ମୃତ୍ୟୁର ଯନ୍ତା ଭିତରେ ଜଗନ୍ନାଥ ..ଜଗନ୍ନାଥ… ଡାକୁଥିଲି , ଆଉ ଶେଷରେ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୀଳାମୟଙ୍କ ପ୍ରତିଟି ଭକ୍ତିର ମୂଳମନ୍ତ୍ର ହେଉଛି ନିରୋଳା, ଅନାବିଳ, ହୃଦୟଭର୍ତ୍ତି ବିଶ୍ୱାସ। ସେଇ ବିଶ୍ୱାସରେ ଥିବ ଶବରୀର ଶ୍ରଦ୍ଧା, ଦ୍ରୌପଦୀଙ୍କ ନାଚାର ନିର୍ଭରଶୀଳତା, ଧ୍ରୁବଙ୍କ ନିଷ୍ଠା, ପ୍ରହ୍ଲାଦଙ୍କ ଅତୁଟ ବିଶ୍ୱାସ। ତା ସହ ଥିବ ନିଜକୁ ସମ୍ପୂର୍ଣ୍ଣ ଅର୍ପି ଦେବାର ଓ ନୁଆଁଇ ଦେବାର ବିନମ୍ର ବିହ୍ୱଳତା। ଏକ ବ୍ରାହ୍ମଣ ପରିବାରରେ ଜନ୍ମି ମୁଁ ଆବାଲ୍ୟରୁ ଏହା ହିଁ ଶିଖି ଆସିଛି। ମୋ ସୁଖ, ଶାନ୍ତିର ଶ୍ରେୟ ସବୁବେଳେ ସେଇ ଜଗନ୍ନାଥଙ୍କୁ ଦେଇ ଆସିଛି।

ମନରେ କୌଣସି ଅହଂଭାବ ନ ରଖି କେବଳ ଭକ୍ତିଭାବ ନେଇ କଥାଟିଏ ଲେଖୁଛି। ୧୯୭୭ ମସିହାରେ ମସିହାରେ ରାୟଚକ୍ରଧରପୁରରେ ଆମରି ଜାଗାରେ ପ୍ରଭୁ ଜଗନ୍ନାଥଙ୍କ ଦାରୁ ଚିହ୍ନଟ ହୋଇଥିଲା। ସେ ଖବର ଶୁଣିବା ମାତ୍ରେ ଆମ ପରିବାରରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ଇଚ୍ଛାମୟଙ୍କ ଇଚ୍ଛା ବିନା ତ ପତ୍ରଟିଏ ହଲେନି। ତାଙ୍କର କ’ଣ ଆମ ପ୍ରତି ଏତେ କୃପା ! ବିଶ୍ୱାସ ହେଉ ନ ଥିଲା। କିନ୍ତୁ ତାହା ସତ ଥିଲା।

ପରେ ପାରମ୍ପରିକ ବିଧିନୀତି ଅନୁସାରେ ସେହି ସ୍ଥାନରୁ ପ୍ରଭୁ ନିମ୍ବ ବୃକ୍ଷରୁ ଦାରୁ ରୂପ ନେଇ ନୀଳାଚଳ ଧାମକୁ ଫେରି ଯାଇଥିଲେ। ଏବେ ଏଇ ଘଟଣା ଉତ୍‌ଥାପନ କରିବାର ପ୍ରାସଙ୍ଗିକତା ଏଇଆ ଯେ, ଜଗନ୍ନାଥଙ୍କ ଦାରୁ ଆବିର୍ଭାବ ଆମ ଭିତରେ ଥିବା ଭକ୍ତି ଓ ବିଶ୍ୱାସକୁ ଆହୁରି ଉଜ୍ଜୀବିତ କରିଥିଲା। ଜୀବନରେ ତ ସୁଖ, ଦୁଃଖ ଲାଗି ରହିଛି, ତଥାପି ପ୍ରଭୁ ଯେଉଁ ଶାନ୍ତି, ଧୈର୍ଯ୍ୟ ଏବଂ ବୁଝାମଣା ଭାବ ଟିକକ ଦେଇଛନ୍ତି, ତାହା ତାଙ୍କର କରୁଣା ବୋଲି ଭାବି ନେଇଛୁ। ଉତ୍ତପ୍ତ ଖରାକୁ ସାମ୍ନା କରିବାର ଭୟ ନ ଥାଏ କିମ୍ବା ଝଡ଼ର ଆଶଙ୍କା ବିଚଳିତ କରି ନଥାଏ। ତେଣୁ ନିତିଦିନିଆ ଜୀବନର ପ୍ରତିଟି ସଫଳତାର ଶ୍ରେୟ ତାଙ୍କୁ ହଁ ଦେଇ ଆସିଛୁ, ପ୍ରତିଟି ସମସ୍ୟାର ସମାଧାନ ତାଙ୍କର ଆଶୀର୍ବାଦ ବୋଲି ଭାବି ଆସିଛୁ।

ସେମିତି ଏକ ବିପଜ୍ଜନକ ଘଟଣା ସମ୍ପର୍କରେ କହିବି, ଯେଉଁ ବିପଦ ମୋ ପରିବାରର ମୋଡ଼ ବଦଳାଇ ଦେଇଥାନ୍ତା। କିନ୍ତୁ ସେଇ ଜଗନ୍ନାଥ ହିଁ ସେଥିରୁ ମୋତେ ଉଦ୍ଧାର କରିଛନ୍ତି।

୧୯୯୯ ମସିହା ଅକ୍ଟୋବରର ମହାବାତ୍ୟା ପରବର୍ତ୍ତୀ ସମୟ। ବାତ୍ୟା ପରେ ଚାରିଆଡ଼ ଧ୍ୱସ୍ତ ବିଧ୍ୱସ୍ତ। ଖାଦ୍ୟ, ପାନୀୟ, ଲାଇଟ୍‌ କିଛି ନ ଥାଏ। ତଥାପି ରାଜଧାନୀ ବୋଲି ଭୁବନେଶ୍ୱରରେ ୮/୧୦ ଦିନ ପରେ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା। ହେଲେ ଆମ ଗାଁ ରାୟଚକ୍ରଧରପୁରର ଖବର କିଛି ଜଣା ପଡ଼ୁ ନ ଥାଏ। ତେଣୁ ବ୍ୟସ୍ତ ହୋଇ ଦୀପାବଳି ଅମାବାସ୍ୟା ଦିନ ଗାଁକୁ ବାହାରିଲି। ପିଲାମାନେ ବାହାରୁଥିଲେ ଯେ, ମନା କରିଥିଲି। କାରଣ ସେଠାରେ ଅବସ୍ଥା କ’ଣ କିଛି ଜଣାନାହିଁ। ସେମାନେ କାହିଁକି ଯାଇ ହଇରାଣ ହେବେ ? ସ୍ୱାମୀ ନେଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପୁରୀ ବସ୍‌ରେ ବସାଇ ଦେଲେ। ବସରେ ପ୍ରବଳ ଭିଡ଼ ଥିଲା। ପ୍ରାୟ ଦେଢ଼ ଘଣ୍ଟା ପରେ ବସ୍‌ ପହଞ୍ଚିଲା ଗଙ୍ଗୁଆ ବ୍ରିଜ ପାଖରେ।

ହେଲେ କିଏ ଜାଣିଥିଲା ସେଠାରେ ଏତେ ବଡ଼ ଏକ ବିପଦ ମୋତେ ଚାହିଁ ବସିଛି ବୋଲି? ବ୍ରିଜ ପାଖରେ ସାମ୍ନାରୁ ଆସୁଥିବା ବସ୍‌ଟିକୁ ରାସ୍ତା ଛାଡ଼ି ଦେଇ ଆମ ବସ୍‌ର ଡ୍ରାଇଭର ଟିକେ ବାଁ କଡ଼କୁ ଗାଡ଼ି ନେଇଗଲେ। ଫଳରେ ଝୁଲି ରହିଥିବା ଇଲେକ୍ଟ୍ରି ତାର ବସ୍‌ ଛାତରେ ଥିବା ହୁକ୍‌ରେ ଗଳି ଅଟକି ଗଲା। ସାରା ବସ୍‌ ଇଲେକ୍ଟ୍ରି ଚାର୍ଜ ହୋଇଗଲା। ଆଗ ସିଟ୍‌ରୁ ଧୁଆଁ ବାହାରୁଥାଏ। ସମସ୍ତେ ଠେଲାପେଲା ହୋଇ ଓହ୍ଲାଇବାକୁ ଲାଗିଲେ। ମୁଁ ମ ମଧ୍ୟ ମୋର ବ୍ୟାଗ୍‌ଟିକୁ ଉଠାଇବାର ଅବସର ନ ପାଇ ସମସ୍ତଙ୍କ ଭଳି ତରତର ହୋଇ ଓହ୍ଲାଇବା ଚେଷ୍ଟାରେ ରହିଲି। କେବଳ ଜଗନ୍ନାଥଙ୍କୁ ଧନ୍ୟବାଦ ଦେଉଥାଏ ଯେ, ଯାହା ହେଉ ମୋ ସହ ପିଲା ବା ସ୍ୱାମୀ କେହି ନାହାନ୍ତି।

ଠିକ୍‌ ଏତିକିବେଳେ ଠେଲାପେଲାରେ ମୋ ପାଦରୁ ଚପଲ ଖସିଗଲା। ଫଳରେ ମୋତେ କରେଣ୍ଟ ଆଘାତ ଲାଗିଥିଲା। କେହି ବିଶ୍ୱାସ କରିବେନି, ସେଇ ଆଘାତ କେତେ କଷ୍ଟଦାୟକ ଥିଲା ! ଓଦା ଲୁଗା ମୋଡ଼ି ପାଣି ବାହାର କଲା ଭଳି କେଉଁ ଶକ୍ତି ଯେମିତି ଶରୀରକୁ ମୋଡ଼ି ଜୋର୍‌ରେ ଚିପୁଡ଼ି ଦେଉଛି। ଅସହ୍ୟ କଷ୍ଟ ଯୋଗୁ ମୁଁ କେବଳ ଜଗନ୍ନାଥ ଜଗନ୍ନାଥ ବୋଲି ପ୍ରବଳ ଚିତ୍କାର କରୁଥାଏ। ଅକସ୍ମାତ ଅନୁଭବ କଲି ମୋ ଦେହ ହାଲ୍‌କା ହୋଇଗଲା। ମୁଁ ନିଜକୁ ଆବିଷ୍କାର କଲି ବସ୍‌ ତଳେ। ରାସ୍ତା କଡ଼ରେ। ବୁଝିପାରିଲି, ମୁଁ ବଞ୍ଚିଛି। ଭାବିଲି, କେମିତି ଏମିତି ହେଲା ? ଏହି କ’ଣ ସତରେ ଭଗବତ୍‌ କୃପା ? ଡାକ୍ତରଖାନାରୁ ପ୍ରାଥମିକ ଚିକିତ୍ସା ପରେ ଜଣେ ବନ୍ଧୁଙ୍କ ସହାୟତାରେ ଘରକୁ ଫେରିଲି। ଏହି ଘଟଣା ଯିଏ ଶୁଣିଲା, ସମସ୍ତଙ୍କ ମୁହଁରେ ବି ଥିଲା ସେଇ ଗୋଟିଏ କଥା-‘ ଏମିତି ଅନିବାର୍ଯ୍ୟ ମୃତ୍ୟୁ ମୁହଁରୁ କ’ଣ କେହି କେବେ ଫେରିପାରେ ? ସତରେ ଜଗନ୍ନାଥଙ୍କୁ ଡାକିବା ଯୋଗୁ ତୁମେ ଫେରି ଆସିଲ।’