Advertisment

ସୃଷ୍ଟି ଓ ସର୍ଜନାର ପର୍ବ ରଜ

ଦେବେନ୍ଦ୍ର ପୃଷ୍ଟି ଅନ୍ନାଦ ଭବନ୍ତି ଭୂତାନି ପର୍ଜନ୍ୟାଦନ୍ନ ସମ୍ଭବ, ଯଜ୍ଞାଦ ଭବତି ପର୍ଜନ୍ୟ ଯଜ୍ଞଃ କର୍ମ ସମୁଦ୍ଭବମ। (ଶ୍ରୀମଦଭଗବଦଗୀତା-୩/୧୪) ଶ୍ରୀମଦଭଗବଦଗୀତାର ତୃତୀୟ ଅଧ୍ୟାୟ ଚତୁର୍ଦ୍ଦଶ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଶିଷ୍ୟ ଓ ସାଥୀ ଅର୍ଜୁନଙ୍କୁ ସୃଷ୍ଟି ତତ୍ତ୍ୱ ବା ପ୍ରକୃତିର ପ୍ରଜନନ ପ୍ରକ୍ରିୟା ସଂପର୍କରେ ବୁଝେଇଛନ୍ତି। ତାଙ୍କ ଅନୁସାରେ ଅନ୍ନ ବା ଆହାରରୁ ଭୂତ ଜଗତର ସୃଷ୍ଟି ହୋଇଥାଏ। ପର୍ଜନ୍ୟ ବା ବୃଷ୍ଟିରୁ ଅନ୍ନ ସୃଷ୍ଟି ହୋଇଥାଏ। ଯଜ୍ଞରୁ ବର୍ଜନ୍ୟର ସୃଷ୍ଟି ଏବଂ କର୍ମରୁ ଯଜ୍ଞ ଉଦଭବ […]

ଏଥର ଫିକା ପଡ଼ିବ ରଜ ମଉଜ!

raja-festive

Advertisment
  • ଦେବେନ୍ଦ୍ର ପୃଷ୍ଟି

ଅନ୍ନାଦ ଭବନ୍ତି ଭୂତାନି ପର୍ଜନ୍ୟାଦନ୍ନ ସମ୍ଭବ, ଯଜ୍ଞାଦ ଭବତି ପର୍ଜନ୍ୟ ଯଜ୍ଞଃ କର୍ମ ସମୁଦ୍ଭବମ। (ଶ୍ରୀମଦଭଗବଦଗୀତା-୩/୧୪)

Advertisment

ଶ୍ରୀମଦଭଗବଦଗୀତାର ତୃତୀୟ ଅଧ୍ୟାୟ ଚତୁର୍ଦ୍ଦଶ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଶିଷ୍ୟ ଓ ସାଥୀ ଅର୍ଜୁନଙ୍କୁ ସୃଷ୍ଟି ତତ୍ତ୍ୱ ବା ପ୍ରକୃତିର ପ୍ରଜନନ ପ୍ରକ୍ରିୟା ସଂପର୍କରେ ବୁଝେଇଛନ୍ତି। ତାଙ୍କ ଅନୁସାରେ ଅନ୍ନ ବା ଆହାରରୁ ଭୂତ ଜଗତର ସୃଷ୍ଟି ହୋଇଥାଏ। ପର୍ଜନ୍ୟ ବା ବୃଷ୍ଟିରୁ ଅନ୍ନ ସୃଷ୍ଟି ହୋଇଥାଏ। ଯଜ୍ଞରୁ ବର୍ଜନ୍ୟର ସୃଷ୍ଟି ଏବଂ କର୍ମରୁ ଯଜ୍ଞ ଉଦଭବ ହୋଇଥାଏ।

ସରଳ ଭାବରେ କହିଲେ ଯେପରି କର୍ମ ସେପରି ସୃଷ୍ଟି। ପ୍ରକୃତିର କର୍ମ ପ୍ରକ୍ରିୟା ନିରନ୍ତର ଚାଲିଛି। କ୍ରିୟା ଓ ପ୍ରତିକ୍ରିୟା ମାଧ୍ୟମରେ ଜୀବଜଗତର କାୟା, ଗୁଣ ଓ ଚରିତ୍ରର ନବ ପ୍ରକାଶ ଘଟିଚାଲିଛି। ମଣିଷର କର୍ମରୁ ଯେଉଁ ପ୍ରକ୍ରିୟା ସୃଷ୍ଟି ହେଉଛି ତାହା ଯଜ୍ଞ। ଯେପରି କର୍ମ ସେପରି ଯଜ୍ଞ। ଯେପରି ଯଜ୍ଞ ସେପରି ବୃଷ୍ଟି। ଯେପରି ବୃଷ୍ଟି ସେପରି ସୃଷ୍ଟି। ଏବେ ପୃଥିବୀରେ ବୃଷ୍ଟି ବିଚଳନ, ପାଗ ପରିବର୍ତ୍ତନ, ବିଶ୍ୱ ତାପନ ପ୍ରଭୃତି ଅଲକ୍ଷଣ ସବୁ ଦେଖାଦେଇଛି। ଏଥିପାଇଁ ମଣିଷର କର୍ମକୁ ଦାୟୀ କରାଯାଉଛି। ଉଭୟ ବୈଜ୍ଞାନିକ ଓ ଦାର୍ଶନିକ ଗୋଷ୍ଠୀ ଏହି ଆଧ୍ୟାତ୍ମିକ ତତ୍ତ୍ୱ ସଂପର୍କରେ ସଚେତନ ଭାବେ ବ୍ୟାଖ୍ୟା କରିଯାଇଛନ୍ତି ଓ କରି ଚାଲିଛନ୍ତି।

Advertisment

ଭୂତ ବା ପ୍ରାଣୀମାନଙ୍କର ଦେହ ଧାରଣ ବା ରୂପ ପରିଗ୍ରହଣ ପାଇଁ ଅନ୍ନର ଆବଶ୍ୟକତା ରହିଛି। ସେହି ଅନ୍ନ ସୃଷ୍ଟ ପାଇଁ ବୃଷ୍ଟିପାତ ଅତ୍ୟନ୍ତ ଜରୁରୀ। ବୃଷ୍ଟିପାତ ଜରିଆରେ ଉଦ୍ଭିଦ ଓ ପ୍ରାଣୀ ଜଗତ ପରିପୁଷ୍ଟ ହୁଅନ୍ତି ଓ ସେମାନେ କରୁଥିବା କର୍ମର ପ୍ରଭାବରେ ରାସାୟନିକ, ଆଧିଭୌତିକ, ଆଧିଦୈବିକ ବିଘଟନ ଘଟି ଆକାଶରୁ ମେଘବୃଷ୍ଟି ହୋଇଥାଏ। ତାହା ପୁଣି ପୃଥିବୀରେ ଅନ୍ନ ଓ ଜୀବନ ସୃଷ୍ଟିରେ ସହାୟକ ହୁଏ।

ତେବେ, ଏହି ସୂତ୍ରଟିକୁ ଆଉ ଟିକେ ବିଶଦ ଅନୁଶୀଳନ କଲେ ଏହା ନିଶ୍ଚିତ ହୁଏ ଯେ ଏହି ପ୍ରକ୍ରିୟା ପରିପୋଷଣୀୟ ଭାବେ ଚାଲିବା ପାଇଁ ଅନୁକୂଳ ପାଗପରିବେଶ ଦରକାର ହୋଇଥାଏ। ଏଇ ଯେପରି ପ୍ରଶାନ୍ତ ମହାସାଗରରୁ ସୃଷ୍ଟ ହେଉଥିବା ଜଳୀୟ ବାଷ୍ଫ ଅନୁକୂଳ ପାଗ ପରିବେଶ ମଧ୍ୟରେ ଭାରତରେ ମୌସୁମୀ ବର୍ଷାର ରୂପ ନିଏ। ଯଦି ପାଗ ପରିବେଶ ଠିକ ନଥାଏ, ଏଲ୍‌ ନିନୋ କି ଲା ନିନା ପ୍ରକ୍ରିୟା ବାଧା ସୃଷ୍ଟି କରେ, ମାନବିକ କାର୍ଯ୍ୟକଳାପ ଜରିଆରେ ବୃକ୍ଷ ଓ ପର୍ବତାଦି କ୍ଷୟରୁ ଉତ୍ପନ୍ନ ଜାଗତିକ ବାୟୁମଣ୍ଡଳୀୟ ପ୍ରକ୍ରିୟା ଅନ୍ତରାୟ ହୁଏ ତେବେ ଭାରତରେ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ପରିମାଣର ବୃଷ୍ଟିପାତ ସମ୍ଭବ ହୁଏ ନାହିଁ। ପୁଣି ଯେପରି ଶୁଷ୍କ ଓ ଉତ୍ତପ୍ତ ମୃତ୍ତିକାରେ ଧାନ ପରି ଅନେକ ବୀଜ ବା ବିହନରୁ ଗଜା ବାହାରେ ନାହିଁ, ଗଜା ବାହାରିଲେ ବି ଗଛ ବଢ଼େ ନାହିଁ, ଗଛ ହେଲେ ବି ଫଳ ଧରେ ନାହିଁ, ସେହିପରି ନିରନ୍ତର ସୃଷ୍ଟିର ରହସ୍ୟ। ବୀଜରୁ ବୃକ୍ଷ ଓ ବୃକ୍ଷରୁ ଫଳ ଉତ୍ପନ୍ନ ହେବା ପାଇଁ ଅନୁକୂଳ ପରିବେଶ ଅତ୍ୟନ୍ତ ଜରୁରୀ।

ଏହି ଅନୁକୂଳ ପରିବେଶକୁ ଓଡ଼ିଶାର ଗାଁ ଗହଳର ଲୋକମାନେ ପାଗ ବୋଲି କହି ଆସିଛନ୍ତି। ମାଟି ପାଗେ, ଗାଈ ପାଗେ, ପରିବେଶ ପାଗେ, ଏହିପରି ସବୁ କିଛି ପାଗେ। ଠିକ ପାଗରେ ଠିକ କାର୍ଯ୍ୟ ହେଲେ ଠିକ ଯଜ୍ଞ ହୁଏ ଓ ଠିକ ଯଜ୍ଞ ହେଲେ ଠିକ ପର୍ଜନ୍ୟ ହୁଏ। ଠିକ ପର୍ଜନ୍ୟ ବା ବର୍ଷା ହେଲେ ଜୀବଜଗତର ଚିରନ୍ତନ ସୃଷ୍ଟି ବା ପୌନଃପୌନିକ ସଂସ୍କରଣ ଅବ୍ୟାହତ ରହେ। ନହେଲେ ତତଲା ମାଟିରେ ଧାନ ବିହନ ଫୁରୁସିଯିବ। ଅତଳ ଜଳରେ ପଚିଯିବ। ଗାଈ ନପାଗିଲେ ଗର୍ଭସଂଚାର ହେବ ନାହିଁ।

ଏହି ‘ପାଗ’କୁ ଭିନ୍ନଭିନ୍ନ ଭାଷା ଓ ସଂସ୍କୃତି ଭିତ୍ତିରେ ଭିନ୍ନଭିନ୍ନ ଶବ୍ଦରେ ପ୍ରକାଶ କରାଯାଇଛି। ଓଡ଼ିଶାରେ ‘ରଜ’ ହେଉଛି ସେହିପରି ଭାବ ବହନ କରୁଥିବା ଏକ ଶବ୍ଦ। ମାଟି ରଜସ୍ୱାଳା ହୁଏ, ନାରୀ ରଜୋବତୀ ହୁଏ। ମାଟି ଓ ନାରୀର ଏହି ଅବସ୍ଥାକୁ ଓଡ଼ିଆ ଲୋକମାନେ ସ୍ୱାଗତ କରନ୍ତି, ସେଥିପାଇଁ ପର୍ବ ପାଳନ କରନ୍ତି। ରଜ ହେଉଛି ସେହି ପର୍ବ।

ରଜରେ ନାରୀମାନଙ୍କୁ କାମ କରିବା ମନା। ଏହି ସମୟରେ ସେମାନେ ସଜ ହୁଅନ୍ତି, ଘରଘର ବୁଲନ୍ତି, ମଉଜ କରନ୍ତି, ଦୋଳି ଖେଳନ୍ତି। ରଜ ତିନି ଦିନ ସେମାନଙ୍କର ଆଦରଯତ୍ନ କରାଯାଏ। ସେମାନଙ୍କୁ ଖାଲିପାଦରେ ମାଟିରେ ଚାଲିବାକୁ ବାରଣ କରାଯାଏ। ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତିରେ ମାଟି ବା ଧରିତ୍ରୀ ମା ରଜସ୍ୱାଳା ହୁଏ। ତୃତୀୟ ଦିନ ଭୂମି ଦହନ ହୁଏ ବା ମାଟି ତାତିଯାଏ। ରଜ ପର ଦିନ ବସୁମାତା ଗାଧୁଆଯାଏ। ନାରୀ ରଜୋବତୀ ହେଲେ ବି ଓଡ଼ିଶାରେ ‘ଗାଧେଇଛି’ ବୋଲି କୁହାଯାଏ।

ଏ ପର୍ବ ଅନନ୍ୟ। ଭାରତବର୍ଷର ଅନ୍ୟ କୌଣସି ରାଜ୍ୟରେ ଏପରି ଏକ ପର୍ବ ନାହିଁ। ପୃଥିବୀର ଅନ୍ୟ କୌଣସି ଭାଗରେ ମଧ୍ୟ ନାରୀ ଓ ମାଟିର ଏହି ପ୍ରଜନନ ପ୍ରକ୍ରିୟାକୁ ସମ୍ମାନ ଜଣେଇ ସାମାଜିକ ସାଂସ୍କୃତିକ ଭାବେ ସାର୍ବଜନୀନ ପର୍ବ ପାଳନ କରାଯିବାର ଜଣାନାହିଁ।

ଚାଲନ୍ତୁ, ସବୁ ଓଡ଼ିଆ ପ୍ରକୃତିର ଏହି ପରମ ପ୍ରକ୍ରିୟାକୁ ସମ୍ମାନ ଦେବା, ନାରୀ ଓ ମାଟିକୁ ଭଲ ପାଇବା, ସେମାନଙ୍କର ସୁରକ୍ଷା କରିବା ଏବଂ ସେମାନଙ୍କ ମାଧ୍ୟମରେ ଏକ ଚିରନ୍ତନ ତଥା ପରିପୋଷଣୀୟ ପୃଥିବୀର ସଂରଚନା କରିବା।

ଫୋ-୯୪୩୭୦୩୬୨୭୬

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe