ଭୁବନେଶ୍ୱର (ସଙ୍ଗୀତା ସାହୁ): ଆଜି ଗୁରୁଦିବସ। ଏହି ଅବସରରେ ଓଡ଼ିଶା ରିପୋର୍ଟର କିଛି ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଭେଟିଥିଲା। ଗୁରୁଶିଷ୍ୟ ପରମ୍ପରାକୁ ଉଦ୍ଜିବୀତ ରଖି ଏହି ନୃତ୍ୟଶିଳ୍ପୀମାନେ ଆଜି ବି ଗୁରୁଙ୍କ ପାଇଁ ନିଜକୁ ଗୌରବାନ୍ୱିତ ମନେ କରନ୍ତି। ଗୁରୁଙ୍କ ଲାଗି ସେମାନ ଦେଶ ତଥା ବିଦେଶରେ ଓଡ଼ିଶାର ଏହି ଗରିମାମୟ କଳାକୁ ପରିବେଷଣ କରି ସାଉଁଟୁଛନ୍ତି ତାଳି। ଆସନ୍ତୁ ଶୁଣିବା, ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ଏହି ନୃତ୍ୟଶିଳ୍ପୀମାନେ କ’ଣ କହୁଛନ୍ତି।
ଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର, ପଦ୍ମଶ୍ରୀ ମାଗୁଣି ଚରଣ ଦାସ ଓ ପଞ୍ଚାନନ ଭୂୟାଁ
'ଗୋଟିପୁଅ'ରୁ ନୃତ୍ୟ ଜୀବନ ଆରମ୍ଭ କରିଥିବା ଗୁରୁ ଶ୍ରୀ ପଞ୍ଚାନନ ଭୂୟାଁ ସମ୍ପ୍ରତି ରାଜଧାନୀ ନୂଆଦିଲ୍ଲୀରେ ଏକ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଶ୍ରୀ ଭୂୟାଁ ସମ୍ବର୍ଦ୍ଧିତ ହୋଇଛନ୍ତି।
[caption id="attachment_272130" align="aligncenter" width="1077"]
ନିଜ ଅତୀତ ସମ୍ପର୍କରେ ପଚାରିବାରୁ ସେ କହୁନ୍ତି, “ମୋ ଜୀବନ ଆରମ୍ଭ ହୋଇଥିଲା ଗୋଟିପୁଅ ନୃତ୍ୟ ଶିକ୍ଷାରୁ। ପଦ୍ମଶ୍ରୀ ଗୁରୁ ଶ୍ରୀ ମାଗୁଣି ଚରଣ ଦାସଙ୍କ ତତ୍ୱାବଧାନରେ ଶିଶୁଟିଏ ବେଳୁ ମୁଁ ଗୋଟିପୁଅ ନୃତ୍ୟ ଆରମ୍ଭ କରେ। ପରେ ଗୁରୁ ପଦ୍ମବିଭୂଷଣ ଶ୍ରୀ କେଳୁଚରଣ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିବା ପରେ ମୋ କଳା ଆହୁରି ରୁଦ୍ଧିମନ୍ତ ହେଲା। 'ମେଘ' ପାଇଁ 'ମୟୂର' ଯେମିତି, ମୋ ପାଇଁ ମୋ ପୂଜ୍ୟ ଗୁରୁଦ୍ୱୟ ମଧ୍ୟ ଠିକ ସେମିତି। ସେମାନଙ୍କ ଆଶୀର୍ବାଦ ମୋତେ ବାଟ କଢାଏ। ମୁଁ ସେମାନଙ୍କ ପାଖରେ ଚିର ଋଣୀ।
ଗୁରୁ ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତି ଓ ପ୍ରିୟମ୍ବଦା ସାମନ୍ତରାୟ
ପ୍ରିୟମ୍ବଦା ସାମନ୍ତରାୟ ନୂଆଦିଲ୍ଲୀର 'ଆରାଧନା' ନୃତ୍ୟାଳୟର ସହସଂସ୍ଥାପିକା। ଏଠାକାର ଓଡ଼ିଆ ଓ ଅଣଓଡ଼ିଆ ଓଡ଼ିଶୀ ନୃତ୍ୟପ୍ରେମୀମାନଙ୍କୁ ଓଡ଼ିଶୀ ନୃତ୍ୟ ଶିଖାଇବା ପାଇଁ ଏକଦମ ଅଙ୍ଗୀକାରବଦ୍ଧ ଏହି ବରିଷ୍ଠ ନୃତ୍ୟାଙ୍ଗନା।
ତାଙ୍କ ଗୁରୁ ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ। ଜୀବନର ସବୁ ମୋଡରେ ଗୁରୁମା'ଙ୍କ କଥାକୁ ପାଥେୟ କରି ଚାଲୁଛି, ଆଉ ଆଗକୁ ଚାଲୁଥିବି ବୋଲି କୁହନ୍ତି ପ୍ରିୟମ୍ବଦା।
ପ୍ରିୟମ୍ବଦା କୁହନ୍ତି, ‘‘ଗୁରୁ-ଶିଷ୍ୟ ପରମ୍ପରା ଆମ ଦେଶ ଓ ସଂସ୍କୃତିର ଏକ ନିଆରା ପରମ୍ପରା ଓ ଏହାର ଏକ ଭିନ୍ନ ବିଶେଷତ୍ୱ ରହିଛି। ଗୁରୁ ସିଏ, ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧାକାରରୁ ଆଲୁଅକୁ ବାଟ କଢ଼ାଇଥା'ନ୍ତି। ସୁଃଖଦ ଜୀବନ ଜିଇଁବାକୁ ମଧ୍ୟ ବାଟ ଦେଖାଇଥା'ନ୍ତି।''
ଗୁରୁ କସ୍ତୁରୀ ପଟ୍ଟନାୟକ, ଗୁରୁ ରଘୁନାଥ ଦତ୍ତ ଓ ଗୁରୁ କେଳୁଚରଣ ମହାପାତ୍ର
ଓଡ଼ିଶୀ ନୃତ୍ୟ ଜଗତର ଅନ୍ୟଏକ ଲୋକପ୍ରିୟ ନାଁ, କସ୍ତୁରୀ ପଟ୍ଟନାୟକ। ସେ ଏକାଧାରରେ ଓଡ଼ିଶୀ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର, ମ୍ୟୁଜିକ୍ କମ୍ପୋଜର। ନିଜ ମାଉସୀ ଓ ନିଜ ବଡ଼ ଭାଇଙ୍କଠାରୁ ପ୍ରେରଣା ପାଇ ସେ ଓଡ଼ିଶୀ ନୃତ୍ୟ ଶିଖିଥିଲେ। କଟକର ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ୍ରେ ପଢ଼ୁଥିବାବେଳେ 'ଉତ୍କଳ ସଙ୍ଗୀତ ସମାଜ'ର ଗୁରୁ ରଘୁନାଥ ଦତ୍ତଙ୍କ ଠାରୁ କସ୍ତୁରୀ ଓଡ଼ିଶୀ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ। ସେ ସମୟରେ ତାଙ୍କର ନାଚ ପ୍ରତି ଆଗ୍ରହ ଦେଖି ସ୍କୁଲ୍ରେ ପଢ଼ାଉଥିବା ଗୁରୁ ଶ୍ରୀ ଦୟାନିଧି ଦାସ ତାଙ୍କୁ କଥକ ନୃତ୍ୟ ଶିକ୍ଷା ମଧ୍ୟ ଦେଇଥିଲେ। କିନ୍ତୁ ଦୟାନିଧି ଦାସଙ୍କ ମୃତ୍ୟୁ ପରେ କସ୍ତୁରୀଙ୍କ କଥକ ଶିଖିବା ବନ୍ଦ ହୋଇଯାଇଥିଲା। ତା’ପରେ ସେ ଓଡ଼ିଶୀରେ ହିଁ ନିଜ କ୍ୟାରିଅର କରିଥିଲେ। ଆଉ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ତତ୍ୱାବଧାନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ।
ଗୁରୁ ଦିବସ ବିଷୟରେ ସେ କୁହନ୍ତି, ''ଗୁରୁ-ଶିଷ୍ୟର ପରମ୍ପରା ଏକ ନିଆରା ପରମ୍ପରା। ଏହାର ଅନ୍ତ ନାହିଁ। ଯୁଗ ଯେତେ ଉନ୍ନତି କଲେ ବି ଏଥିରୁ ନିବୃତ ହେବା ଅସମ୍ଭବ। ମନର କୌଣସି ନା କୌଣସି କୋଣରେ ଗୁରୁଙ୍କ ପ୍ରତିଛବି ରହିଥାଏ। କାରଣ ସମସ୍ତେ କାହାରି ନା କାହାରିଠାରୁ ହିଁ କିଛି ଶିକ୍ଷାଲାଭ କରିଥା'ନ୍ତି।”
କସ୍ତୁରୀ କୁହନ୍ତି, ‘‘ମୋର ସୌଭାଗ୍ୟ ଯେ ଗୁରୁ ରଘୁନାଥ ଦତ୍ତ, ଗୁରୁ କେଳୁ ଚରଣ ମହାପାତ୍ର, ରମଣୀ ରଞ୍ଜନ ଜେନା, ଶ୍ରୀମତୀ କୁମ୍କୁମ୍ ମହାନ୍ତି, ଗଙ୍ଗାଧର ପ୍ରଧାନ, ଦୟାନିଧି ଦାସ, ଏମାନେ ସମସ୍ତେ ମୋର ଗୁରୁ। ସମସ୍ତଙ୍କଠାରୁ ମୁଁ କିଛି ନା କିଛି ଶିଖିଛି, ଯେଉଁଥିପାଇଁ ମୁଁ ଆଜି ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ। ’’ ଗୁରୁ ନାରାୟଣ ପାଣ୍ଡେ ଓ ଗୁରୁ କୁମାର ଭୀମ୍ସେନ
ଓଡ଼ିଶୀ ନୃତ୍ୟ ଜଗତରେ ୧୫ ବର୍ଷରୁ ଅଧିକ ସମୟ ଧରି ସକ୍ରିୟ ଅଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ କୁମାର ଭୀମ୍ସେନ। ସେ ଜଣେ ଦକ୍ଷ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ସମଗ୍ର ଦେଶରେ ନିଜକୁ ପ୍ରତିପାଦିତ କରିଛନ୍ତି। ସେ ଗୁରୁ ନାରାୟଣ ପାଣ୍ଡେଙ୍କ ଠାରୁ ନିଜ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ। ମାତ୍ର ୫ ବର୍ଷ ବୟସରୁ ସେ ପୁରୀର ସାଇ ଆଖଡ଼ାରୁ ଓଡିଶୀ ନୃତ୍ୟ ପ୍ରଦର୍ଶନ ଆରମ୍ଭ କରିଥିଲେ। ସେବେଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ପରେ ସେ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ନୃତ୍ୟ କ୍ଷେତ୍ରରେ ଆଗକୁ ବଢିଥିଲେ।
କୁମାର ଭୀମସେନଙ୍କ ପାଇଁ ଗୁରୁ, ଏମିତି ଏକ ଶବ୍ଦ, ଯାହା ତାଙ୍କ ଆତ୍ମା ଓ ମନରୁ ଖୁବ୍ ଊର୍ଦ୍ଧ୍ୱରେ। ଗୁରୁ ତାଙ୍କ ପାଇଁ ଭଗବାନ୍। ତେଣୁ ଗୁରୁ ଦିବସ ତାଙ୍କ ପାଇଁ ପୂଜ୍ୟ ପୂଜାର ଦିନ। ପ୍ରେମ ଓ ସମ୍ମାନର ଦିନଟିଏ । ଗୁରୁଙ୍କ ବିନା ଅନ୍ୟଗତି ନାହିଁ ବୋଲି ଭିମ୍ସେନ୍ କହିଛନ୍ତି। ତାଙ୍କ କହିବା କଥା, ନୃତ୍ୟ ଏମିତି ଏକ କଳା ଯେଉଁଥିପାଇଁ ଉତ୍ସର୍ଗ, ଉତ୍କର୍ଷ ଓ ସମର୍ପଣ ଭାବ ସାଙ୍ଗକୁ ମାନସିକ ଦୃଢ଼ତା ମଧ୍ୟ ନିତାନ୍ତ ଆବଶ୍ୟକ।