ଏକାଥରେ ୩ ବର୍ଷର ବିଲ୍‌ ଦେଇ ବିଜୁଳି କାଟି ଦେଲେ, ଅନ୍ଧାରରେ ୪ ଗାଁ

କଲ୍ୟାଣସିଂହପୁର(ମାଉଡି ବାରିକ): ମାସକୁ ମାସ ବିଦ୍ୟୁତ ବିଲ୍‌ ଆଦାୟ କଲେନି। ଏକାଥରେ ୩ ବର୍ଷର ବିଲ୍‌ ଧରାଇ ଦେଇଦେଲା ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସାଉଥ୍‌କୋ। ଗାଁ ଲୋକେ ବିଲ୍‌ ଦେବାକୁ ଅସମର୍ଥ ହେବାରୁ ବିଜୁଳି କାଟି ଦେଇଥିଲା ସାଉଥ୍‌କୋ। ଯେଉଁଥିପାଇଁ ବର୍ଷେରୁ ଅଧିକ ସମୟ ଧରି ୪ଟି ଗାଁ ଅନ୍ଧକାରରେ ରହିଛି। ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ ସଦର ବ୍ଲକରେ। ନାକିଟି ପଞ୍ଚାୟତର ୪ ଗ୍ରାମ ଟୁଡୁଲେଲେରୀ, ପାଙ୍ଗାଲେଲେରୀ, ପରମଝୋଲା ଓ କାଲୁଗାଁରେ […]

Kalyansinghpur

  • Published: Thursday, 22 September 2022
  • , Updated: 22 September 2022, 07:34 PM IST

କଲ୍ୟାଣସିଂହପୁର(ମାଉଡି ବାରିକ): ମାସକୁ ମାସ ବିଦ୍ୟୁତ ବିଲ୍‌ ଆଦାୟ କଲେନି। ଏକାଥରେ ୩ ବର୍ଷର ବିଲ୍‌ ଧରାଇ ଦେଇଦେଲା ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସାଉଥ୍‌କୋ। ଗାଁ ଲୋକେ ବିଲ୍‌ ଦେବାକୁ ଅସମର୍ଥ ହେବାରୁ ବିଜୁଳି କାଟି ଦେଇଥିଲା ସାଉଥ୍‌କୋ। ଯେଉଁଥିପାଇଁ ବର୍ଷେରୁ ଅଧିକ ସମୟ ଧରି ୪ଟି ଗାଁ ଅନ୍ଧକାରରେ ରହିଛି। ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ ସଦର ବ୍ଲକରେ।

ନାକିଟି ପଞ୍ଚାୟତର ୪ ଗ୍ରାମ ଟୁଡୁଲେଲେରୀ, ପାଙ୍ଗାଲେଲେରୀ, ପରମଝୋଲା ଓ କାଲୁଗାଁରେ ୧୦୦ରୁ ଅଧିକ ପରିବାର ବାସ କରୁଛନ୍ତି। ୩ ବର୍ଷ ତଳେ ଏହି ଗାଁ ଗୁଡ଼ିକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। 'ଦିନଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା’ରେ ବିଦ୍ୟୁତ ବିତରଣ କମ୍ପାନୀ ସାଉଥ୍‌କୋ ୨୦୧୯ ମସିହାରେ ଗାଁକୁ ବିଜୁଳି ସଂଯୋଗ ଦେଇଥିଲା। ବିଦ୍ୟୁତ ସଂଯୋଗ ପୂର୍ବରୁ ଖୁଣ୍ଟ ପୋତା, ଗାତ ଖୋଳିବା ଓ ଅନ୍ୟାନ୍ୟ କାମ ସାଉଥ୍‌କୋ କିମ୍ୱା କମ୍ପାନୀ ଦ୍ୱାରା ନିଯୁକ୍ତ ଠିକାଦାର ଶ୍ରମିକ ଲଗାଇ କରିବା କଥା। ହେଲେ କମ୍ପାନୀ ମଧୁର ମଧୁର କଥା କହି ସେହି କାମରେ ଗାଁ ଲୋକଙ୍କୁ ନିୟୋଜିତ କରିଥିଲା। ଏଥିପାଇଁ ଦେଢ଼ ଲକ୍ଷ ଟଙ୍କାର ପାରିଶ୍ରମିକ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କମ୍ପାନୀ କଥାକୁ ବିଶ୍ୱାସ କରି ଗାଁ ଲୋକେ କାମ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ସାଉଥ୍‌କୋ ଗାଁ ଲୋକଙ୍କୁ ଠକିଦେଇଥିବା ଅଭିଯୋଗ ହୋଇଛି। ମଜୁରି ବାବଦକୁ ଦେଢ଼ ଲକ୍ଷ ଟଙ୍କା ନଦେଇ ବିଜୁଳି ସଂଯୋଗ ଦେଇ ପଳାଇ ଆସିଲା ସାଉଥ୍‌କୋ।

[caption id="attachment_768495" align="aligncenter" width="640"] ଗାଁରେ ବିଦ୍ୟୁତ ସଂଯୋଗ ନଥିବାରୁ ପିଲାମାନେ ଡିବିରି ଆଲୁଅରେ ପାଠ ପଢ଼ୁଛନ୍ତି[/caption]

ହେଲେ ମାସକୁ ମାସ ବିଜୁଳି ବିଲ୍‌ ଆଦାୟ କରିବାକୁ ଭୁଲି ଯାଇଥିଲା ସାଉଥ୍‌କୋ। ତିନି ବର୍ଷ ପରେ ମନେ ପଡ଼ିଥିଲା ବିଜୁଳି ବିଲ୍‌ କଥା। ହଠାତ୍‌ ଗାଁ ଲୋକଙ୍କ ପାଖକୁ ଆସିଲା ବିଦ୍ୟୁତ ବିଲ୍‌। ଗାଁ ଲୋକେ ବିଲ୍‌ ଦେଖି ଚମକି ପଡ଼ିଥିଲେ। ୩ ବର୍ଷରେ ଜଣାକା ୪ରୁ ୫ ହଜାର ଟଙ୍କାର ବିଲ୍‌ ଆସିଥିବା ଦେଖିବାକୁ ପାଇଥିଲେ।

କାମଦାମ କରି ଚଳୁଥିବା ଜଣେ ଗରିବ ଆଦିବାସୀ ଲୋକ ଏତେ ଟଙ୍କା କେମିତି ଦେବେ? ତେଣୁ ବିଲ୍‌ ଦେବାକୁ ଅସମର୍ଥ ହେଲେ ଗାଁ ଲୋକ। ଯେଉଁଥିପାଇଁ ବିଦ୍ୟୁତ ସଂଯୋଗ କାଟି ଦେଇଥିଲା ସାଉଥ୍‌କୋ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ୪ଟି ଗାଁ ଲୋକ ଅନ୍ଧକାରରେ ରହୁଛନ୍ତି। ଅନ୍ଧକାର ଭିତରେ ଗାଁର ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଛି ବିଦ୍ୟୁତ ଖୁଣ୍ଟ। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

କିଛି ଦିନ ତଳେ ରାୟଗଡ଼ା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ ଅନ୍ଧାରରେ ଥିବା ଗାଁ ଟୁଡୁଲେଲେରୀକୁ ଯାଇଥିଲେ। ସେହି ସମୟରେ ଗାଁ ଲୋକେ ତାଙ୍କ ପାଖରେ ଅଭିଯୋଗ କରିଥିଲେ। ବିଦ୍ୟୁତ ସଂଯୋଗର ୩ ବର୍ଷ ପରେ ସାଉଥ୍‌କୋ ୪ରୁ ୫ ହଜାର ଟଙ୍କାର ବିଲ୍‌ ପଠାଇଥିବା କହିଥିଲେ। ବିଡିଓ ସବୁ କଥା ଶୁଣିବା ପରେ ବିଦ୍ୟୁତ ବିଭାଗ ସହିତ କଥା ହେବେ ବୋଲି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସତରେ କ’ଣ ଅନ୍ଧକାରରେ ଥିବା ୪ ଗାଁରେ ପୁଣି ଥରେ ଜଳିପାରିବ ବିଦ୍ୟୁତ? ଗାଁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କ’ଣ ବିଡିଓ ପୂରଣ କରିବେ? ସାଉଥ୍‌କୋ ପାଇଁ କାମ କରିଥିବା ଗାଁ ଲୋକଙ୍କୁ ମିଳିବ ତ ବକେୟା ମଜୁରୀ? ବର୍ତ୍ତମାନ ଏମିତି ଅସମାହୀତ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇପଡ଼ିଛି ୪ ଗାଁର ଭାଗ୍ୟ। ତଥାପି ଗାଁ ଲୋକଙ୍କ ମନରେ ବିଶ୍ୱାସ ରହିଛି ପୁଣି ଥରେ ଗାଁରେ ଜଳିବ ବିଦ୍ୟୁତ୍‌।

Related story