ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ମେଡିକାଲ ଦେଖିବାକୁ ଚକାଚକ। ବହାର ଯେମିତି ସାଜସଜ୍ଜା, ଭିତର ମଧ୍ୟ ତାହାଠାରୁ ଅଧିକ ସୁନ୍ଦର। ସବୁ ପ୍ରକାର ଯନ୍ତ୍ରପାତି ମଧ୍ୟ ଖଞ୍ଜା ହୋଇ ରହିଛି। ସବୁ ବିଭାଗର ସ୍ୱତନ୍ତ୍ର କୋଠରୀ ରହିଛି। ଫଳକ ବି ଲାଗିଛି। ହେଲେ ସବୁ କୋଠରୀରେ ଝୁଲୁଛି ତାଲା। କୋଠରୀ ବାହାରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ। ସେମାନଙ୍କ ଦୁଃଖ ଶୁଣିବାକୁ କେହିନାହିଁ। ଆଖି ବୁଜି ଦେଇଛନ୍ତି ସିଡିଏମ୍ଓ। ଦାୟିତ୍ୱ ହୁଡ଼ୁଥିବା ସରକାର ବି ଚୁପ୍। ଗଞ୍ଜାମ ବେଲଗୁଣ୍ଠା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏଭଳି ଚିତ୍ର ନଜର ଆସିଛି। ଏହି ମେଡିକାଲ ମହାକାଳ ଫଳ ଭଳି ଉପରୁ ସୁନ୍ଦର ଦିଶୁଥିବା ବେଳେ ଭିତର କିନ୍ତୁ ପୂରା ଫମ୍ପା।
ଏଠାରେ ଜଣେ ମାତ୍ର ସହକାରୀ ଡାକ୍ତରରେ ଚାଲିଛି ଡାକ୍ତରଖାନା। ଏହି ସରକାରୀ ଡାକ୍ତର ଜଣେ ମହିଳା। ଓଭର ଟାଇମ୍ ସାଙ୍ଗକୁ ଏମ୍ରଜେନ୍ସି ସମୟରେ ତାଙ୍କୁ ନିୟୋଜିତ କରାଯାଉଥିବାରୁ ସେ ବି ସରକାରୀ ଖାମଖିଆଲି ମନୋଭାବକୁ ନେଇ ବିରକ୍ତ ହୋଇପଡ଼ିଲେଣି। ୧୧ ଜଣଙ୍କ ଡାକ୍ତରଙ୍କ ସ୍ଥାନରେ ଏକାକୀ ତାଙ୍କୁ ସବୁ କାମ ଲଦି ଦିଆଯାଉଥିବା ସମ୍ପର୍କରେ ସେ ସିଡିଏମ୍ଙ୍କୁ ବାରମ୍ବାର ଜଣାଇଛନ୍ତି। ଆବଶ୍ୟକ ଡାକ୍ତର ନିୟୋଜିତ କରିବାକୁ ଚିଠି କରିଛନ୍ତି। ହେଲେ ନା ତାଙ୍କ କଥା ସ୍ୱାସ୍ଥ୍ୟ ବିଭାଗ ଶୁଣୁଛି, ନା ଲୋକଙ୍କ ଅଭିଯୋଗକୁ ସରକାର ଶୁଣୁଛନ୍ତି। ଫଳରେ ଏହାକୁ ନେଇ ଥିବା ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲାଣି।
ଏହି ଡାକ୍ତରଖାନା ଉପରେ ୬୦ରୁ ଅଧିକ ଗାଁର ୪୦ ହଜାର ଲୋକ ନିର୍ଭର କରନ୍ତି। ପ୍ରତିଦିନ ଏଠାକୁ ଶହଶହ ରୋଗୀ ଚିକିତ୍ସା ଆଶା ନେଇ ଆସିଥାନ୍ତି। ହେଲେ ଆବଶ୍ୟକ ଚିକିତ୍ସା ନ ପାଇ ନିରାଶରେ ଘରକୁ ଫେରି ଯାଆନ୍ତି, ନଚେତ୍ ଭଞ୍ଜନଗର କିମ୍ବା ବ୍ରହ୍ମପୁରରେ ଥିବା ଡାକ୍ତରଖାନା ଯିବାକୁ ବାଧ୍ୟ ହୋଇଥାନ୍ତି। ଭେଷଜ, ସ୍ତ୍ରୀ ଓ ପ୍ରସୂତୀ, ସର୍ଜରି, ଶିଶୁ ଓ ଚକ୍ଷୁ ବିଭାଗରେ ଜଣେ ବି ବିଶେଷଜ୍ଞ ଡାକ୍ତର ନାହାନ୍ତି। ସବୁ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ଏଠାକୁ ଆସୁଥିବା ରୋଗୀ ଉପଯୁକ୍ତ ସେବା ନ ପାଇ ବାଧ୍ୟ ହୋଇ ଔଷଧ ଦୋକାନୀର ପରାମର୍ଶରେ ଔଷଧ ନେଉଥିବା ସେମାନଙ୍କ ଠାରୁ ଜଣାପଡ଼ିଛି।
ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ସମ୍ପର୍କିୟ ଜିତେନ୍ଦ୍ର ମହାପାତ୍ର ଓ ଭଗବାନ ସେଠୀ କହିଛନ୍ତି, ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇବା ପାଇଁ ସରକାର ଅନେକ ଯୋଜନା କରିଥିବା ଡିଣ୍ଡିମ ପିଟୁଛନ୍ତି। ନିରାମୟ, ନିଦାନ ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସତ। ହେଲେ ଏଠାରେ ଏହା ରୋଗୀଙ୍କ କାମରେ ଆସୁନି। ଡାକ୍ତର ନ ଥିବାରୁ ରୋଗୀ ଛଟପଟ ହୋଇ ଦୂରଦୂରାନ୍ତ ଡାକ୍ତରଖାନା ଯାଉଛନ୍ତି ଓ ଶୋଷଣର ଶିକାର ହେଉଛନ୍ତି। ସବୁ ଠାରୁ ବେଶୀ ହିନସ୍ତା ହେଉଛନ୍ତି ଗରିବ ଶ୍ରେଣୀର ରୋଗୀ। ଦୂରଦୂରାନ୍ତ ଡାକ୍ତରଖାନାକୁ ଯାଇ ନ ପାରି ଘରେ ପଡ଼ିପଡ଼ି ସେମାନଙ୍କ ଜୀବନ ଯାଉଛି। ଅଧିକାଂଶ ସ୍ଥଳରେ ଡାକ୍ତର ନ ଥିବାରୁ ରୋଗୀ ଔଷଧ ଦୋକାନୀ ପରାମର୍ଶ ମୁତାବକ ଔଷଧ ଖାଉଛନ୍ତି। ଯାହା ଅଧିକାଂଶ ସ୍ଥଳରେ ରୋଗୀଙ୍କ ପାଇଁ କାଳ ହେଉଛି। ସେହିପରି ଦୁର୍ଘଟଣା ଗୁରୁତର ରୋଗୀଙ୍କୁ ଏଠାରେ ଜରୁରୀକାଳୀନ ଚିକିତ୍ସା ମିଳୁ ନ ଥିବାରୁ ଭଞ୍ଜନଗର ଓ ବ୍ରହ୍ମପୁରରେ ପହଞ୍ଚିବା ବେଳକୁ ଅନେକ ଜୀବନ ହରାଉଛନ୍ତି।
ଗାୟତ୍ରୀ ଡାକୁଆ କହିଛନ୍ତି, ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ କରାଇବାର ସମସ୍ତ ସୁବିଧା ଓ ଯନ୍ତ୍ରପାତି ଥାଇ ମଧ୍ୟ ଡାକ୍ତର ନ ଥିବାରୁ ଶତାଧିକ ଗର୍ଭବତୀ ବେଲଗୁଣ୍ଠା ଠାରୁ ବହୁ ଦୂର ବ୍ରହ୍ମପୁରରେ ଥିବା ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନା ଯାଉଛନ୍ତି। ଏହା ସେମାନଙ୍କୁ ଯେତିକି ଯନ୍ତ୍ରଣା ଦେଉଛି, ସେତିକି ଜୀବନପ୍ରତି ବିପଦ ମଧ୍ୟ ସୃଷ୍ଟି କରୁଛନ୍ତି। ଗର୍ଭବତୀମାନେ ଏଥିଯୋଗୁ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଗର୍ଭ ରହିବା ପରେ ନିୟମିତ ଚିକିତ୍ସା ନିମନ୍ତେ ସେମାନଙ୍କୁ ବ୍ରହ୍ମପୁର ଓ ଭଞ୍ଜନଗର ଯିବା କଷ୍ଟକର ହୋଇପଡ଼ିଛି। ତାଙ୍କ ଝିଅ ମଧ୍ୟ ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି।
ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସବିତା ବେହେରା କହିଛନ୍ତି ଯେ, ଆବଶ୍ୟକ ଡାକ୍ତର ନ ଥିବା ଯୋଗୁ ରୋଗୀମାନେ ଓ ନିୟୋଜିତ ଡାକ୍ତର- ଉଭୟ ସମସ୍ୟା ଭୋଗୁଛନ୍ତି। ରୋଗୀମାନେ ଅଧିକାଂଶ ସମୟରେ ଉପଯୁକ୍ତ ଚିକିତ୍ସା ସେବା ପାଉନାହାନ୍ତି। ଓପିଡିରେ ଏବେ ମାସେ ହେବ ଆୟୁଷ ଡାକ୍ତରମାନେ କାମଚଳା ନିମନ୍ତେ ନିୟୋଜିତ ହୋଇଛନ୍ତି। ହେଲେ ସେମାନେ କୌଣସି ଗୁରୁତର ରୋଗୀ ଆସିଲେ ଚିକିତ୍ସା କରିପାରୁନାହାନ୍ତି। ମୋଟ ୧୧ ଡାକ୍ତର ପଦବୀର ମଧ୍ୟରୁ ବିଶେଷଜ୍ଞ ପଦବୀ ୩ଟି। ୮ଟି ହେଉଛି ସରକାରୀ ସର୍ଜନ ଡାକ୍ତର ପଦବୀ। ଏହି ୮ ପଦବୀରୁ ମଧ୍ୟରୁ ଗୋଟିଏ ପଦବୀରେ ପୂରଣ ହୋଇଛି। ସେ ଏହି ପଦବୀରେ ରହିବା ସହ ମେଡିକାଲ ଅଫିସ୍ର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ଦିନରାତି ସବୁ ବେଳେ ତାଙ୍କୁ ହିଁ କାମ ଚଳାଇବାକୁ ପଡ଼ୁଛି। ଅତି କମ୍ରେ ଜଣେ ଏମ୍ବିବିଏସ୍ ଡାକ୍ତରଙ୍କୁ ଡେପୁଟେସନରେ ଦେବା ପାଇଁ ସେ ସିଡିଏମ୍ଓଙ୍କୁ ଚିଠି କରି ଜଣାଇଛନ୍ତି। ହେଲେ ସିଡିଏମ୍ଓ କୌଣସି କଥା ବୁଝିନାହାନ୍ତି। ତେଣୁ ଆଉ ଥରେ ଚିଠି କରି ତାଙ୍କୁ ଏହି ସମସ୍ୟା ବିଷୟରେ ଜଣାଇବୁ ବୋଲି ସେ କହିଛନ୍ତି।