/odisha-reporter/media/post_attachments/uploads/2022/10/Schools.jpg)
Schools
ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗେରେଡ଼ା ପଞ୍ଚାୟତର କେପିଟି ଗାଁରେ ଖୋଲାଯାଇଛି ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର। ଅଙ୍ଗନବାଡ଼ି କେନ୍ଦ୍ର ‘କ’ ଓ ‘ଖ’। ଏହି ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ନିର୍ମାଣ କରାଯାଇଛି ଦୁଇଟି ଘର। କିନ୍ତୁ ପାଖାପାଖି ଥିବା ଏହି ଦୁଇଟି ଘରର ନିର୍ମାଣକୁ ୮ ବର୍ଷରୁ ଅଧିକ ସମୟ ପୂରି ଯାଇଥିବା ବେଳେ ଏଗୁଡ଼ିକ ଏଯାବତ କାର୍ଯ୍ୟକ୍ଷମ ହୋଇପାରି ନାହାନ୍ତି।
ହସ୍ତାନ୍ତର ହୋଇନଥିବା ଯୋଗୁ ଦୁଇଟି ଯାକ ଅଙ୍ଗନବାଡ଼ି କେନ୍ଦ୍ରର ଘର ବର୍ଷ ବର୍ଷ ଧରି ସେମିତି ପଡ଼ି ରହିଛି। ଏହା ଚାରିପାଖେ ଅନାବନା ଗଛଲତା ଉଠିଯାଇଛି। ଫଳରେ ଦୁଇଟି ଯାକ ଘର ଭୂତକୋଠିର ଭ୍ରମ ସୃଷ୍ଟି କରୁଛନ୍ତି।
ଅନ୍ୟପକ୍ଷରେ ଏବେବି କେପିଟି ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଗୃହରେ ଗାଁର ଦୁଇଟି ଯାକ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ସେଥିପାଇଁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେମାନଙ୍କ ପାଇଁ ଶ୍ରେଣୀ ଗୃହର ଅଭାବ ପଡ଼ୁଥିବାରୁ ପାଠପଢ଼ା ଠିକ୍ରେ ହୋଇପାରୁ ନାହିଁ।
ସରକାର ଏଠାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲି ଦେଇଛନ୍ତି, କିନ୍ତୁ ଦୁଇଟି କେନ୍ଦ୍ର ପାଇଁ ଦୁଇ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ନିଯୁକ୍ତି ଦେଇ ନାହାନ୍ତି। ୬ ବର୍ଷ ହେଲାଣି ଜଣେ ଅଙ୍ଗନବାଡ଼ି କର୍ମୀ ଦୁଇଟି ଯାକ କେନ୍ଦ୍ରର କାର୍ଯ୍ୟଭାର ସମ୍ଭାଳୁଛନ୍ତି। ସେ ସବୁକଥା ତଦାରଖ କରି ପାରୁନଥିବା ବେଳେ ଅନେକ ସମୟରେ ମନମାନି ବି କରୁଥିବା ଅଭିଯୋଗ ହୋଇଛି।
ଗାଁର ୬୦ରୁ ଅଧିକ ଶିଶୁ ଦୁଇଟି ଯାକ ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଛନ୍ତି। କିନ୍ତୁ ଦୁଇଟି କେନ୍ଦ୍ରର ଦାୟିତ୍ୱ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ନ୍ୟସ୍ତ ଥିବାରୁ ସେ ଠିକ୍ ଢଙ୍ଗରେ ପରିଚାଳନା କରିପାରୁ ନଥିବାରୁ ସବୁ ଶିଶୁ ଆସୁ ନାହାନ୍ତି। ଏବେ କେବଳ୧୫ରୁ ଅଧିକ ଶିଶୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଛନ୍ତି। ତେଣୁ ନୂତନ ଭାବେ ନିର୍ମିତ ହୋଇଥିବା ଦୁଇଟି ଯାକ ଅଙ୍ଗନବାଡ଼ି କେନ୍ଦ୍ର କୋଠାକୁ କାର୍ଯ୍ୟକ୍ଷମ କରିବା ସହିତ ଆଉ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ନିଯୁକ୍ତି ଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି।
ଗାଁ ସତ୍ୟ ଶୁଭମ ରଥ କହିଛନ୍ତି, ଅଙ୍ଗନବାଡ଼ି କେନ୍ଦ୍ର ‘କ’ରେ ଅଙ୍ଗନବାଡ଼ି କର୍ମୀ ଅଛନ୍ତି। କିନ୍ତୁ ଅଙ୍ଗନବାଡ଼ି କେନ୍ଦ୍ର ‘ଖ’ରେ ଅଙ୍ଗନବାଡ଼ି କର୍ମୀ ନାହାନ୍ତି। ତେଣୁ ତୁରନ୍ତ ସେହି କେନ୍ଦ୍ର ପାଇଁ ଜଣଙ୍କୁ ନିଯୁକ୍ତି ଦିଆଯାଉ। ଏବେ ଦୁଇଟି କେନ୍ଦ୍ର ପାଇଁ ଜଣେ କର୍ମୀଥିବାରୁ ସେ ସବୁ କଥା ଠିକ୍ରେ ଦେଖି ପାରୁ ନାହାନ୍ତି। ପାଠପଢ଼ା ଭଲରେ ହୋଇପାରୁ ନାହିଁ। କେଉଁ ପିଲା ଆସିଲା, କେଉଁ ପିଲା ଆସିଲାନି, ସେ କଥା ବି ସେ ବୁଝି ପାରୁ ନାହାନ୍ତି। ଆଉ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ନିଯୁକ୍ତି ଦେବା ସହିତ ତୁରନ୍ତ ଦୁଇଟି ଯାକ ନୂଆ କୋଠାକୁ କାର୍ଯ୍ୟକ୍ଷମ କରାଯାଉ।
ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ କହିଛନ୍ତି ଯେ କେପିଟି ଗାଁର ଏହି ସମସ୍ୟା ବିଷୟରେ ସେ ଅବଗତ ଅଛନ୍ତି। ଖୁବ୍ଶୀଘ୍ର ନୂତନ ଭାବେ ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର କୋଠା ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ଶିଶୁମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
