ନୂଆଦିଲ୍ଲୀ: ଆଜି ପବିତ୍ର ଗଣେଶ ଚତୁର୍ଥୀ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆମେ ଗଣେଶଙ୍କୁ ପ୍ରଥମେ ଆରାଧନା କରୁ। କେବଳ ଭାରତ ନୁହେଁ, ଅନ୍ୟ ଦେଶରେ ମଧ୍ୟ ଗଣେଶଙ୍କର ଉପାସକ ରହିଛନ୍ତି। ଏମିତିକି ଭାରତ ବାହାରେ ଏକ ଦେଶର ନୋଟ୍ରେ ଗଣେଶଙ୍କର ଫଟୋ ସ୍ଥାନ ପାଇଛି। ଭାରତୀୟ ନୋଟ୍ରେ ମହାତ୍ମା ଗାନ୍ଧି ଓ ଅଶୋକ ସ୍ତମ୍ଭ ସହିତ ଭାରତୀୟ ଐତିହ୍ୟ ବହନ କରୁଥିବା ଅନ୍ୟାନ୍ୟ କଳାକୃତି ଦେଖିବାକୁ ମିଳିଥାଏ। କିନ୍ତୁ ଆମେ ଆଜି ଏମିତି ଏକ ମୁସଲ୍ମାନ ବହୁଳ ରାଷ୍ଟ୍ର ବିଷୟରେ କହିବୁ, ଯାହାର ନୋଟ୍ରେ ହିନ୍ଦୁ ଦେବତାଙ୍କର ଫଟୋ ରହିଛି। କଥାଟା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ।
ବିଶ୍ୱର ସବୁଠାରୁ ବଡ଼ ମୁସଲ୍ମାନ ବହୁଳ ରାଷ୍ଟ୍ର ଇଣ୍ଡୋନେସିଆ ନୋଟ୍ରେ ହିନ୍ଦୁ ଦେବତା ଗଣେଶଙ୍କର ଫଟୋ ରହିଛି। ଖାଲି ନୋଟ୍ରେ ନୁହେଁ, ଇଣ୍ଡୋନେସିଆନ୍ ଆର୍ମିର ମାସ୍କଟ୍ ହେଉଛନ୍ତି ହିନ୍ଦୁ ଦେବତା ହନୁମାନ। ଇଣ୍ଡୋନେସିଆର ପାଖାପାଖି ୮୭.୫ ପ୍ରତିଶତ ମୁସଲ୍ମାନ ଓ ମାତ୍ର ୩ ପ୍ରତିଶତ ହିନ୍ଦୁ ଅଛନ୍ତି।
ହିନ୍ଦୁ ମୁସଲମାନ୍ ଆଳରେ ବର୍ଷ ବର୍ଷ ଧରି ଭାରତ ସହିତ ପାକିସ୍ତାନ ଶତ୍ରୁତା କରିଆସୁଥିବା ବେଳେ, ମୁସଲମାନ୍ ବହୁଳ ରାଷ୍ଟ୍ର ଇଣ୍ଡୋନେସିଆର ନୋଟ୍ରେ ହିନ୍ଦୁ ଦେବତାଙ୍କ ଚିତ୍ର ସ୍ଥାନ ପାଇବା ଏକ ବଡ଼ କଥା।
ନୋଟ୍ ବିଷୟରେ ବିଶେଷ କଥା: ଇଣ୍ଡୋନେସିଆର ମୁଦ୍ରାକୁ ରୁପିୟାହ୍ କୁହାଯାଏ। ଏହାର ୨୦ ହଜାର ଟଙ୍କିଆ ନୋଟ୍ ଉପରେ ଭଗବାନ ଗଣେଶଙ୍କ ଚିତ୍ର ସହିତ ସେଠାକାର ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ଇଣ୍ଡୋନେସିଆ ସ୍ୱାଧୀନତା ଆନ୍ଦୋଳନର ନାୟକ ହଜର୍ ଦେବାନ୍ତ୍ରାଙ୍କ ଫଟୋ ରହିଛି।
ଅର୍ଜୁନ ଓ କୃଷ୍ଣଙ୍କ ପ୍ରତିମା ବି ରିହିଛି: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଇଣ୍ଡୋନେସିଆରେ କେବଳ ଗଣେଷ ଭଗବାନଙ୍କ ଚିତ୍ର ନୁହେଁ, ଅର୍ଜୁନ, ଶ୍ରୀକୃଷ୍ଣ ଓ ଘଟୋତ୍କଚଙ୍କ ମୂର୍ତ୍ତି ମଧ୍ୟ ରହିଛି। ସେଠାରେ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ମହାଭାରତ ଯୁଦ୍ଧ ବେଳର ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି।