ଆମ ଭାଷାକୁ ଆମେ କରୁଛୁ ଅନାଦାର

ଏଯାଏଁ ସରକାରୀ ସ୍ତରରେ ଓଡ଼ିଆ ଭାଷାର ପୂର୍ଣ୍ଣ ବ୍ୟବହାର ହୋଇନାହିଁ

  • ସ୍ୱାତୀ ଜେନା

ଆମେ ଓଡ଼ିଶାବାସୀ। ଓଡ଼ିଆ ଆମ ଭାଷା। ଆମେ କଥା ହେଉ ଓଡ଼ିଆରେ। କିନ୍ତୁ ଆମ ଦୋକାନ ନାଁ ଲେଖୁ ଇଂରାଜୀରେ। ଏ ମାନସିକତା ଏବେ ରାଜଧାନୀବାସୀଙ୍କୁ ବେଶ ଆକ୍ରାନ୍ତ କରିଛି। ରାଜଧାନୀରେ ଯେ କୌଣସି ଛୋଟବଡ଼ ମାର୍କେଟକୁ ଯିବେ ସବୁଠି ଦେଖିବାକୁ ପାଇବେ ଶହଶହ ଇଂରାଜୀ ଫଳକ। ମାର୍କେଟ ବିଲ୍‌ଡିଂ, ଅଶୋକ ନଗର, ବାପୁଜୀ ନଗର, ଶହୀଦ ନଗର, ଇନ୍ଦ୍ରଧନୁ ମାର୍କେଟ ଆଦି ରାଜଧାନୀର ବଡ଼ବଡ଼ ବଜାରସ୍ଥଳରେ ଲାଗିଥିବା ଫଳକ ଦେଖିଲେ ଏହା ଯେ ଓଡ଼ିଶାର ଏକ ସ୍ଥାନ ତାହା ବୁଝିବା କଷ୍ଟକର। କେବଳ ଏତିକି ନୁହେଁ, ରାଜଧାନୀରେ ରହୁଥିବା ପ୍ରାୟତଃ ସମସ୍ତ ବଡ଼ ବାବୁଙ୍କ ନାମ ଫଳକ ମଧ୍ୟ ଇଂରାଜୀରେ ଲେଖା ଯାଇଛି।

ରାଜ୍ୟରେ ସରକାରୀ ଓ ବେସରକାରୀ ନାମ ଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ୧୫ ମାର୍ଚ୍ଚ ୨୦୧୮ରେ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ଏଥିରେ ଖିଲାଫ କଲେ ଜୋରିମାନା ଲାଗିବ ବୋଲି ବ୍ୟବସ୍ଥା ହେଲା। ଏକ ହଜାରରୁ ୨୫ ହଜାର ଟଙ୍କାର ଜୋରିମାନା ପଡ଼ିବ ବୋଲି ସରକାରୀ ଭାବେ କୁହାଗଲା। ଅଥଚ ଆଜି ଯାଏଁ କାହାରି ଉପରେ ମଧ୍ୟ ସରକାର ଟଙ୍କାଟିଏ ବି ଜୋରିମାନା କଲେ ନାହିଁ।

ଏ ସବୁ ପାଇଁ ସରକାରୀ ଉଦାସୀନତାକୁ ଦାୟୀ କରିଛି ଉତ୍କଳ ସମ୍ମିଳନର ସଭାପତି ଅଦ୍ୱୈତ ପାତ୍ର । ସେ କହିଛନ୍ତି “ଆଜି ସାରା ରାଜ୍ୟ ୮୬ ତମ ଉତ୍କଳ ଦିବସ ପାଳନ କରୁଛି । କିନ୍ତୁ ଆଜି ବି ଓଡ଼ିଆ ଭାଷାରେ ବ୍ୟାପକ ବ୍ୟବହାର କରାଯାଇ ପାରି ନାହିଁ। କୁଳ ବୃଦ୍ଧ ମଧୁସୂଦନ ଦାସ ପ୍ରମୁଖ ଓଡ଼ିଆ ଭାଷା ପାଇଁ ଯେପରି ନିଜକୁ ନିସ୍ବ କରି ଦେଇଥିଲେ, ଆଜି ସେହି ଭାଷାର ସୁରକ୍ଷା ପାଇଁ ଆମେ ସେପରି କିଛି କରି ପାରି ନାହୁଁ । କାରଣ ରାଜ୍ୟରେ ବହୁ ପରିମାଣରେ ଇଂରାଜୀ ସ୍କୁଲ ଗଢି ଉଠିଲା । ଆଉ ଓଡ଼ିଆ ସ୍କୁଲ ତାର ସ୍ଥିତି ହରାଇଲା । ସରକାର ଆଇନ କରିଥିଲେ ମଧ୍ୟ ସରକାରୀ ନଥିପତ୍ର ଓଡ଼ିଆରେ ହେଲା ନାହିଁ । ନାମ ଫଳକ ଓଡ଼ିଆରେ ଲେଖା ହେଲା ନାହିଁ । ସରାକାର ମଧ୍ୟ ଆଇନ ଉଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । “

ସେପଟେ କିନ୍ତୁ ଭୁବନେଶ୍ୱର ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଉଭୟ ରାସ୍ତାରେ ନାମଫଳକ ଦେଖିଲେ ଖୁସି ଲାଗିବ। ସବୁଠି ଏକ ପ୍ରକାର, ଗୋଟିଏ ରଙ୍ଗର ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଫଳକ ଝୁଲୁଛି। ରାଜଧାନୀରେ କିଛି ଦୋକାନୀ ମଧ୍ୟ ଓଡ଼ିଆ ଭାଷାରେ ଦୋକାନ ଓ ଶୋ’ ରୁମରେ ବୋର୍ଡ ଲଗାଇଛନ୍ତି। ସେହିପରି ନେତା ଓ ମନ୍ତ୍ରୀଙ୍କ ଘର ସମ୍ମୁଖରେ ମଧ୍ୟ କେବଳ ଓଡ଼ିଆ ନାମ ଫଳକ ଲାଗିଛି। କିଛି ସରକାରୀ ଅଧିକାରୀ ମଧ୍ୟ ଇଂରାଜୀ ସହ ଓଡ଼ିଆ ଭାଷାର ନାମଫଳକକୁ ନିଜ କ୍ୱାର୍ଟର ସମ୍ମୁଖରେ ଲଗାଇଛନ୍ତି। ପ୍ରାୟତଃ ସମସ୍ତ ସରକାରୀ ଦପ୍ତରର ନାମ ଓଡ଼ିଆରେ ଲେଖା ରହିଛି।

ତେବେ ଏତିକିରେ ସୀମୀତ ରହିଯାଇଛି ଓଡ଼ିଆରେ ଓଡ଼ିଶା ଶାସନ ଚାଲିବାର ପ୍ରତିଶ୍ରୁତି। ଏଯାଏଁ ସରକାରୀ ସ୍ତରରେ ଓଡ଼ିଆ ଭାଷାର ପୂର୍ଣ୍ଣ ବ୍ୟବହାର ହୋଇନାହିଁ। ଆଜି ବି ସରକାରଙ୍କ ସମସ୍ତ ବିଜ୍ଞପ୍ତି ଇଂରାଜୀରେ ପ୍ରକାଶ କରାଯାଉଛି। ଏପରିକି ବିଧାନସଭାରେ ଇଂଗ୍ରାଜୀରେ ବିଲ୍ ଆଗତ ହେଉଛି। କୋଭିଡ କୋଭିଡ କାଳରେ ସମସ୍ତ ବିଜ୍ଞପ୍ତି ଇଂରାଜୀରେ ପ୍ରକାଶ ପାଇଛି। ବିଭିନ୍ନ ବିଭାଗର ଇ-ଡିସପ୍ୟାଚ୍ ଓ ସୂଚନା ଅଧିକାର ଆଇନ ଦ୍ୱାରା ମିଳୁଥିବା ତଥ୍ୟ ଆଦି ଇଂଗ୍ରାଜୀ ଭାଷାରେ ଦିଆଯାଉଛି।

୧୯ ସେପ୍ଟେମ୍ବର ୨୦୧୮ରେ ସରକାର ଓଡ଼ିଆ ଭାଷା ଆଇନ୍ ୧୯୫୪କୁ କାର୍ଯ୍ୟକାରୀ କରାଗଲା ବୋଲି ଯେଉଁ ଘୋଷଣା କଲେ, ତାହା ସଂପୂର୍ଣ୍ଣ ପ୍ରହସନ ଥିଲା ବୋଲି କହିଛନ୍ତି ଓଡ଼ିଶା ଭାଷା ଆନ୍ଦୋଳନର ଆବାହକ ସୁବାସ ପଟ୍ଟନାୟକ। “କାରଣ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ୍ ୧୯୫୬ର ଖିଲାପକାରୀଙ୍କ ବିରୋଧରେ ସର୍ବାଧୀକ ଏକ ହଜାର ଟଙ୍କାର ଜୋରିମାନାର ପ୍ରାବଧାନ ରହିଛି । ଏପରିସ୍ଥଳେ ଓଡ଼ିଆ ଭାଷା ସଂଶୋଧନ ଆଇନ୍ ୧୯୫୪ ଆଧାରରେ ଓଡ଼ିଆରେ ନାମଫଳକ ଲେଖୁନଥିବା ଦୋକାନ କେମିତି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବେ? ସରକାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଏମିତି ଆଇନ ସଂଶୋଧନ କରିଛନ୍ତି । ଏପରିକି ବହୁଳ ଭାବେ ଓଡ଼ିଆ ଭାଷା ବ୍ୟବହାର କରୁନଥିବା ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନରେ ନିୟମ ରହିଲା । ଏହାର ଅର୍ଥ କଣ? କାରଣ ଆଇନ ଉଲଙ୍ଗନ ମାନେ ହିଁ ଦୋଷୀ । ଏଥିରେ ବହୁଳ, କି ଥରେ ର ପ୍ରଶ୍ନ କେଉଁଠୁ ଉଠିଲା?”

ସେହିପରି ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ନ ହେବା ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ସିଧାସଳଖ କାଠଗଡ଼ାକୁ ଟାଣିଛନ୍ତି ବିଜେପି ମୁଖ୍ୟ ସଚେତକ ମୋହନ ମାଝି ।  ସେ କହିଛନ୍ତି,”ଫାଇଲ୍ ଚାଷ ଓ ବିଲକୁ ଓଡ଼ିଆରେ କରିବା ପାଇଁ ବିଧାନସଭାରେ ମଧ୍ୟ ବିରୋଧୀ ଭାବେ ଆମେ ଦାବି କରି ଆସୁଛୁ । ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ଆନ୍ତରିକତା ଦେଖାଇଲେ ନାହିଁ । ଆଜି ବି ସବୁ କାଗଜକଲମକାମଇଂରାଜୀରେ ହିଁ ହେଉଛି । ଏଠାରେ ସବୁ ଅଣ ଓଡ଼ିଆ ଅଫିସର ମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ସେଥିପାଇଁ ସରକାରୀ କାମ ଓଡିଆରେ କରାଯାଇ ପାରୁ ନାହିଁ । ଓଡ଼ିଆ ଲୋକଙ୍କ ନାଁରେ ସେମାନେ ଏଠାରେ ସରକାର ଚାଳାଉଛନ୍ତି । କିନ୍ତୁ ଓଡିଆ ଲୋକଙ୍କ ପ୍ରତି ତାଙ୍କର ବୈମାତୃତିକମନୋଭାବ ରହୁଛି “।

ଓଡ଼ିଶା ହେଉଛି ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। କିନ୍ତୁ ଓଡ଼ିଶାରେ ଓଡ଼ିଆ ଭାଷାକୁ ବଂଚାଇ ରଖିବା ପାଇଁ ଏବେ ବି ସଂଗ୍ରାମ ଚାଲିଛି, ଆନ୍ଦୋଳନ ହେଉଛି। ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ଚାଲିବା ଦାବିରେ ୨୦୧୬ ଏପ୍ରିଲ ୧୩ରୁ ଆରମ୍ଭ ହୋଇଥିବା କଳା ପତାକା ଅଭିଯାନ ଆଜି ବି ଅବ୍ୟାହତ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।