ନୂଆଦିଲ୍ଲୀ: କିଏ କହିଲା ଜୀବନର କାହାଣୀକୁ ପୁଣି ଥରେ ଲେଖିହେବ ନାହିଁ? କିଏ କହିଲା ଉଜୁଡ଼ା ଜୀବନକୁ ପୁଣି ସଜାଡ଼ି ହେବ ନାହିଁ? କିଏ କହିଲା ସ୍ୱପ୍ନ ଭାଙ୍ଗିଯିବା ପରେ ପୁଣି ଥରେ ସ୍ୱପ୍ନ ଦେଖିହେବ ନାହିଁ। ଏଇତ ଜୀବନ। ଏଇଠି ସବୁ ସମ୍ଭବ। ଖାଲି ଟିକେ ସହଯୋଗର ହାତ ବଢ଼େଇଦେଲେ ଲୋଡ଼ା। ସାହସ ଧରି ପୁଣିଥରେ ଉଡ଼ିବାର ସ୍ୱପ୍ନ ଦେଖିଲେ ହେଲା। ଘନ ଅନ୍ଧାରରେ ବିଲୀନ ଜୀବନର କାନଭାସରେ ରଙ୍ଗ ଭରିଦେବାକୁ ଥରେ ଖାଲି ତୁଳି ଧରିଲେ ହେଲା।
ନିଜ ନର୍କ ପ୍ରାୟ ଜୀବନକୁ ସଜାଡ଼ି ସେଥିରେ ରଙ୍ଗ ଭରିବାକୁ ସମସ୍ତେ ତ ଚାହାନ୍ତି। ହେଲେ ସହଯୋଗ ନ ମିଳିବାରୁ ସମସ୍ତଙ୍କ ଏହି ସ୍ୱପ୍ନ ପୂରା ହୋଇପାରେ ନାହିଁ। କିଛି ଝରା ଫୁଲ ହୋଇ ବଗିଚାରେ ହିଁ ମଉଳିଯାଆନ୍ତି। ଆଉ କିଛି ଟିକେ ସୁଯୋଗ ପାଇଲେ ନିଜ ମହକରେ ଚଉଦିଗ ମହକାଇ ଦିଅନ୍ତି। ଆଜି ଏଭଳି ଦୁଇ ଜଣଙ୍କ ବିଷୟରେ ଜାଣିବା, ଯେଉଁମାନେ ନିଜ ଜୀବନର କାହାଣୀଙ୍କୁ ପୁଣି ଲେଖି ଭାଗ୍ୟକୁ ବି ବଦଳାଇ ଦେଇଛନ୍ତି।
ମେଘା (ଛଦ୍ମ ନାମ) ବିଦେଶରେ ସେ ଜନ୍ମଗ୍ରହଣ କରିଥିଲା। ମାତ୍ର ୫ ବର୍ଷ ବୟସରେ ମେଘାର ବାପା ଏକ ଦୁର୍ଘଟଣାରେ ଚାଲିଗଲେ। ଏହାପରେ ପୂରା ପରିବାର ମୁମ୍ବାଇକୁ ଚାଲିଆସିଲେ।ଭାରତ ଆସିବା ପରେ ମେଘାର ମାଆ ପୁଣି ଥରେ ବିବାହ କଲେ, ଯାହା ପରେ ଦୀର୍ଘ ଆଠ ବର୍ଷ ଧରି ମେଘାକୁ ତା' ସାବତ ବାପା ଶାରିରୀକ ତଥା ଯୌନ ନିର୍ୟାତନା ଦେଇଆସୁଥିଲା। ହେଲେ ଏ କଥା ତାର ମା' କେବେ ବିଶ୍ୱାସ କରି ନ ଥିଲା। ଯେବେ ସାବତ ବାପାର କୁକର୍ମ ଯୋଗୁ ମେଘା ଗର୍ଭବତୀ ହେଲା, ତା'ପରେ ହିଁ ମେଘାର ମା' ତାର ଅଭିଯୋଗକୁ ବିଶ୍ୱାସ କରିବାକୁ ବାଧ୍ୟ ହେଲା।
ହେଲେ ଦଇବର ଦାଉ ଏତିକିରେ ସରି ନ ଥିଲା କି ତା ଦୁଃଖରେ ପୂର୍ଣ୍ଣଛେଦ ବି ପଡ଼ି ନ ଥିଲା। ବିଶ୍ୱାସରେ ବିଷ ଦେଇ ଅନ୍ଧ ଭଳି ବିଶ୍ୱାସ କରୁଥିବା ବନ୍ଧୁ ହିଁ ଦିନେ ନାବାଳିକା ମେଘାକୁ ଚାଲାଣ କରି ଦେହ ବ୍ୟବସାୟରେ ଲଗାଇଲା। ଅତ୍ୟଧିକ ଡ୍ରଗ୍ସ ଦେଇ ଦିନକୁ ପ୍ରାୟ ୧୦ରୁ ୧୫ ଜଣ ପୁରୁଷଙ୍କ ଯୌନ ତୃଷା ମେଣ୍ଟାଇବାକୁ ମେଘାକୁ ବାଧ୍ୟ କରାଯାଉଥିଲା।
ରୂପ, ରଙ୍ଗ ଓ ଶାରିରୀକ ଗଠନରେ ଦେବୀ ପ୍ରତିମା ଭଳି ସୁନ୍ଦର ଥିଲା ମେଘା। ଏଣୁ ଦେହ ବ୍ୟବସାୟ ଜମିବାରୁ ଧୀରେ ଧୀରେ ତା\'ର ଚାହିଦା ବଢ଼ିବାକୁ ଲାଗିଲା। ଏପରି କି ସେ ମହାରାଷ୍ଟ୍ରର ସର୍ବ ପୁରାତନ ରେଡ୍ ଲାଇଟ୍ ଅଞ୍ଚଳ କାମାଥିପୂରରେ ସବୁଠାରୁ ଅଧିକ ଚାହିଦା ଥିବା ବେଶ୍ୟା ଭାବେ ଲୋକପ୍ରିୟ ହୋଇଗଲା। ତା'ପରେ ସେ ସମ୍ଭାନ୍ତ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଯୌନ ସେବା ଯୋଗାଇବାକୁ ଲାଗିଲା।
ପ୍ରକୃତିର ଏହି ସୁନ୍ଦର ସୃଷ୍ଟିର ମଣିଷ ବଗିଚାରେ ଆଉ ଏକ ଫୁଲ ହୋଇ ଫୁଟିଥିଲା ସୋନିଆ(ଛଦ୍ମ ନାମ)। ସେ କର୍ଣ୍ଣାଟକର ଏକ ଦେବଦାସୀ ସମ୍ପ୍ରଦାୟରେ ଜନ୍ମଲାଭ କରିଥିଲା। ପାଞ୍ଚ ବର୍ଷର ଶୈଶବ ଅବସ୍ଥାରେ ସୋନିଆକୁ ତାର ଘର ଲୋକ ଏକ ଧର୍ମାନୁଷ୍ଠାନରେ ବେଶ୍ୟାବୃତ୍ତି କରିବାକୁ ଦାନ କରିଦେଇଥିଲେ।
ଦିନେ ପୋଲିସ ସୋନିଆକୁ ଉଦ୍ଧାର କରି ସରକାରୀ ଗୃହକୁ ପଠାଇଲା। ହେଲେ ସେଠାରେ ବେଶ୍ୟା ଜୀବନ ଅପେକ୍ଷା ଅଧିକ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥିଲା ତାକୁ। ସେ କଳେ ବଳେ କୌଶଳେ ସେଠାରୁ ଖସି ପଳାଇଥିଲା। ହେଲେ ତା' ପଡ଼ୋଶୀ ତାକୁ ପୁଣି ପୁଣେସ୍ଥିତ ରେଡ୍ ଲାଇଟ୍ ଅଞ୍ଚଳ ବୁଧଭରପେଠ ବେଶ୍ୟାଳୟରେ ବିକ୍ରି କରିଦେଲା। ୨୪ ଘଣ୍ଟାରେ ରାକ୍ଷସ ରୂପୀ ପ୍ରାୟ ୪୦ ଜଣ ପୁରୁଷଙ୍କ ଯୌନ ତୃଷ୍ଣା ମେଣ୍ଟାଇବାକୁ ସୋନିଆକୁ ବାଧ୍ୟ କରାଯାଉଥିଲା। ପ୍ରତି ୩୦ ମିନିଟରେ ଏକ ନୂଆ ରାକ୍ଷସ ତା'ର ଶରୀରକୁ ଶୋଷଣ କରୁଥିଲା।
ହେଲେ ଉଭୟ ମେଘା ଓ ସୋନିଆ ନିଜ ଜୀବନକୁ ସଜାଡ଼ିବା ଲାଗି ରଙ୍ଗ ତୁଳି ଧରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ସମାଜରେ ସେମାନେ ସମ୍ମାନର ସହ ଜୀବନ ବଞ୍ଚୁଛନ୍ତି। ଆଜି ମେଘା ଏୟାରହୋଷ୍ଟେଜ୍ ହୋଇ ଆକାଶରେ ଉଡ଼ିବାକୁ ପ୍ରସ୍ତୁତ ହେଉଛି। ଆଉ ସୋନିଆ ଧନ୍ଦାମୂଳକ ଶିକ୍ଷାରେ ତାଲିମ୍ ନେଇ ଘରକୁ ଫେରିବାକୁ ଦିନ ଗଣୁଛି। ଏ ଦିଗରେ 'ୟୁ କେନ୍ ଫ୍ରି ଅଜ୍' (YouCanFreeUs(YCFU)) ଫାଉଣ୍ଡେସନ ତାଙ୍କୁ ସହଯୋଗ କରିଛି। ସେମାନେ ବର୍ତ୍ତମାନ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିବା ଏକ ସୁରକ୍ଷିତ ଘରେ ରହି ନିଜ ସୁରକ୍ଷିତ ଭବିଷ୍ୟତ ଗଢ଼ୁଛନ୍ତି। ସହମତି ବିନା ଜୋର ଜବରଦସ୍ତି ଦେହ ବ୍ୟବସାୟରେ ନିୟୋଜିତ କରୁଥିବା ଝିଅମାନଙ୍କୁ ଫାଉଣ୍ଡେସନ ସ୍ୱର୍ଗର ସମାନ ଏକ ସୁରକ୍ଷିତ ବାସସ୍ଥାନ ଓ ଉଜୁଡ଼ା ଜୀବନକୁ ସଜାଡ଼ିବାକୁ ଆଉ ଏକ ସୁଯୋଗ ଦେଉଛି।
ମେଘା, ସୋନିଆଙ୍କ ଭଳି ଲକ୍ଷ ଲକ୍ଷ ନାବାଳିକା, ଯୁବତୀ ଓ ମହିଳା ହାତରେ ରଙ୍ଗ ତୁଳି ଧରି ପୁଣି ନିଜ ଜୀବନରେ ରଙ୍ଗ ଭରିପାରିବେ। ଖାଲି ଟିକେ ଆମେମାନେ ସହଯୋଗର ହାତ ବଢ଼େଇଦେଲେ ହେଲା...