Advertisment

ଲିଙ୍ଗରାଜ ଷ୍ଟେସନକୁ ଆଦିତ୍ୟ ଗଲେ କେମିତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରହସ୍ୟ ଘେରରେ ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ। ଏନେଇ ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ରହସ୍ୟରୁ ପରଦା କିନ୍ତୁ ଉଠିବା ନାଁ ଧରୁନାହିଁ। ଏସବୁ ଭିତରେ ଆଦିତ୍ୟଙ୍କ ପ୍ରଶଂସକମାନେ ପ୍ରତିକ୍ରିୟାଶିଳ ଥିବାବେଳେ ଖୁବ୍ ଧୈର୍ଯ୍ୟ ଧରିଛନ୍ତି ପତ୍ନୀ ବିଦ୍ୟାଶ୍ରୀ। ମୃତ୍ୟୁ ଦିନଠାରୁ ସମ୍ପୂର୍ଣ୍ଣ ଧୈର୍ଯ୍ୟର ସହ ଗଣମାଧ୍ୟମକୁ ସାମ୍ନା କରୁଛନ୍ତି ଶ୍ରୀ। ପୁଲିସର ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ଭରସା ରଖିଥିବା ବେଳେ ଆଦିତ୍ୟ-ପ୍ରେମୀମାନଙ୍କୁ ମଧ୍ୟ ଧୈର୍ଯ୍ୟର ସହ ସମୟକୁ ଅପେକ୍ଷା କରିବାକୁ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଲିଙ୍ଗରାଜ ଷ୍ଟେସନକୁ ଆଦିତ୍ୟ ଗଲେ କେମିତି?

adi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରହସ୍ୟ ଘେରରେ ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ। ଏନେଇ ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ରହସ୍ୟରୁ ପରଦା କିନ୍ତୁ ଉଠିବା ନାଁ ଧରୁନାହିଁ। ଏସବୁ ଭିତରେ ଆଦିତ୍ୟଙ୍କ ପ୍ରଶଂସକମାନେ ପ୍ରତିକ୍ରିୟାଶିଳ ଥିବାବେଳେ ଖୁବ୍ ଧୈର୍ଯ୍ୟ ଧରିଛନ୍ତି ପତ୍ନୀ ବିଦ୍ୟାଶ୍ରୀ। ମୃତ୍ୟୁ ଦିନଠାରୁ ସମ୍ପୂର୍ଣ୍ଣ ଧୈର୍ଯ୍ୟର ସହ ଗଣମାଧ୍ୟମକୁ ସାମ୍ନା କରୁଛନ୍ତି ଶ୍ରୀ। ପୁଲିସର ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ଭରସା ରଖିଥିବା ବେଳେ ଆଦିତ୍ୟ-ପ୍ରେମୀମାନଙ୍କୁ ମଧ୍ୟ ଧୈର୍ଯ୍ୟର ସହ ସମୟକୁ ଅପେକ୍ଷା କରିବାକୁ ବାରମ୍ବାର ଅନୁରୋଧ କରିଆସୁଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ଆଦିତ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଜିଆରପିର ହସ୍ତଗତ ହୋଇସାରିଛି। ଆଦିତ୍ୟଙ୍କ ସଂଗଠନ କର୍ମୀମାନଙ୍କ ଅଭିଯୋଗକ୍ରମେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଆଉ ଜବତ ଆତ୍ମହତ୍ୟା ଚିଠିର ଅକ୍ଷର ଆଦିତ୍ୟଙ୍କ ହସ୍ତାକ୍ଷର କି ନୁହେଁ, ସେ ନେଇ ଯାଞ୍ଚ କରାଯାଉଛି।

ଏସବୁ ଭିତରେ ଜିଆରପିର ତଦନ୍ତକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏକ ଗଣମାଧ୍ୟମ ରିପୋର୍ଟ ପୁଲିସ ତଦନ୍ତ ବିଭ୍ରାନ୍ତିକର ବୋଲି ବିଚାରକୁ ନେବାକୁ ବାଧ୍ୟ କରୁଛି। ଏସବୁ ଭିତରେ ଆଦିଙ୍କ ମୃତ୍ୟୁ ଗୁମରର ଜଟିଳତା ଆହୁରି ବଢ଼ିଯାଇଛି।

Advertisment

ସୂଚନାଯୋଗ୍ୟ, ଏକ ଛାପା ଗଣମାଧ୍ୟମର ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଦିତ୍ୟ ଟ୍ରେନ ସାମ୍ନାରେ ଠିଆ ହୋଇ ଆତ୍ମହତ୍ୟା କରିଛନ୍ତି। ଆଦିତ୍ୟ ଆତ୍ମହତ୍ୟା କରିଥିବା ନେଇ ରେଳବାଇ ପୁଲିସ ସ୍ପଷ୍ଟ କରିଛି।

ରିପୋର୍ଟ ଅନୁଯାୟୀ, "ଗତ ୬ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ପାଖାପାଖି ଶ୍ରୀଲିଙ୍ଗରାଜ ଷ୍ଟେସନ ନିକଟରେ ଆଦିତ୍ୟ ବସିଥିବା ନେଇ କାରଗିଲ ବସ୍ତିର ୨ ମହିଳା ଦେଖିଥିଲେ। ସେମାନେ ଏପରିକି କାହିଁକି ଏଠାରେ ବସିଛ ବୋଲି ଆଦିତ୍ୟଙ୍କୁ ପଚାରିଥିଲେ ବୋଲି ମାମାଲି ସ୍ୱାଇଁ ବୋଲି ଜଣେ ମହିଳା ପୁଲିସକୁ ବୟାନ ଦେଇଛନ୍ତି। କାରଗିଲ ବସ୍ତିର ଆଉ ଜଣେ ମହିଳା ଆଦିତ୍ୟ ଟ୍ରେନ୍ ସାମ୍ନାରେ ଛିଡ଼ି ହୋଇଥିବା ଦେଖିଛନ୍ତି। ଉକ୍ତ ମହିଳାଙ୍କ ସମ୍ପର୍କରେ ସୂଚନା ପାଇବା ପରେ ରେଳବାଇ ପୁଲିସ ଗୁରୁବାର ରାତିରେ ତାଙ୍କୁ ପଚରାଉଚରା କରିଛି। ଏସବୁ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଦିତ୍ୟ ଆତ୍ମହତ୍ୟା କରିଥିବା ରେଳବାଇ ପୁଲିସ ଜାଣିବାକୁ ପାଇଛି। ପ୍ରାୟ ୧ ଘଣ୍ଟା ଧରି ଆଦିତ୍ୟ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ....."

କିଛି ଏଭଳି ତଥ୍ୟ ସହ ଆଦିତ୍ୟଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଘୋଷଣା କରାଯାଇଛି। ତେବେ ଏଠାରେ ଆଲୋକପାତ କରିବା ଜରୁରୀ ଯେ, ଆଦିତ୍ୟଙ୍କୁ ନେଇ ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଇବା ସହ ପୁଲିସର ତଦନ୍ତ ପ୍ରକ୍ରିୟାରେ ମଧ୍ୟ ସ୍ପଷ୍ଟତା ନ ଥିବା ବୋଧ ହେଉଛି।

୧-ଘଟଣା ଦିନ ଅର୍ଥାତ ୭ ତାରିଖ ସକାଳେ ମୃତଦେହ ମିଳିବା ପରେ ପରେ ପୁଲିସ ତଦନ୍ତ ପ୍ରକ୍ରିୟା କରିବା ପୂର୍ବରୁ ଏହାକୁ ଆତ୍ମହତ୍ୟା ବୋଲି କାହିଁକି କହିଲା?

୨- ସଂଗଠନ କର୍ମୀମାନେ ହତ୍ୟା ଅଭିଯୋଗ ଆଣି, ଧାରଣାରେ ବସିବା ପରେ ଯାଇ ପୁଲିସ ହତ୍ୟା ମାମଲା ରୁଜୁ କଲା।

୩-ମୃତଦେହ ଉଦ୍ଧାର ପରେ ଆଦିତ୍ୟଙ୍କ ଆତ୍ମହତ୍ୟା ଚିଠି ପ୍ରଥମେ ପୁଲିସକୁ ନ ମିଳି ବିକାଶକୁ ମିଳିଲା କାହିଁକି? ପୁଲିସ ଏତେ ଗୁଡ଼ିଏ ସମୟ କାହିଁକି ଢ଼ିଲା ଛାଡ଼ିଲା?

୪-ମୃତଦେହ ମିଳିବା ପରେ ଆଖପାଖରେ ପୁଲିସ ପଚରାଉଚରା କରିଥିଲା କି? ଯଦି କରିଥିଲା, ତେବେ ପ୍ରାୟ ୩ ଦିନ ପରେ ପ୍ରତ୍ୟକ୍ଷଦର୍ଶୀ ସାମ୍ନାକୁ ଆସିଲେ କାହିଁକି?

୫-ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ, ସେମାନେ ଏକ ଘଣ୍ଟା ଧରି ଟ୍ରେନକୁ ଅପେକ୍ଷା କରିଥିବା ଆଦିତ୍ୟଙ୍କୁ ନେଇ ଆଂଶିକ ସନ୍ଦେହ ପ୍ରକଟ କରି ନ ଥିଲେ ଯେ?

୬-ଯଦି ସନ୍ଦେହ କରି ତାଙ୍କୁ ପ୍ରଶ୍ନ ଆଦିତ୍ୟଙ୍କୁ ପ୍ରଶ୍ନ ବି ପଚାରିଥିଲେ, ତେବେ ଆଦିତ୍ୟଙ୍କ ମୃତ୍ୟୁ ଖବର ପ୍ରଘଟ ହେବା ପରେ ପୁଲିସକୁ ତୁରନ୍ତ ଜଣାଇଲେନି କାହିଁକି?

୭-ଆଦିତ୍ୟଙ୍କ ହାବଭାବ ପ୍ରତ୍ୟକ୍ଷଦର୍ଶୀଙ୍କୁ ପ୍ରଭାବିତ କରି ନ ଥିଲା?

୮- ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ-"ଆଦିତ୍ୟ ପ୍ରାୟ ସାଢ଼େ ୭ଟା ପାଖାପାଖି ସମୟରେ ଟ୍ରେନକୁ ଅପେକ୍ଷା କରିଥିଲେ।" ଏ କଥା ଏବେ ପୁଲିସର ତଦନ୍ତ ପ୍ରକ୍ରିୟାରେ ସନ୍ଦେହ ସୃଷ୍ଟି କରିବାକୁ ବାଧ୍ୟ କରୁଛି। କାରଣ ଆଦିତ୍ୟ ୬ ତାରିଖ ୧୯.୧୪ ଘଣ୍ଟାରେ ଅର୍ଥାତ୍ ସନ୍ଧ୍ୟା ୭.୧୪ ବେଳେ ନିଜ ଫେସବୁକରେ ଶେଷ ଷ୍ଟାଟସ୍ ଅପଡେଟ୍ କରିଥିଲେ। ଅନ୍ୟପଟେ ସାଢ଼େ ସାତଟା ବେଳେ ପ୍ରତ୍ୟକ୍ଷଦର୍ଶୀ ତାଙ୍କୁ ଟ୍ରେନକୁ ଅପେକ୍ଷା କରିଥିବା ଦେଖିଥିଲେ। ଆଦିତ୍ୟଙ୍କ ଘରଠାରୁ (ଏକାମ୍ର ଭିଲା ପାଖରେ) ଲିଙ୍ଗରାଜ ରେଳଷ୍ଟେସନ ପ୍ରାୟ ୨ କି.ମିରୁ ଅଧିକ ହୋଇପାରେ।

ଆଦିତ୍ୟ ନିଜ ଫୋନ ଓ ଚାବି ଫ୍ରିଜରେ ରଖିଥିଲେ। ସେ ଗାଡ଼ି ଛାଡ଼ି ନେଇ ଯାଇନାହାନ୍ତି। ତେବେ ୭.୧୪ରେ ଷ୍ଟାଟସ ଅପଡେଟ୍ କରି ଲିଙ୍ଗରାଜ ଷ୍ଟେସନରେ ପ୍ରାୟ ୭.୩୦ରେ ଆଦିତ୍ୟ ପହଞ୍ଚିଲେ କେମିତି?

୯- (ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଯଦି ସତ) ଆଦିତ୍ୟ କଣ ୧୬ ମିନିଟ ଭିତରେ ଫେସବୁକରେ ଷ୍ଟାଟସ ଅପଡେଟ୍ କଲେ, ଫୋନକୁ ଫ୍ରିଜରେ ରଖିଲେ, ଘର ଚାବି ପକାଇଲେ ଆଉ ଷ୍ଟେସନରେ ବି ପହଞ୍ଚିଗଲେ (ପ୍ରାୟ ଅଢ଼େଇ କି.ମି), ଯେଉଁଠି ପହଞ୍ଚୁ ପହଞ୍ଚୁ ପ୍ରତ୍ୟକ୍ଷଦର୍ଶୀ ଦେଖିବାକୁ ଅପେକ୍ଷା କରିଥିଲେ? ଆଉ ଦେଖୁ ଦେଖୁ କାହିଁକି ଏଠାରେ ବସିଛ ବୋଲି ପ୍ରଶ୍ନ ମଧ୍ୟ କରିଦେଲେ?

୧୦- ଯଦି ବାଇକ୍ ନେଇ ନ ଥିଲେ ଆଦିତ୍ୟ କେମିତି ଷ୍ଟେସନରେ ପହଞ୍ଚିଲେ? ଚାଲି ଚାଲି କ’ଣ ଏତେ ବାଟ ଏତେ କମ ସମୟ ଭିତରେ ଆଦିତ୍ୟ ପହଞ୍ଚିଗଲେ? ନା କାହାକୁ ଲିଫ୍ଟ ମାଗିଥିଲେ? କ୍ୟାବ୍ ବା ଅଟୋ କରି ଯାଇଥିଲେ କି? କାରଣ ଏତେ କମ ସମୟ ଭିତରେ ଏତେ ବାଟ ଚାଲି ଚାଲି ଯିବା ସାଧାରଣତଃ ମାନସିକ ଅବସାଦରେ ଥିବା ଲୋକ କ୍ଷେତ୍ରରେ ସମ୍ଭବ ବୋଲି ଜଣାପଡ଼ୁନାହିଁ। ଏପରି ବି ହୋଇପାରେ, ନା ଷ୍ଟେସନରେ ଫେସବୁକ ଷ୍ଟାଟସ ଅପଡେଟ୍ କରି ଆଦିତ୍ୟ ଘରକୁ ଫେରିଆସି ଫୋନ ଫ୍ରିଜରେ ରଖିଲେ। ଆଉ ଆତ୍ମହତ୍ୟା କରିବାକୁ ପୁଣି ଷ୍ଟେସନକୁ ଯାଇଥିଲେ।

୧୧- ଏ ସମସ୍ତ ଦିଗକୁ ନ ବିଚାରି ପୁଲିସ କିଭଳି ଭାବେ ଗଣମାଧ୍ୟମକୁ ଆଦିତ୍ୟଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ତଥ୍ୟ ଦେଇଛି?

୧୨- ପ୍ରତ୍ୟକ୍ଷଦର୍ଶୀଙ୍କୁ ଗୁରୁତ୍ୱ ଦେବା ପୂର୍ବରୁ ସିସିଟିଭି ଫୁଟେଜ୍ ବିଷୟ ପୁଲିସ ସ୍ପଷ୍ଟ କାହିଁକି କରୁନାହିଁ?

୧୩- କେଉଁ କେଉଁ ଟ୍ରେନ୍ ସେହି ରେଳଲାଇନ ଦେଇ ଯାଇଛି ପୁଲିସ ତଥ୍ୟ ଦେବା ପୂର୍ବରୁ ଆତ୍ମହତ୍ୟା ବୋଲି ଘୋଷଣା କରିବା କ’ଣ ନିରପେକ୍ଷ ତଦନ୍ତର ନିଦର୍ଶନ?

adi-fb

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ବାରମ୍ବାର ବୟାନ ବଦଳୁଥିବା ବେଳେ ଦ୍ୱନ୍ଦ୍ୱ ମଧ୍ୟ ତଦନୁରୂପ ବଢ଼ିଚାଲିଛି। ଏସବୁ ଭିତରେ ଏଭଳି ବିଭ୍ରାନ୍ତିକର ରିପୋର୍ଟ ଓ ତଥ୍ୟ ମୃତ୍ୟୁର ଗୁମରକୁ ଚିରଦିନ ପାଇଁ ଗୁମର କରି ରଖି ନ ଦେଉ।

Aditya Dash