/odisha-reporter/media/post_attachments/uploads/2015/10/read.jpg)
road
ମାଲକାନଗିରି: ଗାଁଟିର ନାଁ ମହୁପଦର। ମାଲକାନଗିରି ଜିଲ୍ଲାରେ ଅଛି ଏହି ଗାଁଟି। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨୨ କିଲୋମିଟର ଦୂରରେ ରହିଛି ଗାଁଟି। ଏ ଗାଁରେ ବସବାସ କରନ୍ତି ପ୍ରାୟ ୬୦ ପରିବାର। ଗାଁ ଲୋକେ ସମସ୍ତ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି।
[caption id="attachment_40382" align="alignleft" width="300"]
ମହୁପଦର ଗାଁକୁ ଯାଇଥିବା ରାସ୍ତା[/caption]
ପାହାଡ଼ ଉପରେ ଥିବା ଏହି ଗାଁକୁ ରାସ୍ତାଟିଏ ନାହିଁ। ଫଟୋରେ ଆପଣମାନେ ଦେଖି ପାରୁଥିବେ ଗାଁକୁ ଯାଇଥିବା ରାସ୍ତାଟିର ଅବସ୍ଥା। ଏହି ରାସ୍ତା ଦେଇ ଗାଁ ଲୋକେ ଦୈନନ୍ଦନ ଯାତାୟତ କରି ଥାଆନ୍ତି। ଛୋଟବଡ଼ ପଥରର ଏହି ରାସ୍ତା ଦେଇ ବର୍ଷା ଦିନେ ଗାଁକୁ ଯିବା ଅସମ୍ଭବ ହୋଇପଡ଼େ। ଗାଁର ଜଣେ ବାସିନ୍ଦା କହିଛନ୍ତି ଯେ ରାସ୍ତାଟିଏ ନିର୍ମାଣ କରିବା ପାଇଁ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅନେକ ଥର ଅନୁରୋଧ କରାଯାଇଛି। ଲିଖିତ ଭାବେ ମଧ୍ୟ ଜଣାଯାଇଛି। କିନ୍ତୁ କିଛି ସୁଫଳ ମିଳି ନାହିଁ। ଗାଁର ଏ ରାସ୍ତାରେ ଚାଲିକି ଯିବା କଷ୍ଟକର। ତେଣୁ ସାଇକେଲ ଓ ଗାଡ଼ିମଟର କଥା ଛାଡ଼ି ଦିଅନ୍ତୁ। ଅଧିକ ସମସ୍ୟା ଉପୁଜେ କାହାରି ଦେହପା’ ଖରାପ ହେଲେ। ରୋଗୀମାନଙ୍କୁ ବୋହିକି ସାତ କିଲୋମିଟର ନେବାକୁ ହୁଏ।
ଗାଁର ସବୁଠୁ ବଡ଼ ସମସ୍ୟା ହେଉଛି ପାନୀୟ ଜଳ। ଗାଁରେ ନଳକୂଅଟିଏ ନାହିଁ। ଝରଣାରୁ ଲୋକେ ପାଣି ସଂଗ୍ରହ କରନ୍ତି। ଗଛ କୋରଡ଼ ଦେଇ ବୋହି ଆସୁଥିବା ଏକ ଝରଣାରୁ ଲୋକେ ପାଣି ସଂଗ୍ରହ କରି ରୋଷେଇବାସ କରନ୍ତି। ଏହି ପାଣିରେ ଗାଧୁଆପାଧୁଆ କରନ୍ତି ଓ ଲୁଗା ବି ସଫା କରନ୍ତି। ଗାଈଗୋରୁ ବି ଏହି ଝରଣା ପାଣି ପିଅନ୍ତି। ତେବେ ସନ୍ଧ୍ୟା ପରେ ଆଉ ଏଠାରୁ ପାଣି ସଂଗ୍ରହ କରିବା ସହଜ ହୋଇ ନଥାଏ। କାରଣ ବନ୍ୟ ଜୀବଜନ୍ତୁଙ୍କ ଭୟ ରହିଥାଏ। ଗାଁର ଜଣେ ମହିଳା କହିଛନ୍ତି ଯେ ସବୁ ଦିନେ ଏହି ଝରଣା ପାଣି ସେମାନେ ବ୍ୟବହାର କରନ୍ତି। ପାଣି ପାଇଁ ଆଉ କିଛି ବ୍ୟବସ୍ଥା ନାହିଁ। ଭୋଜିଭାତ ହେଲେ ମଧ୍ୟ ଏଠାରୁ ପାଣି ସଂଗ୍ରହ କରାଯାଏ।
ଗାଁରେ ସ୍କୁଲଟିଏ ନାହିଁ। ତେଣୁ ପିଲାମାନେ ପାଠ ପଢ଼ିପାରୁ ନାହାନ୍ତି। ଏ ଦିଗରେ ବି ସରକାର କିଛି ପଦକ୍ଷେପ ନେଇ ନାହାନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଯେଉଁଠି ରାସ୍ତା, ନଳକୂପ ଓ ସ୍କୁଲଟିଏ ନାହିଁ ସେଠାରେ ଡାକ୍ତରଖାନା ଅବା ବିଦ୍ୟୁତ୍ ଆଶା କରିବା ବୃଥା। ଏହା ସହିତ ଅନେକ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ଅଛନ୍ତି ଏ ଗାଁର ଲୋକେ।
[caption id="attachment_40383" align="alignleft" width="300"]
ମହୁପଦର ଗାଁ ଲୋକେ ଗଛ କୋରଡ଼ ଦେଇ ବୋହି ଯାଉଥିବା ଝରଣାରୁ ଜଳ ସଂଗ୍ରହ କରୁଛନ୍ତି[/caption]
ଗାଁଟି ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨୨ କିଲୋମିଟର ଥିଲେ ପ୍ରଶାସନିକ ଅଧିକାରୀମାନେ ଏହାର ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ବିଡିଓ କହିଛନ୍ତି, ଗାଁଟି ପାହାଡ଼ ଉପରେ ଅଛି। ସେଠାକୁ ରାସ୍ତା ନିର୍ମାଣ ହୋଇପାରି ନାହିଁ। ରାସ୍ତା ହୋଇ ନ ଥିବାରୁ ଅନ୍ୟାନ୍ୟ ଭିତ୍ତିଭୂମିଗୁଡ଼ିକ ମଧ୍ୟ ହୋଇପାରି ନାହିଁ। ପ୍ରାଥମିକତା ଭିତ୍ତିରେ ଉକ୍ତ ଗାଁକୁ ରାସ୍ତା ନିର୍ମାଣ କରାଯିବ। ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯିବ। ଡିଆରଡିଏ ଜରିଆରେ ଗାଁକୁ ରାସ୍ତା କରାଯିବାର ବ୍ୟବସ୍ଥା କରାଯିବ। ସେହିପରି ରାସ୍ତା ନହେଲା ପର୍ଯ୍ୟନ୍ତ ସେଠାରେ ନଳକୂପ ଖୋଳିବା ଅସମ୍ଭବ। କିନ୍ତୁ ପାନୀୟ ଜଳ ପାଇଁ ଅଲଗା କିଛି ବିକଳ୍ପ ବ୍ୟବସ୍ଥା କରାଯିବ। ସ୍କୁଲ ନେଇ ମଦ୍ୟ ବ୍ୟବସ୍ଥା କରାଯିବ।
ତେବେ ଏଭଳି ଅବସ୍ଥା କେବଳ ମହୁପଦର ଗାଁର ନୁହେଁ। ଏହି ପାହାଡ଼ ଉପରେ ଥିବା ୫ ରୁ ୬ଟି ଗାଁର ଏହି ସମାନ ଅବସ୍ଥା।
ରାଜ୍ୟର ୪ ପଛୁଆ ଜିଲ୍ଲାର ବିକାଶ ପାଇଁ ୪ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ମାଲକାନଗିରି ଜିଲ୍ଲା ଦାୟିତ୍ୱରେ ଥିବା ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରା ଗସ୍ତ କରି ସମୀକ୍ଷା କରିଛନ୍ତି। ତେବେ ମହୁପଦର ଓ ଏହାର ଆଖପାଖ ଗାଁଗୁଡ଼ିକ ଉପରେ କେବେ ପ୍ରଶାସନର ଦୃଷ୍ଟି ପଡୁଛି ତାକୁ ଅପେକ୍ଷା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
