/odisha-reporter/media/post_attachments/uploads/2021/02/5bv.jpg)
5bv
ଭୁବନେଶ୍ୱର(ପ୍ରକାଶ ସେଠୀ): ଧାର୍ମିକ ସ୍ଥଳୀଗୁଡ଼ିକରେ ଭିତ୍ତିଭୂମି ବିକାଶ କରି ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୨୦୧୪-୧୫ ଆର୍ଥିକ ବର୍ଷରେ ‘ପ୍ରସାଦ’ ନାମକ ଯୋଜନା କାର୍ଯ୍ୟକାରୀ କଲେ । କିନ୍ତୁ ଧାର୍ମିକ ପର୍ଯ୍ୟଟନରେ ସମୃଦ୍ଧ ଓଡ଼ିଶା ଏହାର ଫାଇଦା ନେଇପାରୁନି। କେନ୍ଦ୍ର ସରକାର ଏହି ଯୋଜନାରେ ଶତପ୍ରତିଶତ ଅର୍ଥ ଦେଉଥିଲେ ମଧ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗର ତ୍ରୁଟି ଯୋଗୁ ଓଡ଼ିଶାକୁ ଗତ ୫ବର୍ଷ ହେଲା ‘ପ୍ରସାଦ’ରୁ ବଂଚିତ ହେବାକୁ ପଡ଼ିଛି । ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଓ ଏନ ଭାସ୍କର ରାଓଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତର ହିଁ ରାଜ୍ୟ ପର୍ଯ୍ୟଟନ ବିଭାଗର ଅପାରଗତାକୁ ପଦାରେ ପକାଇଛି।
ରାଜ୍ୟର ପ୍ରମୁଖ ଧାର୍ମିକ ପୀଠଗୁଡ଼ିକରେ ଭିତ୍ତିଭୂମି ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇ ଅର୍ଥ ବ୍ୟୟବରାଦ କରୁଥିଲେ ମଧ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗର ଅକ୍ଷମଣୀୟ ତ୍ରୁଟି ଯୋଗୁ କେନ୍ଦ୍ର ସରକାରଙ୍କଠୁ ‘ପ୍ରସାଦ’ ଯୋଜନାରେ ଅନୁଦାନ ଆଣିବାରେ ଓଡ଼ିଶା ବିଫଳ ରହିଛି। ‘ପ୍ରସାଦ’ ଯୋଜନାରେ ରାଜ୍ୟ ସରକାରମାନେ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ନିଜର ଧାର୍ମିକ ସ୍ଥଳୀଗୁଡ଼ିକର ଚିହ୍ନଟ କରି ତା’ର ବିକାଶ ନିମନ୍ତେ ଆବଶ୍ୟକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ। କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କଲେ ଶତପ୍ରତିଶତ ଅନୁଦାନ ମିଳିବ।
ମାତ୍ର ପରିତାପର ବିଷୟ, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ନିଜର ପ୍ରଥମ ବଜେଟ ୨୦୧୪-୧୫ ଆର୍ଥିକ ବର୍ଷରେ ଏହି ‘ପ୍ରସାଦ’ ଯୋଜନାରେ ପୁରୀର ଶ୍ରୀଜଗନ୍ନାଥ ଧାମ, ରାମଚଣ୍ଡୀ ଓ କାକଟପୁର ମା’ ମଙ୍ଗଳା ପୀଠରେ ଭିତ୍ତିଭୂମି ବିକାଶ ନିମନ୍ତେ କେନ୍ଦ୍ର ସରକାର ୫୦କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ଏହି ୩ଟି ଧାର୍ମିକ ପୀଠର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାର ହିଁ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରି ପ୍ରଥମ କିସ୍ତିରେ ୧୦କୋଟି ଟଙ୍କା ଅନୁଦାନ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଏହି ୧୦କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର(ୟୁସି) ଏପର୍ଯ୍ୟନ୍ତ ଦାଖଲ କରିପାରିନାହାନ୍ତି। ଯେଉଁଥିପାଇଁ କେନ୍ଦ୍ର ସରକାର ‘ପ୍ରସାଦ’ ଯୋଜନାରେ ବାକି ଅର୍ଥ ଦେଉନାହାନ୍ତି କି ରାଜ୍ୟ ସରକାରଙ୍କ ନୂଆ ପ୍ରସ୍ତାବ ଏହି ଯୋଜନାରେ ଅନୁମୋଦନ ହୋଇପାରୁନି।
ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଓ ଏନ୍ ଭାସ୍କର ରାଓଙ୍କ ଦ୍ୱାରା ‘ପ୍ରସାଦ’ ଯୋଜନାକୁ ନେଇ ପଚରାଯାଇଥିବା ପ୍ରଶ୍ନର ଆଜି ଲିଖିତ ଉତ୍ତର ଦେଇ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ୍ କହିଛନ୍ତି ଯେ, ‘ ପ୍ରସାଦ’ ହେଉଛି ଭାରତ ସରକାରଙ୍କ ଦ୍ୱାରା ୧୦୦ ପ୍ରତିଶତ ଅନୁଦାନ ଦିଆଯାଉଥିବା ସ୍କିମ୍। ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ପାଇଁ କର୍ପୋରେଟ୍ ସିଏସଆରର ଭାଗିଦାରୀ ନିମନ୍ତେ ଗାଇଡଲାଇନ ଅନୁମତି ଦିଏନାହିଁ। ଓଡ଼ିଶା ସରକାରଙ୍କ ଅନୁରୋଧରେ ପୁରୀ ଶ୍ରୀଜଗନ୍ନାଥ ଧାମ, ରାମଚଣ୍ଡୀ ଓ ପ୍ରାଚୀ ନଦୀ କୂଳରେ ଥିବା ଦେଉଳି ମଠର ଭିତ୍ତିଭୂମି ବିକାଶ ନିମନ୍ତେ ୫୦କୋଟି ଟଙ୍କାର ପ୍ରକଳ୍ପକୁ ୨୦୧୫ ଜାନୁୟାରୀ ମାସରେ ‘ପ୍ରସାଦ’ ଯୋଜନାରେ ଅନୁମୋଦନ କରାଯାଇଥିଲା। ପ୍ରଥମ କିସ୍ତିରେ ୧୦କୋଟି ଟଙ୍କା ଦିଆଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ଅର୍ଥର ବିନିଯୋଗ ପ୍ରମାଣପତ୍ର ପାଇନାହାନ୍ତି। ତୀର୍ଥସ୍ଥଳୀଗୁଡ଼ିକର ଭିତ୍ତିଭୂମି ବିକାଶ ନିମନ୍ତେ ‘ପ୍ରସାଦ’ ଯୋଜନା ଉଦ୍ଦିଷ୍ଟ । ରାଜ୍ୟ ସରକାରଙ୍କଠୁ ମିଳୁଥିବା ଅନୁରୋଧ ଓ ଆବଶ୍ୟକତା ଆଧାରରେ ହିଁ ଏହି ଯୋଜନାର ରୂପରେଖକୁ ଅନୁମୋଦନ ଦିଆଯାଇଥାଏ ବୋଲି ମନ୍ତ୍ରୀ ଶ୍ରୀ ପଟେଲ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ରାଜ୍ୟର ପ୍ରମୁଖ ଧାର୍ମିକ ପୀଠଗୁଡ଼ିକର ବିକାଶ ନିମନ୍ତେ ରାଜ୍ୟ ସରକାର ଏବେ ଗୁରୁତ୍ୱ ଦେଉଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି । ପ୍ରସାଦ ଯୋଜନାରେ ଏହି ସବୁ ଧାର୍ମିକ ପୀଠଗୁଡ଼ିକର ଭିତ୍ତିଭୂମି ବିକାଶ ସମ୍ଭବପରର ସମ୍ଭାବନା ଥିବାବେଳେ ରାଜ୍ୟ ରାଜକୋଷରୁ ଏତେ ପରିମାଣର ଅର୍ଥ କାହିଁକି ବ୍ୟୟ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ରାଜ୍ୟ ସରକାର ତୁରନ୍ତ ୟୁସି ଦାଖଲ କରି ଅନ୍ୟ ରାଜ୍ୟଗୁଡ଼ିକ ଭଳି ‘ପ୍ରସାଦ’ ଯୋଜନାରୁ ଫାଇଦା ନେବାର ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ, ଗଞ୍ଜାମର ତାରାତାରିଣୀ ପୀଠରେ ଭିତ୍ତିଭୂମି ବିକାଶ ନିମନ୍ତେ ଏବେ ରାଜ୍ୟ ରାଜକୋଷରୁ ମୋଟା ଅଙ୍କର ଅର୍ଥ ବ୍ୟୟ ହେଉଛି। ଅଥଚ ଏସବୁ ନିମନ୍ତେ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଯୋଜନା ‘ପ୍ରସାଦ’ରୁ ଫାଇଦା ନେବାକୁ ଓଡ଼ିଶା ସରକାର ଆଗ୍ରହ ଦେଖାଉନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
