ଭୁବନେଶ୍ୱର(ପ୍ରଜ୍ଞା ଚୌଧୁରୀ): ଆଜିର ସମୟରେ ସାମାଜିକ ଦୂରତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ନୋଭେଲ୍ କରୋନା ଭଳି ମାରାତ୍ମକ ଭୂତାଣୁ ସହ ଲଢ଼ିବାକୁ ଏହା ଏକ ବ୍ରହ୍ମାସ୍ତ୍ର ହୋଇଥିବା ବେଳେ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ମେ'୩ ଯାଏ ଦେଶରେ ଲକଡାଉନ୍ ଅବଧି ବଢ଼ାଇ ଦିଆଯାଇଛି। ଏମିତିରେ ଲୋକମାନେ ଅଧିକରୁ ଅଧିକ ସମୟ ଇଣ୍ଟରନେଟ୍ ଦୁନିଆକୁ ଦେଉଛନ୍ତି। ସର୍ଭେ ଅନୁସାରେ, ଲକଡାଉନ ପରଠାରୁ ଭାରତୀୟମାନେ ଅଧିକ ୩୦% ଇଣ୍ଟରନେଟ ଡାଟା ଖର୍ଚ୍ଚ କରିଛନ୍ତି। ସାମାଜିକ ଦୂରତ୍ୱକୁ ପାଳନ କରି ସୋଶାଲ ମିଡିଆରେ ନିଜ ସୋଶାଲ୍ ରିଲେସନଶିପ ବଜାୟ ରଖିଛନ୍ତି।
ଏହାରି ଭିତରେ ଫେସବୁକ୍, ଇନଷ୍ଟାଗ୍ରାମ ଓ ଟ୍ୱିଟର ଆଦିରେ ଅନେକ ଚ୍ୟାଲେଞ୍ଜ ଟ୍ରେଣ୍ଡ ହେଉଛି। ଜଣେ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ହ୍ୟାଶଟ୍ୟାଗ୍ ସହ ଚ୍ୟାଲେଞ୍ଜ ଦେଉଛନ୍ତି। ଅନ୍ୟମାନେ ସେହି ଚ୍ୟାଲେଞ୍ଜକୁ ଗ୍ରହଣ କରି ସେହି ଟାସ୍କ ବା କାମଟି ପୂରା କରୁଛନ୍ତି। ଏବଂ ଅନ୍ୟଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି।
ଏହିଭଳି ଭାବେ ଚ୍ୟାଲେଞ୍ଜର ଧାରା ଆଗକୁ ବଢ଼ିବାକୁ ଲାଗିଥାଏ ଏବଂ ଚ୍ରେଣ୍ଡ୍ ହୋଇଯାଏ। ଘରେ ଏକାନ୍ତବାସରେ ରହୁଥିବା ଲୋକମାନଙ୍କ ପାଇଁ ସୋଶାଲ ମିଡିଆରେ ମଜାଦାର ଚ୍ୟାଲେଞ୍ଜ ଲକଡାଉନ ସମୟ କାଟିବାରେ ଖୁବ୍ ସହାୟକ ହେଉଛି। ମନରେ ଫୁର୍ତ୍ତି ଆସିବା ସହ ଏହା ଦ୍ୱାରା ମଜାମସ୍ତି ମଧ୍ୟ ଲାଗି ରହୁଛି। ତେବେ ଏଥିରେ ଖାଲି ସାଧାରଣ ଲୋକ ନୁହନ୍ତି ବରଂ ତାରକା ଓ ଜଣାଶୁଣା ବ୍ୟକ୍ତି ମଧ୍ୟ ଭାଗ ନେଉଥିବା ଦେଖିବାକୁ ମିଳିଛି। ଲକଡାଉନ୍ ଆରମ୍ଭ ହେବାଠାରୁ ସୋଶାଲ ମିଡିଆରେ ଏପରି ଅନେକ ଚ୍ୟାଲେଞ୍ଜ ଟ୍ରେଣ୍ଡ ହୋଇସାରିଛି ଏବଂ ହେଉଛି ମଧ୍ୟ। ସେଥି ମଧ୍ୟରୁ ସବୁଠାରୁ ଅଧିକ ଲୋକପ୍ରିୟ ଚ୍ୟାଲେଞ୍ଜଗୁଡ଼ିକ ହେଲା...
#ସେଫହ୍ୟାଣ୍ଡ ଚ୍ୟାଲେଞ୍ଜ
କରୋନା ଭୂତାଣୁର ମୁକାବିଲା ଲାଗି ଲୋକଙ୍କୁ ସର୍ବ ପ୍ରଥମେ ସତର୍କ କରାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ #safehands ଚ୍ୟାଲେଞ୍ଜ ଦେଇ ଅଭିଯାନ ଆରମ୍ଭ କରିଥିଲା। ଏଥିରେ ଦୁନିଆର ବହୁ ଲୋକପ୍ରିୟ ତାରକା ଓ ଜଣାଶୁଣା ବ୍ୟକ୍ତିତ୍ୱମାନେ ଭାଗ ନେଇଥିଲେ। ସୋଶାଲ ମିଡିଆରେ ଅନେକ ଲୋକଙ୍କୁ ଏହି ଚ୍ୟାଲେଞ୍ଜ ଗ୍ରହଣ କରି ଭିଡିଓ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା। ଚ୍ୟାଲେଞ୍ଜ ମୁତାବକ ସେମାନେ 20 ସେକେଣ୍ଡ ପର୍ଯ୍ୟନ୍ତ ନିଜ ହାତକୁ ଭଲ ଭାବେ ହ୍ୟାଣ୍ଡ ଓ୍ୱାଶ୍ ବା ସାବୁନରେ ଧୋଉଥିଲେ।
#ଡାଲଗୋନାକଫି ଚ୍ୟାଲେଞ୍ଜ
କିଛି ସଚେତନାତା ପାଇଁ କିଛି ମଜାମସ୍ତି ପାଇଁ, ସୋଶାଲ ମିଡିଆରେ କିଛି ନା କିଛି ଚ୍ୟାଲେଞ୍ଜ ଟ୍ରେଣ୍ଡ କରୁଥାଏ। ଏଥିରେ ସର୍ବାଧିକ ଲୋକପ୍ରିୟ ଟ୍ରେଣ୍ଡ ଭାବେ ଉଭା ହୋଇଥିଲା #DalgonaCoffee ଚ୍ୟାଲେଞ୍ଜ। ଦକ୍ଷିଣ କୋରିଆରେ ଟ୍ରେଣ୍ଡ କରୁଥିବା ଏକ ପାଟି ସୁଆଦିଆ କଫି ଡିଜର୍ଟରୁ ଅନୁପ୍ରାଣିତ ଏହି ଡାଲଗୋନା କଫି ଟ୍ରେଣ୍ଡ ସାରା ଦୁନିଆକୁ ନିଜର ଫ୍ୟାନ୍ ବନେଇଦେଲା। ସୋଶାଲ ମିଡିଆରେ ଏହା ଏଭଳି ଟ୍ରେଣ୍ଡ କଲା ଯେ, ଯୁବବର୍ଗଠାରୁ ବୟସ୍କ ସମସ୍ତେ ଏହି ଚ୍ୟାଲେଞ୍ଜ ଗ୍ରହଣ କରି ଭିଡିଓ ବା ଫଟୋ ଶେୟାର କରିବାକୁ ଲାଗିଲେ। ଭାରତରେ ମଧ୍ୟ ଏବେ ଘରେ ଘରେ ଡାଲଗୋନା କଫି ନିଜର ରାଜୁତି ଚଳାଇଛି।
ଫିଟନେସ୍ ଚ୍ୟାଲେଞ୍ଜ
ଭାରତରେ ଲକଡାଉନ୍। ସବୁକିଛି ଠପ୍। ମାନେ ଜିମ୍, ପାର୍କ ସବୁ ବନ୍ଦ। ଲୋକଙ୍କୁ ଫିଟନେସ୍ ଚିନ୍ତା ବଢ଼ିଲା। ଏଣୁ ଘରେ ହିଁ ଫିଟନେସ୍ ପାଇଁ କସରତ ଆରମ୍ଭ ହେଲା। କ୍ରମେ ଏହା ସୋଶାଲ ମିଡିଆରେ ବି ଟ୍ରେଣ୍ଡ କରିବାକୁ ଲାଗିଲା। ବିଶେଷ କରି ସେଲିବ୍ରିଟିମାନେ ଜିମ୍ ନ ଯାଇ, ଘରେ ଥାଇ ମଧ୍ୟ ଫିଟ୍ ରହିବାର ଉପାୟ ବତାଇଲେ ଓ ସୋଶାଲ ମିଡିଆରେ ଅନ୍ୟଙ୍କୁ ଚ୍ୟାଲେଞ୍ଜ ଦେଲେ। ଏହି କ୍ରମରେ ନିକଟରେ #see10do10challenge, #PlankChallenge, #100SkippingChallenge #NoEquipmentWorkout ଏଭଳି ଅନେକ ଫିଟନେସ୍ ଚ୍ୟାଲେଞ୍ଜ ସୋଶାଲ ମିଡିଆରେ ଟ୍ରେଣ୍ଡ୍ ହୋଇଛି।
#ଶାଢ଼ିଚ୍ୟାଲେଞ୍ଜ
ଭାରତୀୟ ମହିଳାଙ୍କ ସବୁଠାରୁ ପ୍ରିୟ ପରିଧାନ ହେଉଛି ଶାଢ଼ି। ନିକଟରେ ସୋଶାଲ ମିଡିଆର ପ୍ରାୟ ସବୁ ସାଇଟ ଶାଢ଼ି ଫଟୋରେ ଭର୍ତ୍ତି ହୋଇଯାଇଥିଲା। କାରଣ ମହିଳା ଓ ଯୁବତୀଙ୍କ ସବୁଠାରୁ ମନପସନ୍ଦର ଚ୍ୟାଲେଞ୍ଜ ଟ୍ରେଣ୍ଡରେ ଚାଲିଥିଲା। ଜଣେ ପ୍ରଥମେ ଶାଢ଼ି ପିନ୍ଧି ନିଜର ଫଟୋ ଶେୟାର କରିବେ ଏବଂ #SareeChallenge ଅନ୍ୟମାନଙ୍କୁ ଟ୍ୟାଗ୍ କରି ଏହି ଚ୍ୟାଲେଞ୍ଜ ଦେବେ। ଏହା ଏତେ ଲୋକପ୍ରିୟ ହେଲା ଯେ ଟପ୍ ଟ୍ରେଣ୍ଡରେ ସ୍ଥାନ ପାଇଥିଲା। ତେବେ ସବୁଠାରୁ ମଜାକଥା ହେଲା ମହିଳା ଓ ଯୁବତୀମାନଙ୍କ ଶାଢ଼ି ଚ୍ୟାଲେଞ୍ଜ ପରେ ପୁରୁଷମାନେ ମଧ୍ୟ ଧୋତି ଚ୍ୟାଲେଞ୍ଜ ଆରମ୍ଭ କରିଥିଲେ। ତେବେ ଧୋତି ଚ୍ୟାଲେଞ୍ଜଠାରୁ ଶାଢ଼ି ଚ୍ୟାଲେଞ୍ଜ ଅଧିକ ଲୋକପ୍ରିୟ ହୋଇଥିଲା।
#ଅନଲାଇନ୍ଅନ୍ତାକ୍ଷରୀ ଚ୍ୟାଲେଞ୍ଜ
ଲକଡାଉନ୍ ଯୋଗୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ତାରକାମାନଙ୍କୁ ସବୁ କାମ ଛାଡ଼ି ଘରେ ରହିବାକୁ ପଡ଼ିଲା। ଘରେ ଖାଲିଟାରେ ବସି ରହିବା ଏକ ବିରକ୍ତିକର ବିଷୟ। ଏଣୁ କେତେଜଣ ସୋଶାଲ ମିଡିଆରେ ହିଁ ଅନ୍ତାକ୍ଷରୀ ଖେଳିବା ଆରମ୍ଭ କରିଥିଲେ। ଆପଣମାନେ ତ ଲୋକପ୍ରିୟ ଅନ୍ତାକ୍ଷରୀ ଟ୍ରେଣ୍ଡ୍ "ବୈଠେ ବୈଠେ କ୍ୟା କରେଁ, କରନା ହେ କୁଛ୍ କାମ୍। ସୁରୁ କରୋ ଅନ୍ତାକ୍ଷରୀ ଲେକେ ପ୍ରଭୁ କା ନାମ..." ବିଷୟରେ ଜାଣିଥିବେ ନିଶ୍ଚୟ। ନିକଟେରେ ଏହା ସୋଶାଲ ମିଡିଆରେ ଦେଖିବାକୁ ମିଳିଥିଲା। ଜଣେ ଗୀତ ଗାଇ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରନ୍ତି ଆଉ ଅନ୍ୟମାନଙ୍କୁ ଚ୍ୟାଲେଞ୍ଜ ଦିଅନ୍ତି। ଯାହାକୁ ଚ୍ୟାଲେଞ୍ଜ ଦିଆଯାଏ ସେ ମଧ୍ୟ ଏହି ଚ୍ୟାଲେଞ୍ଜ ଗ୍ରହଣ କରି ଏହି ଧାରା ଆଗକୁୁ ବଢ଼ାନ୍ତି। ଧୀରେ ଧୀରେ ଏହି ଖେଳ ସୋଶାଲ ମିଡିଆ ଟ୍ରେଣ୍ଡରେ ପରିଣତ ହେଲା। ଲୋକେ ମଧ୍ୟ ଏଥିରେ ସାମିଲ ହୋଇ ଖୁବ ମଜାମସ୍ତି କରିଥିଲେ।
#ପିଲୋଚ୍ୟାଲେଞ୍ଜ
ନିକଟରେ ସୋଶାଲ ମିଡିଆରେ ଆଉ ଏକ ଅଜବ ଗଜବ ଚ୍ୟାଲେଞ୍ଜ ମଧ୍ୟ ଟ୍ରେଣ୍ଡ କରୁଛି। ଆଉ ତାହା ହେଲା #QuarantinePillowChallenge।ଏଥିରେ ପିଲୋ ମାନେ ତକିଆକୁ ବସ୍ତ୍ର ବଦଳରେ ପରିଧାନ କରି ଚ୍ୟାଲେଞ୍ଜ ଦେବାକୁ ହୁଏ। ଯିଏ ଯାହାକୁ ଏହି ଚ୍ୟାଲେଞ୍ଜ ଦେବ, ସେ ଏହି ଟାକ୍ସ ପୂରା କରିବ ଆଉ ଅନ୍ୟମାନଙ୍କୁ ଏହି ଚ୍ୟାଲେଞ୍ଜ ଦେବ। ଯୁବପିଢ଼ିଙ୍କ କ୍ଷେତ୍ରରେ ଏହି ଚ୍ୟାଲେଞ୍ଜ ଖୁବ୍ ଲୋକପ୍ରିୟ ହୋଇଥିଲା। ବିଶେଷକରି ତାରକାମାନେ ଭଳିକି ଭଳି ତକିଆକୁ ବସ୍ତ୍ର ଭାବେ ପିନ୍ଧି ସୋଶାଲ ମିଡିଆରେ ଫଟୋ ଶେୟାର କରୁଛନ୍ତି। ଏହି ଚ୍ୟାଲେଞ୍ଜ ଏବେ ବି ଟ୍ରେଣ୍ଡରେ ଚାଲିଛି।
#ମିଆଟ୍୨୦ଚ୍ୟାଲେଞ୍ଜ
କିଛିଦିନ ପୂର୍ବେ #10yearchallenge ସୋଶାଲ ମିଡିଆରେ ଖୁବ୍ ଟ୍ରେଣ୍ଡ୍ କରିଥିଲା। ସେତେବେଳେ ଲୋକେ ୧୦ ବର୍ଷ ତଳର ଫଟୋ ଶେୟାର କରି ଏହି ଚ୍ୟାଲେଞ୍ଜକୁ ଲୋକପ୍ରିୟ କରିଥିଲେ। ହେଲେ ଏବେ ସବୁଠାରୁ ଲାଟେଷ୍ଟ ଟ୍ରେଣ୍ଡରେ ଚାଲିଛି #MeAt20 ଚ୍ୟାଲେଞ୍ଜ। ଏଥିରେ ଲୋକେ ୨୦ ବର୍ଷ ବୟସରେ କିପରି ଦେଖାଯାଉଥିଲେ ତାହା ଶେୟାର କରୁଛନ୍ତି। ନିଜ ୨୦ ବର୍ଷ ବୟସର ଏକ ଫଟୋ ଶେୟାର କରି ଅନ୍ୟମାନଙ୍କୁ ଏହି ଚ୍ୟାଲେଞ୍ଜ ଦିଆଯାଉଛି। ଯୁବପିଢ଼ିଠାରୁ ଆରମ୍ଭ କରି ବୟସ୍କ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ସମସ୍ତେ ଏହି ଚ୍ୟାଲେଞ୍ଜ ଗ୍ରହଣ କରି ଫଟୋ ଶେୟାର କରୁଛନ୍ତି। ଏହା ଅନେକଙ୍କୁ ଉତ୍ସାହିତ କରୁଥିବା ବେଳେ ନିଜ ମନପସନ୍ଦର ତାରକା ବା ବ୍ୟକ୍ତି ୨୦ ବର୍ଷ ବୟସରେ କିଭଳି ଦେଖାଯାଉଥିବେ ତାହା ଦେଖିବାକୁ କୌତୁକ ମଧ୍ୟ ରହୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।