Advertisment

ଟ୍ରାଏଲ୍ ଫେଜ୍‌ରେ କଂଗ୍ରେସ ଭାକସିନ୍!

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ସାରା ଦେଶ ଏବେ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ କଂଗ୍ରେସ ପାର୍ଟି କିନ୍ତୁ ୨୦୧୪ରୁ ସଂକ୍ରମିତ। ୨୦୧୪ ନିର୍ବାଚନ ପରଠାରୁ ସାରା ଦେଶରେ କଂଗ୍ରେସର ମୂଳଦୁଆ ଦୋହଲିଯାଇଛି। ପାର୍ଟି ଖୋଜୁଛି ସ୍ଥାୟୀ ମୁରବୀର ହାତ। କିନ୍ତୁ ହାତ ଦଳ ମୁଖିଆ ପଦ କେବଳ ଗାନ୍ଧି ପରିବାରରେ ହିଁ ସୀମିତ ଥିବାରୁ ମୁରବୀ ଦାୟିତ୍ୱ ଗାନ୍ଧି, ଗାନ୍ଧି ମଧ୍ୟରେ ବଣ୍ଟାବଣ୍ଟି ଚାଲିଥିବା ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ହେଲେ ବର୍ତ୍ତମାନ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଟ୍ରାଏଲ୍ ଫେଜ୍‌ରେ କଂଗ୍ରେସ ଭାକସିନ୍!

OR Special

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ସାରା ଦେଶ ଏବେ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ କଂଗ୍ରେସ ପାର୍ଟି କିନ୍ତୁ ୨୦୧୪ରୁ ସଂକ୍ରମିତ। ୨୦୧୪ ନିର୍ବାଚନ ପରଠାରୁ ସାରା ଦେଶରେ କଂଗ୍ରେସର ମୂଳଦୁଆ ଦୋହଲିଯାଇଛି। ପାର୍ଟି ଖୋଜୁଛି ସ୍ଥାୟୀ ମୁରବୀର ହାତ। କିନ୍ତୁ ହାତ ଦଳ ମୁଖିଆ ପଦ କେବଳ ଗାନ୍ଧି ପରିବାରରେ ହିଁ ସୀମିତ ଥିବାରୁ ମୁରବୀ ଦାୟିତ୍ୱ ଗାନ୍ଧି, ଗାନ୍ଧି ମଧ୍ୟରେ ବଣ୍ଟାବଣ୍ଟି ଚାଲିଥିବା ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ହେଲେ ବର୍ତ୍ତମାନ କଂଗ୍ରେସରେ ସଂକ୍ରମଣ ଏତେ ବଢ଼ିଯାଇଛି ଯେ, ପରମାନେଣ୍ଟ ବା ସ୍ଥାୟୀ ଭାକସିନ୍ ଖୋଜିବାକୁ ଜୋରଦାର ଦାବି ଉଠିଛି। ଦଳର ୨୩ରୁ ଊର୍ଦ୍ଧ୍ୱ କାଢ଼ୁଆ ନେତା, ୫ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଅନେକ ଓ୍ୱାର୍କିଂ କମିଟି ସଦସ୍ୟ, ସାଂସଦ ତଥା ବହୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏନେଇ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଆମୂଳ ଚୂଳ ପରିବର୍ତ୍ତନ ପାଇଁ ସ୍ୱର ଉଠାଇଛନ୍ତି।

Advertisment

ଏପଟେ ରାଜ୍ୟ ପ୍ରଦେଶ କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା। ସେପଟେ ଏଆଇସିସି ଏପଟେ ପିସିସି ପରିବର୍ତ୍ତନ ଲାଗି ଦଳରୁ ସ୍ୱର ଶାଣିତ ହେଲାଣି। ଦଳରେ ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ ଭାକସିନ୍ ଦାବି ମଧ୍ୟ ଜୋର୍ ଧରୁଛି। ସଂକ୍ରମଣକୁ ରୋକିବାକୁ ଜଣେ ସ୍ଥାୟୀ ନେତୃତ୍ୱ ଆବଶ୍ୟକ। ସାମୟିକ ସମାଧାନରେ ଆଜି କଂଗ୍ରେସ ସର୍ବାଧିକ ଖରାପ ସ୍ଥିତିରେ ଦେଇ ଗତି କରୁଛି। ତେବେ ଆଜି ହେଉଛି ମାନସ ମନ୍ଥନ। ଦିଲ୍ଲୀ ଦରବାରରେ କଂଗ୍ରେସ ଭାକସିନ ଟ୍ରାଏଲ୍ ଫେଜ୍ ଚାଲିଛି। ନୀତି ନିର୍ଦ୍ଧାରଣ କମିଟି ବୈଠକରେ ଆରମ୍ଭ ହୋଇଯାଇ ବିଚାରବିମର୍ଶ। ବଡ଼ ବଡ଼ ତୁଙ୍ଗ ନିର୍ଦ୍ଧାରକମାନେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କୁହାଯାଉଛି ସୋନିଆ ଇସ୍ତଫା ମଧ୍ୟ ଦେଇପାରନ୍ତି।

ସିଡବ୍ଲୁସି ବୈଠକରେ ଏଆଇସିସି, ପିସିସି ସଂଗଠନ ନେଇ ଆଲୋଚନା ହେବ। ଏହାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ କଂଗ୍ରେସରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ପିସିସି ପରିବର୍ତ୍ତନ କରିବା ଦାବି ଓଡ଼ିଶାରେ ଏକ ପୁରୁଣା ବିଷୟ। ସେଠାରେ ଗାନ୍ଧି ପରିବାରବାଦ ହଟାଇବା ଆଉ ଏଠାରେ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ଟାଣୁଆ ନେତୃତ୍ୱ ଆଣିବା ଲାଗି ଚେଷ୍ଟା ଜାରି ରହିଛି। ପିସିସି ରେସରେ ଅନେକେ ଥିଲେ ହେଁ ଭିତିରୁ ସୂତ୍ରରୁ ଜଣାପଡ଼ିଛି ଯେ, ଦେବାଶିଷ ପଟ୍ଟନାୟକ ରହିଛନ୍ତି ଆଗଧାଡ଼ିରେ। ସେହିପରି ଏଆଇସିସି ସମ୍ପାଦକ ଭାବେ ବିଶ୍ୱରଞ୍ଜନ ମହାନ୍ତି ମଧ୍ୟ ପିସିସି ଦୌଡ଼ରେ ଅଛନ୍ତି ବୋଲି ଶୁଣାଯାଉଛି। ତେବେ ଯାହା କୁହାଯାଉଛି, ସୋନିଆଙ୍କ ଲିଙ୍କରେ ଦେବାଶୀଷ ଥିବା ବେଳେ ବିଶ୍ୱରଞ୍ଜନଙ୍କ ରହିଛି ରାହୁଲ ଲିଙ୍କ୍। ହେଲେ ଏହା ମଧ୍ୟ କୁହାଯାଉଛି ମହମ୍ମଦ ମୋକିମ୍ ବି କାଳେ ବିକଳ୍ପ ହୋଇପାରନ୍ତି। ଏବେ ଦିଲ୍ଲୀ କଂଗ୍ରେସ ଭାକସିନ୍ ଟ୍ରାଏଲ ସଫଳ ହେଲେ ଓଡ଼ିଶାରେ କେଉଁ ଲିଙ୍କ୍ କାମ ଦେବ ତାହା ସ୍ପଷ୍ଟ ହେବ। କାରଣ ଏଆଇସିସି ଅଧ୍ୟକ୍ଷ ଚାହିଁଲେ ପିସିସି ପରିବର୍ତ୍ତନ ସମ୍ଭବ।

Advertisment

ମୁରବୀ ଠିକ୍ ନ ଥିବାରୁ କଂଗ୍ରେସର ଅବସ୍ଥା ଆଜି ଶୋଚନୀୟ। ଉଭୟ କେନ୍ଦ୍ର ଓ ରାଜ୍ୟରେ ଅନେକ ତୁଙ୍ଗ ନେତା, ବିଧାୟକ ଦଳ ଛାଡ଼ି ବିଜେପି ଓ ବିଜେଡିରେ ଯୋଗଦେଇଛନ୍ତି। ଦିଲ୍ଲୀଠାରୁ ଭୁବନେଶ୍ୱର ଦେଖିଲେ ଲାଗୁଛି କଂଗ୍ରେସ ହଲଚଲ ଅବସ୍ଥାରେ ରହିଛି। ଜୟନ୍ତୀ ନଟରାଜନ, ଜ୍ୟୋତିରାଦିତ୍ୟ ସିନ୍ଦିଆ, ରଞ୍ଜିତ୍ ଦେଶମୁଖ, ଚୌଧୁରୀ ବୀରେନ୍ଦ୍ର ସିଂହଙ୍କ ଭଳି କଂଗ୍ରେସର ଅନେକ ଟାଣୁଆ ଚେହେରା ୨୦୧୪ ପରେ ଦଳକୁ ଅଲବିଦା କହିଛନ୍ତି। ଏପଟେ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ବିଭୁ ତରାଇ, ନବ ଦାସ, ପ୍ରକାଶ ବେହେରା, ସୁମିତ୍ରା ଜେନାଙ୍କ ଭଳି ନେତାମାନେ ବିଦାୟ କହି ବିଜେଡି ଏବଂ ବିଜେପିକୁ ଆଲିଙ୍ଗନ କରିଛନ୍ତି।

ନିକଟରେ କଂଗ୍ରେସର ଅନ୍ୟତମ ହେଭି ଓ୍ୱେଟ୍ ନେତା ସଚିନ ପାଇଲଟଙ୍କ ଅସନ୍ତୁଷ୍ଟ ଗୋଷ୍ଠୀ ଦଳକୁ ନାକେ ପାଣି ପିଆଇଦେଇଥିଲା। ପରେ ବିଭିନ୍ନ ସର୍ତ୍ତମୂଳକ ସାଲିସ୍ କରି ସଚିନ ପୁଣି ହାତ ଦଳର ହାତ ଧରିଛନ୍ତି। ଏସମସ୍ତ ପରିସ୍ଥିତିକୁ ନିରେଖି ଦେଖିଲେ ଲାଗୁଛି, ବର୍ତ୍ତମାନ କଂଗ୍ରେସ ଭାକସିନ୍ ନିହାତି ଆସିବା ଦରକାର। ନ ହେଲେ ଦେଶରେ ବିରୋଧୀ ଦଳର ଜବନିକା ପଡ଼ିଯିବ। ତେବେ ଯଦି ସଚିନ୍ ଏହି ଭାକସିନ୍ ହୁଅନ୍ତି, ସମ୍ପୂର୍ଣ୍ଣ ଚିତ୍ର ଭିନ୍ନ ରୂପ ନେବ। ଅପରପକ୍ଷେ ଯଦି ପୁଣି ସୋନିଆ ରାହୁଲଙ୍କୁ ଦାୟିତ୍ୱ ଦେଇ ପରିବାରବାଦର ପୁନରାବୃତ୍ତି କରନ୍ତି, ତେବେ ପରିସ୍ଥିତି ଯଥା ପୂର୍ବଂ, ତଥା ପରଂ।

ତେବେ ଚାଲନ୍ତୁ ୧୯୯୧ରୁ ୨୦୨୦ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷମାନଙ୍କ ତାଲିକା ଉପରେ ନଜର ପକାଇବା-

୧୯୯୧ରେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ପି.ଭି ନରସିଂହା ରାଓ ଅଧ୍ୟକ୍ଷ ଭାର ନେଇଥିଲେ। ସେ ୧୯୯୨ରୁ ୧୯୯୬ ଯାଏ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ହେଲେ ନିର୍ବାଚନରେ ହାରିବା ପରେ ତାଙ୍କୁ ଅଧ୍ୟକ୍ଷ ପଦରୁ ବାହାର କରିଦିଆଗଲା ଏବଂ ସୀତାରାମ କେଶରୀଙ୍କୁ କଂଗ୍ରେସ କମାଣ ହସ୍ତାନ୍ତର କରାଗଲା। ସୀତାରାମ ୧୯୯୬ରୁ ୧୯୯୮ ଯାଏ କଂଗ୍ରେସ ଅଧ୍ୟକ୍ଷ ରହିଥିଲେ।

ଏହାରି ଭିତରେ ସୋନିଆ ଗାନ୍ଧି ବିଦେଶୀ ମହିଳା ବୋଲି ପ୍ରସଙ୍ଗ ଜୋର୍ ଧରିଲା। ଅନେକ ତୁଙ୍ଗ ନେତା ଦଳ ଛାଡ଼ିଦେଲେ। ତୀବ୍ର ବିବାଦ ଭିତରେ ସୀତାରାମ କେଶରୀଙ୍କ ଅଧ୍ୟକ୍ଷ ପଦ ବି ହାତରୁ ଗଲା ଏବଂ ସୋନିଆ ନିଜେ ପାର୍ଟି ଅଧ୍ୟକ୍ଷ ହେଲେ।

୧୯୯୮ରୁ ୨୦୧୭ ଯାଏ ସୋନିଆ କଂଗ୍ରେସ ଅଧ୍ୟକ୍ଷ ହୋଇ ରହିଲେ। କିନ୍ତୁ ୨୦୧୭ରେ ପାର୍ଟିକୁ ଯୁବ ନେତୃତ୍ୱ ଆବଶ୍ୟକ କହି ପଦ ଛାଡ଼ିଦେଲେ। ଏହାପରେ ତାଙ୍କ ପୁଅ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେଲେ।

ରାହୁଲ ଗାନ୍ଧି ୨୦୧୭ରୁ ୨୦୧୯ ଯାଏ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଲେ। ହେଲେ ୨୦୧୯ ଲୋକସଭା ନିର୍ବାଚନରେ ଲଜ୍ଜାଜନକ ପରାସ୍ତ ହେବା ପରେ ରାହୁଲ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେଲେ। ଏହାପରେ ୨୦୧୯ରେ ପୁଣି ସୋନିଆ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଏବେ ଅନ୍ତରୀଣ ଅଧ୍ୟକ୍ଷ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ପୁଣି ଦଳକୁ ଯୁବ ନେତୃତ୍ୱ ଆବଶ୍ୟକ ବୋଲି କହି ସୋନିଆ ପଦ ଛାଡ଼ିବା କଥା କହୁଛନ୍ତି।

Congress Niranjan Patnaik Rahul Gandhi OR Special Sonia Gandhi