ବିକାଶର ପଦ ଚିହ୍ନ ପଡ଼ିଲାନି, ଓଡ଼ିଶା ମୁହାଁ ଆନ୍ଧ୍ରବାସୀ

ମାଲକାନଗିରି (ଜିତେନ୍ଦ୍ର ବେଉରା): କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ମୁହାଁମୁହିଁ ହୋଇଛନ୍ତି। ନିଜ କବ୍‌ଜାକୁ ନେବା ପାଇଁ ଆନ୍ଧ୍ରର ଅଫିସର୍‌ ଓ ଦଲାଲ୍‌ମାନେ ପ୍ରତିଦିନ କୋଟିଆରେ ପଇତରା ମାରୁଥିବା ଦେଖିବାକୁ ମିଳୁଛି। ହେଲେ ସେପାଖରେ ଓଡ଼ିଶା ମୁହାଁ ହେଉଛନ୍ତି ଆନ୍ଧ୍ର ବାସିନ୍ଦା। ମୌଳିକ ସୁବିଧା ନପାଇ ଓଡ଼ିଶାରେ ମିଶିବେ ବୋଲି ଆନ୍ଧ୍ର ସରକାରକୁ ଚେତାବନୀ ଦେଇଛନ୍ତି। ଏପରି ଚିତ୍ର ଦେଖିବାକୁ ମିଳିଛି ଓଡ଼ିଶାର ମାଲକାନଗିରି ଜିଲ୍ଲାରେ। ଓଡ଼ିଶା ସୀମା ତଥା ସ୍ୱାଭିମାନ ଅଞ୍ଚଳର ଶେଷ […]

AP

Manoranjan Sial
  • Published: Saturday, 12 February 2022
  • , Updated: 12 February 2022, 07:15 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ମୁହାଁମୁହିଁ ହୋଇଛନ୍ତି। ନିଜ କବ୍‌ଜାକୁ ନେବା ପାଇଁ ଆନ୍ଧ୍ରର ଅଫିସର୍‌ ଓ ଦଲାଲ୍‌ମାନେ ପ୍ରତିଦିନ କୋଟିଆରେ ପଇତରା ମାରୁଥିବା ଦେଖିବାକୁ ମିଳୁଛି। ହେଲେ ସେପାଖରେ ଓଡ଼ିଶା ମୁହାଁ ହେଉଛନ୍ତି ଆନ୍ଧ୍ର ବାସିନ୍ଦା। ମୌଳିକ ସୁବିଧା ନପାଇ ଓଡ଼ିଶାରେ ମିଶିବେ ବୋଲି ଆନ୍ଧ୍ର ସରକାରକୁ ଚେତାବନୀ ଦେଇଛନ୍ତି। ଏପରି ଚିତ୍ର ଦେଖିବାକୁ ମିଳିଛି ଓଡ଼ିଶାର ମାଲକାନଗିରି ଜିଲ୍ଲାରେ।

ଓଡ଼ିଶା ସୀମା ତଥା ସ୍ୱାଭିମାନ ଅଞ୍ଚଳର ଶେଷ ପଞ୍ଚାୟତ ହେଉଛି ଧୂଳିପୁଟ୍‌। ଏହି ପଞ୍ଚାୟତକୁ ଲାଗିଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଗାଡ଼ିବନ୍ଧ, ଡନ୍ତୁରାଇ, କାଣ୍ଡଳପଡୁ, ଶୋଉପଳା ଓ ଗଜେଡ ପରି ଗାଁ। ଏହି ଗାଁ ଲୋକମାନେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି।  ଗାଁକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ଲୋକମାନେ ଖଚରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗାଁକୁ ନେବା ଆଣିବା କରୁଛନ୍ତି। ସେଥିପାଇଁ ଆନ୍ଧ୍ର ଗାଁ ଲୋକଙ୍କୁ ଓଡ଼ିଶାର ଗ୍ରାମ୍ୟ ରାସ୍ତା ବ୍ୟବହାର କରିବାକୁ ପଡ଼ୁଛି। ଗାଁ ଲୋକଙ୍କୁ ଆନ୍ଧ୍ରକୁ ଯିବା ପାଇଁ ହେଲେ ଜଙ୍ଗଲିଆ ରାସ୍ତାର ୨୦ରୁ ୩୦ କିମି ଅତିକ୍ରମ କରିବାକୁ ପଡ଼ିବ। ହେଲେ ଓଡ଼ିଶାକୁ ଆସିବାକୁ ହେଲେ ୩ରୁ ୪ କିମି ଆସିବାକୁ ପଡ଼ିବ। ତେଣୁ ଗାଁର ଲୋକମାନେ ଓଡ଼ିଶା ଉପରେ ନିର୍ଭର କରୁଛନ୍ତି।

ସବୁଠାରୁ ଦୁଃଖଦ ବିଷୟ, ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ହା ହା କାର ସ୍ଥିତି ଉପୁଜିଛି। କରୋନାରୁ ବଞ୍ଚିବା ପାଇଁ ଟିକା ନେବାକୁ ଅପିଲ୍‌ କରାଯାଉଛି। ହେଲେ ଆଜି ପର୍ଯ୍ୟନ୍ତ ଗାଡିବନ୍ଧ, ଡନ୍ତୁରାଇ, କାଣ୍ଡଳପଡୁ, ଶୋଉପଳା ଓ ଗଜେଡ ପରି ଗାଁରେ ଲୋକଙ୍କୁ କରୋନା ଟିକା ଦିଆଯାଇନି। ଏଠାରେ ଟିକାକରଣ ନେଇ ଆନ୍ଧ୍ର ସରକାର ଧ୍ୟାନ ଦେଉନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହାଛଡ଼ା ଶିକ୍ଷା ଓ ସ୍ୱାସ୍ଥ୍ୟ ପରି ମୌଳିକ ସୁବିଧାରୁ ଗାଁ ଲୋକେ ବଞ୍ଚିତ ଅଛନ୍ତି।

ସେପଟେ ଓଡ଼ିଶା ସରକାର ଧୂଳିପୁଟ ପଞ୍ଚାୟତରୁ ଆନ୍ଧ୍ର ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଛି। ଆଉ ୪ରୁ ୫ କିମି ରାସ୍ତା ନିର୍ମାଣ ହୋଇଗଲେ ଆନ୍ଧ୍ରର ଏହି ବିଚ୍ଛିନ୍ନାଞ୍ଚଳ ଗାଁକୁ ଯୋଗାଯୋଗ ସମ୍ଭବ ହୋଇପାରିବ। ଲୋକଙ୍କ ଅନୁରୋଧକୁ ରକ୍ଷା କରି ମାଲକାନଗିରି ଜିଲ୍ଲା ପ୍ରଶାସନ ଗାଡିବନ୍ଧ ଓ ଡନ୍ତୁରାଇ ଗାଁକୁ ବିଦ୍ୟୁତ ସଂଯୋଗ  ଦେଇଛି। ହେଲେ ରାସ୍ତା ନିର୍ମାଣ କରାଯାଇନାହିଁ। ଏବେ ଗାଁ ଲୋକେ ବିକାଶଧାରାରେ ସାମିଲ୍‌ ହେବାକୁ ଚାହୁଁଛନ୍ତି। ଗାଁର ବିକାଶ କରିବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଛନ୍ତି। ଓଡ଼ିଶା ସରକାର ସମସ୍ତ ଅସୁବିଧା ସମାଧାନ କଲେ ଆମେ ଅବଶ୍ୟକସ୍ଥଳେ ଓଡ଼ିଶାରେ ମିଶିବୁ ବୋଲି ଆନ୍ଧ୍ର ସରକାରକୁ ଚେତାବନୀ ଦେଇଛନ୍ତି ଗାଁ ଲୋକେ।

Related story