ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଫତେପୁର ଗାଁରେ ରହନ୍ତି ଦମୟନ୍ତୀ ବାରିକ। ୧୦ ବର୍ଷ ହେବ ସ୍ୱାମୀ ଆରପାରିକି ଚାଲି ଯାଇଛନ୍ତି। ବହୁ ଦୁଃଖ କଷ୍ଟରେ ନିଜର ଦୁଇ ପିଲା ଓ ଶାଶୂ-ଶ୍ୱଶୁରଙ୍କୁ ନେଇ ଘର ଚଳାଉଛନ୍ତି। ସରକାରୀ ସହାୟତା କହିଲେ ରାସନ କାର୍ଡରେ ଯାହା ଚାଉଳ ମିଳେ। ଅର୍ଥ ଅଭାବରୁ ତାଙ୍କ ଚାଳ ଛପର ଘର ଦୁଇ ବର୍ଷ ହେଲା ମରାମତି କରିପାରୁ ନାହାନ୍ତି। ଫଳରେ ଭଙ୍ଗା ଚାଳ ଘରେ ପାଲ ପକାଇ ରହୁଛନ୍ତି। ସେ ୫ ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ବା ବିଜୁ ପକ୍କା ଘର ଯୋଜନାରେ ଘରଟିଏ ପାଇଁ ଆବେଦନ କରୁଛନ୍ତି, ହେଲେ ତାଙ୍କୁ ଘରଟିଏ ମିଳିପାରୁ ନାହିଁ।
ଦମୟିନ୍ତୀ ବାରିକ କହିଛନ୍ତି, “ମୁଁ ଘର ପାଇଁ ଫର୍ମ ପକାଉଛି, ହେଲେ ମୋର ନାଁ କାଟି ଦେଉଛନ୍ତି। ଘର ଦେଉ ନାହାନ୍ତି। ଟଙ୍କା ନଥିବାରୁ ଘର ଛପର କରିପାରୁ ନାହିଁ।”
ଘର ପାଇଁ ଆବେଦନ କରିଥିବା ନିଶ୍ଚନ୍ତପୁର ଗାଁର ମହିଳା ମଞ୍ଜୁଲତା ବାରିକ କହିଛନ୍ତି, “ମୁଁ ଯେତେଥର ଘର ପାଇଁ ଆବେଦନ କରୁଛି, ବ୍ଲକରେ ମୋ ନାଁ କାଟି ଦେଉଛନ୍ତି। ମୋ ଘରର ଫଟୋ ଉଠାଇ ନେଇଥିଲେ। ତା’ପରେ କାଟିଦେଲେ। ପୁଣି ସରପଞ୍ଚଙ୍କୁ ଧରାଧରି କରି ଘର ପାଇଁ ଆବେଦନ କଲି। କିନ୍ତୁ ତାହା ବି କାଟି ଦେଲେ। ଦୁଇଟି ଝିଅକୁ ଧରି ଭଙ୍ଗା ଘରେ ରହୁଛି। ଘର ଖଣ୍ଡେ ମିଳିଲେ ମୁଁ ଟିକେ ଭଲରେ ରହନ୍ତି।”
ବ୍ଲକ୍ କାର୍ଯ୍ୟାଳୟ ତରଫରୁ ନୂତନ ଘର ପ୍ରଦାନ ପାଇଁ ତାଲିକା ପ୍ରକାଶ ପାଉଛି। ହେଲେ ତାଲିକାରେ ସେମାନଙ୍କ ନାଁ ରହୁ ନଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ଅଧିକାରୀମାନେ ଘର ଦେବାରେ ପକ୍ଷପାକ୍ଷିତା କରୁଥିବା ଲୋକେ ଅଭିଯୋଗ କରିଛନ୍ତି।
ତିହିଡ଼ି ବିଡିଓ ଶରତ ମଲ୍ଲିକ କହିଛନ୍ତି, “ସେମାନେ ଏବେ ଦରଖାସ୍ତ ଦିଅନ୍ତୁ। ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତ ହେଲା ପରେ ଯୋଗ୍ୟ ଥିବା ଲୋକଙ୍କୁ ଘର ଦିଆଯିବ।”