ସ୍ମାର୍ଟ ସିଟିରେ ସ୍ମାର୍ଟ ପାର୍କିଂ ଫି’ ଲୁଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ମାର୍ଟ ସିଟିରେ ପାର୍କିଂ ଫି ନାମରେ ଚାଲିଛି ସ୍ମାର୍ଟ ଲୁଟ୍‌! ରାଜଧାନୀରେ ମାତିଛନ୍ତି ପାର୍କିଂ ମାଫିଆ। ମନ ଇଚ୍ଛା ପାର୍କିଂ ଫି ଆଦାୟ କରୁଛନ୍ତି। ଆଉ ବିଏମସିର ଧାର୍ଯ୍ୟ ଫି’ରୁ ଅଧିକ ଦେବାକୁ ମନାକଲେ, ଦେଖାଉଛନ୍ତି ନାଲି ଆଖି। ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ସ୍ଥିତି କଳାମନ୍ଦିର ପଛପଟ ପାର୍କିଂ ପ୍ଲେସରେ ୫ ଟଙ୍କିଆ ଟିକେଟ୍ ଉପରେ ପାର୍କିଂ ଷ୍ଟାମ୍ପ ଲଗାଇ ପ୍ରତି ଦୁଇ ଚକିଆ ଯାନ ପିଛା ଜବରଦସ୍ତି ଆଦାୟ କରାଯାଉଛି […]

Parking

Ordigital Desk
  • Published: Friday, 21 January 2022
  • , Updated: 21 January 2022, 09:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ମାର୍ଟ ସିଟିରେ ପାର୍କିଂ ଫି ନାମରେ ଚାଲିଛି ସ୍ମାର୍ଟ ଲୁଟ୍‌! ରାଜଧାନୀରେ ମାତିଛନ୍ତି ପାର୍କିଂ ମାଫିଆ। ମନ ଇଚ୍ଛା ପାର୍କିଂ ଫି ଆଦାୟ କରୁଛନ୍ତି। ଆଉ ବିଏମସିର ଧାର୍ଯ୍ୟ ଫି’ରୁ ଅଧିକ ଦେବାକୁ ମନାକଲେ, ଦେଖାଉଛନ୍ତି ନାଲି ଆଖି।

ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ସ୍ଥିତି କଳାମନ୍ଦିର ପଛପଟ ପାର୍କିଂ ପ୍ଲେସରେ ୫ ଟଙ୍କିଆ ଟିକେଟ୍ ଉପରେ ପାର୍କିଂ ଷ୍ଟାମ୍ପ ଲଗାଇ ପ୍ରତି ଦୁଇ ଚକିଆ ଯାନ ପିଛା ଜବରଦସ୍ତି ଆଦାୟ କରାଯାଉଛି ୧୦ ଟଙ୍କା। ୫ ଟଙ୍କା ଜାଗାରେ ୧୦ ଟଙ୍କା କାହିଁକି ବୋଲି ପ୍ରଶ୍ନ କଲେ ଗାଡ଼ି ପଙ୍କ୍‌ଚର ହୋଇଯିବାର ଆଶଙ୍କା ରହିଛି। ସବୁଠାରୁ ବଡ଼ କଥା ହେଲା, ଏହି ପାର୍କିଂ ଟେଣ୍ଡର ଅବଧି ସରିଯାଇଛି ଓ ନୂଆ ଟେଣ୍ଡର ପାଇଁ ନୋଟିସ୍ କରିଛି ବିଏମସି। ଅର୍ଥାତ୍ ଟେଣ୍ଡର ଅବଧି ନଥାଇ ବି ବେଆଇନ୍ ପାର୍କିଂ କରି ଅଧିକ ପଇସା ଆଦାୟ ଦେଉଛି।

କେବଳ ସେତିକି ନୁହେଁ ବିଏମସିର ନିୟମ ଅନୁଯାୟୀ ୨ ଘଣ୍ଟା ମଧ୍ୟରେ ଗୋଟିଏ ଜୋନ ଭିତରେ ଥିବା ୩ଟି ଯାକ ପାର୍କିଂ ସ୍ଥାନରେ ଗାଡ଼ି ପାର୍କ କଲେ ସେହି ଗୋଟିଏ ଟିକେଟର ପଇସା ଦେବାକୁ ପଡ଼ିବ। ହେଲେ ମାର୍କେଟ ବିଲ୍ଡିଂର କଳାମନ୍ଦିର ପଛପଟ ପାର୍କିଂ, କେଶରୀ ମଲ ପାର୍କିଂ ଓ କାମୟାବ ଅଫିସ ସମ୍ମୁଖ ପାର୍କିଂ ସବୁ ଗୋଟିଏ ଜୋନରେ ଆସୁଥିଲେ ବି ଭିନ୍ନ ଭିନ୍ନ ରଂଙ୍ଗର ଟିକେଟ୍ କାଟି ମନ ଇଚ୍ଛା ଅଧିକ ପଇସା ଆଦାୟ କରାଯାଉଛି । ଯାହାକୁ ନେଇ ଜଣେ ବାଇକ୍ ଚାଳକ କହିଛନ୍ତି “ରାଜଧାନୀର ସବୁ ସ୍ଥାନରେ ୫ ଟଙ୍କା ପାର୍କିଂ ଚାର୍ଜ । କିନ୍ତୁ ଏଠାରେ ୧୦ ଟଙ୍କା ଦେବାକୁ ବାଧ୍ୟ କରାଯାଉଛି ।“ସେହିପରି ଅନ୍ୟଜଣେ ଚାଳକ କହିଛନ୍ତି,୧୦ଟଙ୍କା ନଦେଲେ ଲୋକ ଲଗାଇ ବାଡା ବାଡି କରିବେ, ତେଣୁ ବାଧ୍ୟ ହୋଇ ୫ ଟଙ୍କା ଜାଗାରେ ୧୦ ଟଙ୍କା ଦେଉଛୁ।“

ଭୁବନେଶ୍ୱର ଇନ୍ଦ୍ରଧନୂ ମାର୍କେଟର ବିଶାଲ ମେଗାମାର୍ଟ ସମ୍ମୁଖ ପାର୍କିଂରେ ମଧ୍ୟ ଆହୁରି ସାଂଘାତିକ ସ୍ଥିତି । ଏଠାରେ ଟିକେଟ୍ ଉପରୁ ୫ ଟଙ୍କାକୁ ସଂପୂର୍ଣ୍ଣ ଭାବେ କଲମରେ ଗାରେଇ ଦିଆଯାଇଛି। ଆଉ ଜବରଦସ୍ତ ୧୦ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଉଛି। କାରଣ ମାଲିକ ୧୦ ଟଙ୍କା ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି କର୍ମଚାରୀ। ଏହାଠାରୁ ବି ବଡ଼ ପାର୍କିଂ ମାଫିଆ ଖଣ୍ଡଗିରି ଛକରେ ପର୍ଯ୍ୟଟକଙ୍କୁ ଲୁଟୁଛନ୍ତି। ବିଏମସି ପାର୍କିଂର ପୋଷ୍ଟର ମାରି ନିଜେ ନିଜେ ଖଣ୍ଡଗିରି ପାର୍କିଂର ଟିକେଟ୍ କାଟି ପ୍ରତି ୨ ଚକିଆ ମାଲିକଙ୍କଠାରୁ ୨୦ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି। ମାଡ଼ ଓ ପାଟିତୁଣ୍ଡ ଭୟରେ ଲୋକ ବି ୨୦ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। ଯେହେତୁ ଲୋକଙ୍କ ବିରୋଧ ନାହିଁ ତେଣୁ ବିନା ଟେଣ୍ଡରରେ ବେଆଇନ ଭାବେ ଖୋଲାଖୋଲି ଚାଲିଛି ଲୁଟ୍।

ବିଏମସିର ପାର୍କିଂ ପ୍ୟାକେଜ ତାଲିକାରେ ସ୍ପଷ୍ଟ ଲେଖା ହୋଇଛି ପ୍ରଥମ ୨ ଘଣ୍ଟା ପାଇଁ ପ୍ରତି ୨ ଓ ୩ ଚକିଆ ଯାନକୁ ୫ ଟଙ୍କା ଓ ୪ ଚକିଆ ଯାନ ପାଇଁ ୨୦ ଟଙ୍କା ଧାର୍ଯ୍ୟ କରାଯାଇଛି। କେବଳ ସେତିକି ନୁହେଁ ପ୍ରତି ପାର୍କିଂ ସ୍ଥାନରେ ରେଟ୍ ଚାର୍ଟ ସହ ଟେଣ୍ଡର ନେଇଥିବା ସଂସ୍ଥାରେ ଠିକଣା ଓ ଅବଧି ଲେଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। କିନ୍ତୁ ସବୁ ନିୟମର ଖୋଲାଖୋଲି ଖିଲାପ ହେଉଛି। ତେବେ ବେଆଇନ୍ ପାର୍କିଂ ଓ ଅଧିକ ଟଙ୍କା ଆଦାୟ କରୁଥିବା ପାର୍କିଂ ସ୍ଥାନ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଏମସି ଡେପୁଟୀ କମିଶନର ଲକ୍ଷ୍ଜକାନ୍ତ ସେଠୀ।

ବିଏମସିର ଏହି ନୂଆ ଟେଣ୍ଡର ନୋଟିସ୍ ଅନୁସାରେ ଭୁବନେଶ୍ୱରରେ ଅଧାରୁ ଅଧିକ ପାର୍କିଂ ଏବେ ବେଆଇନ୍ ଭାବେ ଚାଲିଛି। ସେପଟେ କିନ୍ତୁ ପ୍ରତି ନିୟମ ଉଲଙ୍ଘନ ପାଇଁ ଟେଣ୍ଡର ନେଇଥିବା ସଂସ୍ଥା ଉପରେ ହଜାରେ ଟଙ୍କା ଜୋରିମାନାର ପ୍ରାବଧାନ ରହିଛି। ଏମିତିକି ଟ୍ରାଫିକ୍ ଡିସିପିଙ୍କୁ ମଧ୍ୟ ପାର୍କିଂ ସମ୍ବନ୍ଧୀୟ ସବୁ ନୋଟିସ ସଂପର୍କରେ ଅବଗତ କରାଯାଉଛି। ହେଲେ ବେଆଇନ୍ ପାର୍କିଂ ଉପରେ ସେ ବି ନିରବଦ୍ରଷ୍ଟା। ନିୟମ ଉଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସ୍ମାର୍ଟସିଟିରେ ପାର୍କିଂ ନାଁରେ ଚାଲିଛି ହରିଲୁଟ୍।

Related story