୧୯୭୨ରେ ପୁଣି ବେଙ୍ଗଲକୁ ଫେରିଥିଲା କଂଗ୍ରେସ, ସିଦ୍ଧାର୍ଥ ଶଙ୍କର ରୟ ହୋଇଥିଲେ ମୁଖ୍ୟମନ୍ତ୍ରୀ

କୋଲକାତା: ୧୯୬୭ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଗାଦିଚ୍ୟୁତ ହୋଇଥିବା କଂଗ୍ରେସ ଆଉ ଯେ କ୍ଷମତାକୁ ଫେରିବ, ତା’ର ପରିକଳ୍ପନା କେହି ବି କରି ନଥିଲେ। ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ୧୯୭୨ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତା ଦଖଲ କରିଥିଲା। ଗତ ୬ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ୪ର୍ଥ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ୧୯୬୭ରୁ ରାଜ୍ୟରେ ମେଣ୍ଟ ସରକାର କାମ କରୁଥିଲା। ହେଲେ ସରକାର ମଧ୍ୟରେ ଅସ୍ଥିରତା ଲାଗି ରହିଥିବାରୁ ରାଜ୍ୟରେ ବାରମ୍ବାର […]

Siddhartha-Shankar-Ray

Hemant Lenka
  • Published: Thursday, 04 March 2021
  • , Updated: 04 March 2021, 03:41 PM IST

କୋଲକାତା: ୧୯୬୭ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଗାଦିଚ୍ୟୁତ ହୋଇଥିବା କଂଗ୍ରେସ ଆଉ ଯେ କ୍ଷମତାକୁ ଫେରିବ, ତା’ର ପରିକଳ୍ପନା କେହି ବି କରି ନଥିଲେ। ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ୧୯୭୨ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତା ଦଖଲ କରିଥିଲା।

ଗତ ୬ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ୪ର୍ଥ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ୧୯୬୭ରୁ ରାଜ୍ୟରେ ମେଣ୍ଟ ସରକାର କାମ କରୁଥିଲା। ହେଲେ ସରକାର ମଧ୍ୟରେ ଅସ୍ଥିରତା ଲାଗି ରହିଥିବାରୁ ରାଜ୍ୟରେ ବାରମ୍ବାର ରାଷ୍ଟ୍ରପତି ଶାସନ ଲାଗୁ ହେଉଥିଲା। ଏହାର ଫାଇଦା ୧୯୭୨ ବିଧାନସଭା ନିର୍ବାଚନରେ କଂଗ୍ରେସ ଉଠାଇଥିଲା।

କଂଗ୍ରେସ ପୂର୍ବ ବିଧାନସଭା ନିର୍ବାଚନ ତୁଳନାରେ ଅଧିକ ୧୧୧ଟି ଆସନ ଦଖଲ କରିଥିଲା। ୨୮୦ଟି ବିଧାନସଭା ଆସନରୁ କଂଗ୍ରେସ ଏକାକୀ ୨୧୬ଟିରେ ବିଜୟ ହୋଇଥିଲା। ଏହି ବିଧାନସଭା ନିର୍ବାଚନରେ କଂଗ୍ରେସ-ସିପିଆଇ ସହ ମେଣ୍ଟ କରିଥିଲା। ସିପିଆଇ ମଧ୍ୟ ୩୫ଟି ଆସନରେ ବିଜୟ ବାନା ଉଡ଼ାଇଥିଲା। କଂଗ୍ରେସ ଓ ସିପିଆଇ ମେଣ୍ଟକୁ ପ୍ରୋଗ୍ରେସିଭ ଡେମୋକ୍ରାଟିକ ଆଲିଆନ୍ସ ବା ପିଡିଏ କୁହାଯାଉଥିଲା। ପିଡିଏ ବିରୋଧରେ ସିପିଆଇଏମ ଓ ଅନ୍ୟ ଦଳଗୁଡ଼ିକ ମିଳିତ ଭାବେ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ହେଲେ ପିଡିଏ ମେଣ୍ଟ ଆଗରେ ସେମାନେ ଫିକା ପଡ଼ି ଯାଇଥିଲେ।

୧୯୭୨ ନିର୍ବାଚନ ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଲୋକପ୍ରିୟତା ସର୍ବୋଚ୍ଚରେ ପହଞ୍ଚିଥିଲା। ବାଂଲାଦେଶ ଲିବେରେସନ ୱାରରେ ବିଜୟ ଓ ଜମି ସଂସ୍କାର ପ୍ରତିଶ୍ରୁତି ଯୋଗୁ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚି ପାରିଥିଲା। ସେହିପରି ସିପିଆଇ ମଧ୍ୟ ପଶ୍ଚିମବଙ୍ଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏଥିପାଇଁ ୧୯୭୨ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ସିପିଆଇ ମେଣ୍ଟ ଚମତ୍କାର ପ୍ରଦର୍ଶନ କରି କ୍ଷମତା ଦଖଲ କରିଥିଲେ।

ପିଡିଏ ବାଜିମାତ କରିବାରୁ ସିଦ୍ଧାର୍ଥ ଶଙ୍କର ରୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏକାଧିକ ଯୁବ କଂଗ୍ରେସର ସଦସ୍ୟ ନୂଆ କରି ବେଙ୍ଗଲ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୪ ଜଣ ସିପିଆଇଏମ ସଦସ୍ୟ ବିଜୟୀ ହୋଇଥିଲେ ହେଁ ସେମାନେ ୧୯୭୨ରୁ ୧୯୭୭ ଯାଏ ବିଧାନସଭାକୁ ଯିବାକୁ ମନା କରିଦେଇଥିଲେ। ଏହି ବିଧାନସଭା ନିର୍ବାଚନରେ ବ୍ୟାପକ ହେରଫେର ହୋଇଥିବା ସେମାନେ ଅଭିଯୋଗ କରିଥିଲେ।

୧୯୭୨ ବିଧାନସଭା ନିର୍ବାଚନ ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏକାଧିକ ଲୋକ ମଧ୍ୟ ପ୍ରାଣ ହରାଇଥିଲେ। ସିପିଆଇଏମ ଓ ଏହାର ସହଯୋଗୀ ଦଳ ନିର୍ବାଚନ ରେଜଲ୍ଟକୁ ଗ୍ରହଣ କରି ନଥିଲେ। ୧୭୨ଟି ବିଧାନସଭା ମଣ୍ଡଳୀରେ ସ୍ୱଚ୍ଛତାର ସହ ଭୋଟିଂ ହୋଇନଥିବା ସେମାନେ ଅଭିଯୋଗ କରିଥିଲେ। ସିପିଆଇଏମ ଓ ଏହାର ସହଯୋଗୀ ଦଳଗୁଡ଼ିକ ଲୋକସଭା ଓ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଉଦବୋଧନ ବେଳେ ନାରା ବାଜି କରି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳକୁ ବିରୋଧ କରିଥିଲେ। ବେଙ୍ଗଲର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସେନ୍‌ ମଧ୍ୟ ସମାନ ଅଭିଯୋଗ କରିଥିଲେ। ତଥାପି କଂଗ୍ରେସ ରାଜ୍ୟରେ ୫ ବର୍ଷ ଯାଏ ସ୍ଥିର ସରକାର ଦେଇଥିଲା।

ସିଦ୍ଧାର୍ଥ ଶଙ୍କର ରୟ ୧୯୨୦ ମସିହା ଅକ୍ଟୋବର ୨୦ରେ ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ଆଇନଜୀବୀ, କୂଟନୀତିଜ୍ଞ ଓ ରାଜନେତା ଭାବରେ ନିଜର ପରିଚୟ ହାସଲ କରିଥିଲେ। ସେ ୧୯୭୧ରୁ ୧୯୭୨ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ୧୯୭୨ରୁ ୧୯୭୭ ଯାଏ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ୧୯୮୬ରୁ ୧୯୮୯ ପଞ୍ଜାବର ରାଜ୍ୟପାଳ ଓ ୧୯୯୨ରୁ ୧୯୯୬ ଯାଏ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ କାମ କରିଥିଲେ। ସେ ଏକଦା କଂଗ୍ରେସ ପାର୍ଟିର ସଙ୍କଟମୋଚକ ଭାବେ ମଧ୍ୟ କାମ କରୁଥିଲେ।

ସିଦ୍ଧାର୍ଥ ଶଙ୍କର ରୟଙ୍କ ବାପା ସୁଧୀର କୁମାର ରୟ କ୍ୟାଲକାଟା ହାଇକୋର୍ଟର ଜଣେ ପ୍ରଖ୍ୟାତ ବାରିଷ୍ଟର ଥିଲେ। ସେ କଂଗ୍ରେସ ଦଳ ପାଇଁ ମଧ୍ୟ କାମ କରୁଥିଲେ। ତାଙ୍କ ମା’ ଅପର୍ଣ୍ଣା ଦେବୀ ପ୍ରଖ୍ୟାତ ବାରିଷ୍ଟର ତଥା ନ୍ୟାଶନାଲିଷ୍ଟ ନେତା ଚିତ୍ତରଞ୍ଜନ ଦାସ ଓ ବାସନ୍ତୀ ଦେବୀଙ୍କ ଝିଅ। ସିଦ୍ଧାର୍ଥ ରୟ କ୍ୟାଲକାଟାରେ ହିଁ ବିଭିନ୍ନ ପାଠକ୍ୟକ୍ରମରେ ଡିଗ୍ରୀ ହାସଲ କରିଥିଲେ। କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳେ ସେ ଉଭୟ କ୍ରୀଡ଼ା ଓ ରାଜନୀତିରେ ସକ୍ରିୟ ଥିଲେ।

କ୍ୟାଲକାଟା ବିଶ୍ୱବିଦ୍ୟାଳୟ ଲ’ କଲେଜ ୟୁନିୟନର ସେ ସାଧାରଣ ସମ୍ପାଦକ ମଧ୍ୟ ରହିଥିଲେ। ସେ ଭଲ କ୍ରିକେଟ ଖେଳୁଥିଲେ। ସେ ପ୍ରେସିଡେନ୍ସି କଲେଜ କ୍ରିକେଟ ଟିମ୍‌ର ଅଧିନାୟକ ମଧ୍ୟ ରହିଥିଲେ। ୧୯୪୪ରେ ତାଙ୍କ କ୍ୟାପ୍ଟେନଶିପ୍‌ରେ ପ୍ରେସିଡେନ୍ସି କଲେଜଜ ଇଣ୍ଟ୍ରାକଲେଜ କ୍ରିକେଟ ଚାମ୍ପିୟନଶିପ୍‌ରେ ବିଜୟୀ ହୋଇଥିଲା।

ସେ ୩ଥର ଡବଲ ଟନ୍‌ ଓ ୩ଟି ସିଜିନ୍‌ରେ ୧ ହଜାର ରନ୍‌ ଲେଖାଏ କରିଥିଲେ। ସେ କାଲିଘାଟ କ୍ଲବ ପାଇଁ ବି ଫୁଟବଲ ଖେଳିଛନ୍ତି।
୧୯୭୨ରେ କଂଗ୍ରେସ ସାଧାରଣ ନିର୍ବାଚନ ସହ ପଶ୍ଚିମବଙ୍ଗରେ ବିଜୟୀ ହୋଇଥିଲା। ସିଦ୍ଧାର୍ଥ ଶଙ୍କର ରୟ ୧୯୭୨ ମସିହା ମାର୍ଚ୍ଚ ୨୦ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ପଦରେ ସେ ୧୯୭୭ ମସିହା ଏପ୍ରିଲ ୩୦ ଯାଏ ରହିଥିଲେ। ତାଙ୍କ ଶାସନ କାଳରେ ନକ୍ସଲ ଦମନ ଅଭିଯାନ ପଶ୍ଚିମବଙ୍ଗରେ ବ୍ୟାପକ ହୋଇଥିଲା। ସେହିପରି ସେ ୧୯୮୬ରୁ ୧୯୮୯ ଯାଏ ପଞ୍ଜାବର ରାଜ୍ୟପାଳ ଥିବା ବେଳେ ଆତଙ୍କବାଦୀ ଓ ଖଲିସ୍ତାନୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲେ।

ଦେଶରେ ଜାରି ହୋଇଥିବା ଜରୁରୀ କାଳୀନ ପରିସ୍ଥିତିରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ହିଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଦେଶରେ ଇଣ୍ଟରନାଲ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ। ସେ ରାଷ୍ଟ୍ରପତିଙ୍କୁ ଏ ସଂକ୍ରାନ୍ତରେ ଡ୍ରାଫ୍ଟ ଲେଖି ପଠାଇଥିଲେ। ୧୯୯୬ ପରେ ସେ ଆଉ ରାଜନୀତି କିମ୍ବା ସରକାରୀ ପଦ ପଦରେ ଅବସ୍ଥାପିତ ହୋଇ ନଥିଲେ। ୨୦୧୦ ଯାଏ ସେ କ୍ୟାଲକାଟାରେ ହିଁ ରହିଥିଲେ। ୨୦୧୦ ମସିହା ନଭେମ୍ୱର ୬ରେ କିଡ୍‌ନୀ ଜନିତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।

ପଶ୍ଚିମବଙ୍ଗରେ ସେ ୫ ବର୍ଷ ୪୧ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ପଦ ଛାଡ଼ିଥିଲେ। ଏହାପରେ ୫୧ ଦିନ ପାଇଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବା ବେଳେ ପଶ୍ଚିମବଙ୍ଗର ୮ମ ବିଧାନସଭା ନିର୍ବାଚନ ହୋଇଥିଲା।
୧୯୭୭ରୁ ଦୀର୍ଘ ୨୩ ବର୍ଷ ୧୩୭ ଦିନ ବାମପନ୍ଥୀ ସରକାର ପଶ୍ଚିମବଙ୍ଗକୁ ଶାସନ କରିଥିଲା। ଜ୍ୟୋତି ବସୁ ରାଜ୍ୟର କମାଣ ସମ୍ଭାଳିଥିଲେ। ସେବେଠାରୁ ୨୦୨୧ ଯାଏ କଂଗ୍ରେସ ଆଉ କ୍ଷମତାକୁ ଫେରିପାରିନାହିଁ।

Related story