/odisha-reporter/media/post_attachments/uploads/2022/04/students.jpg)
Students
ବାସୁଦେବପୁର (କିରୀଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ୍ ବ୍ରାହ୍ମଣଗାଁ ପଞ୍ଚାୟତ ଭୋଇସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୧ ଜଣ ଛାତ୍ରଛାତ୍ରୀ ଅଛନ୍ତି। କିନ୍ତୁ ଛାତ୍ରଛାତ୍ରୀ ବସି ପାଠ ପଢ଼ିବା ପାଇଁ ସ୍କୁଲ୍ରେ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ। ଆଉ ଯେଉଁ ଶ୍ରେଣୀ ଗୃହ ଅଛି, ସେଗୁଡ଼ିକରେ ପିଲାଏ ବସି ପାରୁ ନାହାନ୍ତି। କାରଣ ସେଗୁଡ଼ିକ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି।
ଆଗପଛ ହୋଇ ତିଆରି ହୋଇଥିବା ୭ଟି ଶ୍ରେଣୀ ଗୃହମଧ୍ୟରୁ ୫ଟି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଶ୍ରେଣୀ ଗୃହ ଗୁଡ଼ିକର ଛାତରୁ ପରସ୍ତ ପରସ୍ତ ହୋଇ ପ୍ଲାଷ୍ଟର ଖସୁଛି। ପ୍ଲାଷ୍ଟର ଖସି ଖସି ରଡ୍ ଦେଖାଗଲାଣି। କେତେବେଳେ କିଛି ଅଘଟଣ ଘଟିବା ଆଶଙ୍କାରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଆଉ ଶ୍ରେଣୀଗୃହରେ ବସାଉ ନାହାନ୍ତି। ଛାତ୍ରଛାତ୍ରୀମାନେ ସ୍କୁଲ୍ ବାରଣ୍ଡାରେ ବସି ପଢୁଛନ୍ତି। ବେଳେ ବେଳେ ଗଛମୂଳେ ବି ବସି ପଢ଼ୁଛନ୍ତି।
[caption id="attachment_724817" align="aligncenter" width="650"]
ବାରଣ୍ଡା ଗଢ଼ା ହେଉଛି ଦେଶର ଭବିଷ୍ୟତ![/caption]
ଭଲ ଥିବା ଦୁଇଟି ଶ୍ରେଣୀ ଗୃହ ମଧ୍ୟରୁ ଗୋଟିକରେ ବିଦ୍ୟାଳୟର କାର୍ଯ୍ୟାଳୟ ଚାଲିଛି। ଅନ୍ୟଟିରେ ପିଲାଙ୍କ କ୍ଲାସ ହେଉଛି। ଏଠାରେ ନୂଆ କରି ଅଷ୍ଟମ ଶ୍ରେଣୀ ଖୋଲିଥିବା ବେଳେ ଏହାର ଛାତ୍ରଛାତ୍ରୀମାନେ ରୋଷେଇ ଘରେ ବସି ପଢୁଛନ୍ତି।
[caption id="attachment_724818" align="aligncenter" width="650"]
ଶ୍ରେଣୀଗୃହ ଛାତରୁ ଖସୁଛି କଂକ୍ରିଟ୍ ଖଣ୍ଡ[/caption]
ସ୍କୁଲ୍ର ସହକାରୀ ଶିକ୍ଷକ ବସନ୍ତ କୁମାର ଧୀର କହିଛନ୍ତି, ଆମର ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଅଛି। କିନ୍ତୁ ବସିବା ପାଇଁ ଶ୍ରେଣୀ ଗୃହ ନାହିଁ। ଦୁଇଟି ମାତ୍ର ଶ୍ରେଣୀ ଗୃହ ଅଛି। ବାକି ଶ୍ରେଣୀ ଗୃହ ଗୁଡ଼ିକର ଛାତ ଫାଟି ସେଥିରୁ କଂକ୍ରିଟ୍ ଖଣ୍ଡ ଖସୁଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଆମେ ପିଲାମାନଙ୍କୁ ବାରଣ୍ଡାରେ ବସାଉଛୁ। ବେଳେ ବେଳେ ଗଛମୂଳେ ବସିବାକୁ ବାଧ୍ୟ ହେଉଛୁ। ଶ୍ରେଣୀ ଗୃହ ନଥିବାରୁ ପାଠପଢ଼ାରେ ଅସୁବିଧା ହେଉଛି। ଏ ସମସ୍ୟା ନେଇ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଛି। ପୂର୍ବରୁ ଏଠାରେ ଥିବା ପ୍ରଧାନଶିକ୍ଷକମାନେ ମଧ୍ୟ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କେହି କିଛି ପଦକ୍ଷେପ ନେଉ ନାହାନ୍ତି କି ଶ୍ରେଣୀ ଗୃହ ବ୍ୟବସ୍ଥା କରୁ ନାହାନ୍ତି।
[caption id="attachment_724819" align="aligncenter" width="650"]
ଶ୍ରେଣୀଗୃହର ସାଂଘାତିକ ଅବସ୍ଥା[/caption]
ସେହିପରି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମାକାନ୍ତ ରାଉତ କହିଛନ୍ତି, ସ୍କୁଲ୍ର ଅବସ୍ଥା ଖୁବ୍ ଶୋଚନୀୟ। ଛାତରୁ କଂକ୍ରିଟ୍ ଖସୁଛି। ପିଲାମାନେ ବାରଣ୍ଡାରେ ଓ ଗଛମୂଳେ ପାଠ ପଢ଼ୁଛନ୍ତି। ସମସ୍ୟା ସଂପର୍କରେ ସରକାରଙ୍କୁ ବହୁ ଥର ଜଣାଇଛୁ। କିନ୍ତୁ କିଛି ବ୍ୟବସ୍ଥା କରାଯାଉ ନାହିଁ। ଏବେ କିଛି ପଦକ୍ଷେପ ନିଆନଗଲେ ଆଗକୁ ବର୍ଷା ଦିନରେ ପିଲାଏ ଭାରି ହଇରାଣ ହେବେ।
୧୩୭ ବର୍ଷର ଏହି ପୁରୁଣା ସ୍କୁଲ୍ରେ ଶିକ୍ଷକ ସମସ୍ୟା ବି ରହିଛି। ଏବେ ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିବା ବେଳେ ପିଲାଙ୍କୁ ପଢ଼ାଇବାକୁ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ। ଏଥିପାଇଁ ପାଠପଢ଼ାରେ ସମସ୍ୟା ହେଉଛି। ବର୍ଷ ବର୍ଷ ଧରି ଏହି ସ୍କୁଲ୍ର ସମସ୍ୟାକୁ ନଜର ଅନ୍ଦାଜ କରି ଚାଲିଥିବା ପ୍ରଶାସନ ଓ ସରକାର କ’ଣ କୌଣସି ଅଘଟଣ ପରେ ଯାଇ ଚେତିବେ କି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
