Advertisment

ଗାଁ ରାଜନୀତିର ଛକିଶୂନ ଖେଳରେ ବିଜୟୀ ହେଲେ ପରିବା ବ୍ୟବସାୟୀଙ୍କ ପତ୍ନୀ

ଭଦ୍ରକ (ପାର୍ଥସାରଥୀ ନାୟକ): ରାଜନୀତିର ଛକି ଶୂନ ଖେଳରେ ବିଜୟୀ ହୋଇଛନ୍ତି ପରିବା ବ୍ୟବସାୟୀଙ୍କ ସ୍ତ୍ରୀ ମହେଶ୍ୱେତା ମହାଳିକ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଧନୀ ପ୍ରାର୍ଥୀଙ୍କୁ ହରାଇ ସରପଞ୍ଚ ହୋଇଛନ୍ତି। ଆଉ ଏବେ ଗାଁ ଲୋକଙ୍କ ଆଶା ଓ ଆଙ୍କାକ୍ଷା ପୂରଣ କରିବା ପାଇଁ ଲାଗି ପଡ଼ିଛନ୍ତି। ସେ ହେଉଛନ୍ତି, ଆଗାମୀ ୫ ବର୍ଷରେ ମୋ’ ପଞ୍ଚାୟତକୁ ସରସ ସୁନ୍ଦର କରି ଗଢି ତୋଳିବି।  ମହାମାରୀ କରୋନା ଯୋଗୁ ରୋଜଗାର ହରାଇଲେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର […]

author-image
Manoranjan Sial
ଅଦ୍ୟତନ ହୋଇଛି
ଗାଁ ରାଜନୀତିର ଛକିଶୂନ ଖେଳରେ ବିଜୟୀ ହେଲେ ପରିବା ବ୍ୟବସାୟୀଙ୍କ ପତ୍ନୀ

maheswata

ଭଦ୍ରକ (ପାର୍ଥସାରଥୀ ନାୟକ): ରାଜନୀତିର ଛକି ଶୂନ ଖେଳରେ ବିଜୟୀ ହୋଇଛନ୍ତି ପରିବା ବ୍ୟବସାୟୀଙ୍କ ସ୍ତ୍ରୀ ମହେଶ୍ୱେତା ମହାଳିକ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଧନୀ ପ୍ରାର୍ଥୀଙ୍କୁ ହରାଇ ସରପଞ୍ଚ ହୋଇଛନ୍ତି। ଆଉ ଏବେ ଗାଁ ଲୋକଙ୍କ ଆଶା ଓ ଆଙ୍କାକ୍ଷା ପୂରଣ କରିବା ପାଇଁ ଲାଗି ପଡ଼ିଛନ୍ତି। ସେ ହେଉଛନ୍ତି, ଆଗାମୀ ୫ ବର୍ଷରେ ମୋ’ ପଞ୍ଚାୟତକୁ ସରସ ସୁନ୍ଦର କରି ଗଢି ତୋଳିବି। 

Advertisment

ମହାମାରୀ କରୋନା ଯୋଗୁ ରୋଜଗାର ହରାଇଲେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର ପଞ୍ଚାୟତର ଦୀପ୍ତିରଞ୍ଜନ ଦାସ। କଣ କରିବେ ଭାବି ସେ ଭଦ୍ରକ-ଆଖଣ୍ଡଳମଣୀ ରାସ୍ତାର କୋଠାର ଛକରେ ପାଲ ଟାଣି ଉଠା ଦୋକାନଟିଏ କଲେ। ସେଠାରେ ବସି ପନି ପରିବା ବିକିଲେ। ଆଉ ଦିପ୍ତୀରଞ୍ଜନଙ୍କୁ ସହଯୋଗ କରୁଥିଲେ ତାଙ୍କ ଶିକ୍ଷିତ ପତ୍ନୀ ମହେଶ୍ୱେତା ମହାଳିକ। ସେ ସିନା ଦୋକାନରେ ବସି ବିକନ୍ତି ନାହିଁ, କିନ୍ତୁ ପରିବା କିପରି କିଣାଯିବ? କେମିତି ଦୋକାନକୁ ଆସିବ? ସେ ସବୁର ତଦାରଖ କରୁଥିଲେ ମହେଶ୍ୱେତା। ତାଙ୍କର ଏପରି କାର୍ଯ୍ୟ ତାଙ୍କୁ ଗାଁ ଲୋକଙ୍କ ନିକଟତର କରିଥିଲା।

ଚଳିତ ପଞ୍ଚାୟତ ନିର୍ବାଚନରେ କୋଠାର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଆସନଟି ମହିଳାଙ୍କ ସଂରକ୍ଷିତ ହୋଇଥିଲା। ଏହା ପରେ ଗାଁ ଲୋକେ ମହେଶ୍ୱେତାଙ୍କ ନାଁ ସୁପାରିଶ କରିଥିଲେ। ହେଲେ ବ୍ୟୟ ବହୁଳ ସରପଞ୍ଚ ନିର୍ବାଚନରେ ନିଜକୁ କିପରି ସାମିଲ କରିବେ ସେହି ଚିନ୍ତିତ ଥିଲେ ମହେଶ୍ୱେତା ଓ ତାଙ୍କ ସ୍ୱାମୀ ଦୀପ୍ତିରଞ୍ଜନ। ପରେ ସାହସ ଯୋଟାଇ ମୈଦାନକୁ ଲମ୍ଫ ମାରିଥିଲେ। ନିଜର ବୁଦ୍ଧି କୌଶଳ ଖଟାଇ ଦିନ ରାତି ଏକ କରି ନିର୍ବାଚନ ଲଢି ଥିଲେ। ଘରକୁ ଘର ବୁଲି ପ୍ରଚାର କରିଥିଲେ। ଆଉ ଗାଁ ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ।

Advertisment

ଗାଁ ଲୋକେ ମହେଶ୍ୱେତାଙ୍କୁ ନିରାଶ କରିନଥିଲେ। ସରିଥିବା ପଞ୍ଚାୟତ ନିର୍ବାଚନରେ ୧୨୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ବିଜୟ ହେବା ପରେ କୋଠାରବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଘର ଘର ବୁଲି ସମସ୍ତଙ୍କ ଆଶୀର୍ବାଦ ଲୋଡୁଛନ୍ତି। ପଞ୍ଚାୟତରେ କଣ ସମସ୍ୟା ଅଛି? କେଉଁ ଯୋଜାନାରେ ଲୋକମାନେ ବଞ୍ଚିତ ହେଉଛନ୍ତି? ତାହା ଉପରେ ସେ ଏକ ତାଲିକା କରୁଛନ୍ତି।

ଦେଖିବାକୁ ଗଲେ କୋଠାର ପଞ୍ଚାୟତ ଏକ କୃଷି ପ୍ରଧାନ ପଞ୍ଚାୟତ। ଏଠାରେ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାଆନ୍ତି। ଗାଁର ଦୁଇ ପାର୍ଶ୍ୱରେ ନଦୀ ଥିବା ସତ୍ତ୍ୱେ ପାଣି ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି। ଯେଉଁଥିପାଇଁ ମରୁଡ଼ି ସମସ୍ୟା ଉପୁଜୁଛି। ତାହା ଉପରେ କାମ କରିବା ଆବଶ୍ୟକ ବୋଲି ମହେଶ୍ୱେତା କହିଛନ୍ତି। ଏହାଛଡ଼ା ସରକାରୀ ଯୋଜନାରେ ପାତର ଅନ୍ତର ନକରି ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିବେ ବୋଲି ମହେଶ୍ୱେତା କହିଛନ୍ତି।