/odisha-reporter/media/post_attachments/uploads/2021/11/Untitled-1-34.jpg)
ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଲିମାଡା ପଞ୍ଚାୟତରେ ରହିଛି କୁଣ୍ଡରା ଗାଁ। ଏହି ଗାଁରେ ଶହେରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ୩ ମାସ ହେବ ଗ୍ରାମବାସୀ ଅନ୍ଧାରରେ ଜୀବନ ଯାପନ କରୁଛନ୍ତି। ଗାଁରେ ଥିବା ଟ୍ରାନ୍ସଫର୍ମରଟି ତିନି ମାସ ହେବ ପୋଡ଼ିଯାଇଛି। ସେବେଠାରୁ ଗ୍ରାମବାସୀ ଅନ୍ଧାରରେ ଜୀବନ କାଟୁଛନ୍ତି।
ଏହି ଟ୍ରାନ୍ସଫର୍ମର ଉପରେ ତିନୋଟି ଏଲ୍ଆଇ ପଏଣ୍ଟ ନିର୍ଭର କରେ। ତା’ବି ଚାରି ମାସ ହେବ ଅଚଳ ହୋଇ ପଡ଼ିଛି। ଗାଁଲୋକେ ଚାଷ କରିବା ପାଇଁ ପାଣି ମୁନ୍ଦେ ପାଇ ପାରୁନାହାନ୍ତି। ଯାହା ଫଳରେ ଚାଷୀ କୂଳ ଏବେ ହତାଶ ହୋଇ ପଡ଼ିଛି। ତେବେ ଏହି ସବୁ ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ହାତୀବାରୀ ଜେଇ, କୁଆଁରମୁଣ୍ଡା ଏସଡିଓ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ।
ଯଦି କିଛି ଦିନ ଭିତରେ ନୂଆ ଟ୍ରାନ୍ସଫର୍ମର ନ ଲାଗେ, ତା’ ହେଲେ ସେମାନେ ରାଜରାସ୍ତା ଅବରୋଧ କରିବେ, ଧାରଣାରେ ବସିବେ ଓ ଏହା ସହିତ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସମସ୍ତ ଗାଁ ଲୋକେ ଭୋଟ୍ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଟ୍ରାନ୍ସଫର୍ମର ତୁରନ୍ତ ମରାମତି କରାଯିବ ବୋଲି କୁଆଁରମୁଣ୍ଡା ଏସଡିଓ ଶୁଭାଶିଶ ମହାନ୍ତି କହିଛନ୍ତି।
ଗ୍ରାମବାସୀ କହିଛନ୍ତି, ବଜ୍ରପାତରେ ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଛି। ହେଲେ ଏପର୍ଯ୍ୟନ୍ତ ନୂଆ ଟ୍ରାନ୍ସଫର୍ମର ଲାଗି ପାରୁ ନାହିଁ। ଏହି ଟ୍ରାନ୍ସଫର୍ମର ଉପରେ ତିନୋଟି ଏଲ୍ଆଇ ପଏଣ୍ଟ ନିର୍ଭର କରେ। କିନ୍ତୁ ଚାରି ମାସ ହେବ ତାହା ବି ଅଚଳ ହୋଇ ପଡ଼ିଛି। ସରକାର ଚାଷୀଙ୍କୁ ସବୁ ସୁବିଧା ଯୋଗାଇ ଦେଉଛି ବୋଲି ଡେଙ୍ଗୁରା ପିଟୁଛି। ହେଲେ ଫଳ ଶୂନ। ଏହି ସରକାର ରହି କି କ’ଣ ଲାଭ?।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
