ନୂଆଦିଲ୍ଲୀ: ବଗିଚାର ଗୋଟେ ସୁନ୍ଦର କଢ଼ ପରି ଥିଲେ ଲଳିତା। ଫୁଟିବାକୁ ଚାହିଁ ବସିଥିଲେ। ମନର ପାଖୁଡ଼ା ସମ୍ପୂର୍ଣ୍ଣ ମେଲିବା ଅପେକ୍ଷାରେ। ନିଜକୁ ଏବଂ ଦୁନିଆକୁ ସମ୍ପୂର୍ଣ୍ଣ ପରଖିବା ପୂର୍ବରୁ କିନ୍ତୁ ସେ ପହଞ୍ଚିଯାଇଥିଲେ ଗୋଟେ ଅଜଣା ରାଇଜରେ। ଯେଉଁଠି ତାଙ୍କର ପରିଚୟ ହେଲା ସେ ଜଣେ ବିଧବା। ଅନ୍ୟ ନାରୀମାନଙ୍କଠାରୁ ତାଙ୍କର ଜୀବନ ଭିନ୍ନ ଥିଲା ସତ, କିନ୍ତୁ ସେ ଏକା ପଡ଼ିଯାଇ ନଥିଲେ। ସେ ସମୟରେ ତାଙ୍କ କୋଳରେ ଥିଲା ତାଙ୍କର ଚାରି ମାସର ଝିଅ ଶ୍ୟାମଳା।
ଆମେ ଏଠି କୌଣସି ସାଧାରଣ ଝିଅ ବିଷୟରେ ବର୍ଣ୍ଣନା କରୁନାହୁଁ। ଏଠି ଆଲୋଚନା ହେଉଛି ଦେଶର ପ୍ରଥମ ସିଙ୍ଗଲ୍ ମଦର୍ ଇଂଜିନିୟର ଏ. ଲଳିତାଙ୍କ ବିଷୟରେ। ତେବେ ବିଧବାରୁ ଦେଶର ପ୍ରଥମ ସିଙ୍ଗଲ୍ ମଦର୍ ଇଂଜିନିୟରର ଯାତ୍ରା ତାଙ୍କ ପାଇଁ କେମିତି ଥିଲା ଆସନ୍ତୁ ଜାଣିବା।
୧୯୧୯ମସିହା ଅଗଷ୍ଟ ୨୭ତାରିଖରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ଲଳିତା। ବାପା ପପୁ ଶୁବା ରାଓ ଇଂଜିନିୟରିଂ କଲେଜର ଜଣେ ଅଧ୍ୟାପକ ଥିଲେ। ସେ ଇଲେକ୍ଟ୍ରିକାଲ୍ ଇଂଜିନିୟରିଂ କରୁଥିବା ପିଲାମାନଙ୍କୁ ପଢ଼ାଉଥିଲେ। ୭ ଜଣ ଭାଇଭଉଣୀଙ୍କ ମଧ୍ୟରେ ଲଳିତା ଥିଲେ ୫ମ ସନ୍ତାନ। ପିଲାଦିନୁ ଲଳିତାଙ୍କର ଇଚ୍ଛା ଥିଲା ଯେ ସେ ବଡ଼ ହେଲ ଜଣେ ଇଂଜିନିୟର ହେବେ। ସେ ସମୟରେ ଝିଅମାନଙ୍କ ଶିକ୍ଷା ପ୍ରତି ଲୋକମାନେ ଏତେଟା ଆଗ୍ରହୀ ନଥିଲେ ଏବଂ ଲଳିତାଙ୍କ ଘରର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ନଥିଲା। ଫଳରେ ଘର ଲୋକେ ତାଙ୍କୁ କେବଳ ଦଶମ ପର୍ଯ୍ୟନ୍ତ ପଢ଼ାଇଥିଲେ। ତା’ପରେ ତାଙ୍କୁ ବିବାହ କରି ଦେଇଥିଲେ।
ବିବାହର ୩ ବର୍ଷ ପରେ ଲଳିତାଙ୍କ ସ୍ୱାମୀଙ୍କର ଦେହାନ୍ତ ଘଟିଲା। ସେତେବେଳେକୁ ଲଳିତାଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥାଏ। ତାଙ୍କ ଝିଅକୁ ସେତେବେଳେକୁ ମାତ୍ର ୪ ମାସ। ପୁରୁଷ କୈନ୍ଦ୍ରିକ ସମାଜରେ ସେତେବେଳେ ଗୋଟେ ବିଧବା ନାରୀର ବଞ୍ଚିବା କଷ୍ଟକର ହୋଇଯାଉଥିଲା। ଲୋକେ ଲଳିତାଙ୍କୁ ସ୍ୱାମୀ ମରିବାର ଦୋଷ ଦେବା ସହ ନାନା କଥା ଶୁଣଉଥିଲେ। ଲଳିତାଙ୍କ ଶାଶୁ ଘରେ ମଧ୍ୟ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ସହ ସମସ୍ତେ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ। ଶେଷରେ କୌଣସି ଉପାୟ ନପାଇ ଲଳିତା ତାଙ୍କ ୪ ମାସର ଝିଅ ଶ୍ୟାମଳାଙ୍କୁ ଧରି ତାଙ୍କ ବାପା ଘରକୁ ଚାଲି ଯାଇଥିଲେ।
ସେଠାରେ କିଛି ଦିନ ରହିବା ପରେ ସେ ତାଙ୍କ ମରିଯାଇଥିବା ସ୍ୱପ୍ନକୁ ପୁଣିଥରେ ଜୀବନ୍ତ କରିବା କଥା ଚିନ୍ତା କଲେ। ସେ ପୁଣି ଥରେ ପଢ଼ିବା କଥା ଭାବିଲେ ଏବଂ ତାଙ୍କ ବାପାଙ୍କୁ ଇଂଜିନିୟରିଂ କରିବା କଥା କହିଲେ।
ତାଙ୍କ ବାପା ସେତେବେଳେ କଲେଜ୍ ଅଫ୍ ଇଂଜିନିୟରିଂ ଗୁଇଣ୍ଡିରେ (ସିଇଜି) ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ସେ ଲଳିତାଙ୍କ କଥା ମାନିଲେ ଏବଂ ଏ ଦିଗରେ ଝିଅକୁ ସାହାଯ୍ୟ କରିବା ପାଇଁ ସ୍ଥିର କଲେ। ସେ ସମୟରେ ଝିଅମାନେ କଲେଜ୍ କମ୍ ଯାଉଥିଲେ। ଆଉ ଇଂଜିନିୟରିଂ କରିବାର ଲକ୍ଷ୍ୟ ବୋଧହୁଏ ସେ ଅଞ୍ଚଳରେ କାହା ପାଖରେ ନଥିଲା। ତେଣୁ ସେ ସମୟରେ କଲେଜ୍ ମାନେ ପୁରୁଷ କଲେଜ ବୁଝାଉଥିଲା। କାରଣ ସେଠାରେ କୌଣସି ଝିଅ ପଢ଼ିବା ପାଇଁ କେବେ ନାମ ଲେଖାଉ ନଥିଲେ।
ଲଳିତାଙ୍କ ବାପା କଲେଜର ପ୍ରିନ୍ସିପାଲ କେ.ସି. ଚକ୍କୋଙ୍କ ସହ ଝିଅର ଆଡ୍ମିସନ୍କୁ ନେଇ କଥା ହେଲେ। ଅନେକ ବୁଝାସୁଝା କରିବା ପରେ କଲେଜ ପ୍ରିନ୍ସିପାଲ୍ ଲଳିତାଙ୍କ ଆଡ୍ମିସନ୍ ପାଇଁ ରାଜି ହୋଇଥିଲେ। ସେବର୍ଷ କଲେଜ୍ରେ ୧୦୦ ଜଣ ପୁଅଙ୍କ ସହିତ ଲଳିତା ଏକମାତ୍ର ଝିଅ ଭାବେ ଆଡମିସନ୍ ନେଇଥିଲେ।
ଆଡମିସନ୍ କିରିବା ପରେ ଲଳିତାଙ୍କ ପାଇଁ କଲେଜ୍ ତରଫରୁ ଗୋଟେ ଲେଡିଜ୍ ହଷ୍ଟେଲ୍ ରୁମ୍ର ବ୍ୟବସ୍ଥା କରି ଦିଆଯାଇଥିଲା।
ଯେତେବେଳେ ଲଳିତା ପାଠ ପଢୁଥିଲେ ସେତେବେଳେ ଝିଅ ଶ୍ୟାମଳା ମାମୁ ଘରେ ରହୁଥିଲା। ସପ୍ତାହକୁ ଥରେ ନହେଲେ ଦୁଇ ଥର ଲଳିତା ଘରକୁ ଆସି ଶ୍ୟାମଳାକୁ ଦେଖିକି ଯାଉଥିଲେ।
ଲଳିତା ହଷ୍ଟେଲ୍ରେ ଏକା ରହୁଥିଲେ। ତେଣୁ ତାଙ୍କ ବାପା କଲେଜ୍ କର୍ତ୍ତୃପକ୍ଷଙ୍କୁ କହି ଅନ୍ୟ ଝିଅମାନଙ୍କୁ କଲେଜ୍ରେ ଆଡ୍ମିସନ୍ କରିବାର ସୁଯୋଗ ଦେବାକୁ କହିଲେ। ଏହାପରେ ଝିଅମାନଙ୍କ ପାଇଁ ଆଡ୍ମିସନ୍ ଫର୍ମ ବାହାରିଲା। ଏହାପରେ ଲିଲାମା ଜର୍ଜ ଏହଂ ପିକେ ଥ୍ରେସିଆ ନାମକ ଦୁଇ ଜଣ ଛାତ୍ରୀ ଆସି ସିଭିଲ୍ ଇଂଜିନିୟରିଂ କରିବା ପାଇଁ ଯୋଗ ଦେଇଥିଲେ।
ଇଂଜିନିୟରିଂ ସାରିବା ପରେ ଲଳିତା ସିମଳାରେ ସେଣ୍ଟ୍ରାଲ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍ରେ କାମ କଲେ। ଏଥିସହ ସେ ଚେନ୍ନାଇରେ ତାଙ୍କ ବାପାଙ୍କ ୱାର୍କସପ୍ରେ ମଧ୍ୟ ଯୋଗ ଦେଉଥିଲେ। କିଛି ଦିନ କାମ କରିବା ପରେ ଲଳିତା କୋଲକାତାର ଆସୋସିଏଟେଡ୍ ଇଲେକ୍ଟ୍ରିକାଲ୍ ଇଣ୍ଡଷ୍ଟ୍ରିରେ ଯୋଗଦେଲେ।
କୋଲକାତାରେ ରହିବା ସମୟରେ ଲଳିତାଙ୍କ ଝିଅ ଶ୍ୟାମଳା ମଧ୍ୟ ତାଙ୍କ ସହ ଥିଲା। କୋଲକାତାରେ ଜଣେ ସମ୍ପର୍କୀୟଙ୍କ ଘରେ ଲଳିତା ଏବଂ ଶ୍ୟାମଳା ରହୁଥିଲେ। ଶ୍ୟାମଳାଙ୍କ ଯତ୍ନ ତାଙ୍କର ଜଣେ ସମ୍ପର୍କୀୟ ମାଉସୀ ନେଉଥିଲେ।
ଲଳିତା ଗାଁ ଗହଳିରେ ବିଦ୍ୟୁତ୍ ସଂଯୋଗ ଉପରେ ଅଧିକ ଧ୍ୟାନ ଦେଉଥିଲେ। ତାଙ୍କ ଚାକିରି ସମୟରେ ସେ ଅନ୍ଧକାରରେ ରହୁଥିବା ଗାଁ ବୁଲି ବିଦ୍ୟୁତ୍ ସଂଯୋଗ କରାଉଥିଲେ। ସେଥିପାଇଁ ତାଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ଥରରେ ସମ୍ମାନିତ କରାଯାଇଥିଲା।
୧୯୭୯ ମସିହାରେ ୬୦ ବର୍ଷ ବୟସରେ ବ୍ରେନ୍ ଅନ୍ୟୁରିସିମ୍ରେ ଲଳିତାଙ୍କର ମୃତ୍ୟୁ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।