/odisha-reporter/media/post_attachments/uploads/2015/07/SCENIC-BEAUTY-OF-KANDHMAL-2.png)
kandhamal1
(ଜୟନ୍ତ ସେଠ୍) କେବେ ଭାବିଛନ୍ତି? ସହରର ଗାଡ଼ିମଟରର ଭିଡ଼, ପ୍ରଦୂଷଣ ଏବଂ ବ୍ୟସ୍ତବହୁଳ ଜୀବନଯାତ୍ରାରୁ ସଂପୂର୍ଣ୍ଣ ଭାବରେ ଦୂରେଇ ଯାଇ କିଛି ଦିନ ପାଇଁ ପ୍ରକୃତିର କୋଳରେ ରହି ଖୋଲାପବନ, ସବୁଜିମାକୁ ଉପଭୋଗ କରିବା ପାଇଁ। ହୁଏତ ଏହା ଆପଣଙ୍କୁ କଷ୍ଟକର କିମ୍ବା ବ୍ୟୟବହୁଳ ବ୍ୟାପାର ମନେ ହୋଇପାରେ। କିନ୍ତୁ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଆମ ଓଡ଼ିଶା ମାଟିରେ ବି ଏମିତି ଜାଗା ଅଛି, ଯେଉଁଠି କମ୍ ଖର୍ଚ୍ଚରେ ଆପଣ ଅନୁଭବ କରିପାରିବେ ସ୍ୱର୍ଗୀୟ ଅନୁଭୂତି। ବେଶୀ ଦୂର ଯିବାକୁ ପଡ଼ିବନି। ଓଡ଼ିଶାର କନ୍ଧମାଳ ଜିଲ୍ଲା ଏଥିପାଇଁ ଉପଯୁକ୍ତ ଲକ୍ଷ୍ୟସ୍ଥଳ। ଭୁବନେଶ୍ୱରରୁ ନିୟମିତ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍ ଯୋଗେ ନଚେତ୍ ଘରୋଇ ଟ୍ୟାକ୍ସି ନେଇ ଆପଣ ଯିବେ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ। ବାଟରେ ଯିବା ବେଳେ ଦଶପଲ୍ଲା ପରଠାରୁ ଆପଣଙ୍କୁ ସ୍ୱାଗତ କରିବ ସବୁଜିମାର ସୁନ୍ଦର ପୋଷାକ ପିନ୍ଧିଥିବା ପ୍ରକୃତିର ରାଣୀ। ଫୁଲବାଣୀ ପୂର୍ବରୁ ଖଜୁରୀପଡ଼ା ଘାଟି ରାସ୍ତା ଆପଣଙ୍କୁ ଆଣିଦେବ ରୋମାଞ୍ଚକର ଅନୁଭୂତି। ବିଶେଷକରି ଶରତ ଋତୁରେ ଏହାର ଶୋଭା ଅବର୍ଣ୍ଣନନୀୟ।
ଫୁଲବାଣୀରେ ପହଞ୍ଚିବା ପରେ ସେଠାରେ ରାତ୍ରୀଯାପନ ପାଇଁ ସେଠାରେ ଛୋଟ ଛୋଟ ହୋଟେଲର ବ୍ୟବସ୍ଥା ବି ଅଛି। ପାହାଡ଼ିଆ ସହର ଫୁଲବାଣୀରେ ଭୋଜନ କରିବା ବି ଆନନ୍ଦଦାୟକ। କାରଣ ପ୍ରାୟ ସବୁ ପରିବାପତ୍ର ଜୈବିକ କୃଷି ପଦ୍ଧତ୍ତିରେ ସ୍ଥାନୀୟ ଆଦିବାସୀମାନଙ୍କ ଦ୍ୱାରା ଉତ୍ପାଦିତ।
ଫୁଲବାଣୀରେ ଗୋଟିଏ ରାତି ରହି ପରଦିନ ସକାଳୁ ବୁଲିଯିବା ପାଇଁ ରହିଛି ଅନେକଗୁଡ଼ିଏ ସୁନ୍ଦର ଜଳପ୍ରପାତ। ତେବେ ପୁତୁଡ଼ି ହେଉଛି ଏକ ପ୍ରମୁଖ ଆକର୍ଷଣ। ରାସ୍ତାର ଦୁଇ ପାଖରେ ଦେଖିବାକୁ ମିଳିବ ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ିଆ ଘାଟି ରାସ୍ତାରେ ଯିବା ବେଳେ ପାହାଡ଼ ତଳେ ବହି ଯାଉଥିବା ସାଲୁଙ୍କି ନଦୀର ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ। ହଁ, ଯଦି ଚାହିଁବେ କିଛି ବାଟ ଚାଲି ଚାଲି ଯାଇ ପ୍ରକୃତିର ନୀରବତାକୁ ବି ଆପଣ ଉପଭୋଗ କରିପାରିବେ। ଅନେକ ସ୍ଥାନରେ ଆପଣ ଦେଖିପାରିବେ ରାସ୍ତା ଉପରେ ପ୍ରବାହିତ ହେଉଥିବା ଅନେକଗୁଡ଼ିଏ ପାହାଡ଼ି ଝରଣା। ପାହାଡ଼ିଆ ରାସ୍ତାରେ ଯିବାବେଳେ ଆଖିରେ ପଡ଼ିବ ପୁତୁଡ଼ି ଜଳପ୍ରପାତ। ପ୍ରାୟ ୩୦ ଫୁଟ ଉଚ୍ଚତାରୁ ଏଠାରେ ପ୍ରବାହିତ ହୋଇ ତଳେ ପଡ଼େ ସାଲୁଙ୍କି ନଦୀ। ଏଇ ସ୍ଥାନରେ ସୌନ୍ଦର୍ଯ୍ୟକୁ ଭାଷାରେ ବର୍ଣ୍ଣନା କରାଯାଇ ପାରେନା।
ପୁତୁଡ଼ିରୁ ବାହାରି ଆଉ ମାତ୍ର ୭ କିଲୋମିଟର ଯିବା ପରେ ପଡ଼ିବ ଆଉ ଏକ ଭିନ୍ନ ଧରଣର ଜଳପ୍ରପାତ ଉର୍ମାଗଡ଼। ପାହାଡ଼ରୁ ପ୍ରାୟ ୨୫ ଫୁଟ ଉଚ୍ଚତାରୁ ପାଣି ପ୍ରବାହିତ ହୋଇ ପୁଣି ବିଭିନ୍ନ ସ୍ତର ଦେଇ ବହିଯାଏ ବହୁତ ଗଡ଼ାଣିଆ ଉପତ୍ୟକା ମଧ୍ୟକୁ। ଏଠିକାର ଜଳବାୟୁ ସ୍ୱାସ୍ଥ୍ୟକର ହୋଇଥିବାରୁ ଏହା ଏକ ଇକୋଟୁରିଜିମ୍ ସ୍ପଟ୍ ଭାବରେ ଜଣାଶୁଣା। ଯଦି ଏତିକିରେ ଆପଣଙ୍କ ମନ ସନ୍ତୁଷ୍ଟ ନହୁଏ, ତେବେ ନିକଟରେ ଅଛି ପକଡ଼ଝାଟର, କାଟ୍ରାମାଳ ପରି ଆହୁରି ଅନେକ ସୁନ୍ଦର ଜଳପ୍ରପାତ। ହାତରେ ଅଧିକ ଦିନ ସମୟ ଥିଲେ ଏସବୁ ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।
କନ୍ଧମାଳ ଜିଲ୍ଲାର ଏକ ସ୍ୱପ୍ନର ଇଲାକା ହେଉଛି ଦାରିଂବାଡ଼ି। ଏହାକୁ କେହି କେହି ଓଡ଼ିଶାର କାଶ୍ମୀର ବୋଲି କହନ୍ତି। ଫୁଲବାଣୀ ସହରରୁ ଦାରିଂବାଡ଼ି ଯିବା ବେଳେ ପୁଣି ଅନୁଭବ କରି ହେବ ସେଇ ସବୁଜିମା ଓ ଥଣ୍ଡା ପବନର ସ୍ପର୍ଶ। ଦାରିଂବାଡ଼ିରେ ପରିବେଶ ପର୍ଯ୍ୟଟନର ସବୁପ୍ରକାର ଉପଦାନ ରହିଛି। ଶୀତଦିନେ ଏହାର ତାପମାତ୍ରା ଏତେ ତଳକୁ ଖସି ଯାଏ ଯେ କାକର ସବୁ ବରଫ ପାଲଟେ। ଖରାଦିନେ ମଧ୍ୟ ଦାରିଂବାଡ଼ି ବେଶ୍ ଉପଭୋଗ୍ୟ।
ସହର ନିକଟରେ ଥିବା ପାହାଡ଼ ଶିଖରରେ ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ହିଲ୍ ଭ୍ୟୁ ପାର୍କ। କିଛି ସମୟ ଏହି ପାର୍କରେ ବସି ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଉଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆପଣ ଉପଭୋଗ କରିପାରିବେ।
ଦାରିଂବାଡ଼ିର ପ୍ରାକୃତିକ ପରିବେଶ ଏବଂ ଥଣ୍ଡା ଜଳବାୟୁକୁ ଆଖି ଆଗରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ପରୀକ୍ଷାମୂଳକ ଭାବରେ ଏଠାରେ କଫି ଓ ଗୋଲମରିଚ ଚାଷ ଆରମ୍ଭ କରାଯାଇଥିଲା। ଆଉ ଏବେ ଏହା ପାଲଟିଯାଇଛି ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ। ଦାରିଂବାଡ଼ିର ଏହି କଫି ବଗିଚାକୁ ନିଶ୍ଚୟ ଥରେ ବୁଲିଆସିବା ଉଚିତ୍। ଏଠାରେ ଫଳେ ଲାଲ ଓ ଗାଢ଼ ବାଇଗଣି ରଙ୍ଗର କଫି ଫଳ। ଖାଲି ସେତିକି ନୁହେଁ ତା’ପାଖରେ ଗୋଲ ମରିଚ ଲତାରେ ପେନ୍ଥା ପେନ୍ଥା ହୋଇ ଫଳିଥାଏ ସବୁଜ ରଙ୍ଗର କଞ୍ଚା ଗୋଲମରିଚ। ଦାରିଂବାଡ଼ିରୁ ଅମଳ ହେଉଥିବା କଫି ଆଉ ଗୋଲମରିଚର ଆଦର ଖୁବ୍ ବେଶି। ଏଠାରୁ ପ୍ରତିବର୍ଷ ପ୍ରଚୁର ପରିମାଣର ଗୋଲମରିଚ ଓ କଫି ରପ୍ତାନୀ ହୋଇଥାଏ।
ଦାରିଂବାଡ଼ିର ଆଉ ଏକ ଆକର୍ଷଣ ହେଉଛି ପାଇନ ଜଙ୍ଗଲ। ବହୁତ ଉଚ୍ଚା ଉଚ୍ଚା ପାଇନ ଗଛର ନିର୍ଜନ ଜଙ୍ଗଲ ଭିତରେ ବୁଲିବାର ମଜା ଅଲଗା। ଏହା ଦାରିଂବାଡ଼ିର ପ୍ରମୁଖ ଆକର୍ଷଣ। ବର୍ଷର ସବୁ ସମୟରେ ପାଇନ ଗଛ ଥାଏ ସବୁଜିମାରେ ଭରୁପୂର। ହଁ, ଝାଉଁଗଛ ପରି ପାଇନ ଗଛର ବି ଗୋଟେ ଶବ୍ଦ ଅଛି। ପବନ ବହିଲେ ସେଇ ଶବ୍ଦ ସୃଷ୍ଟି ହୁଏ। ଶୀତଦିନେ ପାଇନ ଜଙ୍ଗଲ ଭିତରେ ଘେରାଏ ବୁଲିଲେ ଆପଣଙ୍କୁ ସତରେ ସ୍ୱର୍ଗୀୟ ଅନୁଭୁତି ମିଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2015/07/SCENIC-BEAUTY-OF-KANDHMAL-2.png)
/odisha-reporter/media/post_attachments/wp-content/uploads/2015/07/PUTUDI-WATER-FALL-2.png)
/odisha-reporter/media/post_attachments/wp-content/uploads/2015/07/COFFE-PLANT-2.png)
/odisha-reporter/media/post_attachments/wp-content/uploads/2015/07/PAAINE-JUNGLE.png)