ଭେଙ୍କିୟା ହେବେ ରାଷ୍ଟ୍ରପତି!

ଅର୍ଦ୍ଧେନ୍ଦୁ ଶେଖର ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ସପ୍ତାହରେ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ। ବିଜେଡି ସମେତ ୱାଇଏସଆର୍ କଂଗ୍ରେସ ତାଙ୍କୁ ସମର୍ଥନ କରିବ ବୋଲି ମଧ୍ୟ ଆଲୋଚନା ହେଉଛି। କେବଳ ସେତିକି ନୁହେଁ ଆସନ୍ତା ୨୬ କିମ୍ୱା ୨୭ ତାରିଖରେ ସେ ନିଜର ମନୋନୟନ ପତ୍ର ଦାଖଲ କରିବେ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ […]

Venkaiah Naidu

Ordigital Desk
  • Published: Wednesday, 15 June 2022
  • , Updated: 15 June 2022, 03:41 PM IST

ଅର୍ଦ୍ଧେନ୍ଦୁ ଶେଖର

ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ସପ୍ତାହରେ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ। ବିଜେଡି ସମେତ ୱାଇଏସଆର୍ କଂଗ୍ରେସ ତାଙ୍କୁ ସମର୍ଥନ କରିବ ବୋଲି ମଧ୍ୟ ଆଲୋଚନା ହେଉଛି।

କେବଳ ସେତିକି ନୁହେଁ ଆସନ୍ତା ୨୬ କିମ୍ୱା ୨୭ ତାରିଖରେ ସେ ନିଜର ମନୋନୟନ ପତ୍ର ଦାଖଲ କରିବେ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏଥିରେ ପ୍ରସ୍ତାବକ ରହିବା ସହିତ ନିଜେ ନାମାଙ୍କନ ବେଳେ ଉପସ୍ଥିତ ରହିବେ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡ଼ିଛି।

ଗତ ଥର ଉତ୍ତର ଭାରତରୁ ରାମନାଥ କୋବିନ୍ଦ ରାଷ୍ଟ୍ରପତି ହୋଇଥିବା କାରଣରୁ ଏଥର ବିଜେପି ଦକ୍ଷିଣ ଭାରତରୁ ଜଣକୁ ବାଛିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ଫୋକସରେ ଦକ୍ଷିଣ ଭାରତ ରହିଛି। ଭେଙ୍କିୟା ଯଦି ପ୍ରାର୍ଥୀ ହୁଅନ୍ତି ତା’ହେଲେ ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ୱାଇଏସଆର କଂଗ୍ରେସ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଜଗନ ମୋହନ ରେଡ୍ଡୀ ଏବଂ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତା ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସମର୍ଥନ ତାଙ୍କ ପ୍ରତି ମିଳିପାରିବ ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଶ୍ୱାସ କରୁଛନ୍ତି। କାରଣ ଭେଙ୍କେୟା ହେଉଛନ୍ତି ଅବିଭକ୍ତ ଆନ୍ଧ୍ର ପ୍ରଦେଶର ମୂଳ ନିବାସୀ। ତେବେ ତାମିଲନାଡ଼ୁ ସହିତ ମଧ୍ୟ ତାଙ୍କର ନିବିଡ଼ ସଂପର୍କ ରହିଛି। ତେଣୁ, ତାମିଲନାଡ଼ୁର ଡିଏମକେ ରାଜ୍ୟ ସ୍ତରରେ କଂଗ୍ରେସକୁ ସାଙ୍ଗରେ ରଖିଥିଲେ ବି ରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତର ନାଇଡ଼ୁଙ୍କୁ ସମର୍ଥନ କରିବାର ସମ୍ଭାବନା ରହିଛି ବୋଲି ବିଜେପି ନେତାମାନେ ଆକଳନ କରୁଛନ୍ତି।

ସେହିପରି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ବା ଆରଏସଏସର ସମର୍ଥନ ମଧ୍ୟ ଭେଙ୍କିୟାଙ୍କଙ୍କ ପ୍ରତି ରହିଥିବା ଚର୍ଚ୍ଚା ହେଉଛି। ଭେଙ୍କିୟା ନିଜେ ଆରଏସଏସ ସମର୍ଥିତ ସଙ୍ଗଠନ ଅଖିଳ ବାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପିରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ତା’ ଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି। ଉପରାଷ୍ଟ୍ରପତି ଥିବା ସମୟରେ ସେ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇଲା ଭଳି କୌଣସି କାର୍ଯ୍ୟ କରିନାହାଁନ୍ତି। କେବଳ ସେତିକି ନୁହେଁ ରାଜ୍ୟସଭା ଅଧ୍ୟକ୍ଷ ହିସାବରେ ମଧ୍ୟ ସେ ଅନେକ ସମୟରେ ସରକାରଙ୍କୁ ସୁହାଇଛନ୍ତି। ସେହି ଦୃଷ୍ଟିରୁ ପୁରସ୍କାର ସ୍ୱରୂପ ତାଙ୍କୁ ରାଷ୍ଟ୍ରପତି ପଦ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି।

ଯଦିଓ ବିଜେପି କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ତାହା ଘୋଷଣା କରିନାହିଁ ତଥାପି ବି ଏନେଇ ପ୍ରାରମ୍ଭିକ ଭାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆଲୋଚନା ଆରମ୍ଭ କରିଦେଇଛନ୍ତି। ଆସନ୍ତା ସପ୍ତାହରେ ଏନେଇ ଏନଡିଏ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି।

ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ମନୋନୀତ କରନ୍ତି ତେବେ ତାଙ୍କ ସ୍ଥାନରେ ଉପରାଷ୍ଟ୍ରପତି ପଦ ପାଇଁ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଟିକଟରୁ ବଞ୍ଚିତ ହୋଇଥିବା ସଂଖ୍ୟାଲଘୁ ସଂପ୍ରଦାୟର ନେତା ମୁକ୍ତାର ଆବାସ ନକ୍‌ଭି କିମ୍ବା ସେହି ସଂପ୍ରଦାୟର ଉଦାରବାଦୀ ନେତା ତଥା କେରଳ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାଁଙ୍କୁ ମନୋନୀତ କରାଯାଇପାରେ ବୋଲି ଆକଳନ କରାଯାଉଛି।

Related story