‘ଅପରେସନ୍ ଟ୍ରାଇଡେଣ୍ଟ୍’- ଜଳକା ହୋଇଥିଲା ସାରା ବିଶ୍ୱ

NavyDay

NavyDay

Hemant Lenka
  • Published: Sunday, 04 December 2022
  • Updated: 04 December 2022, 07:07 AM IST

୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥାଏ। ବାଂଲାଦେଶ ଗଠନ ପାଇଁ ପାକିସ୍ତାନ ସେନାର କଡ଼ା ମୁକାବିଲା କରୁଥିଲା ଭାରତୀୟ ସେନା। ଏହି ଯୁଦ୍ଧରେ ଭାରତ ଜିତିଥିଲା ଓ ବାଂଲାଦେଶ ଗଠନ ହୋଇଥିଲା। ଏହି ଯୁଦ୍ଧରେ ଭାରତୀୟ ନୌସେନାର ଭୂମିକା ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଛି।

୧୯୪୭ ମସିହାରେ ଭାରତ ଓ ପାକିସ୍ତାନ ଅଲଗା ହୋଇଯାଇଥିଲେ ମଧ୍ୟ ପୂର୍ବ ଭାଗକୁ ନେଇ ଦୁଇ ଦେଶ ମଧ୍ୟରେ ଜାରି ରହିଥିଲା ତିକ୍ତତା। ଏହି ତିକ୍ତତା ୧୯୭୧ ମସିହାରେ ନେଇଥିଲା ଭୟଙ୍କର ରୂପ। ଭାରତ ଓ ପାକ୍ ସେନା ହୋଇଥିଲେ ମୁହାଁମୁହିଁ। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ହିଁ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଭାରତୀୟ ନୌସେନା ପକ୍ଷରୁ ହୋଇଥିଲା ବ୍ୟାପକ ପ୍ରସ୍ତୁତି।

ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ସମସ୍ତଙ୍କୁ ଚକମା ଦେଇ କରାଚି ବନ୍ଦର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ଏହି ମିସନ ପାଇଁ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଅଧୀନରେ ଏକ ଷ୍ଟ୍ରାଇକ୍ ଗ୍ରୁପ୍ ଗଠନ କରାଯାଇଥିଲା। କରାଚି ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଡିସେମ୍ବର ୪ ତାରିଖରେ ଆରମ୍ଭ ହୋଇଥିଲା ଅପରସେନ ଟ୍ରାଇଡେଣ୍ଟ।

ଆଇଏନ୍‌ଏସ୍‌ ନିପାତ, ଆଇଏନ୍‌ଏସ୍‌ ନିର୍ଘାତ, ଆଇଏନ୍‌ଏସ୍‌ ବୀର, ଆଇଏନ୍‌ଏସ୍‌ କିଲଟାନ, ଆଇଏନ୍‌ଏସ୍‌ କାଚାଲ ଓ ଏକ ଜାହାଜ ଟ୍ୟାଙ୍କର୍‌ ଏମ୍‌ଭି ଶୁକ୍ର ଚ୍ୟାଲେଞ୍ଜର୍‌କୁ ନେଇ ଗଠିନ ହୋଇଥିଲା ଟିମ।

ଆଇଏନ୍‌ଏସ୍‌ ନିପାତ ଦୁଇଟି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଥିଲା। ସେଥିମଧ୍ୟରୁ ପ୍ରଥମଟି କରାଚି ବନ୍ଦରରେ ଥିବା ତେଲ ଟାଙ୍କି ଓ ରିଫାଇନାରୀକୁ ଧ୍ୱଂସ କରିଦେଇଥିଲା।

ଭାରତୀୟ ନୌସେନାର ଏହି ହମଲାରେ ଦୋହଲି ଯାଇଥିଲା ପାକିସ୍ତାନ। ପାକିସ୍ତାନର ପ୍ରମୁଖ ଯୁଦ୍ଧ ତୋପ ଅକାମୀ ହୋଇଯାଇଥିଲା। ଭାରତୀୟ ନୌସେନା କରାଚିର ଗୋଟିଏ ପାଖକୁ ସିଲ୍‌ କରି ଦେଇଥିଲା ଓ ବାଣିଜ୍ୟିକ ଯାତାୟାତ ବନ୍ଦ କରିଥିଲା। ଭାରତୀୟ ନୌସେନାର ଏହି ଅଦମ୍ୟ ସାହାସ ଓ ରଣକୌଶଳକୁ ସବୁଦିନ ପାଇଁ ମନେରଖିବାକୁ ପ୍ରତିବର୍ଷ ଡିସେମ୍ବର ୪ରେ ପାଳନ କରାଯାଉଛି ‘ନୌସେନା ଦିବସ’ ବା ‘ନାଭି ଡେ’।

ଚଳିତ ବର୍ଷ ନୌସେନା ଦିବସରେ ବିଶାଖାପଟନମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ। ଆର୍ମଡ ଫୋର୍ସର ସୁପ୍ରିମ କମାଣ୍ଡର ରାଷ୍ଟ୍ରପତି ମୁର୍ମୁ ବିଶାଖାପନମର ରାମକୃଷ୍ଣ ବିଚ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିସହ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ପରିବହନ ମନ୍ତ୍ରଣାଳୟ ସହ ମିଶି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ।

ରାଷ୍ଟ୍ରପତି ମୁର୍ମୁ ଆନ୍ଧ୍ରର କୁରନୁଲ ଜିଲ୍ଲାରେ ନ୍ୟାଶନାଲ ଓପନ ଏୟାର ରେଞ୍ଜ ଓ କ୍ରିଷ୍ଣା ଜିଲ୍ଲାରେ ଭାରତ ଇଲେକ୍ଟ୍ରୋନିକ୍ସ ଲିଃ ଆଡଭାନ୍ସଡ ପ୍ରଡକ୍ଟ ଫ୍ୟାକ୍ଟ୍ରୀ ଉଦଘାଟନ କରିବେ।

ଭାରତୀୟ ନୌସେନା ଦେଶର ସାମରିକ ଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।। ଦେଶର ସାମୁଦ୍ରିକ ସୀମା ସୁରକ୍ଷା କରିବାରେ ନୌସେନାର ଯବାନମାନେ ନିୟୋଜିତ। ଭାରତର ଅନ୍ତର୍ଜାତୀୟ ସମ୍ପର୍କକୁ ମଜବୁତ କରିବାରେ ଭାରତୀୟ ନୌସେନାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ୧୯୭୧ରେ ଭାରତୀୟ ସେନା ସ୍ୱଳ୍ପ ସମ୍ବଳରେ ନିଜର ପରାକ୍ରମ ଦେଖାଇଥିଲା। ହେଲେ ସମୟ ବିତିବା ସହ ଭାରତୀୟ ନୌସେନା ଆହୁରି ଶକ୍ତିଶାଳୀ ହୋଇଛି। ବର୍ତ୍ତମାନ ଭାରତୀୟ ନୌସେନା ପାଖରେ ଅନେକ ପ୍ରକାରର ଉନ୍ନତ ଜ୍ଞାନକୌଶଳରେ ସୁଖଚିତ ଯୁଦ୍ଧ ଜାହାଜ, ବୁଡ଼ାଜାହାଜ ଓ ଆଟାକିଂ ମିସାଇଲ ରହିଛି। ଯଦି ବିଶ୍ୱର ବିଭିନ୍ନ ଦେଶର ନୌସେନାର ଶକ୍ତିକୁ ଆକଳନ କରାଯାଏ, ତା’ହେଲେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧକୁ ପୁଣିଥରେ ଫେରିବା। ୧୯୭୧ ମସିହା ଡିସେମ୍ବର ୩ରେ ପାକିସ୍ତାନ ସେନା ଭାରତର ଆକାଶ ସୀମାରେ ପ୍ରବେଶ କରି ବିଭିନ୍ନ ସାମାରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା। ପାକିସ୍ତାନର ଏପରି ହରକତର ଉପଯୁକ୍ତ ଜବାବ ଦେବାକୁ ଅଣ୍ଟା ଭିଡ଼ିଥିଲା ଭାରତୀୟ ନୌସେନା। 'ଅପରେସନ୍ ଟ୍ରାଇଡେଣ୍ଟ୍' ନାଁରେ ଭାରତୀୟ ନୌସେନା ଆରମ୍ଭ କରିଥିଲା ଅପରେସନ। କରାଚି ବନ୍ଦର ଓ ସେଠାରେ ଥିବା ପାକିସ୍ତାନର ନୌସେନା ମୁଖ୍ୟାଳୟକୁ ଟାର୍ଗେଟ କରି ଏହି ଅପରେସନ୍ ଆରମ୍ଭ ହୋଇଥିଲା। ଅପରେସନକୁ ସଫଳ ରୂପ ଦେବାକୁ ଭାରତର ଜଳ ସୀମାରୁ ଗୋଟିଏ ବୁଡ଼ା ଜାହାଜ ଓ ଦୁଇଟି ଯୁଦ୍ଧ ଜାହାଜ ବାହାରିଥିଲା। ଏହି ଯୁଦ୍ଧ ଜାହାଜଗୁଡ଼ିକ ରାତି ସମୟରେ କରାଚି ବନ୍ଦରକୁ ଯୋଗାଯୋଗ କରୁଥିବା ଜଳପଥକୁ ସିଲ କରି ଦେଇଥିଲେ। ଭାରତୀୟ ନୌସେନା ପ୍ରଥମେ କରାଚି ଉପକୂଳରେ ଥିବା ଜାହାଜଗୁଡ଼ିକ ଉପରେ ହମଲା କରିଥିଲା। ଏହି ଯୁଦ୍ଧରେ ପ୍ରଥମଥର ପାଇଁ ଜାହାଜ ବିଧ୍ୱଂସକାରୀ କ୍ଷେପଣାସ୍ତ୍ରର ବ୍ୟବହାର କରାଯାଇଥିଲା। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କରାଚି ବନ୍ଦରରେ ଲାଗିଥିବା ନିଆଁ ୬୦ କିମି ଦୂରରୁ ମଧ୍ୟ ଦେଖାଯାଇଥିଲା। ସେଠାରେ ଥିବା ଅନେକ ତେଲ ଟ୍ୟାଙ୍କର କ୍ଷତିଗ୍ରସ୍ତ ହୋଇଥିଲା। ଭାରତୀୟ ନୌସେନାର ଏପରି ଯୁଦ୍ଧ କୌଶଳକୁ ସାରା ବିଶ୍ୱ ଦେଖି ଜଳକା ହୋଇଯାଇଥିଲା। ଅପରେସନ ଟ୍ରାଇଡେଣ୍ଟରର ସ୍ମୃତିରେ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି।

ଭାରତୀୟ ନୌସେନାର ଜନ୍ମ

୧୬୧୨ ମସିହାରେ ଭାରତୀୟ ନୌସେନା ଜନ୍ମ ହୋଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ଏହାର ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀର ମେରାଇନ୍ କର୍ପସ ନାମରେ ଗୋଟିଏ ବାହିନୀ ତିଆରି କରିଥିଲା। ୧୬୬୮ ସୁଦ୍ଧା ବ୍ରିଟିଶର ବାଣିଜ୍ୟ ସାମ୍ରାଜ୍ୟ ସପୂର୍ଣ୍ଣ ଭାବେ ବମ୍ବେକୁ ସ୍ଥାନାନ୍ତରିତ ହୋଇଥିଲା। ଏହାପରେ ଏହି ସ୍କ୍ୱାଡର ନାଁ ଇଷ୍ଟ ଇଣ୍ଡିଆ ମେରାଇନରୁ ବମ୍ବେ ମେରାଇନକୁ ପରିବର୍ତ୍ତନ କରାଯାଇଥିଲା।

ବମ୍ବେ ମେରାଇନର ସଦସ୍ୟମାନେ ମରାଠା, ସିନ୍ଧ ଯୁଦ୍ଧ ଓ ୧୮୨୪ ମସିହାରେ ବର୍ମା ଯୁଦ୍ଧରେ ଭାଗ ନେଇଥିଲେ। ଏହି ଯୁଦ୍ଧ ପରେ ବମ୍ବେ ମେରାଇନର ନାଁ ରୟାଲ ଇଣ୍ଡିଆନ୍ ନୌସେନା ହୋଇଥିଲା।

ସ୍ୱାଧୀନତା ପରେ ଅର୍ଥାତ ୧୯୫୦ ମସିହାରେ ନୌସେନାର ପୁନର୍ଗଠନ ହୋଇଥିଲା ଓ ଏହାର ନାଁ ଭାରତୀୟ ନୌସେନା ଭାବେ ନାମିତ କରାଯାଇଥିଲା।

ପ୍ରତିବର୍ଷ ମୁମ୍ବାଇରେ ଅବସ୍ଥିତ ଭାରତୀୟ ନୌସେନାର ମୁଖ୍ୟାଳୟରେ ନୌସେନା ଦିବସ ପାଳନ କରାଯାଏ। ଯବନାମାନେ ଏହି ଦିନ ନିଜର ଦକ୍ଷତା ପ୍ରଦର୍ଶନ କରି ସମସ୍ତଙ୍କୁ ନିଜର ବୀରତ୍ୱଗାଥାର ବାର୍ତ୍ତା ଦିଅନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୟାଲ୍ ଇଣ୍ଡିଆନ୍ ନୌସେନାରେ ୮ଟି ଯୁଦ୍ଧ ଜାହାଜ ଥିଲା। ହେଲେ ଯୁଦ୍ଧ ଶେଷ ହେବା ବେଳକୁ ଜାହାଜ ସଂଖ୍ୟା ୧୧୭ ଓ ୩୦ ହଜାର ଯବାନ ହୋଇଯାଇଥିଲେ। ରୟାଲ୍ ଇଣ୍ଡିଆନ୍ ମେରାଇନରେ ନିଯୁକ୍ତ ହୋଇଥିବା ପ୍ରଥମ ଭାରତୀୟ ହେଉଛନ୍ତି ସବ୍ ଲେଫ୍ଟନାଣ୍ଟ ଡିଏନ୍ ମୁଖାର୍ଜୀ। ସେ ୧୯୨୮ରେ ଇଞ୍ଜିନିୟର ଅଫିସର ଭାବେ ନିଯୁକ୍ତି ପାଇଥିଲେ।

ଭାରତ ସ୍ୱାଧୀନତା ପାଇବା ବେଳେ ରୟାଲ୍ ଇଣ୍ଡିଆନ୍ ମେରାଇନ ପାଖରେ ୩୨ଟି ଯୁଦ୍ଧ ଜାହାଜ ଥିଲା। ଏଗୁଡ଼ିକ ପୁରୁଣା ମଧ୍ୟ ହୋଇଯାଇଥିଲା। ଏହି ଜାହାଜଗୁଡ଼ିକ କେବଳ ପ୍ୟାଟ୍ରୋଲିଂ ପାଇଁ ବ୍ୟବହାର ଯୋଗ୍ୟ ଥିଲା। ଯୁଦ୍ଧ ପାଇଁ ଏଗୁଡ଼ିକ ଯୋଗ୍ୟ ନଥିଲେ। ସେହି ସମୟରେ ନୌସେନେରେ ମାତ୍ର ୧୧ ହଜାର ଅଧିକାରୀ ଓ ଯବାନ ରହିଥିଲେ। କିନ୍ତୁ ଏବେ ଭାରତୀୟ ନୌସେନାରେ ୬୭,୨୫୨ ଜଣ ସୈନ୍ୟ ଓ ୭୫ ହଜାର ରିଜର୍ଭ ଯବାନ ଅଛନ୍ତି। ଏଥିସହ ଭାରତ ପାଖରେ ୩୦୦ ଜାହାଜ ରହିଛି। ଏଥିମଧ୍ୟରେ ୧୭ଟି ବୁଡ଼ାଜାହାଜ, ୧୪ଟି ଫ୍ରିଗେଟ ଓ ୧୧ଟି ବିଧ୍ୱଂସ କରିବାର କ୍ଷମତା ରଖିଥିବା ଯୁଦ୍ଧ ଜାହାଜ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories