ସରକାରୀ ପ୍ରୋତ୍ସାହନର ଅଭାବ; କନ୍ଧମାଳ ଜିଲ୍ଲାରେ ହ୍ରାସ ପାଉଛି ହଳଦୀ ଚାଷ

ଫୁଲବାଣୀ : ହଳଦୀ ଚାଷ ପାଇଁ କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧି ରହିଛି। ଏହି ହଳଦୀ ଚାଷ କନ୍ଧମାଳ ଜିଲ୍ଲାକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଜିଲ୍ଲାର ଚାଷୀମାନଙ୍କ ପାଇଁ ହଳଦୀ ଚାଷ ହେଉଛି ଲାଇଫ୍ ଲାଇନ୍। ହେଲେ ଏହି ଲାଇଫ୍ ଲାଇନ ଏବେ ସଙ୍କଟରେ। ଦିନକୁ ଦିନ ଜିଲ୍ଲାରେ ହ୍ରାସ ପାଉଛି ହଳଦୀ ଚାଷ। ସରକାରୀ ଉଦାସୀନତା ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି।Image1

କନ୍ଧମାଳ ଜିଲ୍ଲାରେ  ପ୍ରାୟ ୧୮ ହଜାର ଚାଷୀ ହଳଦୀ ଚାଷ  କରୁଛନ୍ତି। କିନ୍ତୁ ଗତ ତିନି ବର୍ଷ ହେଲା ଜିଲ୍ଲାରେ ହ୍ରାସ ପାଇଛି ହଳଦୀ ଉତ୍ପାଦନ। ୨୦୧୨ -୧୩ ଆର୍ଥିକ ବର୍ଷ ଜିଲ୍ଲାରେ ମୋଟ ୧୩,୯୭୦ ହେକ୍ଟର ଜମିରେ ହଳଦୀ ଚାଷ ହୋଇଥିଲା। ଆଉ ମୋଟ ୧,୩୫,୦୨୪ ମାଟ୍ରିକ ଟନ୍ ହଳଦୀ ଉତ୍ପାଦନ ହୋଇଥିଲା। ୨୦୧୩-୧୪ରେ ଜିଲ୍ଲାରେ ୧୩,୭୫୬ ହେକ୍ଟର ଜମିରେ ହଳଦୀ ଚାଷ କରାଯାଇଥିଲା। ଏଥିରୁ ଅମଳ ହୋଇଥିଲା ୧,୩୧,୫୦୭ ମାଟ୍ରିକ ଟନ୍  ହଳଦୀ। ଅର୍ଥାତ ୨୦୧୨-୧୩ ଆର୍ଥିକ ବର୍ଷ ଅପେକ୍ଷା ୨୦୧୩-୧୪ରେ ୨୧୪ ହେକ୍ଟର କମ୍  ଜମିରେ ହଳଦୀ ଚାଷ କରାଯାଇଥିଲା। ଆଉ ସେହି ଅନୁସାରେ ୨୦୧୨-୧୩ ଅପେକ୍ଷା ୨୦୧୩-୧୪ ଆର୍ଥିକ ବର୍ଷରେ ୩୫୧୭ ମେଟ୍ରିକ ଟନ୍ କମ୍ ହଳଦୀ ଅମଳ ହୋଇଥିଲା।

ସେହିପରି ୨୦୧୪-୧୫ ଆର୍ଥିକ ବର୍ଷରେ ଗତ ଦୁଇ ବର୍ଷ ଅପେକ୍ଷା ଆହୁରି କମ୍ ଜମିରେ ହୋଇଥିଲା ହଳଦୀ ଚାଷ ଓ ସେହି ଅନୁସାରେ ଉତ୍ପାଦନ ବି କମି ଥିଲା।  ଏହି ଆର୍ଥିକ ବର୍ଷରେ ମୋଟ ୧୩,୬୪୧ ହେକ୍ଟର ଜମିରେ ହଳଦୀ ଚାଷ କରାଯାଇଥିଲା। ଏଥିରୁ ଉତ୍ପାଦନ ହୋଇଥିଲା  ୧,୩୦,୫୪୪ମେଟ୍ରିକ ଟନ୍ ହଳଦୀ।

ଏହି ତିନି ବର୍ଷକୁ ହିସାବକୁ ନେଲେ ଜଣାପଡୁଛି ଜିଲ୍ଲାରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ହଳଦୀ ଚାଷ କମିଛି। ଏହି କଥାକୁ କନ୍ଧମାଳ ଜିଲ୍ଲା ଉଦ୍ୟାନ ବିଭାଗ ଉପ-ନିର୍ଦ୍ଦେଶକ ସୁକାନ୍ତ କୁମାରୀ ସୁବୁଦ୍ଧି ସ୍ୱୀକାର କରିଛନ୍ତି। ସରକାରୀ ପ୍ରୋତ୍ସାହନର ଅଭାବ ଏହାର ଏକ ପ୍ରମୁଖ କାରଣ ବୋଲି ବି ସେ ମାନିଛନ୍ତି। ସେ କହିଛନ୍ତି ଯେ ସରକାରୀ ପ୍ରୋତ୍ସାହନ ସଠିକ୍ ଭାବେ ଜିଲ୍ଲାର ହଳଦୀ ଚାଷୀମାନଙ୍କ ନିକଟରେ ପହଞ୍ଚି ପାରୁନି। ତେଣୁ ଜିଲ୍ଲାରେ ହଳଦୀ ଚାଷ କମୁଛି।kandhamala haladi

ଜିଲ୍ଲାରେ ହଳଦୀ ଚାଷ ହ୍ରାସ ପାଇବାର ଆଉ ଏକ ପ୍ରମୁଖ କାରଣ ହେଉଛି ଅଭାବୀ ବିକ୍ରି। ଏହି ଅଭାବୀ ବିକ୍ରି ଯୋଗୁ ମଧ୍ୟ ଚାଷୀମାନେ ଆଉ ଅଧିକ ଜମିରେ ଚାଷ କରିବାକୁ ମନ ବଳାଉ ନାହାନ୍ତି। ଅନ୍ୟ କାରଣଗୁଡ଼ିକ ମଧ୍ୟରେ ରହିଛି ଅତ୍ୟାଧୁନିକ ପ୍ରଣାଳୀରେ ହଳଦୀ ଚାଷ କରିବା ନେଇ ଚାଷୀମାନଙ୍କ ମଧ୍ୟରେ ସଚେତନତାର ଅଭାବ। ସରକାରଙ୍କ ପକ୍ଷରୁ ବି ଚାଷୀମାନଙ୍କୁ ଅତ୍ୟାଧୁନିକ ପ୍ରଣାଳୀରେ ହଳଦୀ ଚାଷ କରିବା ନେଇ ସଚେତନତା କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି। ଏହାର ଏକ ଉଦାହରଣ ହେଉଛି ଜିଲ୍ଲାର ଅନ୍ୟତମ ଦୁର୍ଗମ ଅଞ୍ଚଳ ଡଡ଼ବାଡ଼ି ଗାଁ। ଏହି ଗାଁରେ ୨୦୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ସମସ୍ତେ ବନବାସୀ ସମ୍ପ୍ରଦାୟର ଓ ସମସ୍ତଙ୍କର ମୁଖ୍ୟ ଜୀବିକା ହେଲା ହଳଦୀ ଚାଷ। ବହୁ ବର୍ଷ ଧରି ହଳଦୀ ଚାଷ କରି ଆସୁଥିବା ଏହି ଗାଁର ଚାଷୀମାନଙ୍କୁ ମିଳେ ନାହିଁ କୌଣସି ସରକାରୀ ପ୍ରୋତ୍ସାହନ। ଅତ୍ୟାଧୁନିକ ପ୍ରଣାଳୀରେ ହଳଦୀ ଚାଷ ନେଇ ସରକାରଙ୍କ ପକ୍ଷରୁ ଏମାନଙ୍କୁ କୌଣସି ତାଲିମ ଦିଆଯାଇନାହିଁ। ଏମାନେ ବର୍ଷ ବର୍ଷ ଧରି ଚିରାଚରିତ ଢଙ୍ଗରେ ହଳଦୀ ଚାଷ କରି ଆସୁଛନ୍ତି। ତେଣୁ ହଳଦୀ ଉତ୍ପାଦନ କମୁଛି। ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏ ବର୍ଷ ଗାଁରେ ହଳଦୀ ଉତ୍ପାଦନ କମିଛି ବୋଲି କହିଛନ୍ତି ଗାଁର ଆନନ୍ଦପତି ପ୍ରଧାନ।

ସେହିଭଳି ଏ ଗାଁର ଚାଷୀମାନଙ୍କ ପାଇଁ ଆଉ ଏକ ସମସ୍ୟା ହେଉଛି ଅଭାବୀ ବିକ୍ରି। ଚାଷୀ ଆନନ୍ଦପତି ପ୍ରଧାନ କହିଛନ୍ତି ଯେ ସରକାର ହଳଦୀର ଯେଉଁ ଦର ନିର୍ଦ୍ଧାରଣ କରୁଛନ୍ତି, ସେ ସଂପର୍କରେ ସେମାନେ ଜାଣି ପାରୁନାହାନ୍ତି। ତେଣୁ ହଳଦୀ କ୍ରୟ କରୁଥିବା ବ୍ୟବସାୟୀ ସେମାନଙ୍କୁ ଯେତେବେଳେ ଯେଉଁ ଦର ଦେଉଛନ୍ତି ସେତିକିରେ ସେମାନେ ହଳଦୀ ବିକ୍ରି କରୁଛନ୍ତି । ତେଣୁ ହଳଦୀର  ସଠିକ ମୂଲ୍ୟ ସେମାନେ ପାଇବାରୁ ବଞ୍ଚିତ ହେଉଛନ୍ତି। ଆଉ ବାଧ୍ୟ ହୋଇ ହଳଦୀର ଅଭାବୀ ବିକ୍ରି କରୁଛନ୍ତି।  ତେଣୁ ହଳଦୀ ଚାଷରେ ସେମାନେ ଯେତିକି ଖର୍ଚ୍ଚ କରୁଛନ୍ତି, ସେହି ତୁଳନାରେ ବିଶେଷ କିଛି ଲାଭ ହେଉନାହିଁ। ତେଣୁ ହଳଦୀ ଚାଷ କରିବା ପାଇଁ ଆଉ ସେମାନଙ୍କ ମନରେ ଇଚ୍ଛା ନାହିଁ ।kandhamala haladi

ଡଡ଼ବାଡ଼ି ଗାଁର ଆଉ ଦୁଇ ଜଣ ଚାଷୀ ସଞ୍ଜୁକ୍ତା ପ୍ରଧାନ ଓ ନମିତା ମଲ୍ଲିକ ମଧ୍ୟ ଆମ ପ୍ରତିନିଧିଙ୍କୁ ସେହି ସମାନ କଥା କହିଥିଲେ। ସେମାନେ କହିଥିଲେ ଯେ ବର୍ତ୍ତମାନ ହଳଦୀ ଚାଷ କରି ପରିବାର ପ୍ରତିପୋଷଣ  କରିବା କଷ୍ଟକର ହୋଇପଡ଼ିଛି। ସରକାର ହଳଦୀ ଚାଷ ପାଇଁ କୌଣସି ପ୍ରୋତ୍ସାହନ ଦେଉନାହାନ୍ତି। ସେମାନେ ହଳଦୀ ଚାଷ ପାଇଁ ମହାଜନ ଓ ବ୍ୟବସାୟୀ ମାନଙ୍କ ଠାରୁ ଋଣ ଆଣୁଛନ୍ତି। ଆଉ ଋଣ ଶୁଝିବା ପାଇଁ ହଳଦୀ ଅମଳ ପରେ ତାହାକୁ ସେହି ମହାଜନଙ୍କୁ କିଲୋ ପ୍ରତି ୨୦ ରୁ ୩୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି।

ହଳଦୀ ବିକ୍ରି ପାଇଁ ସରକାର ନିର୍ଦ୍ଧାରଣ କରୁଥିବା ଦର ବାବଦରେ ଚାଷୀମାନେ ଜାଣିପାରୁ ନ ଥିବା କଥାକୁ ସ୍ୱୀକାର କରିଛନ୍ତି କନ୍ଧମାଳ ଜିଲ୍ଲା ଉଦ୍ୟାନ ବିଭାଗ ଉପ-ନିର୍ଦ୍ଦେଶକ ସୁକାନ୍ତ କୁମାର ସୁବୁଦ୍ଧି। ଏହା ସହିତ ସେ କହିଛନ୍ତି, ଚଳିତ ବର୍ଷ ସରକାର କଞ୍ଚା ହଳଦୀ କିଲୋପ୍ରତି ୧୫ ଟଙ୍କା ୫୦ ପଇସା ନିର୍ଦ୍ଧାରଣ କରିଛନ୍ତି। ସେହିପରି ଶୁଖା ହଳଦୀ କିଲୋ ପ୍ରତି ୭୦ରୁ ୭୫ ଟଙ୍କା ନିର୍ଦ୍ଧାରଣ କରିଛନ୍ତି। ହଳଦୀ କିଣିବା ପାଇଁ ସରକାରୀ ସ୍ତରରେ ସେମିତି କିଛି ବ୍ୟବସ୍ଥା ନାହିଁ। ତେବେ ଚାଷୀମାନେ ସରକାର ନିର୍ଦ୍ଧାରଣ କରିଥିବା ଦର ଅନୁଯାୟୀ ହଳଦୀ ବିକ୍ରି କରିବା ଉଚିତ୍। ଯଦି କୌଣସି ବ୍ୟବସାୟୀ ସରକାରୀ ଦର ଠାରୁ କମ୍ ଦାମରେ ହଳଦୀ ବିକ୍ରି କରିବାକୁ ବାଧ୍ୟ କରୁଥାଆନ୍ତି, ତା’ହେଲ ଚାଷୀମାନେ ଏନେଇ ଅଭିଯୋଗ କରନ୍ତୁ। ଅଭିଯୋଗ ପାଇଲେ ଉକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।