ମହାନାଟକର ମହାନୁଭବ

ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହୋଇଥିଲେ ହେଁ ଗୋପପୁରରେ ଯେଉଁ ଆବେଗପୂର୍ଣ୍ଣ ଓ ଭାବବିହ୍ୱଳ ଦୃଶ୍ୟ ଅଭିନୀତ ହୁଏ, ତାହା ଅତୁଳନୀୟ।

ଡକ୍ଟର ସୁଶୀଳ କୁମାର ବାଗ୍

ନାଟକ, ଲୀଳା ଓ ଲୋକ ପରମ୍ପରାର ଏକ ସର୍ଜନାତ୍ମକ ମହୋତ୍ସବ ହେଉଛି ବରଗଡ଼ ଧନୁଯାତ୍ରା। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ୟତା ପାଇଛି ମହାନ୍ ପୌରାଣିକ ନାଟକ ଧନୁଯାତ୍ରା। ଯାତ୍ରା ସମୟରେ ଏଠାକାର ସାଧରଣ ମଣିଷମାନେ ପାଲଟି ଯା’ନ୍ତି ପୌରାଣିକ ଚରିତ୍ର।

ପ୍ରାକ୍ ସ୍ୱାଧୀନତା କାଳରୁ ନିରବଚ୍ଛିନ୍ନ ଭାବେ ଆୟୋଜିତ ହୋଇଆସୁଛି ଏହି ଯାତ୍ରା। ବରଗଡ଼ ଓ ଅମ୍ବାପାଲିର ପ୍ରାକୃତିକ ପରିବେଶ ତଥା ଉପଯୁକ୍ତ ଭୌଗୋଳିକ ଅବସ୍ଥିତି ଧନୁଯାତ୍ରା ପରିକଳ୍ପନାର ରୂପକୁ ସାକାର କରିଥିଲା। ଧନୁଯାତ୍ରା ସମୟରେ ବରଗଡ଼ ପାଲଟିଯାଏ ମଥୁରାନଗରୀ ଓ ଅମ୍ବାପାଲି ଗୋପପୁର। ଆଉ ବରଗଡ଼ ଓ ଅମ୍ବାପାଲି ମଝିରେ ପ୍ରବାହିତ ଜୀରା ନଦୀ ସୃଷ୍ଟି କରେ ଯମୁନାର କଲ୍ଲୋଳ। ପୌରାଣିକ କାହାଣୀର ସାମଞ୍ଜସ୍ୟ ଥିବା ପରିବେଶ ଅନୁସାରେ ବରଗଡ଼ ସହର ଓ ଅମ୍ବାପାଲିର ବିଭିନ୍ନ ସ୍ଥାନରେ ଅଭିନୀତ ହୁଏ ଏହି ମହାନ ନାଟକର ଭିନ୍ନ ଭିନ୍ନ ଦୃଶ୍ୟ।

ଧନୁଯାତ୍ରାର ଗୌରବମୟ ଅତୀତ
ଧନୁଯାତ୍ରାର ଆରମ୍ଭକୁ ନେଇ ରହିଛି ବିଭିନ୍ନ ମତ। ଦୀର୍ଘ ୭୧ ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଥିବା ଏ ମହୋତ୍ସବ ପ୍ରଥମେ ‘ପଞ୍ଚ’ ପକ୍ଷରୁ ଆରମ୍ଭ ହୋଇଥିଲା। ବନମାଳୀ ନାୟକ ଓ ଚନ୍ଦ୍ରମଣି ଦାସ ସତେବେଳେ ପଞ୍ଚ ଥିଲେ। ବିଭିନ୍ନ ସମୟରେ କେତେ କେତେ ଦିନ ଧରି ଏହା ପାଳିତ ହେଉଥିଲା, ସେ ସଂପର୍କରେ ବି ଭିନ୍ନ ଭିନ୍ନ ମତ ରହିଥିବା ଦେଖାଯାଏ। ତେବେ ବର୍ତ୍ତମାନ ଏହା ୧୧ ଦିନ ଧରି ମହାଆଡ଼ମ୍ବର ସହକାରେ ପାଳିତ ହେଉଛି। ଅଲିଖିତ ଏଇ ନାଟକ ଏଭଳି ଏକ ବିଶାଳ ମଞ୍ଚରେ କଳ୍ପନା ଭିତରେ ଅଭିନୀତ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

ଚଳିତ ବର୍ଷ କଂସ ଭୂମିକାରେ ଭୁବନେଶ୍ୱର ପଧାନ ଅଭିନୟ କରୁଛନ୍ତି

ଆକର୍ଷଣର କେନ୍ଦ୍ର ବିନ୍ଦୁ କଂସ
ପ୍ରତ୍ୟେକ ନାଟକ ଓ ଚଳଚ୍ଚିତ୍ରରେ ନାୟକ ହିଁ ମୁଖ୍ୟତଃ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥା’ନ୍ତି। କିନ୍ତୁ ଧନୁଯାତ୍ରା ମହାନାଟକରେ ଖଳନାୟକ କଂସ ହିଁ ହେଉଛନ୍ତି ମୁଖ୍ୟ ଆକର୍ଷଣ। ଯାତ୍ରା ସମୟରେ ବରଗଡ଼ ପାଲଟିଯାଏ ମଥୁରା ନଗରୀ। ତେଣୁ କଂସ ହୋଇଯା’ନ୍ତି ମଥୁରା ନଗରୀର ସମସ୍ତ ଶାସନ ଓ ପ୍ରଶାସନର ସର୍ବେସର୍ବା। ମହାରାଜ କଂସଙ୍କ ଆଦେଶକୁ ଅବମାନନା କରିବାର ଶକ୍ତି ଏଠି କାହାର ନଥାଏ। ଯେ କୌଣସି ଉଚ୍ଚପଦାଧିକାରୀ ହୁଅନ୍ତୁ ନା କାହିଁକି କଂସାଦେଶ ମାନିବା ପାଇଁ ସମସ୍ତେ ବାଧ୍ୟ। ମଥୁରା ନଗରୀର ମନ୍ତ୍ରୀ ହୁଅନ୍ତି କି ଯନ୍ତ୍ରୀ, ଜିଲ୍ଲାପାଳ ହୁଅନ୍ତୁ କି ଏସ୍.ପି. ସମସ୍ତେ ମହାରାଜ କଂସଙ୍କ ଆଦେଶ ମାନିବାକୁ ବାଧ୍ୟ। ଦୋଷୀକୁ ଦଣ୍ଡଦେବା ସହିତ ଜୋରିମାନା କରିବା ଅଧିକାର ଥାଏ କଂସଙ୍କର। ଅଭିନୟର ଏହି ଅଭୂତପୂର୍ବ ପରଂପରା ନାଟକଟିକୁ ସର୍ବାଧିକ ଜୀବନ୍ତ କରି ତୋଳେ।

ବିଭିନ୍ନ ସମୟରେ କଂସ ଭୂମିକାରେ ଏମାନେ କରିଛନ୍ତି ଅଭିନୟ।

ଅନ୍ୟମାନଙ୍କୁ କଂସ ଆଦେଶ ଦେବା, ହାତୀ ପିଠିରେ ବସି ନଗର ପରିକ୍ରମା କରିବା, ରଙ୍ଗସଭାର ଆୟୋଜନ କରିବା ତଥା ପ୍ରତିଟି ସଂଳାପରେ ଅପୂର୍ବ ବିଚକ୍ଷଣତା, ମାନସିକ ଦ୍ୱନ୍ଦ୍ୱ ଓ ଅନ୍ତରାଲୋଡ଼ନ ଫୁଟାଉଥିବା କଂସ ରୂପକୁ ହିଁ ଦେଖିବା ପାଇଁ ଏଠାରେ ହଜାର ହଜାର ଜନତାଙ୍କ ସମାଗମ ହୋଇଥାଏ। ତେଣୁ କଂସ ଏଠି ଖଳନାୟକ ନହୋଇ ନାୟକ ଭାବରେ ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ବରଗଡ଼ ସହରରେ ରହିଥିବା ବିଭିନ୍ନ ଅବ୍ୟବସ୍ଥାକୁ ସୁଧାରିବା ପାଇଁ କଂସ ଯେପରି ଆଦେଶ ଦେଇଥା’ନ୍ତି, ସେଥିରୁ ତାଙ୍କ ଖଳନାୟକତ୍ୱ ନୁହେଁ, ବରଂ ନାୟକତ୍ୱ ହିଁ ଅଧିକ ପ୍ରମାଣିତ ହୋଇଥାଏ।

ସ୍ୱର୍ଗତ ଯୁଧିଷ୍ଠିର ଶତପଥୀ

ପ୍ରଥମେ ଦେଓଗାଁର ସ୍ୱର୍ଗତ ବୁନ୍ଦି ରଥ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ସ୍ୱର୍ଗତ ଯୁଧିଷ୍ଠିର ଶତପଥୀ, ସ୍ୱର୍ଗତ ଭୀମସେନ୍ ଶତପଥୀ, ସ୍ୱର୍ଗତ ରାଧେଶ୍ୟାମ ଗୌନ୍ତିଆ, ଭୁବନେଶ୍ୱର ପଧାନ, ସଂଜୀବ ଦାଶ, ନୀଳାଞ୍ଚଳ ଦାଶ, ଦେବେନ୍ଦ୍ର ବିଶ୍ୱାଳ, ଗୋପାଳ ସାହୁ (ଏଲି) ଓ ହୃଷିକେଶ ଭୋଇ ପ୍ରମୁଖ କଂସ ଭୂମିକାରେ ଚମତ୍କାର ଅଭିନୟ କରିଥିଲେ। ଏବେ ଭୁବନେଶ୍ୱର ପଧାନ କଂସ ଭୂମିକାରେ ଚମତ୍କାର ଅଭିନୟ କରୁଛନ୍ତି।

କଂସ ମହାରାଜ ଭୂମିକାରେ ହୃଷିକେଶ ଭୋଇ

ମହାରାଜ କଂସ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ହେଲେ ହେଁ ଅନ୍ୟାନ୍ୟ ଚରିତ୍ରମାନଙ୍କ ଅଭିନୟ ଆବେଦନ କିଛି କମ୍ ନୁହେଁ। ଶ୍ରୀକୃଷ୍ଣ, ବଳରାମ, ଯଶୋଦା, ନନ୍ଦରାଜା, ବାସୁଦେବ, ଦେବକୀ ଓ ଅକ୍ରୂର ପ୍ରମୁଖ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଚରିତ୍ରମାନେ ଲୋକ ହୃଦୟକୁ କେତେବେଳେ ମଧୁର ପ୍ରେମଭାବରେ ଆଚ୍ଛନ୍ନ କରି ପକାନ୍ତି ତ କେତେବେଳେ କାରୁଣ୍ୟର ଅନୁଭୂତିରେ ତରଳାଇ ଦିଅନ୍ତି।

ଗାଁର ନାଁ ଗୋପପୁର
ଗାଁଟିର ନାଁ ଅମ୍ବାପାଲି। ବର୍ତ୍ତମାନ ବରଗଡ଼ ପୌର ପରିଷଦର ୧୭ ୱାର୍ଡରେ ଏହା ଅବସ୍ଥିତ। ଲୋକ ସଂଖ୍ୟା ପ୍ରାୟ ଚାରି ହଜାରରୁ ଅଧିକ। ତେବେ ଏହି ଗାଁ ଗୋପପୁର ଭାବେ ପ୍ରସିଦ୍ଧ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମୟରେ ଅମ୍ବାପାଲି ପାଲଟିଯାଏ ଗୋପପୁର। ଦୂରରୁ ଦେଖିଲେ ମନେ ହୁଏ ସହରୀ ସଭ୍ୟତାରେ ସଜଡ଼ା ଆଧୁନିକ ରମଣୀଟିଏ ପରି। ଅମ୍ବାପାଲି ଗାଁର ପ୍ରବେଶ ପଥର ତୋରଣରେ ଲେଖା ହୋଇଛି ‘ଗୋପପୁର’। ଗ୍ରାମ୍ୟ ସଂସ୍କୃତି ଓ ପରମ୍ପରାର ମହମହ ବାସ୍ନା ବାରି ହୋଇପଡ଼େ ଅମ୍ବାପାଲି ଗାଁକୁ ପ୍ରବେଶ କଲେ। ଏଠାରେ ମାଟି ଛପର ଘର ସହିତ ରହିଛି କେତେକ ପକ୍କା କୋଠାଘର। ‘ଧନୁଯାତ୍ରା’ ପୂର୍ବରୁ ଚଳଚଞ୍ଚଳ ହୋଇଉଠେ ପୂରା ଗାଁ। ଗାଁକୁ ପରିଷ୍କାର କରାଯାଏ। ସମସ୍ତଙ୍କ ଘର ହୁଏ ଲିପାପୋଛା ଓ ସଫାସୁତରା ହୁଏ। ପ୍ରତିଟି ଘରର କାନ୍ଥରେ ଲେଖା ହୁଏ କୃଷ୍ଣ ଲୀଳା ସମ୍ବଳିତ ବିଭିନ୍ନ ହୃଦୟସ୍ପର୍ଶୀ ସ୍ମରଣୀୟ ପଦପଂକ୍ତି ଓ ଆକର୍ଷଣୀୟ ଚିତ୍ର। ଯାତ୍ରା ସମୟରେ ଝୋଟି, ରଙ୍ଗବେରଙ୍ଗର ମୁରୁଜ ଉପରେ ପୂର୍ଣ୍ଣ କଳସୀ ସଜା ହୋଇ ରଖାଯାଇଥାଏ ପ୍ରତି ଘର ସମ୍ମୁଖରେ। ଘରେ ଘରେ କୁଣିଆ ଓ ବନ୍ଧୁବାନ୍ଧବଙ୍କ ଭିଡ଼ ଜମେ। ଅମ୍ବାପାଲିର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଯେମିତି ଏଇ ସମୟରେ ଫେରି ଯା’ନ୍ତି ଦ୍ୱାପର ଯୁଗକୁ। ଯାତ୍ରା ସମୟରେ ଗାଁ ଲୋକେ ବହୁ ନିଷ୍ଠାର ସହିତ ରହନ୍ତି। ଯାତ୍ରା ୧୧ ଦିନ ଗାଁରେ ଆମିଷ ଭକ୍ଷଣ ନିଷେଧ ହୋଇଥାଏ।

ଚଳିତ ବର୍ଷର କୃଷ୍ଣ ଓ ବଳରାମ

ଧନୁଯାତ୍ରାର ଦ୍ୱିତୀୟ ଦିବସରୁ ଗୋପପୁରରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥାଏ। ଗୋପପୁରକୁ କୃଷ୍ଣଙ୍କ ଆଗମନଠାରୁ ଆରମ୍ଭ କରି ଅକ୍ରୂରଙ୍କ ସହ କୃଷ୍ଣ-ବଳରାମଙ୍କ ମଥୁରା ଯାତ୍ରା ପର୍ଯ୍ୟନ୍ତ ପ୍ରତିଟି ଦୃଶ୍ୟ ଅତ୍ୟନ୍ତ ଜୀବନ୍ତ ଭାବରେ ଅଭିନୀତ ହୋଇଥାଏ। ନନ୍ଦ ଉତ୍ସବ, ଗୋପୀମାନଙ୍କ ବସ୍ତ୍ରହରଣ, ପୁତନା, ଶକଟା, ବକା ଆଦି ରାକ୍ଷାସ ବଧ, ଅନ୍ଧ ବ୍ରାହ୍ମଣରୁ ମୁକ୍ତି, ଶବରୀର କୋଳିବିକା, ଦହିବିକା, ନନ୍ଦ ଭବନରେ ଜନ୍ମାଷ୍ଟମୀ ପାଳନ, ଶ୍ରୀକୃଷ୍ଣଙ୍କ ଦୋଳି ଝୁଲା, ଗୋପାଳ ବାଳକଙ୍କ ସହ କୃଷ୍ଣ-ବଳରାମଙ୍କ ଗୋଚାରଣ, ଯାମାଳାର୍ଜୁନ ଭଞ୍ଜନ, ଯଶୋଦାଙ୍କ ବିଶ୍ୱ ରୂପ ଦର୍ଶନ, ଶ୍ରୀକୃଷ୍ଣଙ୍କ ହସ୍ତପାଦ ବନ୍ଧନ, କାଳୀୟ ଦଳନ, କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା, ରାଧାକୃଷ୍ଣଙ୍କ ନାବକେଳି ଓ ଅକ୍ରୂରଙ୍କ ଯମୁନା ନଦୀରେ ଶ୍ରୀକୃଷ୍ଣଙ୍କ ପାଦ ଦର୍ଶନ ଆଦି ବିଭିନ୍ନ ଦୃଶ୍ୟ ଅତି ଚମତ୍କାର ଭାବେ ଅଭିନୀତ ହୋଇଥାଏ। ଭିନ୍ନ ଭିନ୍ନ ଦିନରେ ଖୋଲା ମଞ୍ଚରେ ଅଭିନୀତ ହୁଏ ଯାତ୍ରାର ବିଭିନ୍ନ ଦୃଶ୍ୟ। ଅମ୍ବାପାଲିର ଏପରି କୌଣସି ପରିବାର ନାହିଁ, ଯେଉଁ ପରିବାରରେ କେହି ନା କେହି ସଦସ୍ୟ ଏହି ଲୋକନାଟକରେ ଅଭିନୟ କରିନାହାନ୍ତି। ଯାତ୍ରା ସମୟରେ ଅମ୍ବାପାଲିର ପ୍ରତିଟି ମଣିଷ ପାଲଟି ଯାଆନ୍ତି ଜଣେ ଜଣେ କଳାକାର। କୃଷ୍ଣ-ବଳରାମ ଚରିତ୍ରଠାରୁ ଆରମ୍ଭ କରି ନନ୍ଦରାଜା, ଯଶୋଦା, ଗୋପୀ, ଗୋପାଳ ଆଦି ଚରିତ୍ରରେ ଅମ୍ବାପାଲିର କଳାକାରମାନେ ହିଁ ବର୍ଷ ବର୍ଷ ଧରି ଅଭିନୟ କରିଆସୁଛନ୍ତି। ତେବେ ଦୀର୍ଘ ୨୫ ବର୍ଷ ଧରି ଅକ୍ରୂର ଭୂମିକାରେ ଉଚ୍ଚକୋଟୀର ଅଭିନୟ କରିଥିବା ଅମ୍ବାପାଲିର ନାଟ୍ୟାଚାର୍ଯ୍ୟ ହରେକୃଷ୍ଣ ପୂଜାରୀ ଧନୁଯାତ୍ରା ଇତିହାସରେ ସୃଷ୍ଟି କରିଛନ୍ତି ବିରଳ ଅଧ୍ୟାୟ। ଏପର୍ଯ୍ୟନ୍ତ କୌଣସି କଳାକାର ତାଙ୍କର ସମକକ୍ଷ ହୋଇନାହାନ୍ତି ଅକ୍ରୂର ଭୂମିକାରେ ଏତେ ଜୀବନ୍ତ ଓ ମାର୍ମିକ ଅଭିନୟ ପାଇଁ।

କୃଷ୍ଣ ପ୍ରେମରେ ବିଭୋର ଅମ୍ବାପାଲି
ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହୋଇଥିଲେ ହେଁ ଗୋପପୁରରେ ଯେଉଁ ଆବେଗପୂର୍ଣ୍ଣ ଓ ଭାବବିହ୍ୱଳ ଦୃଶ୍ୟ ଅଭିନୀତ ହୁଏ, ତାହା ଅତୁଳନୀୟ। ବାସ୍ତବରେ ଦେଖିବାକୁ ଗଲେ ଗୋପପୁରବାସୀ ଗଭୀର ଭଗବତ୍ ବିଶ୍ୱାସୀ ଓ କୃଷ୍ଣପ୍ରେମୀ। କୃଷ୍ଣ ଚେତନା ହିଁ ସେମାନଙ୍କ ଜୀବନର ଆଧାର। ‘କୃଷ୍ଣ’ ତାଙ୍କୁ ଆଚ୍ଛନ୍ନ ଓ ମୋହାଚ୍ଛନ୍ନ କରି ରଖିଛନ୍ତି। ଧନୁଯାତ୍ରା ଅବଧିରେ କୃଷ୍ଣମୟ ହୋଇଉଠେ ଅମ୍ବାପାଲି। କୃଷ୍ଣ-ବଳରାମ ଦୁଇ ଭାଇ ଯେତେବେଳେ ପ୍ରତ୍ୟହ ଗ୍ରାମ ପରିକ୍ରମା କରନ୍ତି ପ୍ରତିଟି ଘର ସମ୍ମୁଖରେ ରଖାଯାଇଥାଏ ପୂର୍ଣ୍ଣକଳସୀ। ଫୁଲ, ଧୂପ, ଚନ୍ଦନ ଦେଇ କୃଷ୍ଣ-ବଳରାମଙ୍କୁ ଗାଁର ଆବାଳ ବୃଦ୍ଧବନିତା ପୂଜାର୍ଚ୍ଚନା କରୁଥିବା ଦୃଶ୍ୟ ଅତ୍ୟନ୍ତ ରୋମାଞ୍ଚକର। ଗାଁ ଲୋକେ ଭୁଲି ଯାଆନ୍ତି ଯେ ଏହା ଅଭିନୟର ଏକ ଅଂଶ। କୃଷ୍ଣ ଭକ୍ତିରେ ବିଭୋର ମହିଳାମାନେ କୃଷ୍ଣ-ବଳରାମଙ୍କ ପାଦଧୋଇ ସାଷ୍ଟାଙ୍ଗ ପ୍ରଣାମ କରୁଥିବା ଦୃଶ୍ୟ ମନରେ ଅପୂର୍ବ ଭକ୍ତି ଭାବ ସୃଷ୍ଟି କରେ। କିଏ କୃଷ୍ଣ ବାତ୍ସଲ୍ୟରେ ମା’ ଯଶୋଦା ଆଉ କିଏ ନନ୍ଦରାଜା ପାଲଟି ଯାଆନ୍ତି ତ ପୁଣି କେହି କେହି କୃଷ୍ଣ ପ୍ରେମରେ ପାଲଟି ଯାଆନ୍ତି ଗୋପୀ। ପୁଣି ଅମ୍ବାପାଲିର ଛୋଟ ଛୋଟ ପୁଅଝିଅଙ୍କ ଗୋପାଳ ବାଳକ ଓ ଗୋପୀ ଚରିତ୍ରରେ ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥାଏ। ସେମାନେ ମଧ୍ୟ କୃଷ୍ଣ-ବଳରାମଙ୍କ ସାନ୍ନିଧ୍ୟ ପାଇ ଆପଣା ଜୀବନକୁ ଧନ୍ୟ ମନେ କରନ୍ତି।

ଫାଇଲ୍ ଫଟୋ

ଅକ୍ରୂରଙ୍କ ସଙ୍ଗେ କୃଷ୍ଣ-ବଳରାମଙ୍କ ମଥୁରା ଯାତ୍ରା ଦୃଶ୍ୟ ଅତି କରୁଣ ହୋଇଥାଏ। କୃଷ୍ଣ-ବଳରାମଙ୍କ ବିଦାୟର ଦୃଶ୍ୟ ଗୋପପୁରବାସୀଙ୍କ ନୟନ ଯୁଗଳକୁ ଲୋତକପୂର୍ଣ୍ଣ କରିଦିଏ। ଏହି ସମୟରେ ଯଶୋଦା ଓ ଗୋପୀମାନଙ୍କ କ୍ରନ୍ଦନ ପରିବେଶକୁ କାରୁଣ୍ୟ କରିଦିଏ।

ଅନ୍ୟପକ୍ଷରେ ମଥୁରା ନଗରୀରେ କଂସ ଦରବାର, ରଙ୍ଗମହଲ, ନାବକେଳି ହେଉଥିବା ମନାବନ୍ଧ, କାଳୀୟଦଳନ ହେଉଥିବା ଫକୀରା ବନ୍ଧ, କୁବୁଜା ଉଦ୍ଧାର ହେଉଥିବା କାଳୀ ମନ୍ଦିର, ଅକ୍ରୂର ଦର୍ଶନରେ ବିଭୋର ହେଉଥିବା ଜୀରା ନଈ ପ୍ରଭୃତି ସ୍ଥାନ ଧନୁଯାତ୍ରା ସମୟରେ ବିଶେଷ ଆକର୍ଷଣର ସ୍ଥଳ ପାଲଟିଯାଏ।

କୃଷ୍ଣ-ବଳରାମଙ୍କ ପରିବାର
ଦ୍ୱାପର ଯୁଗରେ କୃଷ୍ଣ-ବଳରାମଙ୍କ ପରିବାର କହିଲେ ସାଧାରଣତଃ ନନ୍ଦରାଜାଙ୍କ ପରିବାରକୁ ବୁଝାଯାଏ। କିନ୍ତୁ ବିଶ୍ୱ ବିଖ୍ୟାତ ଧନୁଯାତ୍ରାରେ କୃଷ୍ଣ-ବଳରାମଙ୍କ ପରିବାର କହିଲେ ଅମ୍ବାପାଲିବାସୀ ବୁଝନ୍ତି ଗାଁର ମହାପାତ୍ର ପରିବାରଙ୍କୁ। କାରଣ ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ଧରି ଏହି ଗାଁର ମହାପାତ୍ର ପରିବାର ଶିଶୁମାନେ କୃଷ୍ଣବଳରାମ ଚରିତ୍ରରେ ଅଭିନୟ କରିଛନ୍ତି।

୧୯୭୭ ମସିହାରେ ସ୍ୱଗର୍ତ ଲଳିତ ମୋହନ ମହାପାତ୍ର ଓ କାଞ୍ଚନ ମହାପାତ୍ରଙ୍କ ପୁତ୍ର ସୁଶୀଳ କୁମାର ମହାପାତ୍ର ଓ ପରେ ତାଙ୍କ ଭାଇ ସୁଧୀର କୁମାର ମହାପାତ୍ର କୃଷ୍ଣ-ବଳରାମ ଭୂମିକାରେ ଅଭିନୟ କରିଥିଲେ। ବାସ୍ ତା’ପରେ ଏହି ପରିବାର ଅନ୍ୟଭାଇମାନେ ମଧ୍ୟ କୃଷ୍ଣ-ବଳରାମ ଚରିତ୍ରରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ୧୯୭୭ରୁ ୧୯୯୧ ମସିହା ପର୍ଯ୍ୟନ୍ତ ସୁଶୀଳଙ୍କ ଭାଇ ସୁଧୀର, ସୁରେନ୍ଦ୍ର, ସୁରେଶ, ସରୋଜ ଓ ଶିଶିର କୃଷ୍ଣ-ବଳରାମ ଚରିତ୍ରରେ ଅଭିନୟ କରିଥିଲେ। ସେହିପରି ୨୦୦୩ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସୁଧୀର କୁମାର ମହାପାତ୍ରଙ୍କ ପୁଅ ରଜନୀଶ ଓ ସୁଶୀଳ କୁମାର ମହାପାତ୍ରଙ୍କ ପୁଅ ମନୀଷ କୃଷ୍ଣ-ବଳରାମ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୬ ବର୍ଷର ବ୍ୟବଧାନ ପରେ ୨୦୧୪ ମସିହା ଧନୁଯାତ୍ରାରେ ସୁରେନ୍ଦ୍ର ମହାପାତ୍ରଙ୍କ ପୁଅ ଶିବାଂଶ ଓ ସରୋଜ ମହାପାତ୍ରଙ୍କ ପୁଅ ଶ୍ରୀୟାଂଶ କୃଷ୍ଣ-ବଳରାମ ଭୂମିକାରେ ପୁଣି ଅଭିନୟ କରିବାର ସୁଯୋଗ ପାଇଥିଲେ। ପିଢ଼ି ପରେ ପିଢ଼ି ଏହି ପରିବାରର ଶିଶୁମାନେ କୃଷ୍ଣ-ବଳରାମ ଚରିତ୍ରରେ ଅଭିନୟ କରିବାର ଅପୂର୍ବ ସୁଯୋଗ ପାଉଛନ୍ତି।

ଫାଇଲ୍ ଫଟୋ

ସାଂସ୍କୃତିକ ମହାକୁମ୍ଭ
ଗୋଟିଏ ପଟେ ଅଭିନୟର ପରିଧି, ଅନ୍ୟ ପଟେ ସାଂସ୍କୃତିକ ବଳୟ। ଧନୁଯାତ୍ରାରେ ଦେଖିବାକୁ ମିଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ଓ ଗୀତରେ ଦୁଲୁକି ଉଠେ ରଙ୍ଗମହଲ। ପୁଣି କଂସ ଦରବାର ଓ ରଙ୍ଗମହଲରେ ଓଡ଼ିଶା ତଥା ରାଜ୍ୟ ବାହାର କଳାକାରମାନେ ପରିବେଷଣ କରନ୍ତି ଭିନ୍ନ ଭିନ୍ନ ନୃତ୍ୟଗୀତ। ଏବେ ଧନୁଯାତ୍ରା ମଞ୍ଚରେ ଋଷିଆ କଳାକାରଙ୍କ ନୃତ୍ୟ ପାଲଟିଛି ଅନ୍ୟତମ ଆକର୍ଷଣ। ଧନୁଯାତ୍ରାରେ କଳାକାରମାନେ ନିଜ କଳା ନୈପୁଣ୍ୟ ପ୍ରଦର୍ଶନ କରିବାର ଅପୂର୍ବ ସୁଯୋଗ ଲାଭ କରନ୍ତି। କଳାକାରମାନଙ୍କ ନୃତ୍ୟଗୀତର ଆସରରେ ମଥୁରା ନଗରୀ ପ୍ରକମ୍ପିତ ହୋଇଉଠେ। ସେପଟେ ଭାବମୟ ପରିବେଶରେ ରଙ୍ଗୀନ ହୋଇଉଠେ ସାରା ଗୋପପୁର। କେଉଁଠି ସଞ୍ଚାର ତ କେଉଁଠି ଲଉଡ଼ି ଖେଳ, ପୁଣି କେଉଁଠି ଭଜନ ଓ କୀର୍ତ୍ତନ ହୋଇଥାଏ। ସବୁଠି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳେ।

ଚଳିତ ବର୍ଷ ଧନୁଯାତ୍ରାର ଏକ ଦୃଶ୍ୟରେ କଂସ ମହାରାଜ

ଉଚ୍ଚକୋଟୀର କଳା ଓ ସାହିତ୍ୟ ସର୍ବଦା ସତ୍ୟ ଏବଂ ମାନବିକତାର ବିଜୟ ଘୋଷଣା କରିଥାଏ। ଅନ୍ୟାୟର ଅବସାନ ଘଟାଇ ନ୍ୟାୟର ସ୍ତମ୍ଭ ସ୍ଥାପନ କରିବା ପାଇଁ ଧନୁଯାତ୍ରା ହେଉଛି ଏକ ଶକ୍ତିଶାଳୀ ପ୍ରେରଣା। କଂସାସୁରର ନିଧନ ଅତ୍ୟାଚାରୀ ଇଂରେଜ ଶାସନର ପତନ ଓ କୃଷ୍ଣ-ବଳରାମଙ୍କ ଦ୍ୱାରା ଉଗ୍ରସେନଙ୍କ ରାଜ୍ୟାଭିଷେକ ଗଣତନ୍ତ୍ର ପ୍ରତିଷ୍ଠାର ପ୍ରତୀକ ବୋଲି ମଧ୍ୟ ବ୍ୟାଖା କରାଯାଇଥାଏ। “କଂସ ରଜାର୍ ବଂଶ ବୁଡୁ, କଂସ ମଲେ ଖାଏମା ଲଡୁ”- ଉକ୍ତିରେ ସତ୍ ଚେତନାର ଆଲୋକ ବିଚ୍ଛୁରିତ ହେଉଥିବା ପରି ମନେହୁଏ। ଧନୁଯାତ୍ରା ସମାପ୍ତ ହେଲେ ମଧ୍ୟ ଏହାର ସ୍ମୃତି ଲୋକ ହୃଦୟରୁ ଲିଭି ଯାଏନାହିଁ। ଏହାର ଅନ୍ତର୍ନିହିତ ବାର୍ତ୍ତା ଲୋକଙ୍କ ଜାଣତରେ ହେଉ ବା ଅଜାଣତରେ ହେଉ ସେମାନଙ୍କ ହୃଦୟରେ ଅର୍ଥପୂର୍ଣ୍ଣ ପ୍ରେରଣା ଭରି ଦେଇଥାଏ।

ଗ୍ରା./ପୋ: ଲେଣ୍ଡା, ଭାୟା: ବରପାଲି
ଜି: ବରଗଡ଼, ପିନ୍:୭୬୮୦୨୯
ମୋବାଇଲ୍: ୯୪୩୭୨୬୩୮୨୬