/odisha-reporter/media/post_attachments/uploads/2015/08/12.jpg)
puri-malatipatapurabusstand
ପୁରୀ: ନବକଳେବରକୁ ଦୃଷ୍ଟିରେ ରଖି କୋଟି କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେଲା ପୁରୀ-ମାଳତୀପାଟପୁର ବସ୍ ଟର୍ମିନାଲ୍। ନବକଳେବର ରଥଯାତ୍ରା ସମୟରେ ଏହି ବସଷ୍ଟାଣ୍ଡରେ ଗହଳିଚହଳି ଲାଗି ରହିଥିଲା। ରଥଯାତ୍ରା ସରିଯିବା ପରେ ଏଠାକୁ ବସ ଆସିବା ମଧ୍ୟ ବନ୍ଦ ହୋଇଗଲା। ଏବେ ଓଏସଆରଟିସିର ଦୁଇଟି ବସକୁ ଛାଡ଼ି ଦେଲେ ଅନ୍ୟ ଯାନବାହାନ ଆସୁନାହିଁ। ଅନ୍ୟପକ୍ଷେ ପୁରୀ ସହରଠାରୁ ଦୂରରେ ବସ୍ ଟର୍ମିନାଲ କରାଯିବାକୁ ନେଇ ବିଭିନ୍ନ ମହଲରେ ବାରମ୍ୱାର ପ୍ରଶ୍ନ ଉଠୁଛି।
ପୁରୀ ସହର ଠାରୁ ୭ କିଲୋମିଟର ଦୂରରେ ପୁରୀ-ମାଳତୀପାଟପୁର ବସ୍ ଟିର୍ମିନାଲ୍ ନିର୍ମାଣ କରାଯାଇଛି। ୧୦ ଏକର ଜାଗାରେ ନିର୍ମିତ ଏହି ଟର୍ମିନାଲ ଲାଗି ସରକାର ୩୦ କୋଟି ଟଙ୍କା ବ୍ୟୟ କରିଛନ୍ତି।। ଯାତ୍ରୀଙ୍କ ପାଇଁ ଏହି ଟର୍ମିନାଲରେ ସମସ୍ତ ସୁବିଧା ଉପଲବ୍ଧ ରହିଛି। ହେଲେ ନବକଳେବର ଯାତ୍ରାପରେ ଏହି ଟର୍ମିନାଲ ଏବେ ଦୟନୀୟ ଅବସ୍ଥାରେ ପଡ଼ିଛି। ଦିନକୁ ଦୁଇଟି ସରକାରୀ ବସ୍ ଛାଡ଼ି ଦେଲେ ଅନ୍ୟ କୌଣସି ଯାନବାହାନ ଆସୁଥିବା ଦେଖିବାକୁ ମିଳୁନାହିଁ। ଓଏସଆରଟିସି ଏହି ଟର୍ମିନାଲର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି। ତଥାପି ସରକାରୀ ବସ୍ ମଧ୍ୟ ଟର୍ମିନାଲରେ ରହୁ ନ ଥିବା ଦେଖିବାକୁ ମିଳୁଛି।
ବସଷ୍ଟାଣ୍ଡକୁ କିପରି କାର୍ଯ୍ୟକ୍ଷମ କରାଯିବ ସେ ନେଇ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀ ବିଧାୟକ ମହେଶ୍ୱର ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର, ଆଇଜି ଆରପି କୋଚେ ଏବଂ ପରିବହନ ସଚିବ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ସେପ୍ଟେମ୍ୱର ୧୫ରୁ ତାଳବଣିଆରେ କୌଣସି ପର୍ଯ୍ୟଟକଙ୍କ ଗାଡ଼ି ନ ରହି ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ ପାଇଁ ନିଷ୍ପତ୍ତି ନିଆଯାଇଛି।
ପରିବହନ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନ ୩ ଏକର ଜାଗା ଦେବ। ଉକ୍ତ ଜାଗାରେ ପରିବହନ ବିଭାଗ ପକ୍ଷରୁ ଅଟୋନଗର, ଗ୍ୟାରେଜ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି। ତେବେ ପୁରୀ ବସଗୁଡିକ ଏହି ଟର୍ମିନାଲରୁ ଛାଡିବାକୁ ହେଲେ ୫ ବର୍ଷ ସମୟ ଲାଗିବ ବୋଲି ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ପୁରୀ-ମାଳତୀପାଟପୁରରେ ଥିବା ଏହି ଟିର୍ମିନାଲ୍ ନିର୍ମାଣ ପାଇଁ ୬ ମାସ ସମୟ ଲାଗିଥିଲା। ହେଲେ ଏବେ ଆଉ ୩ ଏକର ଜାଗାରେ ନିର୍ମିତ ହେବାକୁ ଥିବା ଅଟୋନଗର ପ୍ରକଳ୍ପ କେବେ ନିର୍ମାଣ ହେବ ଏବଂ ତାହା ଯାତ୍ରୀଙ୍କ ସୁବିଧାରେ କିଭଳି ଆସିବ ତାହା ଦେଖିବାକୁ ବାକି ରହିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2015/08/CHITQnpUkAA7gC5.jpg)
/odisha-reporter/media/post_attachments/wp-content/uploads/2015/08/CHITTgFVIAAddSs.jpg)