Advertisment

ଇଟା ଦେଖାଇ ନିର୍ବାଚନ ପାର୍‌ ହୋଇଯାଆନ୍ତି ନେତା, ନାଳରେ ଘାଣ୍ଟି ହୁଅନ୍ତି ଜନତା

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ରାଜନେତାଙ୍କର ଇଟା ଉପାଖ୍ୟାନ! ନିର୍ବାଚନ ଆସିଲେ କରନ୍ତି ଇଟା ରାଜନୀତି। ଇଟା ଦେଖାଇ ଭଣ୍ଡାଇଥାଆନ୍ତି! ନିର୍ବାଚନ ସରିବା ପରେ ସବୁ ଭୁଲି ଯାଆନ୍ତି। ଗଦା କରିଥିବା ଇଟା ଧରି ପଳାନ୍ତି। ନେତାଙ୍କର ଏହି ଇଟା ଦେଖା ରାଜନୀତି କେଉଁକାଳରୁ ଲାଗି ରହିଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏପରି ଅଭିଯୋଗ ଆସିଛି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ। ଭଞ୍ଜନଗର ସଦର ମହକୁମାଠାରୁ ପ୍ରାୟ ୨୫ […]

ଅଦ୍ୟତନ ହୋଇଛି
ଇଟା ଦେଖାଇ ନିର୍ବାଚନ ପାର୍‌ ହୋଇଯାଆନ୍ତି ନେତା, ନାଳରେ ଘାଣ୍ଟି ହୁଅନ୍ତି ଜନତା

Ganjam

Advertisment

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ରାଜନେତାଙ୍କର ଇଟା ଉପାଖ୍ୟାନ! ନିର୍ବାଚନ ଆସିଲେ କରନ୍ତି ଇଟା ରାଜନୀତି। ଇଟା ଦେଖାଇ ଭଣ୍ଡାଇଥାଆନ୍ତି! ନିର୍ବାଚନ ସରିବା ପରେ ସବୁ ଭୁଲି ଯାଆନ୍ତି। ଗଦା କରିଥିବା ଇଟା ଧରି ପଳାନ୍ତି। ନେତାଙ୍କର ଏହି ଇଟା ଦେଖା ରାଜନୀତି କେଉଁକାଳରୁ ଲାଗି ରହିଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏପରି ଅଭିଯୋଗ ଆସିଛି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ।

Advertisment

ଭଞ୍ଜନଗର ସଦର ମହକୁମାଠାରୁ ପ୍ରାୟ ୨୫ କିମି ଗଲେ ପଡ଼ିଥାଏ ବ୍ରାହ୍ମଣପଦର ପଞ୍ଚାୟତ। ଏହି ପଞ୍ଚାୟତରେ ରହିଛି ମଣିସାହି, ସମସାହି ଓ ସୁନ୍ଦରଗୁମ୍ମା ଗାଁ। ଲୋକ ସଂଖ୍ୟା ୫୦୦ରୁ ଅଧିକ ହେବ। ସମସ୍ତେ ପ୍ରାୟତଃ ଚାଷବାସ କରି ଚଳନ୍ତି। ଏହି ୩ ଗାଁର ଲୋକେ ଦୀର୍ଘ ଦିନ ଧରି ନାନା ସମସ୍ୟା ଭିତରେ ଘାଣ୍ଟି ହେଉଛନ୍ତି। ମୌଳିକ ସମସ୍ୟାରୁ ବଞ୍ଚିତ ହେଉଛନ୍ତି। ତିନି ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ।

ସୁନ୍ଦରଗୁମ୍ମା ଗାଁଟି ହେଉଛି ଗଞ୍ଜାମ ଜିଲ୍ଲାର ଶେଷ ଗ୍ରାମ। ଏହି ଗାଁ ମୁଣ୍ଡରେ ପ୍ରବାହିତ ହେଉଛି ଚିର ସ୍ରୋତା ବଡ଼ ନାଳ। ମଝିରେ ସମସାହି ଥିବା ବେଳେ ସେପାଖରେ ମଣିସାହି ରହିଛି। ଆଉ ମଣିସାହି ପାଖରେ କୁଳୁକୁଳ ନାଦ କରି ବୋହି ଯାଉଛି ସାନ ନାଳ। କହିବାକୁ ଗଲେ ତିନି ସାହିର ଲୋକମାନେ ଜଳବନ୍ଦୀ ଜୀବନ କାଟୁଛନ୍ତି। ତିନି ଗାଁକୁ ରାସ୍ତା ନଥିବାରୁ ଲୋକମାନେ ଯିବା ଆସିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

Advertisment

ବଡ଼ ଓ ସାନ ନାଳ ଉପରେ ପୋଲ ନିର୍ମାଣ କରିବାକୁ ଗାଁ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ହେଲେ ପ୍ରଶାସନ ଏଥିପ୍ରତି ତିଳେ ମାତ୍ର ନଜର ଦେଉନଥିବା ଅଭିଯୋଗ ହୋଇଛି। ପ୍ରଶାସନଠାରୁ ନିରାଶ ହୋଇ ଗାଁ ଲୋକେ ସାନ ନାଳ ଉପରେ କାଠ ପୋଲ ନିର୍ମାଣ କରିଛନ୍ତି। ସେହି ପୋଲ ଦେଇ ଗାଁ ଲୋକେ ଯିବା ଆସିବା କରୁଛନ୍ତି। ବର୍ଷକୁ ଥରେ ଗାଁ ଲୋକେ ଏହି କାଠ ପୋଲ ତିଆରି କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ଚାରିଣିଟିଏ ମଧ୍ୟ ଦେଇନାହାନ୍ତି। ରାସ୍ତା ନଥିବାରୁ ଗାଁକୁ ଆମ୍ୱୁଲାନ୍ସ ଯାଇପାରୁ ନାହିଁ। ତେଣୁ ଲୋକମାନେ ରୋଗରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ ଯିବା ପରିବର୍ତ୍ତେ ଗୁଣି ଗାରେଡି ଓ ଝାଡ଼ାଫୁଙ୍କା ଉପରେ ନିର୍ଭର କରୁଛନ୍ତି।

ତିନି ଗାଁକୁ ରାସ୍ତା ନଥିବାରୁ ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ସାନ ପିଲାମାନଙ୍କୁ ଅଭିଭାବକମାନେ କାନ୍ଧରେ ଧରି ନାଳ ପାର କରାଉଛନ୍ତି। ନାଳରେ ଅଧିକ ପାଣି ଥିଲେ କଥା ସରିଲା। ସେଦିନ ପାଠ ପଢ଼ା ଏକଦମ୍‌ ଠପ୍‌। ଯିବା ଆସିବାରେ ସମସ୍ୟା ଦେଖାଦେଉଥିବାରୁ ପିଲାମାନେ ହାଇସ୍କୁଲ ଓ କଲେଜ ଯାଇପାରୁ ନାହାନ୍ତି।

ଶୋଷ ମେଣ୍ଟାଇବା ପାଇଁ ଗାଁରେ ରହିଛି ଗୋଟିଏ ନଳକୂପ। ତାହା ଅଚଳ ହୋଇଗଲେ କଥା ସରୁଛି। ଏଭଳି ଅନେକ ସମସ୍ୟା ମଧ୍ୟରେ ଘାଣ୍ଟି ସନ୍ତୁଳି ହେଉଛନ୍ତି ୩ ଖଣ୍ଡ ଗାଁର ଲୋକ। ନିର୍ବାଚନ ଆସିଲେ, ତିନି ଗାଁର ସମସ୍ୟା ସାମ୍ନାକୁ ଆସେ। ନେତାମାନେ ପ୍ରତିଶ୍ରୁତି ଦିଅନ୍ତି। ଖାଲି ପ୍ରତିଶ୍ରୁତି ଦିଅନ୍ତି ନାହିଁ, ଇଟା ଆଣି ଥୋଇ ଦିଅନ୍ତି। ଇଟା ଦେଖାଇ ନିର୍ବାଚନ ପାର୍‌ ହୋଇଯାଆନ୍ତି ନେତା। ପରେ ସବୁ କଥା ଭୁଲି ଯାଆନ୍ତି। ଆଉ ଗୋଟିଏ ନିର୍ବାଚନକୁ ଅପେକ୍ଷା କରିବାକୁ ପଡ଼େ ବୋଲି ଗାଁ ଲୋକେ କହିଛନ୍ତି।

ଏହି ତିନି ଗାଁର ସମସ୍ୟା ନେଇ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ଖୁବଶୀଘ୍ର ଗାଁକୁ ବ୍ରିଜ୍‌ ସହ ପକ୍କା ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୁହାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe