- ଦେବେନ୍ଦ୍ର ପୃଷ୍ଟି
ତାହା ଥିଲା ଓଡ଼ିଶା ଇତିହାସର ଅନ୍ୟ ଏକ ସନ୍ଧିକ୍ଷଣ। ତାହା ଥିଲା ‘କଳିଙ୍ଗାଃ ସାହସିକାଃ’ର ଅନ୍ୟ ଏକ ନିଦର୍ଶନ, ଓଡ଼ିଆ ବୀରତ୍ୱର ଅନ୍ୟତମ ଉଜ୍ଜ୍ୱଳ ଉଦାହରଣ। ମାତ୍ର କେଇଟି ଗଡ଼ର ମୁଷ୍ଟିମେୟ ପାଇକଙ୍କ ପରାକ୍ରମରେ ପରାଭୂତ ହୋଇଥିଲା ଓଡ଼ିଶାର ବ୍ରିଟିଶ ଶାସନ। ସମଗ୍ର ଭାରତକୁ କବ୍ଜା କରିସାରିଥିବା ବ୍ରିଟିଶ ବାହିନୀ ଓଡ଼ିଆ ପାଇକଙ୍କର ସେଇ ସାହସ, ବୀରତ୍ୱ ଓ ରଣକୌଶଳ ଆଗରେ ସ୍ୱଳ୍ପ ସମୟ ପାଇଁ ହେଲେ ବି ହାର୍ ମାନିଥିଲା। ଶେଷରେ ବିଶାଳ ବ୍ରିଟିଶ ବାହିନୀ ବିଦ୍ରୋହ ଦମନ କରିବାରେ ସଫଳ ହୋଇଥିଲେ ବି ବିଦ୍ରୋହୀ ନେତାମାନଙ୍କ ସହ ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ। ତାହା ଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ, ଯାହା ଭାରତର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମ ଚଳାଇବାକୁ ବିଦ୍ରୋହୀମାନଙ୍କୁ ଦେଇଥିଲା ଅଗ୍ନିବର୍ଷୀ ପ୍ରେରଣା।
ସେହି ପ୍ରେରଣାକୁ ଜାତୀୟ ସ୍ତରରେ ମାନ୍ୟତା ଦେଇଛନ୍ତି ଭାରତ ସରକାର। ଭାରତର ୨୦୧୭-୧୮ ବଜେଟ୍ରେ ଉଲ୍ଲେଖ ହୋଇଥିଲା ଓଡ଼ିଶାର ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିର କଥା। ସେହିବର୍ଷ ଭାରତର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଥିଲେ, ଏହା ଥିଲା ଭାରତର ପ୍ରଥମ ମୁକ୍ତି ସଂଗ୍ରାମ। ୨୦୧୭ ଏପ୍ରିଲରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟିଶ ବାହିନୀ ବିରୋଧରେ ସଶସ୍ତ୍ର ସଂଗ୍ରାମରେ ସାମିଲ ଥିବା ୧୬ ପାଇକ ପରିବାରର ଉତ୍ତର ଦାୟାଦମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ୨୦୧୮ ମେ ମାସରେ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ବା ଏନସିଇଆରଟି ପାଇକ ବିଦ୍ରୋହର ମହାନତାକୁ ମାନ୍ୟତା ଦେଇଥିଲା, ଅଷ୍ଟମ ଶ୍ରେଣୀ ପାଠ୍ୟକ୍ରମରେ ସଂଲଗ୍ନ କରିଥିଲା ଏହି ବିଦ୍ରୋହ ସଂପର୍କରେ ଏକ ଅଧ୍ୟାୟ। ୨୦୧୮ ଡିସେମ୍ବରରେ ଉନ୍ମୋଚନ କରିଥିଲେ ପାଇକ ବିଦ୍ରୋହର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା। ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ଡିସେମ୍ବର ୮ ତାରିଖରେ ଖୋର୍ଦ୍ଧାର ବରୁଣେଇ ପାହାଡ଼ ତଳେ ସ୍ଥାପନ କରିଥିଲେ ପାଇକ ବିଦ୍ରୋହର ସ୍ମାରକୀ ସ୍ଥଳର ଭିତ୍ତିପ୍ରସ୍ତର।
ଆଧୁନିକ ଭାରତର ଇତିହାସରେ ଏଯାବତ ଏକ ଅନାଲୋଚିତ ଅଧ୍ୟାୟ ଥିଲା ଓଡ଼ିଶାର ପାଇକ ବିଦ୍ରୋହ। ୧୮୧୭ରୁ ଆରମ୍ଭ ହୋଇଥିବା ଏହି ସଶସ୍ତ୍ର ବିଦ୍ରୋହ ବିଶାଳ ବ୍ରିଟିଶ ସେନାର ଶକ୍ତି ଆଗରେ ୧୮୧୮ ବେଳକୁ ନିଷ୍ପ୍ରଭ ହୋଇଯାଇଥିଲେ ବି ୧୮୨୭ ଯାଏଁ ଚାଲିଥିଲା ଗରିଲା ଯୁଦ୍ଧ। ତାପଙ୍ଗ ଗଡ଼ର ବିଦ୍ରୋହ ଥିଲା ଶେଷ ସଂଗ୍ରାମ। ତେବେ ଏହା କେବଳ ଏକ ବିଦ୍ରୋହ ନଥିଲା, ଥିଲା ସ୍ୱାଧୀନତା ଚାହୁଁଥିବା ଏକ ଜାତିର ମୁକ୍ତି ସଂଗ୍ରାମ। ସେହି ମୁକ୍ତି ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ ଥିଲେ ଜୟୀ ରାଜଗୁରୁ, ତତ୍କାଳୀନ ଖୋର୍ଦ୍ଧା ରାଜାଙ୍କର ବେବର୍ତ୍ତା। ନାବାଳକ ରାଜା ଦ୍ୱିତୀୟ ମୁକୁନ୍ଦ ଦେବଙ୍କ ତତ୍ତ୍ୱାବଧାରକ ଭାବେ ଇଷ୍ଟ ଇଣ୍ଡିଆ କମ୍ପାନୀ କବ୍ଜାରୁ ଓଡ଼ିଶାକୁ ମୁକ୍ତ କରିବା ପାଇଁ ୧୮୦୪ରେ ସେ ହିଁ ଜଳେଇଥିଲେ ପ୍ରଥମ ନିଆଁ। ଓଡ଼ିଶା ଏକତ୍ରୀକରଣ ଦିଗରେ ସେ ହିଁ ଆରମ୍ଭ କରିଥିଲେ କୂଟନୈତିକ ଓ ସାମରିକ ଅଭିଯାନ।
୧୫୬୮ ମସିହାରେ ବିଶାଳ କଳିଙ୍ଗ ସାମ୍ରାଜ୍ୟର ପତନ ଘଟିଥିଲା। ଦକ୍ଷିଣରେ ଗୋଦାବରୀରୁ ଅଧୁନା ଆନ୍ଧ୍ର ଅନ୍ତର୍ଗତ ଇଚ୍ଛାପୁର ଯାଏଁ ଅଞ୍ଚଳ ଗୋଲକୁଣ୍ଡା ଶାସନାଧୀନ ହୋଇଥିଲା। କଟକର କାଠଯୋଡ଼ିଠାରୁ ଉତ୍ତରରେ ହୁଗୁଳି ନଦୀ ଯାଏଁ ଅଞ୍ଚଳକୁ ଦଖଲ କରିଥିଲେ ବଙ୍ଗର ଆଫଗାନ ଓ ପରବର୍ତ୍ତୀ କାଳରେ ମୋଗଲ ଶାସକ। ଓଡ଼ିଶାର ଗଜପତି ରାଜାଙ୍କ ଶାସନାଧୀନ ଅଞ୍ଚଳ ହୋଯାଇଥିଲା ଅତି କ୍ଷୁଦ୍ର- ଉତ୍ତର ଓ ଦକ୍ଷିଣର ବିସ୍ତୀର୍ଣ୍ଣ ଅଞ୍ଚଳ ଚାଲିଗଲା ପରେ ରହିଥିବା ମଧ୍ୟବର୍ତ୍ତୀ ଅଞ୍ଚଳ କିଛି। ତାହାକୁ ବି ଅଧିକାର କରିଯାଇଥିଲେ ମରାଠା ଆକ୍ରମଣକାରୀ। ୧୭୫୧ ମସିହାରେ ମରାଠାମାନେ ଓଡ଼ିଶା ଆକ୍ରମଣ କରି ପୁରୀ ଦଖଲ କଲେ। ଠାକୁର ରାଜା ପୁରୀରୁ ଖୋର୍ଦ୍ଧାକୁ ପଳାଇ ଆସି ବରୁଣେଇ ଗଡ଼ରେ ରହିଲେ। ଓଡ଼ିଶାବାସୀଙ୍କ ଉପରେ ମରାଠାମାନଙ୍କର ଆକ୍ରମଣ ଓ ଅତ୍ୟାଚାର ସୀମା ଲଙ୍ଘିଥିଲା। ଜମିର ଉତ୍ପାଦନର ଚାରି ଭାଗରୁ ଭାଗେ ଖଜଣା ଦେବାକୁ ଅସମର୍ଥ ଥିଲେ ଅଧିକାଂଶ ଚାଷୀ। ଠାକୁର ରାଜାଙ୍କ ପ୍ରତି ଅପମାନ ଓ ଚଉଥା ପ୍ରଥାର ବିରୋଧରେ ପ୍ରଜାମାନଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁ ଥିଲା। କିନ୍ତୁ ମରାଠାଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ରାଜାଙ୍କ ପାଖରେ ସୈନ୍ୟସାମନ୍ତ ଓ ଅସ୍ତ୍ରଶକ୍ତି ଯଥେଷ୍ଟ ନଥିଲା। ୧୮୦୩ ବେଳକୁ ଇଂରେଜମାନଙ୍କର ଲୋଲୁପ ଦୃଷ୍ଟି ଓଡ଼ିଶା ଉପରେ ପଡ଼ିଥିଲା। ସେତେବେଳକୁ ସେମାନେ ଦକ୍ଷିଣ ଓ ଉତ୍ତର ଭାରତ ଦଖଲ କରିସାରିଥାନ୍ତି। ଓଡ଼ିଶାର ଉତ୍ତରରେ ବଙ୍ଗଳା ଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନର କେନ୍ଦ୍ର ସ୍ଥଳ। ହାଇଦ୍ରାବାଦ ନିଜାମ ନିଜ ଶାସନ ଅବ୍ୟାହତ ରଖିବା ପାଇଁ କମ୍ପାନୀ ସରକାର ସହିତ କରିଥିବା ବୁଝାମଣା ଅନୁସାରେ ଓଡ଼ିଶାର ଦକ୍ଷିଣାଞ୍ଚଳ ମଧ୍ୟ ବ୍ରିଟିଶ କବ୍ଜାକୁ ଯାଇସାରିଥିଲା। ୧୭୬୮ରେ ପାରଳା ମହାରାଜା ନିଜକୁ ବ୍ରିଟିଶ ଆଧିପତ୍ୟରୁ ମୁକ୍ତ କରିବା ପାଇଁ ବିଦ୍ରୋହ କରି ବିଫଳ ହୋଇସାରିଥିଲେ। ୧୮୦୩ ବେଳକୁ କମ୍ପାନୀ ସରକାରର କର୍ଣ୍ଣେଲ ହାର୍କୋଟ୍ ଓଡ଼ିଶା ଅକ୍ତିଆର କରିବାକୁ ମାନ୍ଦ୍ରାଜରୁ ପୁରୀ-କଟକ ଅଭିମୁଖେ ଯାତ୍ରା କଲେ। ପୁରୀ ଓ କଟକ ସେହି ସମୟରେ ମରାଠାଙ୍କ ଦଖଲରେ ଥିଲା। କିନ୍ତୁ ବାଟରେ ପଡ଼ିଲା ଖୋର୍ଦ୍ଧା, ଓଡ଼ିଶାର ଠାକୁର ରାଜାଙ୍କ ରାଜ୍ୟ। ଚତୁର ବ୍ରିଟିଶମାନେ ଜାଣିଥିଲେ ଯେ ଓଡ଼ିଆଙ୍କର ଉଭୟ ରାଜନୀତିକ ଓ ଆଧ୍ୟାତ୍ମିକ ମୁଖ୍ୟ ହେଉଛନ୍ତି ଗଜପତି ମହାରାଜା। ତେଣୁ ସେମାନେ ତାଙ୍କୁ ଆକ୍ରମଣ ନକରି ତାଙ୍କ ସହିତ ଏକ ବୁଝାମଣା କରିଥିଲେ। ସର୍ତ୍ତ ଥିଲା ରାଜା ତାଙ୍କୁ ପୁରୀ ଓ କଟକ ଯାଏଁ ନିରାପଦରେ ଅର୍ଥାତ ନିର୍ବିରୋଧ ବାଟ ଛାଡ଼ିଦେବେ। ବଦଳରେ ସେମାନେ ରାଜାଙ୍କୁ ୧ ଲକ୍ଷ ଟଙ୍କା ଓ ଚାରିଟି ପ୍ରଗଣା ଦେବେ। ଏହି ୪ଟି ପ୍ରଗଣା ଥିଲେ ରାହାଙ୍ଗା, ସେରେଇ, ଛବିଶ କୁଡ଼ି ଓ ଲେମ୍ବେଇ। ଏହା ସହିତ ପୁରୀ ଶ୍ରୀମନ୍ଦିର ପରିଚାଳନା ଭାର ମଧ୍ୟ ତାଙ୍କୁ ଫେରେଇ ଦେବାକୁ ବ୍ରିଟିଶ ବାହିନୀ ରାଜି ହୋଇଥିଲେ। ବୁଝାମଣା ହେବା ସମୟରେ ମାତ୍ର ୧୦ ହଜାର ଟଙ୍କା ରାଜାଙ୍କୁ ମିଳିଥିଲା।
ମରାଠାଙ୍କ ଉପରେ ପୂର୍ବରୁ ରାଗ ଥିବାରୁ ରାଜାଙ୍କ ସାମରିକ ବାହିନୀ ବ୍ରିଟିଶ ସେନାକୁ ବିରୋଧ କଲେ ନାହିଁ। ସେମାନେ ନିର୍ବିରୋଧରେ ପୁରୀ ଓ କଟକ ଦଖଲ କଲେ। କିନ୍ତୁ ସର୍ତ୍ତ ପୂରଣ କଲେ ନାହିଁ। ବେବର୍ତ୍ତା ଜୟୀ ରାଜଗୁରୁ ରାଜାଙ୍କ ପ୍ରତି ହୋଇଥିବା ଏହି ଅପମାନ ଓ ବିଶ୍ୱାସଘାତକୁ ସହ୍ୟ କଲେ ନାହିଁ। ସେ ୨୦୦୦ ସୈନ୍ୟ ନେଇ କଟକରେ କର୍ଣ୍ଣେଲ ହାର୍କୋଟଙ୍କୁ ଭେଟିଲେ ଓ ସର୍ତ୍ତ କଥା କହିଲେ। ହାର୍କୋଟ ତାଙ୍କୁ ସଙ୍ଗେ ସଙ୍ଗେ ୪୦ ହଜାର ଟଙ୍କା ଦେଲେ, ମାତ୍ର କୌଣସି ପ୍ରଗଣା ଦିଆଯିବ ନାହିଁ ବୋଲି ରୋକଠୋକ ମନାକଲେ। ଜୟୀ ରାଜଗୁରୁ ଅଗତ୍ୟା ସେଠାରୁ ଫେରି ଆସିଥିଲେ ମଧ୍ୟ ବ୍ରିଟିଶମାନଙ୍କର ଅପମାନ ଓ ବିଶ୍ୱାସଘାତ ବିରୋଧରେ ଲଢ଼େଇ କରିବାକୁ ଅଭିଯାନ ଆରମ୍ଭ କଲେ। ସାମରିକ ଶକ୍ତି ଓ ସଂଗଠନ ବୃଦ୍ଧି କରିବା ପାଇଁ ସେ କନିକା, କୁଜଙ୍ଗ ଓ ମୟୂରଭଞ୍ଜ ରାଜାମାନଙ୍କ ସହ ଯୋଗାଯୋଗ କଲେ। ନୟାଗଡ଼ ରାଜା ମଧ୍ୟ ତାଙ୍କୁ ସମର୍ଥନ କଲେ। ରାଜଗୁରୁଙ୍କ ପରାମର୍ଶରେ କମ୍ପାନୀ ସରକାର ବିରୋଧରେ ଆକ୍ରମଣ ଆରମ୍ଭ ହେଲା। କିନ୍ତୁ ଶକ୍ତିଶାଳୀ ବ୍ରିଟିଶ ବାହିନୀ ଆଗରେ କନିକା ଓ କୁଜଙ୍ଗ ସେନା ପରାସ୍ତ ହେଲେ। ବରୁଣେଇ ପାହାଡ଼ ତଳେ ରାଜାଙ୍କ ସୈନ୍ୟ ଓ ବ୍ରିଟିଶ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହେଲା। ଗଡ଼ ଭାଙ୍ଗିଗଲା। ରାଜା ଜଙ୍ଗଲକୁ ପଳାଇଲେ। ୧୮୦୫ରେ ତାଙ୍କୁ ବନ୍ଦୀ କରାଗଲା।
ଇତିମଧ୍ୟରେ ୧୮୦୪ ଡିସେମ୍ବର ୭ ତାରିଖରେ ଗଜପତି ମହାରାଜାଙ୍କୁ ଏକ ଘୋଷଣା ବଳରେ ଗାଦିଚ୍ୟୁତ କରାଗଲା, ତାଙ୍କ ରାଜ୍ୟକୁ କମ୍ପାନୀ ଶାସନାଧୀନ କରାଗଲା। ମେଜର ଫ୍ଲେଚରଙ୍କୁ ଖୋର୍ଦ୍ଧାର ଶାସନ ଭାର ଅର୍ପଣ କରାଗଲା। ଜୟୀ ରାଜଗୁରୁଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦୋଷୀ ସାବ୍ୟସ୍ତ କରି ନିର୍ମମ ଭାବେ ହତ୍ୟା କରାଗଲା। ତାଙ୍କ ଦି’ ଗୋଡ଼କୁ ବରଗଛର ଦୁଇଟି ଡାହିରେ ବାନ୍ଧି ଛାଡ଼ିଦିଆଗଲା। ତାଙ୍କ ଦେହ ଦି’ଫାଳ ହୋଇଗଲା। ଏହା ସମଗ୍ର ଓଡ଼ିଶାର ଜନମାନସରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଏଣେ ମେଜର ଫ୍ଲେଚର ଓଡ଼ିଶା ଉପକୂଳରେ ହେଉଥିବା ଲୁଣଚାଷ ଓ କାରବାରକୁ ନିଷିଦ୍ଧ କରି ସରକାରଙ୍କ ହାତକୁ ନେଇଗଲେ। ସେଥିରେ ବହୁ ଲୋକ ବେକାର ହେଲେ। ବହୁ ଜମିଦାରଙ୍କ ଜମିଦାରୀ ଉଚ୍ଛେଦ କରି ବଙ୍ଗଳାର ଅନେକ ଲୋକଙ୍କୁ ହସ୍ତାନ୍ତର କରାଗଲା। ନିଷ୍କର ଜମି ଉପରେ କର ବସିଲା। ବାରମ୍ବାର କର ବୃଦ୍ଧି ହେଲା। ସେଯାଏଁ ଓଡ଼ିଶାରେ ପ୍ରଚଳିତ ଥିବା କଉଡ଼ି ମୁଦ୍ରା ବ୍ୟବସ୍ଥା ରଦ୍ଦ କରାଯାଇ ରୁପା ମୁଦ୍ରା ବ୍ୟବସ୍ଥା ପ୍ରଚଳନ କରାଗଲା। ଗୋଟିଏ ରୁପା ମୁଦ୍ରାର ବିନିମୟ ହାର ୫୧୨୦ କଉଡ଼ି ରଖାଗଲା। ଏହା ଥିଲା ପ୍ରଜାଙ୍କ ଉପରେ ଅର୍ଥଦଣ୍ଡ। ଗଜପତିଙ୍କ ଶାସନରେ ଯେଉଁ ପାଇକମାନେ ନିଷ୍କର ଜମି ଭୋଗ କରୁଥିଲେ ଓ ଯୁଦ୍ଧ ସମୟରେ ଲଢ଼େଇ କରୁଥିଲେ ସେମାନେ ମଧ୍ୟ ଜମିଦାରୀ ହରେଇ କ୍ଷୁବ୍ଧ ଥିଲେ। କିନ୍ତୁ କୋର୍ଟକଚେରୀରୁ ନ୍ୟାୟ ମିଳୁ ନଥିଲା। ନ୍ୟାୟ ବ୍ୟବସ୍ଥାରେ ନୂଆ ଓକିଲ ଓ ଅମଲାଙ୍କ ହାକିମାତି ଚାଲିଲା। ସେମାନେ ପ୍ରାୟ ଥିଲେ ବଙ୍ଗବାସୀ ଅଥବା ମୁସଲମାନ। ପୂର୍ବରୁ ଖଣ୍ଡାୟତ ଓ ପାଇକମାନେ ସାଧାରଣ ସମୟରେ ପୁଲିସ ସେବା ଯୋଗାଉଥିଲେ। ଫ୍ଲେଚରଙ୍କ ଶାସନରେ ଦାରୋଗା ଓ ଜମାଦାର ସେ କାମ କଲେ। ସରବରାକରମାନେ ତହସିଲ ଦାୟିତ୍ୱରେ ରହି ଜମିଜମା ବନ୍ଦୋବସ୍ତରେ ଏପଟସେପଟ କଲେ। ସେହି ସମୟରେ କଟକ କଲେକ୍ଟରଙ୍କ ଦେବାନ କେସି ସିଂହଙ୍କ ଭାଇ ଗୌରହରି ସିଂହ ଗଡ଼ ରୋଡ଼ଙ୍ଗ କିଲ୍ଲାକୁ ଜାଲିଆତି କରି ନିଜର ଜଣେ ସଂପର୍କୀୟଙ୍କ ନାମରେ ରେକର୍ଡ଼ କରାଇଲେ ଓ ପରେ ତାଙ୍କଠାରୁ ନିଜେ କିଣିନେଲେ। ଗଡ଼ ରୋଡ଼ଙ୍ଗ ଥିଲା ଗଜପତିଙ୍କ ପ୍ରଧାନ ସେନାପତି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟଙ୍କ ନିଜ ମାହାଲ। ଗଜପତି ଶାସନରେ ତାଙ୍କ ପୂର୍ବ ପୁରୁଷ ତାହା ଲାଭ କରିଥିଲେ ଓ ରାଜାଙ୍କୁ ସେବା ପ୍ରଦାନ କରୁଥିଲେ। ଜମିଦାରୀ ଉଚ୍ଛେଦ ହୋଇଥିଲା। ତେଣୁ ବକ୍ସି ଅର୍ଥାଭାବ ଦେଇ ଗତି କରୁଥିଲେ। ପୁଣି ଗଡ଼ ରୋଡ଼ଙ୍ଗର ମାଲିକାନା ଚାଲିଯିବା ପରେ ସେ ଆର୍ଥିକ ସଂକଟରେ ପଡ଼ିଲେ। ଏହି ଅନ୍ୟାୟ ବିରୋଧରେ ଅଦାଲତି ମାମଲା ପାଇଁ ତାଙ୍କ ନିକଟରେ ଅର୍ଥ ନଥିଲା। ତେଣୁ ସେ କଲିକତାରେ କମ୍ପାନୀ ସରକାରଙ୍କଠାରେ ୧୮୦୯ ମସିହାରେ ଏହା ବିରୋଧରେ ପିଟିସନ ଦାଏର କଲେ। ୧୮୧୪ରେ ତାଙ୍କୁ କୁହାଗଲା ଯେ ଅଦାଲତ ଯାଅ।
ଏଥିରେ ବକ୍ସି ଉତକ୍ଷିପ୍ତ ହେଲେ। ତେଣୁ କମ୍ପାନୀ ସରକାର ବିରୋଧରେ ଲଢ଼େଇ କରିବାକୁ ସେ ଅନ୍ୟ ଜମିଦାର ଓ ଛୋଟ ଛୋଟ ରାଜାମାନଙ୍କ ସହିତ ଯୋଗାଯୋଗ କଲେ। ଖୋର୍ଦ୍ଧା ଓ ପୁରୀର ପାଇକମାନଙ୍କୁ ଏକଜୁଟ କଲେ। ଘୁମୁସର, କେଉଁଝର ଓ ମୟୂରଭଞ୍ଜ ରାଜା ତାଙ୍କୁ ସାହସ ଦେଲେ। ୧୮୧୭ ମାର୍ଚ୍ଚ ମାସରେ ଘୁମୁସରରୁ ୪୦୦ କନ୍ଧ ସୈନିକ ଖୋର୍ଦ୍ଧା ଆସିଲେ। ୧୮୧୭ ଏପ୍ରିଲ ପହିଲାରେ ବାଣପୁର ପୁଲିସ ଥାନା ଉପରେ ଚଢ଼ାଉ ହେଲା। କନ୍ଧ ଓ ପାଇକଙ୍କ ଆକ୍ରମଣରେ ଶତାଧିକ ସରକାରୀ କର୍ମଚାରୀ ଓ ପୁଲିସ ବଳ ନିହତ ହେଲେ। ଟ୍ରେଜେରୀ ଉପରେ ଚଢ଼ାଉ କରି ୧୫ ହଜାର ଟଙ୍କା ଲୁଟି ନିଆଗଲା। ଖବର ପାଇ କଟକ କଲେକ୍ଟର ୬୦ ସୈନ୍ୟଙ୍କୁ ଧରି ଖୋର୍ଦ୍ଧା ଆସିଲେ। ବାଟରେ ଗଙ୍ଗପଡ଼ାରେ ପାଇକଙ୍କ ପ୍ରତିରୋଧର ସମ୍ମୁଖୀନ ହୋଇ ନପାରି ପଳାୟନ କଲେ ଓ ବାଳକାଟିରେ ଲୁଚିଲେ। ଏ ଖବର ପ୍ରଚାରିତ ହେବା ପରେ ପୁରୀରୁ ସୈନ୍ୟମାନେ ପିପିଲି ଆସିଲେ। ପାଇକମାନେ ମାନେ ମଧ୍ୟ ପିପିଲି ଆକ୍ରମଣ ପାଇଁ ଅଭିଯାନ ଚଳେଇଲେ। ଏତେବେଳକୁ ହରିଶପୁର, ମରିଚପୁର, ଗୋଲରା ଆଦି ବହୁ ଜମିଦାରୀର ଲୋକମାନେ ବିଦ୍ରୋହରେ ସାମିଲ ହୋଇସାରିଥିଲେ। ୧୮୧୭ ଏପ୍ରିଲ ୧୪ ତାରିଖରେ ୫୦୦ ପାଇକ ପୁରୀରେ ପହଞ୍ଚିଲେ। ସେମାନେ ରାଜାଙ୍କୁ ବିଦ୍ରୋହର ନେତୃତ୍ୱ ନେବାକୁ ଅନୁରୋଧ କଲେ। କିନ୍ତୁ ରାଜା ଭୟରେ ମନାକଲେ। ମାତ୍ର ଶ୍ରୀମନ୍ଦିରର ପଣ୍ଡା ଓ ଅନ୍ୟ କେତେକ ସେବାୟତ ସମର୍ଥନ ଦେଲେ। ତେବେ ମେ ମାସରେ ଅଧିକ ବ୍ରିଟିଶ ସୈନ୍ୟ ପାଇକଙ୍କ ଉପରେ ଆକ୍ରମଣ କଲେ ଓ ୧୯ ଜଣ ପାଇକ ବୀର ଶହୀଦ ହେଲେ। ଏହା ପରେ ଖୋର୍ଦ୍ଧା ବିଦ୍ରୋହରେ ଶିଥିଳତା ଦେଖାଦେଲା। କିନ୍ତୁ ତେଣେ କନିକା ଓ କୁଜଙ୍ଗର ପାଇକମାନେ କଟକର ସାରଙ୍ଗଗଡ଼ ଦଖଲ କଲେ। ଏ ଖବର ପାଇ କୁଜଙ୍ଗ ଆଡ଼େ ଗଲେ ଓ ୧୮୧୭ ସେପ୍ଟେମ୍ବରରେ ପାରାଦୀପ ଦଖଲ କଲେ। କୁଜଙ୍ଗ ରାଜାଙ୍କୁ ଗିରଫ କରି ବାରବାଟୀରେ ବନ୍ଦୀ କରାଗଲା। ୧୮୧୮ ଜୁଲାଇରେ ବକ୍ସି ଜଗବନ୍ଧୁ ପାଇକ ବୀର ପଦ୍ମନାଭ ଛୋଟରାୟଙ୍କୁ ଏକ ଚିଠି ଲେଖି ଲଢ଼େଇ ଅବ୍ୟାହତ ରଖିବାକୁ ଅନୁରୋଧ କଲେ। ପାଇକମାନେ ଏଣିକି ସମ୍ମୁଖ ଯୁଦ୍ଧ ନକରି ଗରୀଲା ଯୁଦ୍ଧ ଚଳାଇଲେ। ତେବେ ୧୮୨୫ରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର କ୍ଳାନ୍ତି ଓ ଅବସାଦର ସହିତ ବ୍ରିଟିଶ ଫୌଜ ନିକଟରେ ଆତ୍ମ ସମର୍ପଣ କଲେ। ତଥାପି ୧୮୨୭ରେ ତାପଙ୍ଗ ଗଡ଼ରେ ବିଦ୍ରୋହ ହେଲା ଓ ତାହାକୁ ମଧ୍ୟ ଇଂରେଜ ସେନା ଦମନ କଲେ। ଏହି ସମୟ ମଧ୍ୟରେ ୧୮୨୬ରେ ମୁକୁନ୍ଦ ଦେବ ବନ୍ଦୀ ଅବସ୍ଥାରେ ମୃତ୍ୟୁବରଣ କଲେ ଓ ୧୮୨୯ ଜାନୁଆରୀ ୨୪ ତାରିଖରେ ବକ୍ସିଙ୍କର ଦେହାନ୍ତ ହେଲା।
ଏହା ସହିତ ସମୟ ସ୍ରୋତରେ ବହୁ ଦୂରକୁ ଭାସିଗଲା ଓଡ଼ିଶାର ପାଇକମାନଙ୍କର ଏହି ପ୍ରତିସ୍ପର୍ଦ୍ଧୀ ବୀରତ୍ୱର ଗାଥା।
ଗୌରବର କଥା ବିଳମ୍ବରେ ହେଲେ ବି ଭାରତ ସରକାର ଭାରତୀୟ ମୁକ୍ତି ସଂଗ୍ରାମକୁ ଓଡ଼ିଶାର ଏହି ଅବଦାନ ବିଷୟକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ୧୮୫୭ ସିପାହୀ ବିଦ୍ରୋହର ଚାରି ଦଶନ୍ଧି ପୂର୍ବରୁ ଇଂରେଜ ଶାସନ ବିରୋଧରେ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି ସଶସ୍ତ୍ର ବିପ୍ଳବ ପରେ ପରେ ଭାରତର ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିଛି ଓ ଭାରତର ସ୍ୱାଧୀନତା ସଂଗ୍ରାମକୁ ତେଜୀୟାନ କରିଛି।