ଅଗ୍ନିପଥ ଯୋଜନା କ’ଣ ଓ ବିରୋଧ କାହିଁକି?

ସ୍ୱାତୀ ଜେନା ଅଗ୍ନିପଥ ଯୋଜନା। ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ସ୍କିମ। ଦେଶମାତୃକାର ସେବା ପାଇଁ ଯୁବପିଢ଼ିଙ୍କୁ ମିଳିବ ମାତ୍ର ୪ ବର୍ଷର ସୁଯୋଗ। ଏହା ମଧ୍ୟରେ ରହିଛି ୬ ମାସର କଡ଼ା ପ୍ରଶିକ୍ଷଣ। ତେବେ ଏହି ସମୟ ଅବଧି ମଧ୍ୟରେ ନିଜର ନିଷ୍ଠା ପରାକାଷ୍ଠାର ଭଲ ପ୍ରଦର୍ଶନ କରି ପାରିଲେ ପରବର୍ତ୍ତୀ ୧୫ ବର୍ଷ ପାଇଁ ସ୍ଥାୟୀ ନିଯୁକ୍ତି ମିଳିବ। ଆଉ ଏଥିପାଇଁ ପ୍ରତି ୪ ଜଣରୁ ମାତ୍ର ଜଣେ […]

Protest

Ordigital Desk
  • Published: Friday, 17 June 2022
  • , Updated: 18 June 2022, 02:30 PM IST
  • ସ୍ୱାତୀ ଜେନା

ଅଗ୍ନିପଥ ଯୋଜନା। ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ସ୍କିମ। ଦେଶମାତୃକାର ସେବା ପାଇଁ ଯୁବପିଢ଼ିଙ୍କୁ ମିଳିବ ମାତ୍ର ୪ ବର୍ଷର ସୁଯୋଗ। ଏହା ମଧ୍ୟରେ ରହିଛି ୬ ମାସର କଡ଼ା ପ୍ରଶିକ୍ଷଣ। ତେବେ ଏହି ସମୟ ଅବଧି ମଧ୍ୟରେ ନିଜର ନିଷ୍ଠା ପରାକାଷ୍ଠାର ଭଲ ପ୍ରଦର୍ଶନ କରି ପାରିଲେ ପରବର୍ତ୍ତୀ ୧୫ ବର୍ଷ ପାଇଁ ସ୍ଥାୟୀ ନିଯୁକ୍ତି ମିଳିବ। ଆଉ ଏଥିପାଇଁ ପ୍ରତି ୪ ଜଣରୁ ମାତ୍ର ଜଣେ ହିଁ ସିଲେକ୍ଟ ହେବେ। ଅର୍ଥାତ୍ ମାତ୍ର ୨୫ ପ୍ରତିଶତ ଅଗ୍ନିବୀର ସ୍ଥାୟୀ ହେବେ। ଏବଂ ସେମାନଙ୍କୁ ଅବସର ପରେ ପେନସନ୍ ମିଳିବ। ପ୍ରତି ବର୍ଷ ୪୬ ହଜାର ଯୁବପିଢ଼ି ସେନାରେ ଭର୍ତ୍ତି ହେବା ପାଇଁ ସୁଯୋଗ ପାଇବେ। ଏଥିପାଇଁ ବୟସ ସୀମା ରହିଛି ୧୭ ବର୍ଷ ୬ ମାସରୁ ୨୧ ବର୍ଷ। ତେବେ ପ୍ରତିବାଦ ପରେ କେବଳ ଚଳିତ ବର୍ଷ ସେନାରେ ଭର୍ତ୍ତି ହେବାର ସର୍ବୋଚ୍ଚ ବୟସ ସୀମା ୨୩କୁ ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ଆବଶ୍ୟକତା ଅନୁଯାୟୀ ଯୁବତୀଙ୍କୁ ମଧ୍ୟ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବା ପାଇଁ ସୁଯୋଗ ମିଳିବ ବୋଲି ସେନାମୁଖ୍ୟଙ୍କ ପକ୍ଷରୁ କୁହାଯାଇଛି ।

ଅଗ୍ନିପଥ ଯୋଜନାରେ ଲାଭ
ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବାକୁ ଥିବା ଯବାନଙ୍କୁ ‘ଅଗ୍ନିବୀର’ ଭାବେ ବିବେଚନା କରାଯିବ। ଦରମା ଆକାରରେ ପ୍ରତି ଅଗ୍ନିବୀରଙ୍କୁ ବର୍ଷକୁ ବର୍ଷ ବୃଦ୍ଧି ପାଇ ମାସିକ ୩୦ରୁ ୪୦ ହଜାର ଟଙ୍କା ମିଳିବ। ବାର୍ଷିକ ଆୟକୁ ହିସାବ କଲେ ସେନାରେ ଭର୍ତ୍ତି ହେବାର ପ୍ରଥମ ବର୍ଷ ୪ ଲକ୍ଷ ୭୬ ହଜାର ଦରମା ମିଳିବା ସହ ୪ର୍ଥ ବର୍ଷକୁ ବାର୍ଷିକ ୬ ଲକ୍ଷ ୯୨ ହଜାର ଟଙ୍କା ମିଳିବ। ଏହାର ୩୦ ପ୍ରତିଶତ ଅର୍ଥ ଅର୍ଥାତ୍ ୫.୦୨ ଲକ୍ଷଟଙ୍କା ପ୍ରତି ଅଗ୍ନିବୀର ନିଜର ଦରମାରୁ ଅଗ୍ନିବୀର ପାଣ୍ଠିକୁ ପ୍ରଦାନ କରିବେ। ସମାନ ପରିମାଣରେ ଟଙ୍କା ସରକାର ଜମା ରଖିବେ । ଚାରି ବର୍ଷ ପରେ ସେନାରେ ଯେଉଁ ୭୫ ପ୍ରତିଶତ ଅବସର ନେବେ ସେମାନଙ୍କୁ ସେହି ପାଣ୍ଠିରୁ ଏକା ସାଙ୍ଗେ ୧୧ ଲକ୍ଷ ୭୧ ହଜାର ଟଙ୍କାର ସେବା ନିଧି ଭାବେ ମୋଟା ଜମା ରାଶି ମଧ୍ୟ ମିଳିବ। ଯାହା ଉପରେ କୌଣସି ପ୍ରକାରର ଆୟକର ଦେବାକୁ ପଡିବ ନାହିଁ । ଯଦି ଦେଖିବା ମାତ୍ର ୨୫ ବର୍ଷରୁ କମ୍ ବୟସରେ ମାସିକ ହାରାହାରି ପ୍ରାୟ ୫୦ ହଜାର ଟଙ୍କା ରୋଜଗାର କରିଥିବେ ଅଗ୍ନିବୀର।

ଅଗ୍ନିବୀରଙ୍କୁ କ’ଣ ମିଳିବ ସୁବିଧା
ଅଗ୍ନିପଥ ଯୋଜନାରେ ସେନାରେ ଯୋଗ ଦେବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟ ୧୦ମ ପାସ୍ ରହିଛି। ଯେଉଁମାନେ ୧୦ମ ପରେ ସେନାରେ ଯୋଗ ଦେଇଥିବେ ତାଙ୍କୁ ଦ୍ୱାଦଶ ଶ୍ରେଣୀ ଯାଏଁ ଶିକ୍ଷା ଦିଆଯିବ। ଅର୍ଥାତ୍ ଚାକିରି ସହ ପାଠ ପଢ଼ା ହୋଇପାରିବ। ଅଗ୍ନିବୀରଙ୍କର ଯଦି ଏହି ୪ ବର୍ଷ ମଧ୍ୟରେ ମୃତ୍ୟୁ ହୁଏ ତାହେଲେ ତାଙ୍କୁ ୧ କୋଟି ଟଙ୍କାର ବୀମାରାଶି ମିଳିବ। ଏଥିପାଇଁ ୧ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଯଦି କୌଣସି କାରଣବଶତଃ ଶାରୀରିକ ଅକ୍ଷମ ହୋଇଗଲେ ତାହେଲେ ୪୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅକ୍ଷମ ବୀମା ବା ଡିଜାବୁଲ ଇନ୍ୟୁରାନ୍ସ ମଧ୍ୟ ମିଳିବ। ଏହା ସହ ଆଜୀବନ ସ୍ୱାସ୍ଥ୍ୟବୀମାର ସୁବିଧା ରହିଛି। କେବଳ ସେତିକି ନୁହେଁ ଜଣେ ଯବାନ୍ ପୂର୍ବରୁ ଯେଉଁ ସବୁ ସରକାରୀ ସୁବିଧା ପାଉଥିଲେ ତାହା ମଧ୍ୟ ଅଗ୍ନିବୀରଙ୍କୁ ମିଳିବ।

୪ ବର୍ଷ ପରେ ଭବିଷ୍ୟତ କ’ଣ
ଚାରି ବର୍ଷ ସେନାର ଅନୁଶାସନ ଓ ଦେଶ ପାଇଁ ସେବା କରିବାର ଅନୁଭୂତିକୁ ନେଇ ପ୍ରତି ଅଗ୍ନିବୀରଙ୍କୁ ଏକ ପ୍ରମାଣପତ୍ର ମିଳିବ। କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ, ଆସାମ ରାଇଫଲ୍ ଆଦି ସରକାରୀ ପୁଲିସ ବଳରେ ସେମାନଙ୍କୁ ପ୍ରାଥମିକତା ଦିଆଯିବ। ଏପରିକି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ପୁଲିସ ସେବାରେ ନିଯୁକ୍ତି ପାଇଁ ଏହି ଅଗ୍ନିବୀରଙ୍କୁ ଅଧିକ ଗୁରୁତ୍ୱ ଦେବେ। ବ୍ୟାଙ୍କିଂ ସେକ୍ଟରଠାରୁ ନେଇ ବିଭିନ୍ନ ଘରୋଇ ଅନୁଷ୍ଠାନରେ ଚାକିରି ପାଇଁ ଅଗ୍ନିବୀରଙ୍କ ପ୍ରମାଣପତ୍ର ବେଶ ଉପାଦେୟ ହୋଇପାରିବ। ଏହା ସହ ପ୍ରାୟ ୧୨ ଲକ୍ଷ ଟଙ୍କା, ସେନାର ପ୍ରଶିକ୍ଷଣ ନେଇ ଫେରିଥିବା ମାତ୍ରେ ୨୫ ବର୍ଷର ଯୁବକଙ୍କୁ ବ୍ୟାଙ୍କରୁ ଲୋନ୍ ନେଇ ନିଜସ୍ୱ ଷ୍ଟାର୍ଟ ଅପ କରିବା ଲାଗି ମଧ୍ୟ ପ୍ରାଥମିକତା ଦିଆଯିବ।

ସେନାର କଣ ଲାଭ ହେବ
ଅଗ୍ନିପଥ ଯୋଜନା ଦ୍ୱାରା ଦେଶର ସେନା ବାହିନୀ ଅଧିକ ଯୁବ ଓ ସଶକ୍ତ ରହିବ। ମୁଖ୍ୟତଃ ଯେଉଁମାନେ ଦକ୍ଷ ସେମାନଙ୍କୁ ହିଁ ସେନା ଭଳି କଠିନ କାର୍ଯ୍ୟରେ ନିୟୋଜିତ କରାଯିବ। ପ୍ରତିରକ୍ଷା ପାଇଁ ୨୦୨୧ରେ ଯେତିକି ବଜେଟ ହୋଇଥିଲା ତାର ୫୪ ପ୍ରତିଶତ ଦରମା ଓ ପେନସନରେ ଖର୍ଚ୍ଚ ହୋଇଥିଲା। ତେଣୁ ଏହି ଯୋଜନା ଦ୍ୱାରା ସରକାରଙ୍କ ଉପରେ ପେନସନ୍ ବୋଝ କମିବ। ଏହି ଅର୍ଥ ସେନାକୁ ଅଧିକ ମଜଭୁତ କରିବାରେ ଖର୍ଚ୍ଚ ହୋଇପାରିବ। ସର୍ବୋପରି କୁହାଯାଇ ପାରିବ, ବିପଥଗାମୀ ଭାରତୀୟ ଯୁବଗୋଷ୍ଠୀ ଅଧିକ ସକ୍ରିୟ ହୋଇ ପାରିବେ ଏବଂ ଅଧିକ ଲୋକ ଭାରତମାତାର ସେବା ପାଇଁ ସୁଯୋଗ ପାଇବେ।

ଯୋଜନାକୁ ନେଇ ଯୁବପିଢ଼ିଙ୍କ ବିରୋଧ କାହିଁକି?
ଅଗ୍ନିବୀର ଯୋଜନା ଦ୍ୱାରା ଏଣିକି ସେନାରେ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ନାହିଁ। ଏପରକି ପେନସନ୍ ସୁବିଧାରୁ ମଧ୍ୟ ସେମାନେ ବଂଚିତ ହେବେ। ଯେଉଁମାନେ ଗଲା ୨ ବର୍ଷ ହେଲା ମେଡିକାଲ ଓ ଫିଜିକାଲ ଟେଷ୍ଟ ଦେଇ ଅପେକ୍ଷା କରିଥିଲେ ସେମାନଙ୍କ ଭବିଷ୍ୟତ କ’ଣ ହେବ? ଚାରି ବର୍ଷ ପରେ ଅଧାରୁ ଚାକିରିରୁ ବାହାରିବା ପରେ ଭବିଷ୍ୟତ ଅନ୍ଧାର ହୋଇ ଯାଇପାରେ। କେନ୍ଦ୍ର ଓ ରାଜ୍ୟ ସରକାରୀ ପୁଲିସରେ ସେମାନଙ୍କୁ ଚାକିରି ମିଳିବାର କିଛି ଗ୍ୟାରେଣ୍ଟି ନାହିଁ। ସେଥିପାଇଁ ଆଉ ଥରେ ପରୀକ୍ଷା ଓ ସାକ୍ଷାତକାର ଦେବାକୁ ପଡ଼ିପାରେ। ଏସବୁ ନେଇ ସ୍କିମ୍‌ରେ ସ୍ପଷ୍ଟତା ନଥିବାରୁ ଅନେକ ରାଜ୍ୟରେ ସେନାରେ ଭର୍ତ୍ତି ହେବାକୁ ଆଶାୟୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

Related story