ସ୍ୱତନ୍ତ୍ର ରାଜ୍ୟ ପାହ୍ୟା: ନୂଆ ଯୁଦ୍ଧ ପାଇଁ ପୁରୁଣା ଅସ୍ତ୍ର

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ମଲା ଗଛରେ ଦିଆଚାଲିଛି ପାଣି। ଯେଉଁ ଗଛ ମରି ସାରିଛି ସେହି ଗଛରେ ପାଣି ଦେଇ ନିଜ ରାଜନୀତିକ ଏଜେଣ୍ଡାକୁ ବଞ୍ଚାଇ ରଖିବା ଏବଂ ନିଜ ଇମେଜକୁ ସୁରକ୍ଷିତ ରଖିବା ପାଇଁ ପୁରୁଣା ଟେପ୍ ରେକର୍ଡ ବଜାଇଛନ୍ତି ବିଜେଡି ସୁପ୍ରିମୋ। ଆଗକୁ ନିର୍ବାଚନ ଆସୁଥିବା ଦେଖି ନବୀନଙ୍କ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗ ଏଭଳି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

ଯୁବ ଏବଂ ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସକୁ ଘେରିଛନ୍ତି ନବୀନ। ଆଗକୁ ଦଳର ପ୍ରତିଷ୍ଠା ଦିବସ ରହିଛି। ଏହା ପୂର୍ବରୁ କିନ୍ତୁ ନବୀନ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ଉଠାଇ ଶୀତୁଆ ପାଣିପାଗକୁ ଉଷ୍ମ କରିବାକୁ ଗୋଟି ଚଳାଇଛନ୍ତି। ହେଲେ ପଞ୍ଚମ ପାଳିରେ କ୍ଷମତା ଆସନରେ ବସିବା ପରେ ହଠାତ୍ କାହିଁକି ନବୀନ ଉଠାଇଲେ? ଆସନ୍ତାବର୍ଷ ସାରା ରାଜ୍ୟରେ ପୌର ନିର୍ବାଚନ ହେବ ଏବଂ ତତ୍‌ ପରବର୍ଷ ହେବ ପଞ୍ଚାୟତ ନିର୍ବାଚନ। ତେଣୁ ରାଜନୀତିକ ଦଳ ଭାବରେ ଭାରତରେ ଏଭଳି ଅଭିଯୋଗ ଅନେକ ଥର ଉଠେ, ପରେ ଉଭାନ ହୋଇଯାଏ। ତେବେ ଯେଉଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ଶାସକ ବିଜେଡିର ସୁପ୍ରିମୋ ଉଠାଇଛନ୍ତି ତାହା କେନ୍ଦ୍ରରେ କ୍ଷମତାସୀନ ଦଳ ବିରୋଧରେ ରାଜ୍ୟରେ କ୍ଷମତାସୀନ ଆଞ୍ଚଳିକ ଦଳ ଅନେକ ବର୍ଷ ଧରି ଏକ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରିଆସୁଛି।

ଖାଲି ଓଡ଼ିଶା ନୁହେଁ ଆନ୍ଧ୍ର ପ୍ରଦେଶ ମଧ୍ୟ ସମାନ ଦାବି କରୁଛି। ହେଲେ ଏଯାଏ ସଫଳ ହୋଇନି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ଉଠାଇ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ଟିଡିପି ଏନଡିଏରୁ ଓହରିଥିଲା। ୨୦୧୮ରେ କିନ୍ତୁ ଏ ପ୍ରସଙ୍ଗରେ ମୋଦି ସରକାର କହିଥିଲେ ସ୍ୱତନ୍ତ୍ର ପାହ୍ୟା ଦେଇ ହେବନି। ସବୁଠୁ ବଡ଼ କଥା ହେଲା ୟୁପିଏ ସରକାର ବେଳେ ଆନ୍ଧ୍ରପ୍ରଦେଶରୁ ତେଲେଙ୍ଗାନା ଅଲଗା ହୋଇଥିଲା। ଏହି ସମୟରେ ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ଦେବା ନେଇ ୟୁପିଏ ସରକାର ପ୍ରତିଶ୍ରୁତି ଦେଇଥିଲା। ପରେ କିନ୍ତୁ କ୍ଷମତାରୁ ଓହରିଯାଇଛି ୟୁପିଏ। ଏବେ ବିଜେପି କ୍ଷମତାରେ ରହିଛି।

ସେତେବେଳେ ମାର୍ଚ୍ଚ ୨୦୧୮ରେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ୧୪ଶ ଫାଇନାନ୍ସ କମିଶନଙ୍କ ସୁପାରିଶ କ୍ରମେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହଟାଇ ଦିଆଯାଇଛି। ଏବେ ଏହି ମାନ୍ୟତା ଉତ୍ତର ପୂର୍ବ ଏବଂ ପାହାଡିଆ ରାଜ୍ୟରେ ସୀମିତ ରହିଛି। ସାମ୍ୱିଧାନିକ ବ୍ୟବସ୍ଥାରେ ଏହି ବର୍ଗୀକରଣ ଉଚ୍ଛେଦ ହୋଇସାରିଛି। ତେବେ ଆନ୍ଧ୍ରପ୍ରଦେଶର ବିକାଶ ନିମନ୍ତେ କେନ୍ଦ୍ର ସରକାର ୫ ବର୍ଷ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାଇଁ ମିଳୁଥିବା ଟଙ୍କାର ବ୍ୟବସ୍ଥା କରିପାରିବେ ବୋଲି କହିଥିଲେ ଜେଟଲୀ। ସ୍ୱତନ୍ତ୍ର ପାହ୍ୟା ବ୍ୟବସ୍ଥାରେ ଯୋଜନାଗୁଡ଼ିକ ପାଇଁ କେନ୍ଦ୍ର ସରକାର ୯୦ ପ୍ରତିଶତ ଓ ରାଜ୍ୟ ସରକାର ୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରନ୍ତି। ହେଲେ ଏହି ମାନ୍ୟତା ମିଳିନଥିଲେ ଏହି ଅନୁପାତ ୬୦: ୪୦ ହିସାବ ହୁଏ।

ପ୍ରଥମେ ତିନୋଟି ରାଜ୍ୟ ଆସାମ, ନାଗାଲାଣ୍ଡ ଏବଂ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିଲା। ୧୯୭୪-୭୯ରୁ ଏହି ବର୍ଗ ଅଧୀନରେ ଆଉ ପାଞ୍ଚଟି ରାଜ୍ୟ ହିମାଚଳ ପ୍ରଦେଶ, ମଣିପୁର, ମେଘାଳୟ, ସିକ୍କିମ ଏବଂ ତ୍ରିପୁରା ଅନ୍ତର୍ଭୁକ୍ତ ହୋଇଥିଲା।

୧୯୯୦ରେ ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ସ୍ୱତନ୍ତ୍ର ପାହ୍ୟା ପାଇଥିଲେ। ଉତ୍ତରାଖଣ୍ଡ ୨୦୦୧ରେ ଏହି ମାନ୍ୟତା ପାଇଥିଲା। କିନ୍ତୁ ଯୋଜନା ଆୟୋଗର ବିଲୋପ ଏବଂ NITI ଆୟୋଗ ଗଠନ ପରେ, ୧୪ଶ ଅର୍ଥ ଆୟୋଗର ସୁପାରିଶ କାର୍ଯ୍ୟକାରୀ ହେଲା। ଏହା ପରଠୁଁ ଅର୍ଥ ଗାଡଗିଲ ଫର୍ମୁଲା ଭିତ୍ତିକ ଅନୁଦାନ ବନ୍ଦ ହେଲା।

ଯୋଜନା କମିଶନର ସୁପାରିସ କ୍ରମେ ଜାତୀୟ ବିକାଶ ପରିଷଦ (ଏନଡିସି) ଦ୍ୱାରା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ହୋଇଥିଲା। ଏହି ଶ୍ରେଣୀରେ ସାମିଲ୍ ହେବାକୁ ବେଲେ ବିଭିନ୍ନ ପାରାମିଟର ରହିଛି। ଯେମିତିକି ଅଧିକ ପାହାଡିଆ ଅଞ୍ଚଳ, ଅଳ୍ପ ଜନସଂଖ୍ୟା ତଥା ଜନସଂଖ୍ୟାରେ ଆଦିବାସୀଙ୍କ ସଂଖ୍ୟା ଅଧିକ,  ଆୟର ଉତ୍ସ କମ୍, ଦେଶର ସୀମା ସହିତ ରଣନୀତିକ ଅବସ୍ଥାନ, ଅର୍ଥନୀତି ଓ ଭିତ୍ତିଭୂମିରେ ପଛୁଆ। ଏଥି ମଧ୍ୟରୁ ଓଡ଼ିଶା କେବଳ ଆଦିବାସୀ ଜନସଂଖ୍ୟାର ମାପଦଣ୍ଡ ପୂରଣ କରୁଛି। ଅର୍ଥନୀତି ଓ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ ଆଗୁଆ ବୋଲି ୨୦ ବର୍ଷର ସରକାର ବାରମ୍ବାର ଡିଣ୍ଡିମ ପିଟୁଛନ୍ତି। ଓଡ଼ିଶାର ଖଣିଖାଦାନରୁ ପ୍ରଚୁର ରାଜସ୍ୱ ଆଦାୟ ହେଉଛି। ସେଥିପାଇଁ ଓଡ଼ିଶାର ବାର୍ଷିକ ବଜେଟ୍‌ ପରିମାଣ ଲକ୍ଷେ କୋଟି ଟଙ୍କା ପାର କରିଛି। ଏହାର ଲୁଟ୍‌ ବନ୍ଦ ହେଲେ ଓଡ଼ିଶା ସମଗ୍ର ଦେଶରେ ଧନୀ ରାଜ୍ୟ ହୋଇପାରିବ। ଓଡ଼ିଶାର ଖଣିଜ ପଦାର୍ଥକୁ ଭିତ୍ତିକରି ଫିନିଶଡ୍‌ ପ୍ରଡକ୍ଟର ଶିଳ୍ପ ହେଲେ ଅଧିକ ସଂଖ୍ୟକଙ୍କ ଓଡ଼ିଆଙ୍କ ପାଇଁ ନିଯୁକ୍ତ ସୁଯୋଗ ସୃଷ୍ଟି ହେବା ସହିତ ଓଡ଼ିଶା ସରକାର ମଧ୍ୟ ଅଧିକ ଟିକସ ଅଂଶ ପାଇବେ। ଓଡ଼ିଶା ସରକାର ଏସବୁ ଉପରେ ଗୁରୁତ୍ୱ ନଦେଇ କେନ୍ଦ୍ରର ଅନୁଦାନ ଉପରେ ଗୁରୁତ୍ୱ ଦେବାର ଅର୍ଥ ପ୍ରାଶାସନିକ ଦୁର୍ନୀତି ଓ ଅପାରଗତାକୁ ଘୋଡ଼େଇ ପକେଇବା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।