ମା’ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ଖସିପଡିଲା ନାକୁଆସି, ଆଉ ତା ପରେ...

୨୦୧୭ ଅକ୍ଟୋବର। ଦଶହରା ସମୟ। ଏକ ନିର୍ଦ୍ଦିଷ୍ଟ କାମରେ ମୁଁ ତାଳଚେରରେ ଥାଏ। ସେଦିନେ କାଇଁ କେଜାଣି ଇଚ୍ଛା ହେଲା କାଳିଆ ଦର୍ଶନ କରିବାକୁ। ହେଲେ ଶ୍ରୀକ୍ଷେତ୍ର ଯିବା ସମ୍ଭବ ହେବନି। ତେଣୁ କେମିତି ମହାପ୍ରଭୁଙ୍କୁ ଦର୍ଶନ କରିବି? ଏହି କଥା ମନେ ମନେ ଭାବୁଥାଏ। ଠିକ୍‌ ଏତିକି ବେଳେ ଫୋନ୍ କଲା ମୋର ପିଲାଦିନର ବନ୍ଧୁ ଚଗୁଲୁ। ଫୋନ ପାଇ ତା’ ପାଖକୁ ଚାଲିଗଲି। ହେଲେ ମନ ଅଟକିଛି କାଳିଆ ପାଖରେ। ଯେଉଁ କାମରେ ଆସିଥିଲି, […]

OTV

Mihir Pattnayak
  • Published: Monday, 01 July 2019
  • , Updated: 01 July 2019, 10:52 PM IST

୨୦୧୭ ଅକ୍ଟୋବର। ଦଶହରା ସମୟ। ଏକ ନିର୍ଦ୍ଦିଷ୍ଟ କାମରେ ମୁଁ ତାଳଚେରରେ ଥାଏ। ସେଦିନେ କାଇଁ କେଜାଣି ଇଚ୍ଛା ହେଲା କାଳିଆ ଦର୍ଶନ କରିବାକୁ। ହେଲେ ଶ୍ରୀକ୍ଷେତ୍ର ଯିବା ସମ୍ଭବ ହେବନି। ତେଣୁ କେମିତି ମହାପ୍ରଭୁଙ୍କୁ ଦର୍ଶନ କରିବି? ଏହି କଥା ମନେ ମନେ ଭାବୁଥାଏ। ଠିକ୍‌ ଏତିକି ବେଳେ ଫୋନ୍ କଲା ମୋର ପିଲାଦିନର ବନ୍ଧୁ ଚଗୁଲୁ। ଫୋନ ପାଇ ତା’ ପାଖକୁ ଚାଲିଗଲି। ହେଲେ ମନ ଅଟକିଛି କାଳିଆ ପାଖରେ।

ଯେଉଁ କାମରେ ଆସିଥିଲି, ତାହା ହେଲା ନାହିଁ। ତାକୁ ନେଇ ମନ ଭିତରେ ଘାଣ୍ଟି ହେଉଥିଲା। ସେଥିପାଇଁ ମନ ଦୁଃଖରେ ମୋ ସାଙ୍ଗ ଚଗୁଲୁକୁ କହିଲି, ‘‘ଚାଲ ମତେ  ବସ୍ ଷ୍ଟାଣ୍ଡରେ ଛାଡ଼ିଦେ, ମୁଁ ଭୁବନେଶ୍ୱର ପଳେଇବି।

ସେ କହିଲା, ‘‘ଆରେ ତୁ ଆଜି ଦିନକ ଅନ୍ତତଃ ରହିଯାଆ। କାଲି ସକାଳେ ଯିବୁ। ତେଣୁ କାହିଁକି ତରତର ହେଉଛୁ।  ତା ଛଡା ଆଜିତ ତୋର ଅଫିସ ନାହିଁ। କାଇଁ ତରବର ହଉଛୁ। ମୁଁ ମନା କଲି। ସେ କହିଲା ତେବେ ଠିକ‌୍‍ ଅଛି ତେବେ ଚାଲ‌୍‍ ଟିକେ କାଳିଆ ଦର୍ଶନ କରିବା। ମନଟା ହାଲକା ଲାଗିବ।

ଚଗୁଲୁର କଥାରେ ଆମେ ବାହାରିଲୁ ଠାକୁର ଦର୍ଶନରେ। ହେଲେ ପୁରୀ ଯାଇ ଫେରିବା ସମ୍ଭବ ହେବନି। ତେଣୁ ନିଷ୍ପତ୍ତି ନେଲୁ ତାଳଚେର ଜଗନ୍ନାଥ କଲୋନୀରେ ନୂଆ କରି ତିଆରି ହୋଇଥିବା ଜଗନ୍ନାଥ ମନ୍ଦିରକୁ ଯିବୁ। ସେଠାରେ ମୋର ଆଉ ଜଣେ ସାଙ୍ଗ ଦୀପକ ସହ ଦେଖା ହେଲା। ତା’ପରେ ଆମେ ତିନି ଜଣ ଚାଲିଲୁ ଜଗନ୍ନାଥ ଦର୍ଶନ କରିବା ପାଇଁ। ମନ୍ଦିରରେ ପହଞ୍ଚିଲୁ। ଚକା ଆଖିରେ ଲାଖିଗଲା ମନ...।

ଦ୍ୱି’ ପ୍ରହର ସମୟ, ମନ୍ଦିରରେ ପହଞ୍ଚିି ଶ୍ରୀଜୀଉମାନଙ୍କୁ ସାଷ୍ଠାଙ୍ଗ ପ୍ରଣିପାତ କଲୁ। ନିରୋଳାରେ ବସି ରହିଲୁ। କାଳିଆର ଶୁକ୍ଳପଦ୍ମ ଡୋଳାରେ ଯେମିତି ସେଦିନ ମନ ଛନ୍ଦି ହୋଇଯାଉଥାଏ। ଅଜାଣତରେ ଆଖିରୁ ଝରିପଡୁଥାଏ ଲୁହ। ମହାପ୍ରଭୁଙ୍କୁ ପାଖରେ ଦେଖି ମୋ ଆଖିରେ ପଲକ ପଡୁ ନ ଥାଏ। ଲାଗୁଥାଏ ଯେମିତି ମହାବାହୁ ହାତଖୋଲି ଡାକୁଛି। ଆଉ ଆମେ ତାଙ୍କ ନିର୍ଦ୍ଦେଶରେ ଏଠିକୁ ଆସିଛୁ। ମନର କ୍ଲାନ୍ତି, ଚିନ୍ତା, ଦୁଃଖ ଓ ଅବସାଦ ସବୁ ଯେମିତି ଦୂର ହୋଇଗଲା।

କାଳିଆ ପ୍ରେମରେ ଆମେ ଏକାତ୍ର ହୋଇଯାଇଥିଲୁ। ସେତେବେଳେ ମନ୍ଦିରରେ ଆମ ତିନିଜଣଙ୍କ ବ୍ୟତୀତ ଆଉ କେହି ନ ଥିଲେ। ମନ୍ଦିର ପୂଜକ କୈଳାଶ ନନା ମଧ୍ୟ କେଉଁ କାରଣରୁ ମନ୍ଦିର ବାହାରକୁ ଯାଇଥିଲେ। ଏହି ସୁଯୋଗରେ ଆମେ ଗର୍ଭଗୃହକୁ ପ୍ରବେଶ କଲୁ। କ୍ୟାମେରା ଓ ମୋବାଇଲ ମନ୍ଦିରକୁ ମନା ହୋଇଥିବା ବେଳେ ଆମେ ଠାକୁରଙ୍କ ଫଟୋ ଉଠାଇ ଚାଲିଲୁ। କାଳେ କିଏ ଦେଖିଦେବେ ସେ ଭୟ ବି ଥାଏ। କିନ୍ତୁ ଅମାନିଆ ମନ ମାନିଲାନି। କାଳିଆ ବନ୍ଧା ପଡିଲା ଆମ ମୋବାଇଲ ପରଦାରେ। ଖାଲି ସେତିକି ନୁହଁ, ଆମେ କାଳିଆ ସହିତ ସେଲ୍ଫି ନେଲୁ! କି ଦୃଷ୍ଟତା ଆମର ଦେଖ ତ !

ସେତେବେଳେ ଲାଗୁଥିଲା ଯେମିତି ସେଇଟା ଜଗନ୍ନାଥ ମନ୍ଦିର ନୁହେଁ, ଆମ ନିଜ ଘର। ଆଉ ଜଗନ୍ନାଥ ମହାପ୍ରଭୁ ନୁହଁନ୍ତି ସେ ଆମ ବନ୍ଧୁ । ଯିଏକି ଆମକୁ କହୁଥାନ୍ତି ‘‘ଆସ ମୋ ପାଖକୁ ଆସ ମୋର ପାଖରେ ଫୋଟ ଉଠାଅ।’’

ସେହି ସମୟରେ ମୋର ସାଙ୍ଗ ଚଗୁଲୁ ମନ୍ଦିର ଗର୍ଭଗୃହ ଭିତରୁ ବାହାରି ଆସୁଥାଏ। ତାର ମନରେ ଆଶଂକା ଥାଏ, କି ମନ୍ଦିର ନାନା କେଉଁ ମୂହୁର୍ତ୍ତରେ ମନ୍ଦିରକୁ ଆସି ଯାଇ ପାରନ୍ତି। ଆଉ ଆଶଙ୍କା ଥାଏ କେହି ଆମକୁ ଦେଖୁନାହିଁ ତ। ମନରେ ଭୟ ବି ଥାଏ, କାରଣ ମନ୍ଦିର ବାହାରେ ସିକ୍ୟୁରିଟି ଗାର୍ଡ। ଯଦି ଆମକୁ କେହି ଫଟୋ ଉଠାଉଥିବାର ଦେଖିଥିବ ତା ହେଲେ ଦଣ୍ଡିତ ହେବୁ। ସୌଭାଗ୍ୟକୁ କେହି ଦେଖିଲେନି। ଆମେ ତିନିହେଁ ଗର୍ଭଗୃହରୁ ବାହାରି ମନ୍ଦିର ପ୍ରାଙ୍ଗଣକୁ ଆସିଲୁ। ଆଉ ଠିକ‌୍‍ ଏହି ମସୟରେ ଯାହା ଘଟିଲା, ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ହଠାତ‌୍‍ ମା’ ସୁଭଦ୍ରାଙ୍କ ମାଥାମଣି ସହ ଫୁଲ ନାକୁଆସି ତଳକୁ ଖସି ପଡିଲା। ଆମେ ଆଶ୍ଚର୍ଯ୍ୟ। ଏହା ଦେଖିବା ପରେ ମନରେ ଗୋଟିଏ ଶଙ୍କ ଆସିଲା। ମନ୍ଦିର ଭିତରେ ପଶି ଆମେ କିଛି ଭୁଲ୍ କରିଦେଲୁ କି?

ଫଟୋ ଉଠାଇବା କଥାକୁ ଆମେ ଏଥର ସିରିୟସ୍ ଭାବି ନେଇଥାଉ। ଆଖି ସାମ୍ନାରେ ମା’ ସୁଭଦ୍ରାଙ୍କ ମଥାମଣୀ ପଡିବା ଆମକୁ ଅପରାଧୀ ବନେଇ ଦେଲା। ଆମେ ନିଜକୁ ବଡ ପାପି ବୋଲି ଭାବିଲୁ। ଆଉ ସେତେବେଳେ ମୋ ଆଖିକୁ ଲୁହ ଆସି ଯାଇଥାଏ। ଏସବୁ ଭାବନା ଭିତରେ ମନ୍ଦିର ପୂଜକ ପ୍ରବେଶ କଲେ। ଆଉ ଗର୍ଭଗୃହକୁ ପ୍ରବେଶ କରି କାଳିଆଠାରୁ ତୁଳସୀ ଆଣି ଆମକୁ ଦେଲେ। ସେତେବେଳେ ପୂଜକ ଏସବୁ ବିଷୟରେ କିଛି ଅବଗତ ନ ଥିଲେ। ବୋଧେ ସେତେବେଳେ ତାଙ୍କର ଦୃଷ୍ଟି କେବଳ କାଳିଆ ଉପରେ ହିଁ ଥିଲା। ପାଦୁକ ଓ ତୁଳସୀ ପ୍ରଦାନ ପରେ ପୂଜକ ଆମକୁ ପଚାରୁଲେ କେଉଁଠୁ ଆସିଛ, କେତେବେଳୁ ଆସିଲଣି?

ସେତେବେଳକୁ ମୋ ଆଖିରୁ ଲହୁ ବହି ଆସିଥାଏ। ପୂଜକ ପଚାରିଲେ କ’ଣ ହୋଇଛି। କାନ୍ଦୁଛ କଣ ପାଇଁ ?

ମୁଁ କାନ୍ଦ କାନ୍ଦ ମୁହଁରେ ମା’ ସୁଭଦ୍ରାଙ୍କର ମଥାମଣୀ ଓ ଫୁଲ ନାକୁଆସି ଖସିଥିବା କଥା କହିଲି। ଆମେ ବଡ ଅପରାଧୀ, ଆମକୁ ମହାପ୍ରଭୁ ଦଣ୍ଡ ଦିଅନ୍ତୁ, ଆମେ କାଳିଆ ସହ ଏମିତି ଥଟାମଜା କରିବା ଠିକ‌୍‍ ହେଲାନି ବୋଲି ନିଜକୁ ନିଜେ ଭର୍ତ୍ସନା କରି କରୁଥିଲୁ। ଏହା ଭାବି ଆମେ ନନାଙ୍କ ପାଦତଳେ ପଡିଗଲୁ। କହିଲୁ ଆମକୁ କ୍ଷମା କରନ୍ତୁ ମହାପ୍ରଭୁ। ଏ କଥା ଶୁଣି ନନାଙ୍କ ଆଖି ମଧ୍ୟ ଛଳ ଛଳ ହୋଇଗଲା।

ନାନା କହିଲେ ହେ କାଳିଆ... ତୋର ଏ କି ଲୀଳା ଯାହା ଆଜି ପର୍ଯ୍ୟନ୍ତ କେବେ ହୋଇ ନ ଥିଲା, ତାହା ଆଜି ହୋଇଗଲା। ତା’ପରେ ଆମକୁ ଚାହିଁ ନନା କହିଲେ... ‘‘ତୁମେମାନେ କି ପୂଣ୍ୟ କରିଥିଲ କିରେ। ଆଜିକୁ ୩୦ ବର୍ଷ ହେବ ମୁଁ ମହାପ୍ରଭୁଙ୍କ ପୂଜା ଓ ସେବା କରିଆସୁଛି। କିନ୍ତୁ ମହାପ୍ରଭୁଙ୍କ ଏହି ସାନିଧ୍ୟ ମୁଁ ପାଇ ନ ଥିଲି। ଆଜି ତୁମେମାନେ ଏହି ସାନିଧ୍ୟ ପ୍ରାପ୍ତ ହୋଇଛ । ମା’ ସୁଭଦ୍ରାଙ୍କ ମଥାମଣୀ ଏବଂ ନାକୁଆସି ତୁମ ଆଖି ସାମ୍ନାରେ ଖସିବା ବଡ଼ ସୌଭଗ୍ୟର କଥା। ତାହା ତୁମେମାନେ କଳ୍ପନା କରିପାରିବ ନାହିଁ। ତୁମେ ମାନେ ବଡ ପୂଣ୍ୟବାନ, ମହାପ୍ରଭୁଙ୍କ ଭକ୍ତ । କାଳିଆର ଅଜସ୍ର କରୁଣା ତମ ଉପରେ ସବୁଦିନ ରହିଥାଉ। ଏହା ଶୁଣି ଆମେ ଅବାକ୍ ହୋଇଗଲୁ।

ମହାପ୍ରଭୁଙ୍କ କୃପା ଏତିକିରେ ସରି ନ ଥିଲା। ମହାପ୍ରଭୁ ଆମକୁ ଏକ ଉପହାର ଦେଲେ ନନାଙ୍କ ମଧ୍ୟମରେ। ତାହା ଥିଲା ମା’ ସୁଭଦ୍ରାଙ୍କ ତଳେ ପଡି ଯାଇଥିଲା ଫୁଲ ନାକୁଆସି। ନନା କହିଲେ ମା ସୁଭଦ୍ରାଙ୍କ ନାକୁଆସିର ଆଧିକାରୀ ହେଉଛି ତୁମେମାନେ। ଗୋଟିଏ ନାକୁଆସି। ଆମେ ତିନିଜଣ ଗୋଟିଏ ନାକୁଆସିକୁ କେମିତି ଭାଗ ଭାଗ କରିବୁ। ମୁଁ ଭାବୁଥାଏ ଭାଗ ଭାଗ କରିନେବା ଠିକ୍‌ ହେବନି। ଏହି ସମୟରେ ନନା କହିଲେ ତୁମ ତିନି ଜଣଙ୍କୁ ତିନୋଟି ନାକୁଆସି ମିଳିବ। ଶ୍ରୀ ଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ସୁଭଦ୍ରାଙ୍କ ନାକୁଆସି ତୁମ ତିନି ଜଣଙ୍କୁ ମିଳିବ।

ରାତିରେ ଯେତେବେଳେ ଶ୍ରୀଜୀଉମାନେ ବିଶ୍ରାମ ନେବେ ମୁଁ ତୁମମାନଙ୍କ ପାଇଁ ଶ୍ରୀଜୀଉମାନଙ୍କ ଉଲାଗି ନାକୁଆସି ସ୍ୱତନ୍ତ୍ର ଭାବେ ରଖିଦେବି। କାରଣ ଏହି ନାକୁଆସି ଉପରେ କେବଳ ତୁମର ଅଧିକାର ଅଛି। ତୁମେ ରାତିରେ ଆସି ମୋ ପାଖରୁ ସେହି ନାକୁଆସି ନେଇଯିବ। ରାତି ବଡ଼ସିଂହାର ଯାଏଁ ଆମେ ଅପେକ୍ଷା କରି ରହିଲୁ। ଠାକୁରଙ୍କ ମଇଲମ ପରେ ତିନୋଟି ନାକୁଆସି ଗ୍ରହଣ କରି ଅତି ଖୁସିରେ ଫେରିଲୁ।

ଆଉ ଜାଣିଗଲୁ, କାଳିଆକୁ ଦେଖିବାକୁ ପୁରୀ ଯିବାକୁ ପଡେନି ମ ! ଡୋରି ଲାଗିଲେ ସେ ଆସି ପାଖରେ ପହଞ୍ଚନ୍ତି।

Related story