୍) ଲିବରେସନର ସମ୍ପାଦକ ଯୁଧିଷ୍ଠର ମହାପାତ୍ର ଓ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ସମୃଦ୍ଧ ଓଡ଼ିଶାର ସଭାପତି ଯତୀଶ ମହାନ୍ତି, ସମତା କ୍ରାନ୍ତି ଦଳର ରାଜ୍ୟ ଯୁବ ସଭାପତି ଶାରଦା ପ୍ରସନ୍ନ ସ୍ୱାଇଁ, ସମାଜବାଦୀ ପାର୍ଟିର ସମ୍ପାଦକ ସୁଦର୍ଶନ ପ୍ରଧାନ, ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଆରପିଆଇର ଅବଦୁଲ ଅଲ୍ଲୀ, ଆରଜେଡି ହେମନ୍ତ କୁମାର, ଏନ୍ସିପିର ବିକ୍ରମ ସ୍ୱାଇଁଙ୍କ ସମେତ ଅନେକ ପ୍ରମୁଖ ନେତୃତ୍ୱ ଏହି ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
