ବିଦାୟ ନେବ ୨୦୨୨। ଆରମ୍ଭ ହେବ ୨୦୨୩। ନୂଆ ଲକ୍ଷ୍ୟ ଓ ନୂଆ ଯୋଜନା ସହ ଜୀବନର ଗତି ଆଗକୁ ଯିବ। ପଛରେ ରହିଯିବ ଅନେକ ସ୍ମୃତି। ବିଦାୟୀ ବର୍ଷ ୨୦୨୨ରେ ଅନେକ ଘଟଣା ଓ ଦୁର୍ଘଟଣା ଘଟିଛି। ରାଜନୀତିକ ଛକାପଞ୍ଝା ଓ ୭ ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରେ ଶେଷ ହେବାକୁ ଯାଉଛି ବର୍ଷ ୨୦୨୨। ଅନେକ ରାଜନୀତିକ ମେଲୋଡ୍ରାମା ଦେଖିବାକୁ ମିଳିଛି। ସେହିପରି ମହାରାଷ୍ଟ୍ର ଓ ବିହାରରେ ରାଜନୀତିକ ଚୌକି ପରିବର୍ତ୍ତନ ମଧ୍ୟ ପୂରା ଦେଶରେ ହଟଚମଟ ସୃଷ୍ଟି କରିଥିଲା। ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଓ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ମଙ୍ଗ ସମ୍ଭାଳିବା ଘଟଣା ୨୦୨୨ରେ ଘଟିଛି। ଏହି ସବୁ ରାଜନୀତିକ ଘଟଣାକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା ।
ଓଡ଼ିଆ ଝିଅ ଦେଶର ରାଷ୍ଟ୍ରପତି
ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟରେ ରାଷ୍ଟ୍ରପତି ନିର୍ବାଚନ ଜିତି ୨୦୨୨ରେ ରେକର୍ଡ କରିଥିଲେ। ସେ ତାଙ୍କ ନିକଟତମ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଏକତରଫା ଭାବେ ପରାସ୍ତ କରିବା ସହ ଜୁଲାଇ ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ସେ ପ୍ରଥମ ଓଡ଼ିଆ ଓ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ରାଷ୍ଟ୍ରପତି ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ।
[caption id="" align="aligncenter" width="670"]
ରାଜ୍ୟପାଳରୁ ଉପ ରାଷ୍ଟ୍ରପତି ହେଲେ ଧନଖଡ଼
ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର ଉପ-ରାଷ୍ଟ୍ରପତି ଭାବେ ୨୦୨୨ରେ ନିର୍ବାଚିତ ହୋଇଥିଲେ। ଏନ୍ଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ୩୪୬ ଖଣ୍ଡ ଭୋଟ୍ରେ ପରାସ୍ତ କରିଥିଲେ। ୭୧ ବର୍ଷୀୟ ଜଗଦୀପ ଧନଖଡ଼ଙ୍କ ଘର ରାଜସ୍ଥାନରେ। ୧୯୮୯ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜନତା ଦଳ ଟିକେଟ୍ରେ ସେ ରାଜସ୍ଥାନର ଝୁନ୍ଝୁନୁ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ତାଙ୍କର ଏହି କାର୍ଯ୍ୟକାଳ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ରହିଥିଲା। ଏହା ମଧ୍ୟରେ ୧୯୯୦ରୁ ୧୯୯୧ ପର୍ଯ୍ୟନ୍ତ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପରେ ୧୯୯୩ରେ ସେ କିଶନଗଡ଼ରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ବିଧାୟକ ରହିଥିଲେ। ଜନତାଦଳ ଓ କଂଗ୍ରେସ ସହିତ ସଂଶ୍ଲୀଷ୍ଟ ଥିବା ଶ୍ରୀ ଧନଖଡ଼ ୨୦୦୮ରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା।
[caption id="" align="aligncenter" width="650"]
୫ ରାଜ୍ୟରେ ବିଧାନସଭା ନିର୍ବାଚନ
ଚଳିତ ବର୍ଷ ଆରମ୍ଭରୁ ଅର୍ଥାତ ଫେବୃଆରୀ ମାସରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ଲୋକମାନେ ସରକାର ବାଛିଥିଲେ। ଏହି ୫ ରାଜ୍ୟରୁ ୪ଟି ସ୍ଥାନରେ ବିଜେପି ବାଜିମାତ କରିଥିଲା। ଏକମାତ୍ର ରାଜ୍ୟ ପଞ୍ଜାବରେ ଆପ୍ ୯୨ ଆସନ ଜିତି ସରକାର ଗଠନ କରିଥିଲା।
[caption id="attachment_722782" align="aligncenter" width="650"]
ପଞ୍ଜାବ ଓ ଦିଲ୍ଲୀ ଏମସିଡିରେ ଆପ୍ର ବିଜୟ
ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି(ଆପ୍) ପଞ୍ଜାବ ବିଧାନସଭା ନିର୍ବାଚନରେ ସମସ୍ତଙ୍କୁ ଚକିତ କରି ଦେଇଥିଲା। ଦଳ ଏଠାରେ ୯୨ଟି ଆସନ ଜିତି ସରକାର ଗଠନ କରିଥିଲା। ଦିଲ୍ଲୀ ବାହାରେ ପ୍ରଥମଥର ପାଇଁ ଆପ୍ କୌଣସି ଏକ ରାଜ୍ୟରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। କୃଷକଙ୍କ ପାଇଁ ବିଜେପି ଓ ଅକାଳୀ ଦଳ ଅଲଗା ହୋଇଯାଇଥିବାରୁ କେଜ୍ରିୱାଲ ଏହାର ଫାଇଦା ଉଠାଇଥିଲେ। ଚାଷୀଙ୍କ ସହ ଦଳ ରହିଛି ବୋଲି ପ୍ରଚାର କରାଯାଇଥିଲା ଓ ଦିଲ୍ଲୀର ଶିକ୍ଷା ମଡେଲକୁ ପଞ୍ଜାବ ଲାଗୁ କରିବାର ପ୍ରତିଶ୍ରୁତି ଦେଇ ଆପ୍ ନିର୍ବାଚନ ବୈତରଣୀ ପାର୍ ହୋଇଥିଲା।
ପଞ୍ଜାବ ଭଳି ଦିଲ୍ଲୀ ଏମସିଡିରେ ନିର୍ବାଚନରେ ଆପ୍ ଇତିହାସ ରଚିଥିଲା। ୧୫ ବର୍ଷ ଧରି ଏମସିଡି ବିଜେପି ହାତରେ ଥିବା ବେଳେ ଆପ୍ ଏଥର ଏହାକୁ ଛଡ଼ା ଆଣିଛି। ବିଜେପି ୧୦୪ ଆସନ ଜିତିଥିବା ବେଳେ ଆପ୍ ୧୩୪ଟି ୱାର୍ଡରେ ବାଜିମାତ କରିଥିଲା। ଗୁଜରାଟ ବିଧାନସଭାରେ ଆପ୍ ୫ଟି ଆସନ ଜିତି ଜାତୀୟ ଦଳର ମାନ୍ୟତା ମଧ୍ୟ ୨୦୨୨ରେ ପାଇଛି।
[caption id="attachment_788612" align="aligncenter" width="650"]
ୟୁପି, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଓ ଗୁଜରାଟରେ ଜିତିଲା ବିଜେପି, କିନ୍ତୁ ହିମାଚଳରେ ହାରିଲା
୨୦୨୨ରେ ମୋଟ ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ବିଜେପି ୫ଟି ରାଜ୍ୟରେ ସରକାର ଗଠନ କରିଛି। ସେହିପରି ଦଳ ହାତରୁ ଗୋଟିଏ ରାଜ୍ୟ ହିମାଚଳ ପ୍ରଦେଶ ଚାଲି ଯାଇଛି। ସମସ୍ତଙ୍କୁ ଚକିତ କରି ଗୁଜରାଟର ୧୮୨ ଆସନରୁ ବିଜେପି ଏକତରଫା ଭାବେ ୧୫୬ଟିରେ ବାଜିମାତ କରିଥିଲା। ଏଥିସହ ଇତିହାସ ପୃଷ୍ଠାରେ ବିଜେପି ସବୁଦିନ ପାଇଁ ନିଜ ନାଁକୁ ଲିପିବଦ୍ଧ କରିଦେଇଛି। ଗୁଜରାଟରେ କ୍ରମାଗତ ୭ମ ଥର ପାଇଁ ଦଳ ଶାସନ କରିବାକୁ ଜନାଦେଶ ହାତେଇଥିଲା। ୨୦୧୭ ତୁଳନାରେ ୨୦୨୨ରେ ବିଜେପି ଜିତିଛି ଅଧିକ ୫୭ଟି ଆସନ।୨୦୨୨ରେ ବିଜେପି କେବଳ ଜିତି ନି ବରଂ ନିଜ ରେକର୍ଡକୁ ନିଜେ ଭାଙ୍ଗିଛି। ୨୦୦୨ ବିଧାନସଭା ନିର୍ବାଚନରେ ବିଜେପି ୧୨୭ଟି ଆସନ ଜିତିଥିଲା। ଏହା ବିଜେପିର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ନରେନ୍ଦ୍ର ମୋଦି ଏହି ରେକର୍ଡ କରିଥିଲେ। ଏହାପରେ ଦଳ କ୍ରମାଗତ ଭାବେ ଗୁଜରାଟ ବିଧାନସଭା ନିର୍ବାଚନରେ ଆସନ ହରାଇ ଚାଲିଥିଲା। କିନ୍ତୁ ସରକାର ବଜାୟୀ ରଖିଥିଲା। ଏବେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମୟରେ ବିଜେପି ନିଜ ରେକର୍ଡକୁ ନିଜେ ଭାଙ୍ଗି ଇତିହାସ ରଚିଛି।୧୯୮୫ରେ କଂଗ୍ରେସ ମାଧବସିଂହ ସୋଲାଙ୍କିଙ୍କ ନେତୃତ୍ୱରେ ୧୪୯ଟି ବିଧାନସଭା ଆସନ ଜିତିଥିଲା। ଏହା ଗୁଜରାଟ ବିଧାନସଭା ନିର୍ବାଚନରେ ସର୍ବକାଳୀନ ରେକର୍ଡ ଥିଲା। ୧୯୮୫ ପରଠାରୁ କୌଣସି ରାଜନୀତିକ ଦଳ ୧୪୯ କିମ୍ବା ତା’ ଠାରୁ ଅଧିକ ଆସନ ଜିତି ପାରି ନଥିଲେ।
ଗୁଜରାଟ ବିଧାନସଭା ନିର୍ବାଚନରେ ଦଳ ଏକତରଫା ବିଜୟ ହାସଲ କରିଥିଲେ ହେଁ ହିମାଚଳରେ କାମ ଦେଇନି ମୋଦି ମ୍ୟାଜିକ। ୨୦୧୭ରେ ବିଜେପି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିଥିଲା। ହେଲେ ୨୦୨୨ରେ କଂଗ୍ରେସ ଦଳ ଠାରୁ କ୍ଷମତା ଛଡ଼ାଇ ଆଣିଛି। ଗୁଜରାଟ ଠାରୁ ଆରମ୍ଭ କରି ପଞ୍ଜାବ ଓ ଏମସିଡି ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସ ହିମାଚଳକୁ ଦଖଲ କରିବାକୁ ୨୦୨୨ରେ ସକ୍ଷମ ହୋଇଛି। ଦଳକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବିଜୟ ଅକ୍ସିଜେନ ଯୋଗାଇଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଲାୱଲ ଭୁଟ୍ଟୋଙ୍କ ଟାର୍ଗେଟ
ପାକିସ୍ତାନ ଯୁବ ରାଜନେତା ତଥା ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ କହିଥିଲେ, “ଓସାମା ବିନ ଲାଡେନ ମୃତ। କିନ୍ତୁ ଗୁଜରାଟର କଂସେଇ ବଞ୍ଚିଛନ୍ତି ଓ ସେ ଏବେ ଭାରତର ପ୍ରଧାନମନ୍ତ୍ରୀ।” ଏହି ବୟାନକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବିଲାୱଲଙ୍କ ବିରୋଧରେ ବିକ୍ଷୋଭ କରାଯାଇଥିଲା। ସେ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଥିଲା। ଏହାକୁ ନେଇ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି।
[caption id="attachment_786383" align="aligncenter" width="650"]
ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସେପ୍ଟେମ୍ବର ମାସରୁ ଭାରତ ଯୋଡ଼ୋ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ କରିଥିଲେ। ଏହା ବିଭିନ୍ନ ରାଜ୍ୟ ଦେଇ କଶ୍ମୀରରେ ଶେଷ ହେବ। ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାରେ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସାମିଲ ହେଉଛନ୍ତି। ତେବେ ରାହୁଲଙ୍କ ଏପରି ପଦଯାତ୍ରାକୁ ବିଜେପି ପରିହାସ କରିଛି।
ରାହୁଲଙ୍କୁ ପୁଣିଥରେ ଲଞ୍ଚ କରିବାକୁ କଂଗ୍ରେସ ଏପରି ପଦଯାତ୍ରାର ନାଟକ କରୁଛି। ଏଥିସହ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ବଦଳରେ କଂଗ୍ରେସକୁ ଯୋଡ଼ିବା ପାଇଁ ଚେଷ୍ଟା କରନ୍ତୁ ବୋଲି ବିଜେପି କହିଛି। କାରଣ ରାହୁଲ ପଦଯାତ୍ରା କରୁଥିବା ବେଳେ ଅନେକ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଗୁଲାମ ନବୀ ଆଜାଦ ଓ କପିଲ ଶିବଲ ରହିଛନ୍ତି।
[caption id="attachment_770575" align="aligncenter" width="650"]
କଂଗ୍ରେସକୁ ଶେଷରେ ମିଳିଲେ ନିର୍ବାଚିତ ସଭାପତି
ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ୨୦୨୨ରେ ଜଣେ ନିର୍ବାଚିତ ସଭାପତିଙ୍କୁ ପାଇଛି। ଦୀର୍ଘ ବର୍ଷ ପରେ ଦଳର ଆଭ୍ୟନ୍ତରୀଣ ନିର୍ବାଚନରେ ବାଜିମାରି ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ପଦ ପାଇଛନ୍ତି। ସେ ଶଶି ଥରୁରଙ୍କୁ ହରାଇଥିଲେ। ଖଡଗେ ସଭାପତି ହୋଇଥିବାରୁ ତାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ଅବଶ୍ୟ ଦଳ ହିମାଚଳରେ ଜିତିଛି। କିନ୍ତୁ ଗୁଜରାଟ ଓ ଅନ୍ୟାନ୍ୟ ସ୍ଥାନରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏହାବାଦ ସାଂଗଠନିକ ପରିବର୍ତ୍ତନ ମଧ୍ୟ ଖଡେଗଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି।
[caption id="attachment_745985" align="aligncenter" width="650"]
ନୂପୁର ଶର୍ମା ବିବାଦ
ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ନେଇ ୨୦୨୨ରେ ରାଜନୀତିକ ବୟାନବାଜୀ ହୋଇଥିଲା। ସେ ଗୋଟିଏ ଟିଭି କାର୍ଯ୍ୟକ୍ରମରେ ପ୍ରଫେଟ ମହମ୍ମଦଙ୍କ ପ୍ରତି ଅତ୍ୟନ୍ତ ଅଭଦ୍ର ବୟାନ ଦେଇଥିଲେ। ଏହାକୁ ନେଇ ତାଙ୍କୁ ଦେଶ ବାହାରୁ ମଧ୍ୟ ସମାଲୋଚନା କରାଯାଇଥିଲା। ଭାରତ ସରକାର ନୂପୁର ଶର୍ମାଙ୍କ ପାଇଁ ବିଭିନ୍ନ ଦେଶର ସମାଲୋଚନାର ଶିକାର ହୋଇଥିଲେ। ବିବାଦ ବଢ଼ିବାରୁ ବିଜେପି ନୂପୁର ଶର୍ମାଙ୍କୁ ବହିଷ୍କାର କରିଥିଲା। ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ବିଜେପିକୁ ମଧ୍ୟ ଟାର୍ଗେଟ କରିଥିଲେ। ମାମଲା ସୁପ୍ରିମକୋର୍ଟରେ ବି ପହଞ୍ଚିଥିଲା। କିନ୍ତୁ ନୂପୁର ଶର୍ମାଙ୍କୁ ତାଙ୍କ ଅଭଦ୍ର ବୟାନ ପାଇଁ ଏଯାଏ ଗିରଫ କରାଯାଇ ନାହିଁ। ସେ ପୂର୍ବତନ ବିଜେପି ନେତ୍ରୀ ହୋଇଥିବାରୁ ତାଙ୍କୁ ଦିଲ୍ଲୀ ପୁଲିସ୍ ଗିରଫ କରୁ ନଥିବା ବିରୋଧୀ ଅଭିଯୋଗ କରିଥିଲେ। ନୂପୁର ଶର୍ମାଙ୍କ ଅଭଦ୍ର ବୟାନକୁ ସମର୍ଥନ କରିଥିବାରୁ ରାଜସ୍ଥାନ ଓ ମହାରାଷ୍ଟ୍ରରେ ଦୁଇ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ନିର୍ମମ ହତ୍ୟାକୁ ମଧ୍ୟ ରାଜନୀତିକ ରଙ୍ଗ ଦିଆଯାଇଥିଲା।
[caption id="attachment_750193" align="aligncenter" width="650"]
ମହାରାଷ୍ଟ୍ର ଓ ବିହାରରେ ପଟ ପରିବର୍ତ୍ତନ
ମହାରାଷ୍ଟ୍ର ଓ ବିହାର ରାଜନୀତିରେ ୨୦୨୨ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମହାରାଷ୍ଟ୍ର ସରକାରରେ ଥିବା ଶିବସେନାର ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପ୍ରାୟ ୩୪ ବିଧାୟକ ଓ କିଛି ସାଂସଦ ବିଜେପି ସହ ହାତ ମିଳାଇଥିଲେ। ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ଧବଙ୍କ କ୍ୟାମ୍ପ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସଫଳତା ମିଳି ନଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ। ବିଜେପି ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଇ ମହାରାଷ୍ଟ୍ରରେ ପୁଣି ସରକାର ଗଠନ କରିଥିଲା। ୨୦୨୦ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ଓ ବିଜେପି ଏକାଠି ଲଢ଼ିଥିଲେ। କିନ୍ତୁ ରେଜଲ୍ଟ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା। ଶେଷରେ କଂଗ୍ରେସ ଓ ଏନସିପି ସହ ମିଶି ଉଦ୍ଧବ ଠାକରେ ସରକାର ଗଠନ କରିଥିଲେ। କିନ୍ତୁ ୨ ବର୍ଷ ପରେ ଏକନାଥ ସିନ୍ଦେଙ୍କ ପାଇଁ ସରକାର ଭାଙ୍ଗି ଯାଇଛି।
ବିହାରରେ ବିଜେପିକୁ ଝଟକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ବିଜେପି ସହ କରିଥିବା ମେଣ୍ଟରୁ ଓହରି ଆରଜେଡି ସହ ହାତ ମିଳାଇଛନ୍ତି। ଏଥିସହ ପୁଣିଥରେ ବିହାରରେ ଜେଡିୟୁ-ଆରଜେଡି ସରକାର ଗଠନ ହୋଇଛି। ବିଜେପି ଏଥିପାଇଁ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିବାରେ ଲାଗିଛି। ବିଜେପି ଠାରୁ ଅଲଗା ହେବା ପରେ ନୀତୀଶ କୁମାର ତୃତୀୟ ସାମ୍ମୁଖ୍ୟ ମଧ୍ୟ ଗଠନ କରିବା ମୁଡରେ ରହିଛନ୍ତି। ଏଥିପାଇଁ ସେ ଅନେକ ବିଜେପି ବିରୋଧୀ ଦଳଗୁଡ଼ିକର ନେତାଙ୍କୁ ଭେଟୁଛନ୍ତି।
[caption id="attachment_756741" align="aligncenter" width="650"]
ତେଜସ୍ୱୀ ଯାଦବ ନେବେ ନେତୃତ୍ୱ
୨୦୨୫ ବିହାର ବିଧାନସଭା ନିର୍ବାଚନରେ ମହାଗଠବନ୍ଧନର ନେତୃତ୍ୱ ନେବେ ତେଜସ୍ୱୀ ଯାଦବ। ଏକଥା ନିଜେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଥିଲେ। ନୀତୀଶ କୁମାର ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଚ୍ଛା କରିଥିବାରୁ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ତେଜସ୍ୱୀଙ୍କୁ ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ନୀତୀଶ କୁମାର ଖଣ୍ଡନ କରିଛନ୍ତି। ତେଜସ୍ୱୀଙ୍କୁ ସେ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରିବା ୨୦୨୨ର ଅନ୍ୟତମ ଚର୍ଚ୍ଚିତ ଘଟଣା ରହିଥିଲା।
ସୀମା ବିବାଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ରାଜନୀତିକ ଯୁଦ୍ଧ
ସୀମା ବିବାଦକୁ ନେଇ କର୍ଣ୍ଣାଟକା-ମହାରାଷ୍ଟ୍ର ମଧ୍ୟରେ ବିବାଦ ତୀବ୍ର ହୋଇଛି। ଏଥିସହ ଦୁଇ ରାଜ୍ୟ ମଧ୍ୟରେ ରାଜନୀତିକ ବୟାନବାଜୀ ମଧ୍ୟ ଦେଖିବାକୁ ମିଳିଛି। ସୀମାରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ଉଭୟ ରାଜ୍ୟ ବର୍ଷ ବର୍ଷ ଧରି କର୍ଣ୍ଣାଟକାର ବେଲାଗଭୀକୁ ନିଜ ଅଞ୍ଚଳ ଭାବେ ଦାବି କରି ଆସୁଛନ୍ତି। ତେବେ ଦୁଇପକ୍ଷ ମଧ୍ୟରେ ଚାଲିଥିବା ଛକାପଞ୍ଝା ସମୟ ଅତିକ୍ରମ କରିବା ସହ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ବେଲାଗଭୀକୁ ନିଜର ଅଞ୍ଚଳ ଭାବେ ଦାବି କରି ମହାରାଷ୍ଟ୍ରର କଂଗ୍ରେସ, ଏନସିପି ଏବଂ ଶିବସେନା ପକ୍ଷରୁ ମଳିତ ଆନ୍ଦୋଳନ କରାଯାଇଥିଲା। ଦଶନ୍ଧି ଦଶନ୍ଧି ଧରି ବେଲାଗଭୀକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ କର୍ଣ୍ଣାଟକା ବିଧାନସଭାରେ ୧୦ ଦିନ ହେବ ବିତର୍କ ଚାଲିଥିଲା। କର୍ଣ୍ଣାଟକା ସରକାରଙ୍କର ଏହା ଶେଷ ଶୀତ ଅଧିବେଶନ ହୋଇଥିବା ବେଳେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ରହିଛି। ତେଣୁ ସରକାର ନିର୍ବାଚନ ପୂର୍ବରୁ ବିବାଦ ଶେଷ କରିବାକୁ ଚାହୁଁଛନ୍ତି। ସୀମାରେ ଶିବସେନା, କଂଗ୍ରେସ ଏବଂ ଏନସିପିର କର୍ମୀମାନେ ହଙ୍ଗାମା କରିଥିବା ବେଳେ ସୀମା ଅତିକ୍ରମ କରିବା ବେଳେ କର୍ଣ୍ଣାଟକା ପୁଲିସ ପକ୍ଷରୁ ବାଧା ସୃଷ୍ଟି କରାଯାଥିଲା। ସେହିପରି ମହାରାଷ୍ଟ୍ର ପୁଲିସ ପକ୍ଷରୁ କେତେକଙ୍କୁ ଅଟକ ରଖାଯାଇଛି।
[caption id="attachment_784933" align="aligncenter" width="650"]
ପୁଣି ଗେହଲଟ-ପାଇଲଟ କଳି
୨୦୨୦ ଭଳି ୨୦୨୨ରେ ମଧ୍ୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ କଳି ଦେଖିବାକୁ ମିଳିଥିଲା। ଏହି କଳି ରାଜ୍ୟରେ କ୍ଷମତା କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗେହଲଟ ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ପାଇଲଟଙ୍କୁ ଗଦ୍ଦାର କହିଥିଲେ ଓ ସେ କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଦମ୍ଭୋକ୍ତି କରିଥିଲା। ଏହାର କଡ଼ା ଜବାବ ଦେଇ ପାଇଲଟ କହିଥିଲେ ଯେ ଏପରି କାଦୁଆ ଫିଙ୍ଗିବା ଆଦୌ ଦଳକୁ ସହାୟତା କରିବ ନାହିଁ। ତେଣୁ ଏଥିରୁ ନିବୃତ୍ତ ରହିବା ଉଚିତ। ଏହାକୁ ନେଇ ରାଜସ୍ଥାନରେ ରାଜନୀତିକ ଛକାପଞ୍ଝା ଦେଖିବାକୁ ମିଳିଥିଲା। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥାଆନ୍ତା। ଏପରି ସ୍ଥିତିରେ ପାଇଲଟ ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ। ଏହା ପ୍ରଚାର ହେବା ପରେ ଗେହଲଟଙ୍କ ସମର୍ଥନରେ ପ୍ରାୟ ୯୦ ଜଣ ବିଧାୟକ କଂଗ୍ରେସ ହାଇକମାଣ୍ଡଙ୍କୁ ଇସ୍ତଫା ଧମକ ଦେଖାଇଥିଲେ। ଶେଷରେ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ି ନଥିଲେ ଓ ପୂର୍ବଭଳି ମୁଖ୍ୟମନ୍ତ୍ରୀ ପଦରେ କାମ କରିଥିଲେ। ଏହାକୁ ପାଇଲଟଙ୍କ ଗୋଷ୍ଠୀ ସହ୍ୟ କରିପାରି ନଥିଲା। ତେଣୁ ଉଭୟ ପକ୍ଷ ମଧ୍ୟରେ ଏବେ ବି ଛକାପଞ୍ଝା ଲାଗି ରହିଛି।